ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ,
ମହୀତଳ ସୁଭାଷିତ ଦେବବ୍ରତ ଜନମ ।
ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ,
ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ ।
ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ,
ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ ।
ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ,
ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ ।
ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ,
ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ ।
ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ ମଗନେ,
ଗୁରୁଆଜ୍ଞା ଶିରୋଧାର୍ଯ୍ୟ ଦେଖେ ନିତ୍ୟ ସପନେ ।
ଅତି ବିଚକ୍ଷଣ ବୀର ହୁଏ ସିଏ ବାଲ୍ୟରେ,
ରଥୀ ମହାରଥୀ ଚାହିଁ ତା’ର ଧନୁ ତୀରରେ ।
ପର୍ଶୁରାମ ଶିଷ୍ୟ ସେ ତ ଭୟ ନାହିଁ ହୃଦୟେ,
ହୋଇ କ୍ଷତରିୟ ସିଏ କରେ ନାହିଁ ଅନ୍ୟାୟେ ।
ରାଜନୀତି ଜ୍ଞାନେବୀର ଧନୁର୍ଦ୍ଧର ଶ୍ରେଷ୍ଠ,
ନ୍ୟାୟମୂର୍ତ୍ତି ଦେଖେ ତା’ର ବୀରତ୍ୱର କାଷ୍ଠ ।
ଶିକ୍ଷାର ଅନନ୍ତ ଘଡ଼ି ଆସିଯାଏ ଜୀବନେ,
ଗଙ୍ଗାମାତା ଛାଡ଼େ ତାକୁ ଶାନ୍ତନୁର ଅଗଣେ ।
ଦେଖି ତା’ର ବୀରପୁତ୍ର ଗରବରେ ଥରଇ,
ଆନନ୍ଦିତ ମହାରାଜା ଆଲିଙ୍ଗନ କରଇ ।
ହସ୍ତିନାର ପ୍ରଜାର ଦେଖେ ତା’ର ବୀରତ୍ୱ,
ଯୁବରାଜ ପଦବୀକୁ କରେ ସେତ ପ୍ରଣିତ ।
ଖେଳିଯାଏ ସାରାରାଜ୍ୟେ ଆନନ୍ଦର ଲହରୀ,
ଦେବବ୍ରତ ଚତୁଃପାର୍ଶ୍ୱେ ଗାରିମାର ଗୁଞ୍ଜରୀ ।
ଦୁଃଖଦିଏ ମୁହଁମୋଡ଼ି ଏହି ସୁଖ ଆନନ୍ଦେ,
ସମୟର ପଶାପାଲି କୁରୁବଂଶେ ଚରନ୍ତେ ।
ସତ୍ୟବତୀ ନାମେ ନାରୀ ଶାନ୍ତନୁର ହୃଦୟେ,
ପିତା ତା’ର ଚାହେଁ ନାହିଁ ପାଇବନି ନ୍ୟାୟ ଏ ।
ଶାନ୍ତନୁର ଚିନ୍ତାହୃଦ ବ୍ୟାକୁଳିତ ହୁଅଇ,
ଅନ୍ୟାୟ ତ ହେବ ଏହା ଦେବବ୍ରତ ସ୍ମରଇ ।
ଦେବବ୍ରତ ଜ୍ଞାତହୋଇ ନିଏ ଭୀଷ୍ମ ପ୍ରତିଜ୍ଞା,
ଆଜୀବନ ବ୍ରହ୍ମଚର୍ଯ୍ୟ ପାଳିବ ସେ ପିତାଜ୍ଞା ।
ମହାରାଜା ସିଂହାସନ ସାନଭ୍ରାତା ବସାଇ,
ଦେଖିବ ସେ ପିତାଛବି ଦେବବ୍ରତ କହଇ ।
ଦେବବ୍ରତ ଲାଭକରେ ଇଚ୍ଛାମୃତ୍ୟୁ କବଚ,
ଭୀଷ୍ମ ନାମେ ପରିଚିତ ହୁଅଇ ସେ ମହୋଚ୍ଚ ।
ଅନ୍ୟାୟ ତ ହୁଏ ପୁଣି ଭୀଷ୍ମର ଜୀବନେ,
ଯୋଗ୍ୟ ରାଜା ରାଜ୍ୟ ଖୋଜେ ଅତିନୀତ ଗହନେ ।
ସେବାକରେ ନିଷ୍ଠାଦେଇ, ପ୍ରତିଜ୍ଞାର ଦ୍ୱାହି,
ମହାବୀର, ମହାଜ୍ଞାନୀ ମାତୃ ଆଜ୍ଞେ ରହି ।
ଅମ୍ବି, ଅମ୍ବା, ଅମ୍ବାଳିକା ନେଇଚାଲେ ରଥରେ,
ଅମ୍ବା ଅଭିଶାପେ କାଟେ ଜୀବନ ସେ ଖେଦରେ ।
ଯକ୍ଷ୍ମାରୋଗ ସମର୍ପଇ ବିଚିତ୍ରବୀର୍ଯ୍ୟ ଜୀବନ,
ଅପୁତ୍ରରେ ଚିନ୍ତାଗ୍ରସ୍ତ ସାରାରାଜ୍ୟ ମନନ ।
ବ୍ୟାସଦେବ ଭୋଗଗଢ଼େ ତିନି ରାଜକୁମାର,
ଧ୍ରୁତରାଷ୍ଟ୍ର, ପାଣ୍ଡୁ ନାମେ ଦାସୀପୁତ୍ର ବିଦୁର ।
ଚକ୍ରବର୍ତ୍ତୀ ପାଣ୍ଡୁ, ଯୁଦ୍ଧେ ହସ୍ତିନା ତ ହସଇ,
ଋଷିଶ୍ରାବେ ହସ୍ତିନାରେ ଖେଳେ ଦୁଃଖ ଲହରୀ ।
ଧ୍ରୁତରାଷ୍ଟ୍ର ସିଂହାସନେ କରେ ମହାଦୁର୍ନୀତି,
ଯୁଧିଷ୍ଠିର ଭାଗ୍ୟକୁ ସେ କରେ ଧୂଳି ମୂରତି ।
ଦୁର୍ଯ୍ୟୋଧନ ସବୁ ବୁଦ୍ଧି ଶକୁନିର ଆଶ୍ରାରେ,
ଯଉଘର, ବନବାସ ଦ୍ରୌପଦୀ ଯେ କୋହରେ ।
ରାଜସଭା ନିରବରେ ବସ୍ତ୍ର ଯେବେ ହରଣ,
ନାରୀ ଅଭିଶାପେ ଜଳେ ବାସୁଦେବ ଶରଣ ।
ଭୀଷ୍ମ ପରୀ ନ୍ୟାୟବୀର ବସିରହେ ମଉନ,
କ୍ରିପି, ଦ୍ରୋଣ ଚାହିଁ ରହେ ନିରୁତ୍ତର ବଚନ ।
ଅପମାନେ ଦ୍ରୌପଦୀର କୁରୁକ୍ଷେତ୍ର ସଜାଇ,
କୁରୁଶ୍ରେଷ୍ଠ ଭୀଷ୍ମ ହୁଏ ସେନାପତି ଧରଇ ।
ଭୀଷଣ ଯେ ଯୁଦ୍ଧ ଶୁଭେ କୁରୁକ୍ଷେତ୍ର ବକ୍ଷରେ,
ଅମ୍ବାରୂପ ଶ୍ରୀଖଣ୍ଡି ଯେ ପୁରାକରେ ଲକ୍ଷ୍ୟରେ ।
ଧନୁତୀର ତ୍ୟାଗକରେ ମହାରଥୀ ଭିଷମ,
ଅର୍ଜୁନର ଶରାହାତେ ନଇଁପଡ଼େ ଦୁର୍ଗମ ।
ସହସ୍ରର ଶରଶଯ୍ୟା ଭୂମିପରେ ଶୟନ,
ଯନ୍ତ୍ରଣାର ଶେଷସୀମା ବହିଯାଏ ନୟନ ।
ନିୟମର ଦୂରେ ରହି ଯୁଦ୍ଧ ଶଙ୍ଖ ଗୁଞ୍ଜଇ,
ପିତାମହ ଭୀଷ୍ମ ଆତ୍ମା ବ୍ୟାକୁଳିତ ହୁଅଇ ।
ପଡ଼ିରହେ ମୃତ୍ୟୁଶଯ୍ୟା ହସ୍ତିନାର ସୁରକ୍ଷା,
ଦେଖିଯିବ ମହାବୀର ସୁରକ୍ଷିତ ତା’ ଦୀକ୍ଷା ।
ଶୁଭଶଙ୍ଖ ପୁଲକିତ ଯୁଧିଷ୍ଠିର ସମ୍ରାଟ,
ଏହାଶୁଣି ପିତାମହ ମନେ ରଟେ ବିଭ୍ରାଟ ।
ଆନନ୍ଦିତ ଆତ୍ମା ତା’ର ଖୁସି ହୁଏ ମଗନ,
ବାସୁଦେବ ଦରଶନ ତ୍ୟାଗ କରେ ଜୀବନ ।
– ସ୍ମୃତିରଂଜନ ବାରିକ
Comments
ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।