ଅବସ ଫାଲ୍ଗୁନର କ୍ଲାନ୍ତ ଅପରାହ୍ଣ । ଅସ୍ତଗାମୀ ସୂର୍ଯ୍ୟକୁ ମୁହଁକରି ନିର୍ଲିପ୍ତ ନୟନରେ ପଶ୍ଚିମ ଦିଗବଳୟକୁ ଚାହିଁରହି ନଈ ଅତଡ଼ି ଉପରେ ଠିଆ ହୋଇଥିଲା ଯୁବତୀଟିଏ । ଉଦାସ ଆଖିରେ ଝୁଲି ରହିଥିବା ବିଗତ ଯନ୍ତ୍ରଣାର ଚିହ୍ନ ଦୁଇବୁନ୍ଦା ଲୁହ ଉତ୍ତପ୍ତ ଲାଭାସମ ପ୍ରତିତ ହେଉଥାଏ । ଘନ ଘନ ଦୀର୍ଘଶ୍ଵାସ ଛାତିତଳର ଯନ୍ତ୍ରଣାକୁ ପ୍ରଶମିତ କରିବାରେ ବ୍ୟର୍ଥ ଯେମିତି ! କ୍ରମାଗତ ଅସଫଳତା, ସଂସାର ଜାକର ବିଦ୍ରୁପ, ଘର ଭିତରର ଲାଞ୍ଛନା, ଅତ୍ୟାଚାରକୁ ସମ୍ମୁଖୀନ ହୋଇ ସେ ଥକି ଯାଇଛି ଯେମିତି !! ସେଥିପାଇଁ ତ ଏ ଚରମ ନିଷ୍ପତ୍ତି… ନଦୀର ଚଳନ୍ତା ପ୍ରବାହରେ ନିଜକୁ ସମର୍ପିଦେଇ ସଲୀଳ ସମାଧି ନେବା । ନଦୀର ପ୍ରବାହକୁ ପାଦ ବଢ଼ାଉଥିବା ସମୟରେ ରଙ୍ଗମଞ୍ଚର ଦୃଶ୍ୟପଟ ଭଳି ବିଗତ ଦିନର ଘଟଣାମାନ ନାଚି ଉଠୁଥିଲା ଆଖି ସାମ୍ନାରେ । ସତରେ କ’ଣ ସଂସାରରେ ଝିଅଟିଏ ହୋଇ ଜନ୍ମନେବା ପାପ ! ଅନିଚ୍ଛା ସତ୍ତ୍ୱେ ପିଲାଟି ଦିନରୁ ସମସ୍ତେ ନିଜ ନିଜର ଇଚ୍ଛାକୁ ଜୋର ଜବରଦସ୍ତ ଲଦି ଆସିଛନ୍ତି ତା’ ଉପରେ । କେହି କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି ସେ କ’ଣ ଚାହେଁ । ନିଜ ଭିତରର ଇଚ୍ଛା, ପ୍ରତିଭାକୁ ସମାଜର ଦ୍ୱାହିଦେଇ ବାରମ୍ବାର ଦଳି ମକଚି ନିଃଶେଷ କରିଦିଆ ଯାଇଛି । ଶୃଙ୍ଖଳାର କଇଁଚିରେ କେତେଥର ତା’ ଇଚ୍ଛାର ଡେଣା କଟା ନ ହେଇଛି ସତେ ! ମୁକ୍ତାକାଶର ବିହଙ୍ଗଟିଏ ଭଳି ନୀଳ ଆକାଶକୁ ଛୁଇଁବାର ଆଶା ଆକାଂକ୍ଷା ସବୁକୁ କଟକଣାର ପଞ୍ଜୁରୀରେ ବନ୍ଦ କରିଦିଆଯାଇଛି ସବୁଦିନ ପାଇଁ । ନିଜ ଜୀବନକୁ ଜୀଇଁବାର, ପ୍ରେମ କରିବାର ଅଧିକାରକୁ ବି ତ ଛଡ଼େଇ ନିଆଯାଇଛି ଜୋର ଜବରଦସ୍ତ । ଯେଉଁ ସମାଜ ତାକୁ ତିଳ ତିଳ ହତ୍ୟା କରିଆସିଛି, ସେ ସମାଜରେ ବଞ୍ଚି ରହିବାର ଆବଶ୍ୟକତା କ’ଣ !? ଭାବୁଥିଲା ସେ… ହଠାତ କାହାର ସ୍ୱରରେ ମୋହ ଭଙ୍ଗହୁଏ, ସଂଜ୍ଞାନ ଫେରିଆସେ, ପାଣି ଉପରକୁ ଉଠିଥିବା ପାଦ ଅଟକିଯାଏ । ଦଲକାଏ ପବନ ଅସ୍ତବ୍ୟସ୍ତ ଚୁଟିକୁ ସାଉଁଳେଇ ସାଇଁ କରି ଚାଲିଯାଏ । ପଶ୍ଚିମ ଆକାଶରେ ବୁଡ଼ି ଯାଉଥିବା ସୂର୍ଯ୍ୟଙ୍କର ରକ୍ତିମ କିରଣର ଛିଟା ବିଞ୍ଚିହୋଇ ପଡ଼ିଥାଏ ତରଙ୍ଗାଇତ ଜଳରାଶି ଉପରେ । ଛୋଟ ମାଛଟିଏ ସେଇ ସ୍ୱର୍ଣ୍ଣରେଣୁରୁ କଳେ ପାକସ୍ଥଳୀକୁ ନେଇ ପୁଣି ଫେରିଯାଏ ଗଭୀର ଜଳକୁ । ଫୁର୍ ଫୁର୍ ହୋଇ ଚଟିଆ କେତୋଟି ମୁଣ୍ଡ ଉପରେ ଚକ୍କର କଟୁଥିଲେ, ଆକାଶର ଗଭୀରତା ମାପୁଥିଲେ । ପାଖ ବୁଦାରୁ ଅଜଣା ଫୁଲର ମିଠା ମହକ ଶିତଳତାର ଲେପ ବୋଳି ଚାଲିଯାଉଥାଏ ରହି ରହି… ଓଠରେ ତା’ର ଚେନାଏ ହସ ଉକୁଟି ଉଠେ ନିଜ ଅଜାଣତରେ, ଫେରିଚାହେଁ ଝିଅଟି । କାହିଁ ! କେହି ତ ନାହାନ୍ତି !! ତେବେ କାହାର ଥିଲା ସେ ସ୍ୱର !? ନିଜ ଅନ୍ତଃ ସ୍ୱର ନୁହେଁ ତ ଆଉ !!! ନା ସେ ସ୍ୱର ଏ ପୃଥିବୀର, ଆକାଶର, ପାଣିର, ପବନର, ଫୁଲର ନା ଚଟିଆର?? କିଏ ସେ ଚୁପି ଚୁପି କହି ଯାଉଥିଲା ଜୀବନ କେତେ ସୁନ୍ଦର, କେତେ ମଧୁମୟ ସତେ !! ତାକୁ ଅକାରଣରେ ଏମିତି ନିଃଶେଷ କରିଦେବା କଣ ଠିକ? ନା ! ସେ ଫେରିଯିବ । ଜୀଇଁବ ଜୀବନକୁ ନିଜ ଇଚ୍ଛାରେ, ନିଜ ସର୍ତ୍ତରେ । ପରିବାର ଶୃଙ୍ଖଳାର ବେଡ଼ି ବାନ୍ଧିବେ ତ ବାନ୍ଧନ୍ତୁ, ସମାଜ ଉପହାସ କରିବ, ତାତ୍ସଲ୍ୟ କରିବ ତ କରୁ ! ସେ କିନ୍ତୁ ଜୀଇଁବ ଏକ ନୂତନ ଜୀବନ । ହଁ ! ଏକ ନୂତନ ଜୀବନ…
ମହାଶିବରାତ୍ରି ତଥା ଦୋଳ ପୂର୍ଣ୍ଣିମାର ଅଶେଷ ଅଶେଷ ଅଭିନନ୍ଦନ ସହ
ଜୟ ଜଗନ୍ନାଥ
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।