ଛୋଟ ପ୍ରେମ ପତ୍ରେ ଯୌବନ ଛିଟା

Chhota Prema Patra Joubanara Chhita

ଆଖି ପଲକ ମୋ     ଲାଖି ରହିଯାଏ
ପ୍ରିୟା ତୋ ଗୋଲାପୀ ଓଠେ
ତୋ ଓଠରୁ ମଧୁ     ଶୋଷି ନେବାପାଇଁ
ମନ ମୋ କୁରୁଳି ଉଠେ

ଝରକା ଫାଙ୍କେ ତୋ     କଣେଇ ଚାହାଣୀ
ଖେଳେ ଲୁଚକାଳି ଖେଳ
ତୋ ମନର କଥା     ଅଛପା ନାହିଁ ଲୋ
ଆ’ କରିବା ଅନୁକୂଳ

ଯୌବନ କାନନେ     ମଧୂପ ବଖାଣେ
ହୃଦ ବେଦନାର ଭାଷା
ଧାଇଁ ଧାଇଁ ପ୍ରାଣ     ବ୍ୟାକୁଳ ହେଲାଣି
କେବେ ମେଣ୍ଟିବ ମୋ ତୃଷା

ଅବୁଝା ମନ ମୋ     ଉଡ଼ିବୁଲେ ଆଜି
ଅନ୍ତରେ ସଞ୍ଚାରେ ପ୍ରଶ୍ନ
ପ୍ରେମ ଚଢ଼େଇଟା     କହେ ଆସି କାନେ
ଆସିଛି ତୋ ଯଉବନ

ସାଥିରେ ବସିଲେ     ଲାଜେଇ ଯାଉ ତୁ
ଆଖି ତୋର କଥା କହେ
ପରଶରେ ଲୋମ     ଟାଙ୍କୁରୀ ଉଠେ ଲୋ
ହଜେ ମନ ଗୋରା ଦେହେ

ପ୍ରେମ ରଙ୍ଗେ ମୋତେ     ରଙ୍ଗେଇ ଦେଇଛୁ
ନୂଆ ନୂଆ ସବୁ ଲାଗେ
ସାତ ରଙ୍ଗ ଆଜି     ଫିକା ଫିକା ଲାଗେ
ତୋ ପ୍ରେମ ରଙ୍ଗୋଲି ଆଗେ

ତୋ ମନ ମନ୍ଦିରେ     ପୂଜକ ସାଜିଛି
ତୁମେ ମୋ ଆରାଧ୍ୟ ଦେବୀ
ମନୋସ୍କାମନା ମୋ     ପୂର୍ଣ୍ଣ କରିଦିଅ
ପାଦ ପଦ୍ମେ ଋଣୀ ହେବି

ଗୋଲାପୀ ବେଳାର     ଗୋଲାପ କଢ଼ି ତୁ
ଛାତିରେ ଲେଖେ ତୋ ନାଆଁ
ଶୀତଳ ଶରୀରେ     ନିଶା ଢାଳିଦିଏ
କଅଁଳ ଦେହର ଛୁଆଁ

ଆଖି ତୀର ମାରି     ରଚିଲୁ ପୀରତି
ଧକ ଧକ ହୁଏ ଛାତି
ତୋ କଥା ଭାବି ମୋ     ବେଳ ଯାଏ ବିତି
ସପନେ ଭିଜୁଛି ରାତି

ରାତିକ ପାଇଁ ତୁ     ଚାଲି ଆ’ଲୋ ସାଥି
ଏ’ତ ଯଉବନ ତାତି
ଉଷ୍ମତା ଦେଇ ତୋ ନିଦ ହଜେଇବି
ତିଳେ ନଦେଇ ବିରତି

ମୁକୁଳା ବଦନେ     ତୋଳିଦେ ଟିକିଲି
ଅଳିକ କରୁଛି ଅଳି
ରୂପସୀ ରୂପ ତୋ     ଲେଉଟା ଦେଲାଣି
ତୂଳୀ ଦେବ ତୋତେ ତୋଳି

ମେଘ ଖଣ୍ଡ ହୋଇ     ଭାସି ବୁଲୁ ଆଜି
ଏ ମନର ଆକାଶରେ
କାତର ହେଇ ତୁ     ବରଷି ନଯିବୁ
ଘଡ଼ଘଡ଼ି ଶବଦରେ

କବିତାରେ ଭିଜି     ଭାବନାରେ ହଜି
ଲାଜରେ ନଯିବୁ ଛପି
ମୋ ପ୍ରେମ ପତର     ଅଧରେ ଛନ୍ଦିଣ
ସ୍ୱବକ୍ଷେ ରଖିବୁ ଚାପି

– ତାପସ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...