ଗୋପ ଗୋପାଳୁଣୀ ଗଲେ ନୀର ଆଣି
ଯମୁନା ପୁଳିନେ ମିଳି
ଅଷ୍ଟ ଅଳଙ୍କାର ଦେହରୁ କାଢ଼ିଲେ
ସ୍ନାହାନ କରିବେ ବୋଲି ।
ଚିଲ ପକ୍ଷୀ ଏକ ଖାଇବା ପଦାର୍ଥ
ମଣି ନେଲା କାନ ଫୁଲ
କଦମ୍ବ ଡାଳରେ ନିରତେ ଖୁମ୍ପିଲା
ଭୋକରେ ହୋଇ ବିକଳ ।
ସୁବର୍ଣ୍ଣର ସେହି କାନଫୁଲ ଗୋଟି
କୁଞ୍ଜବନେ ଫୋପାଡ଼ିଲା
ଜଳରୁ ବାହାରି ଶ୍ରୀରାଧା ସୁନ୍ଦରୀ
ଖୋଜି ଖୋଜି କାନ୍ଦି ମଲା ।
ଅନ୍ତପୁରେ ଯାଇ ଲୋତକ ଝରାଇ
ରହିଲାକ ତୁନି ହୋଇ
ବତ୍ସା ଚରା ବେଳେ ସୁଦାମା ସୁବଳ
କାନଫୁଲ ପାଇଲେଇଁ ।
ଗୋପ ଇଷ୍ଟ ଦେବୀ ମାଆ ପୂର୍ଣ୍ଣମାସୀ
ବୋଲେ ଶୁଣ କଳା କାହ୍ନୁ
ରାଈ କାନଫୁଲ କର ଦୋଳ ଯାତ
ଭୁଲି ଯାଆ ନାହିଁ ମନୁ ।
ବିମାନ ଆରୋହୀ ପ୍ରଭୁ ଭାବଗ୍ରାହୀ
ଶୁକ୍ଳ ଦଶମୀର ଦିନ
ଅବିର ମଣ୍ଡିତ ଫଗୁଣ ପୂର୍ଣ୍ଣିମା
ଦ୍ୱାରେ ଦ୍ୱାରେ ବିଜେ କୃଷ୍ଣ ।
ସାଙ୍ଗସାଥି ଧରି ରଙ୍ଗ ପିଚକାରୀ
ଖେଳିଲେ କଳା ଶ୍ରୀମୁଖ
ବିମାନ ଉପରେ ଅତି ଯତନରେ
କାନଫୁଲ ବାବୁ ରଖ ।
ପ୍ରେୟସୀ ପ୍ରେମିକା ବିରହୀ ରାଧିକା
ଦେଖି ସେହି କାନଫୁଲ
ବୋଲନ୍ତି ଲଳିତେ ଆଣ ଯାଇ ଏଥେ
ବୁଝାଇ ନନ୍ଦ ଦୁଲାଳ ।
ନଟିଆ ନାଗର ରସିକ ଶେଖର
କରି ଦେଲେ ତାକୁ ମନା
ଯାହାର ଦରବ ସିଏ ଆସି ନେଉ
ଫେରିଯାଆରେ ନବିନା ।
ଆସିଲେନି ରାଈ କ୍ରୋଧାନ୍ୱିତ ହୋଇ
ଆତ୍ମଦାହ ଆଶେ ଗଲେ
ଯମୁନା ଜଳରେ ହାରିବେ ପରାଣ
କୃଷ୍ଣଙ୍କୁ ଲଳିତା ବୋଲେ ।
ଧାଇଁଲେ ମୁରାରୀ ବଜାଇ ବାଁଶରୀ
କୁଞ୍ଜ ବନେ କଲେ କୋଳ
ମାନିନୀ ମାଧୁରୀ ଚତୁରୀ କିଶୋରୀ
କାନେ ଦେଲେ କାନଫୁଲ ।
ରାଧା କୃଷ୍ଣ ଦୁହେଁ ବିମାନ ଆରୋହୀ
ଦୋଳ ମଣ୍ଡପରେ ବିଜେ
ରଙ୍ଗେ ରଙ୍ଗାୟିତ ରାଈ ରଙ୍ଗାଜୀବ
ପ୍ରୀତି ପ୍ରଣୟର ଶେଜେ ।
– କୃଷ୍ଣ ଚନ୍ଦ୍ର ବାରିକ
Comments
କୃଷ୍ଣ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।