ଦାଦନ ଦାନବ

Odia Poem Dadan Danab (ଦାଦନ ଦାନବ) by Manas Ranjan Nayak

ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦିଘୋଷ
ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ
ଭକତ ସାନ୍ନିଧ୍ୟରେ ଜଗା ବଡ଼ଦାଣ୍ଡେ ଧୂଳିଧୂସର
ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର ।

ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ
ଉଦର ଜ୍ୱାଳାରେ ମୁଣ୍ଡ ବିକେ, ମାନିନିଏ ପରାଜୟ
ପରିବ୍ୟାପ୍ତ ସ୍ୱାଧୀନତାର ପରିଧି ଦେଶରୁ ବିଦେଶ
ଲୁହ କୋହର ସଉଦାରେ ହାରେ ଜୀବନର ସନ୍ଦେଶ ।

ଜାତିସଂଘେ ଫୁଲମାଳ, କେତେ ଗଣତନ୍ତ୍ରର ଡିଣ୍ଡିମ
ଗଣ୍ଡେ ଦାନା, ଖଣ୍ଡେ କନା ପାଇଁ ନିତି ସଂଘର୍ଷ ରକ୍ତୀମ
ବିଶ୍ୱଭାତୃତ୍ତ୍ୱର ମନ୍ତ୍ରରେ ଅୟୁତ ଚୁକ୍ତି ସ୍ୱାକ୍ଷରିତ
ତୋଷାମଦ ଜିନ୍ଦାବାଦ ପରେ ବି ରାସନ ପ୍ରତୀକ୍ଷିତ ।

ମହ ମହ ଆଳତି ବାସ୍ନାରେ ମନ୍ତ୍ରମୁଗ୍ଧ ଭାବଧାରା
ବିଜୟାଦଶମୀର ଉଲ୍ଲାସରେ ପ୍ରକମ୍ପିତ ବସୁନ୍ଧରା
ପରିବାର ପୋଷଣ ଯୁଦ୍ଧରେ ଭେଟେ ଦାରିଦ୍ର୍ୟ ରାବଣ
ସ୍ୱପ୍ନର ରାମରାଜ୍ୟେ ମିଳେ ଦାଦନ ଦାନବ କଷଣ ।

ଶାହାଜାହାନ ଦରବାରରେ ଶିଳ୍ପୀଙ୍କର ହସ୍ତ ଛେଦ
ସ୍ଥାପତ୍ୟ କ୍ରମାଙ୍କରେ ତାଜମହଲ ତୋଳେ ସାଧୁବାଦ
ଗଜପତି ଠିକାଦାର କାଟେ ଦାଦନର ହସ୍ତ ପାଦ
ଧର୍ମବାଦ ଆଢ଼ୁଆଳରେ ଉପେଷିତ ମାନବବାଦ ।

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply