ସକାଳୁ ସକାଳୁ ସମସ୍ତେ ଉତ୍ସାହର ସହ କାର୍ଯ୍ୟାଳୟ ଅଭିମୁଖେ ବାହାରୁଥିଲେ ଆଉ ଆଲମାରୀର ଅନ୍ଧାରୀ ଜୀବନରୁ ଜାତୀୟ ପତାକା ମଧ୍ୟ ଖୋଲା ଆକାଶରେ ମନ ଭରି ଉଡ଼ିବା ଆଶାରେ ବାହାରକୁ ଆସୁଥିଲା । ବାସ୍ ସବୁ ପ୍ରସ୍ତୁତି ସରିଥିଲା, ପତାକା ମଧ୍ୟ ଉତ୍ତୋଳନ ହେଲା ଏବଂ ଜାତୀୟ ସଙ୍ଗୀତ ଗାନ ହେଲା । ବନ୍ଦେ ମାତରଂ, ଭାରତ ମାତା କି ଜୟର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ମନେ ପକାଇ ବକ୍ତୃତା ଦିଆଯିବା ସହ ଦେଶାତ୍ମବୋଧକ ସଙ୍ଗୀତର ତାଳେତାଳେ ନୃତ୍ୟର ଆସର ମଧ୍ୟ ମନ କିଣିଲା । ଓହୋଃ ସତେ ଯେମିତି ଆବାଳବୃଦ୍ଧବନିତା ସମସ୍ତଙ୍କ ଦେହରେ ଦେଶପ୍ରେମର ଛିଟା ଲାଗି ସାରିଥିଲା, କେହି କେହି ତ୍ରିରଙ୍ଗାର ବ୍ୟାଚ୍ ପିନ୍ଧିଲେ, ଆଉ ପ୍ରାୟ ସମସ୍ତେ ଛୋଟ ତ୍ରିରଙ୍ଗା ପତାକାକୁ ନିଜ ନିଜ ଗାଡ଼ି ଆଗରେ ବାନ୍ଧି ସତେ ଯେମିତି ଆମେ ସ୍ଵାଧୀନ, ଆମେ ଦେଶପ୍ରେମୀ ଆଉ ଆମେ ଦେଶକୁ ବହୁତ ଭଲ ପାଉ ବୋଲି ଚିତ୍କାର କରି କହୁଥିଲେ ।
ଏମିତି ଏମିତିରେ ଦିନଟି କେତେ ବେଳେ ସରିଗଲା ଜଣା ପଡ଼ିଲା ନାହିଁ । ଗଣତନ୍ତ୍ର ଦିବସର ପର ସକାଳର ଦୃଶ୍ୟ ଦେଖି ଲାଗୁଥିଲା ଇଏ କ’ଣ ଗତକାଲିର ଭାରତ? କେଉଁଠି ରାସ୍ତା କଡ଼ରେ ତ କେଉଁଠି ନର୍ଦ୍ଦମା ପାଣିରେ ଆଉ କେଉଁଠି ଘର କଣରେ ଥିବା ଡଷ୍ଟବିନ୍ରେ ଜାକିଜୁକି ହୋଇ ପଡ଼ିଥିଲା କାଲି ଅହେତୁକ ସମ୍ମାନ ପାଉଥିବା ତ୍ରିରଙ୍ଗା । କାଲିର ଭାରତ ମାତା କି ଜୟର ସ୍ଲୋଗାନ ତ ନଥିଲା ହେଲେ ଛକ ମୁଣ୍ଡରେ କଲେଜ ଯାଉଥିବା ଝିଅମାନଙ୍କୁ କମେଣ୍ଟ୍ ମରା ଚାଲିଥିଲା, ଗୁଟଖାଖିଆ ପାଟିରୁ ଅଫିସ୍ ସିଢ଼ି ଆଉ କାନ୍ଥରେ ପଚ୍ ପଚ୍ କରି ଛେପ ପକା ଚାଲିଥିଲା, ଆଉ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରତିବାଦ ଆଳରେ ସ୍ଵାଧୀନତା ସଂଗ୍ରାମୀ ଆଉ ମହାପୁରୁଷ ମାନଙ୍କ ମୁହଁରେ କାଳି ବୋଳା ବି ଚାଲିଥିଲା । ଶତ୍ରୁର ଘରେ ପଶି ଦେଶ ବିରୋଧୀ ତତ୍ତ୍ଵଙ୍କ ସର୍ବନାଶ କରି ଫେରିଥିବା ସେନାକୁ ପ୍ରମାଣ ମଧ୍ୟ ମଗା ଯାଉଥିଲା । ସମ୍ବିଧାନର ଦ୍ୱାହି ଦେଇ ଜାତୀୟ ସମ୍ପତି ନଷ୍ଟ ଓ ହିଂସା କରିବା ପାଇଁ ଜନସାଧାରଣଙ୍କୁ ଉସକା ବି ଯାଉଥିଲା । ହଁ ଆଜ୍ଞା ଦେଶ ପ୍ରୀତି ର ପରଦିନ ଏମିତି ଥିଲା ।
-ସତ୍ୟବ୍ରତ ପରିଡ଼ା