ସେଦିନ ସକାଳୁ ସକାଳୁ ନିତଦିନ ପରି ଦିନଚର୍ଯ୍ୟା ପୂର୍ବରୁ ତାକୁ ଦେଖା କରିବାର ଲାଳସାରେ ଶୀଘ୍ର ଗାଧୋଇ ପଡ଼ି ବାହାରିଲି କଲେଜ ଗେଟ୍ ପାଖକୁ, ସାଙ୍ଗମାନଙ୍କ ସହିତ ଖଟି ଚାଲୁଥାଏ କିନ୍ତୁ ନଜର ଖୋଜୁ ଥାଏ ତା’ର ପ୍ରଥମ ଝଲକ୍ର ଝାପସାରେ ଆଖି ପଖାଳିବା ପାଇଁ…
କିନ୍ତୁ ଏ କ’ଣ??? ଗୋଟେ ପରେ ଗୋଟେ କଲେଜ ବସ୍ ଧସେଇ ଆସିଲା, ହେଲେ ସେ କାଇଁ??
ସେଦିନ ତା’ ବସ୍ ଟିକେ ଡେରିକରି ଆସିଲା ! ବସ୍ର କାଚ ଝରକାରେ ତା’ ଅଧା ହସ ମୁହଁ ଦେଖି, ସତେ ହଜି ଯାଇଥିବା ଦଶ ହଜାର ଟଙ୍କା ମିଳିବା ପରି ମନରେ ଖୁସି ଖେଳିଗଲା । ବସ୍ରୁ ତରତର ହୋଇ ସେ ଓହ୍ଲାଇବା ଭିତରେ ଦୃତବେଗରେ ପହଞ୍ଚିଗଲି ତା’ ପାଖରେ, ସତେ ଯେମିତି ଆକାଶ ଚିରି ଆଗେଇ ଯାଉଥିବା ଛୋଟ ରକେଟ୍, ମୋତେ ଦେଖି ସେ ତୀକ୍ଷ୍ଣ ହସ ତୀରରେ ଘାଇଲା କରି କହିଲା, “କିଛି ଘଣ୍ଟାର ଅପେକ୍ଷା ବି ତୁମ ଦ୍ୱାରା ହଉନି ନା କ’ଣ???କାଲି ତ କଲେଜ୍ ଛୁଟିବେଳେ ଦେଖା ହୋଇଥିଲେ ।”
ମନ ମୋର ମନେ ମନେ ଗୁଣୁଗୁଣୁ ହୋଇ କହୁଥିଲା, “ତମେ କାଇଁ ବୁଝିବ ଯେ ମୋ ମନର ଅବସ୍ଥା? ତମେ କଲେଜ୍ରୁ ଘରକୁ ଯିବା ପରଠାରୁ ତା’ ପରଦିନ ଆସିବା ଭିତରର ଏଇ କେଇ ଘଣ୍ଟା ଯେ ମୋ ପାଇଁ କେତେ କଷ୍ଟ ଦାୟକ !” ମନ ସବୁବେଳେ ଚାହେଁ କି ତମେ ମୋ ନଖଦର୍ପଣରେ ସବୁବେଳେ ରୁହନ୍ତ କି । କେଡ଼େ ଅବାସ୍ତବ ସ୍ୱପ୍ନଟିଏ ମ !
“ଚାଲ କ୍ଲାସକୁ ଯିବା । ନା ଏଇଠି ଏମିତି ଖରାଟାରେ ଛିଡ଼ା ହୋଇଥିବା?” ହଠାତ୍ ତା’ ଡାକରେ ବାସ୍ତବତାକୁ ଫେରି ଆସି କହିଲି, “ହଁ ଚାଲ ଯିବା ।” ଯିବା ସମୟରେ ମନ ଭିତରେ ସେଇ କିଛିଟା ପ୍ରଶ୍ନ ଗୋଳେଇଘାଣ୍ଟି ହେଉଥାଏ; “ଏଇଟାକୁ କ’ଣ ଭଲ ପାଇବା କହନ୍ତି ନା ଆଉ କିଛି? ଆଉ କାଲି ଯଦି ସେ ମୋ ପାଖେ ନରୁହେ?”
ସମୟ କ୍ରମେ ସେଇ ଡର ଯେ ସତ ହେବ ସେଇଟା ମୁଁ ସ୍ୱପ୍ନରେ ବି ଭାବିନଥିଲି, ସମୟର ବହୁ ପୂର୍ବରୁ ସେ ବୁଝିଯାଇଥିଲା ଏ ସମାଜର ରୀତିନୀତି ଆଉ ଜାତିପ୍ରଥା ଆମକୁ ଏକାଠି ହେବାକୁ ଦବନି କାଇଁକିନା ମୁଁ ଉଚ୍ଚ ଜାତିର ପୁଅ ଆଉ ସେ…
ସମୟର ଆବର୍ତ୍ତମାନରେ ପ୍ରେମର ପରିଣତି ଶେଷ ନିଃଶ୍ୱାସ ନେଉଥିବା ବେଳେ ଦିନେ ସେ ମୁଁହ ଖୋଲି କହିଦେଲା, “ଦେଖ, ମୁଁ ଚାହୁଁ ନାହିଁ ଏ ସମାଜ ଆମ ପ୍ରେମ ଉପରେ ପ୍ରତିବନ୍ଧକ ଲଗାଇ ଆମକୁ ଅଲଗା କରିଦେଉ, ନେଡ଼ି ଗୁଡ଼ କହୁଣୀକୁ ବୋହି ଯିବାର ବହୁପୂର୍ବରୁ ତୁମେ ତୁମ ପରିବାର ଏବଂ ମୁଁ ମୋ ସମାଜ ପାଇଁ ଅଲଗା ହୋଇଯିବା ଠିକ୍ ହେବ ।”
ତା’ର ଏହି ଶେଷ କେଇ ପଦ ପ୍ରଶ୍ନର ଉତ୍ତର ମୋ ପାଖରେ ଥିବା ବହିରେ ନଥିଲା କି ନା ମୋର କୌଣସି ନୂତନ ପ୍ରଶ୍ନ ପଚାରିବାର ସାହସ ଥିଲା… ହାତବାକ୍ ସମ ଆମ ପ୍ରେମର ଚିତାଭସ୍ମ ସାମ୍ନାରେ ମୁଁ ବସିପଡ଼ି ଆଖିର ଲୁହକୁ ଅନବରତ ଝରୁଥିବାର ଦେଖୁଥିଲି… ନା ସେ ଲୁହକୁ ପୋଛି ପାରୁଥିଲି ନା ରୋକିପାରିବାର ସାମର୍ଥ୍ୟ ଥିଲା ମୋ ପାଖରେ ।
ସବୁଦିନ ପରି ସେଦିନ ବି କଲେଜ୍ ବସ୍ ଆସିଲା, ମୋ ଭଳି କେତେ ପ୍ରେମିକ ବି ତାଙ୍କ ପ୍ରେମିକାର ଅପେକ୍ଷାରେ ଥିଲେ… କିନ୍ତୁ ସେଦିନ ଗୋଟେ ପ୍ରେମିକ ତା’ ପ୍ରେମିକାର ଆଉ ଗୋଟେ ପ୍ରେମିକା ତା’ ପ୍ରେମିକର ଅପେକ୍ଷାରେ ନଥିଲେ ଏବଂ ଏ ସବୁର ମୁକସାକ୍ଷୀ ଥିଲା ସେ କଲେଜ ଗେଟ୍ ଆଉ କଲେଜ ସାମ୍ନାରେ ଠିଆ ହୋଇଥିବା ଥୁଣ୍ଟା ଓସ୍ତ ଗଛ ।
– କଲ୍ୟାଣ କୌଶିକ ଦାଶ
Comments
କଲ୍ୟାଣ କୌଶିକ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।