ବୋଉ ଯାଇଛି ମାଉସୀ ଘରକୁ
ଘରଯାକ କାମ ମୋ ମୁଣ୍ଡକୁ,
ପାଉଁଜି ବାଜି ଛାତ ଉଠୁଛି ପଡ଼ୁଛି
ଦମଦମ ପାଦ ଚଟାଣ ଖସୁଛି,
ଝାଳ ଲତପତ କେଶ ଅଲରା
ଘରଟାକୁ ଆଜି ମୁଣ୍ଡେଇଛି ପରା,
ଠା ଠା କରି ଆଠ ଠା ବାଲି
ଘରଗୋଟା ପା’ ପହରି ମୁଁ ଥିଲି,
କେଡ଼େ ନିଷ୍ଠାରେ ଦେଲି ଦିଅଁପାଣି
ପୂର୍ବ ପୁରୁଷ କିନ୍ତୁ ପାଇଲେନି ପାଣି,
ରୋଷେଇ ଘରେ ବାଜୁଥିଲା ଡିଜେ
ବାସନକୁସନ କରୁଥିଲେ ବିଜେ,
ଗାଳିଦେଲି ଭାତ, ବୋହିଗଲା ପେଜ
ଛାଣିଦେଲି ଚା’, ଭିଜିଗଲା ଶେଜ,
କେଞ୍ଚୁ କେଞ୍ଚୁ ଫୋନ୍ ପୋଡ଼ିଦେଲି ଭଜା
କଅଁଳା ଛୁଆକୁ କିଏ ଦେବ ସଜା !
କାନମୁଣ୍ଡା ଆଉଁସି ସଭିଏଁ ଖାଇଲେ
ବିନା ପ୍ରଶଂସାରେ ନିନ୍ଦା ବି ନକଲେ ।
Comments

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।