୧୯୬୦ ଦଶକରେ ଏ ରକ୍ଷଣଶୀଳ ସମାଜରେ ଯେତେବେଳେ ନାରୀମାନଙ୍କୁ ଅଭିନୟ କ୍ଷେତ୍ରରେ କାମ କରିବାକୁ ବାରଣ କରାଯାଉଥିଲା, ସେତେବେଳେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତର ପାଦ ଥାପିଥିଲେ ଜଣେ ଅନନ୍ୟା ନାୟିକା, ଝରଣା ଦାସ । ସ୍ନାତକ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ଥିଲେ ସେ । କଥାଚିତ୍ର ଜଗତରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୁଏ ମଲାଜହ୍ନ କଥାଚିତ୍ରରୁ । କିନ୍ତୁ ଏହା ପୂର୍ବରୁ ମୁକ୍ତିଲାଭ କରିଥିଲା ତାଙ୍କ ଅଭିନୀତ ଦ୍ୱିତୀୟ କଥାଚିତ୍ର ଅମଡ଼ା ବାଟ ।
୧୯୬୫ ମସିହାରେ ମଲାଜହ୍ନକୁ ରାଷ୍ଟ୍ରପତି ସମ୍ମାନ ମିଳିବା ପରେ ଝରଣା ଦାସ ଓରଫ୍ ଝୁମୁ ଅପାଙ୍କୁ ମିଳିଥିଲା ଅଜସ୍ର ସମ୍ମାନ । ଶ୍ୟାମଳ ବର୍ଣ୍ଣ ପାଇଁ ପ୍ରଥମ ଦିନର ସୁଟିଂରେ ତାଙ୍କୁ ଯାହାଙ୍କୁ କଟାକ୍ଷର ଶୀକାର ହେବାକୁ ପଡ଼ିଥିଲା, ସେ ପାଲଟି ଯାଇଥଲା ଓଡ଼ିଆ କଥାଚିତ୍ର ଜଗତର ଅପ୍ରତିଦ୍ୱନ୍ଦୀ ନାୟିକା । ଏହି କଥାଚିତ୍ରର ସତୀ ଚରିତ୍ରକୁ ନିଖୁଣ ଭାବରେ ଜୀବନ୍ତ କରାଇଥିଲେ ସେ ।
୧୯୪୫ ମସିହାରେ କଟକର ଚାନ୍ଦିନୀ ଚୌକରେ ଜନ୍ମଗ୍ରହଣ କରିଥିବା ଝରଣା ଦାସ ପିଲାଦିନରୁ ସଙ୍ଗୀତ ଓ ନାଟକ ପ୍ରତି ଆକର୍ଷିତ ଥିଲେ । ଘରେ ତାଙ୍କର ଥିଲା ସଙ୍ଗୀତର ସମସ୍ତ ସରଞ୍ଜାମ ଆଉ ସୀତାର ବାଦନରେ ରୁଚି ଥିଲା ତାଙ୍କର । ମାତ୍ର ଛଅ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ଓଡ଼ିଶୀ ନୃତ୍ୟ ଶିକ୍ଷା । ନୃତ୍ୟଗୁରୁ ଦେବପ୍ରସାଦ ଦାସ ଥିଲେ ତାଙ୍କର ପ୍ରଥମ ଗୁରୁ ଏବଂ ପରେ ଗୁରୁ କେଳୁଚରଣ ମହାପାତ୍ର ତାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ମାତ୍ର ଓଡ଼ିଶା ବାହାରକୁ ଯିବାକୁ ଘରୁ ଅନୁମତି ନ ମିଳିବାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାର ଡୋରୀ ବନ୍ଧା ହେଲା । କିନ୍ତୁ ମଞ୍ଚକୁ ଛାଡ଼ିପାରିଲେନି ସେ । ନୃତ୍ୟକୁ ଛାଡ଼ି ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ସେ ।
ପିଲାଟି ଦିନରୁ ସବୁ ଭାଇଭଉଣୀ ଘରେ ଖଟକୁ ଖଟ ଯୋଡ଼ି ଶାଢ଼ୀ ଟାଣି ମଞ୍ଚ ତିଆରି କରି ଅଭିନୟ କରୁଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ସେଠାରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ସେ । ନବନାଟ୍ୟ ଆନ୍ଦୋଳନ କ୍ରମରେ କଟକରେ ସ୍ଥାପିତ ‘ସୃଜନୀ’ର ସଦସ୍ୟା ହୋଇଥିଲା ଝରଣା ଏବଂ ମୃଗୟା, ବନହଂସୀ, କାଠଘୋଡ଼ା ଭଳି ନାଟକରେ ଅଭିନୟ କରିଥିଲେ ।
ଶୈଳବାଳା ମହିଳା ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ବେତାର ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସେଠାରୁ ସ୍ନ।ତକ ସମାପ୍ତ ପରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୬୩ରେ ଅମଡ଼ାବାଟ, ୧୯୬୫ରେ ମଲାଜହ୍ନ ଓ ନବଜନ୍ମ, ୧୯୬୬ରେ ଅଭିନେତ୍ରୀ ଓ ୧୯୭୦ ମସିହାରେ ଅଦିନ ମେଘରେ ନାୟିକା ଭାବରେ ଚମତ୍କାର ଅଭିନୟ କରି ରୂପେଲି ପରଦାରୁ ଦୂରେଇ ଯାଇଥିଲେ ଝରଣା ଦାସ ।
୧୯୬୭ ମସିହାରେ ସେ ଖ୍ୟାତନାମା ଚିତ୍ରୋତ୍ତଳକ ଦୀପକ ଦାସଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଦୂରେଇ ଯାଇଥିଲା ଅଭିନୟ ଜଗତରୁ । ତାଙ୍କ ପ୍ରଥମ ଓଡ଼ିଆ କଥାଚିତ୍ର ମଲାଜହ୍ନରେ ସିନେମାଟୋଗ୍ରାଫର୍ ଥିଲେ ଦୀପକ ଏବଂ ସେଇଠି ହିଁ ପରିଚିତ ହୋଇଥିଲେ ଉଭୟ ।
୧୯୭୭ ମସିହାରେ ସେ ପୁଣିଥରେ ଫେରିଥିଲେ ରୂପେଲି ପରଦାକୁ ଶ୍ରୀଜଗନ୍ନାଥ କଥାଚିତ୍ର ଜରିଆରେ । ଏହା ଥିଲା ତାଙ୍କ ଅଭିନୟ ଜୀବନର ଦ୍ୱିତୀୟ ଫର୍ଦ୍ଦ, ଯେଉଁଠି ସେ ନାୟିକା ଭାବରେ ନୁହେଁ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିଥିଲେ । ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିରେ ସେ ରାଣୀ ଗୁଣ୍ଡିଚା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୮୧ ମସିହାର ଟିକେ ହସ ଟିକେ ଲୁହ, ୧୯୮୨ ମସିହାର ହିସାବ ନିକାଶ, ଜ୍ୱାଇଁ ପୁଅ ଓ ସମୟ ବଡ଼ ବଳବାନ, ୧୯୮୩ ମସିହାର ମହାସତୀ ସାବିତ୍ରୀ, ୧୯୮୫ ମସିହାର ପୂଜାଫୁଲ, ୧୯୮୬ ମସିହାର ନିନାଦ ଓ ହୀରାନୀଳା, ୧୯୮୮ ମସିହାର ଲାଲପାନ ବିବି ଓ କସ୍ତୁରୀ, ୧୯୮୯ ମସିହାର ଟୋପାଏ ସିନ୍ଦୂର ଦି’ପଟ ଶଂଖା, ୧୯୯୪ ମସିହାର ସୁନା ଭାଉଜ, ୨୦୦୮ ମସିହାର ଭାଗ୍ୟଚକ୍ର, ୨୦୦୯ ମସିହାର ଆ’ ଜହ୍ନରେ ଲେଖିବା ନାଁ ଭଳି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
କଥାଚିତ୍ରରେ ଅଭିନୟ କରିବାକୁ ତାଙ୍କୁ ପ୍ରେରଣା ଦେଇଥିଲେ ତାଙ୍କ ଟିଉସନ୍ ସାର୍ ତଥା ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅକ୍ଷୟ ମହାନ୍ତି କାଶ୍ୟପ, ଯିଏକି ତାଙ୍କ ଭାଇଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ । ଝରଣାଙ୍କ ଅଭିନୀ ପ୍ରଥମ କଥାଚିତ୍ରରେ ନାୟକ ଭୂମିକାରେ ମଧ୍ୟ ସେ ଅଭିନୟ କରିଥିଲେ । ଝରଣା ଦାସଙ୍କ ସହିତ ଅନ୍ୟ ଜଣେ ସୁନାମଧନ୍ୟ କଳାକାର ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ସେ ହେଉଛନ୍ତି ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ।
୨୦୨୨ ମସିହାର ଡିସେମ୍ବର ୧ ତାରିଖରେ ଝରଣା ଦାସ କଟକର ଚଣ୍ଡିଛକ ନିକଟସ୍ଥ ତାଙ୍କ ବାସଭବନରେ ଆରପାରିକୁ ଚାଲିଯାଇଥିଲେ । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
– ସଂଗ୍ରାମ କେଶରୀ ସେନାପତି
(ବି.ଦ୍ର.: ଏହି ତଥ୍ୟ ୨ ଡିସେମ୍ବର ୨୦୨୦ ଦିନ ସର୍ବସାଧାରଣ ଖବରକାଗଜରେ ପ୍ରକାଶିତ ସୂର୍ଯ୍ୟ ଦେଓଙ୍କ ଆଲେଖ୍ୟ, ୧୫ ଜୁଲାଇ ୨୦୧୭ ଦିନ ଜନବାଦୀ ଖବରକାଗଜରେ ପ୍ରକାଶିତ ସ୍ତମ୍ଭରୁ ଉଦ୍ଧୃତ ହୋଇଛି ।)
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।