ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ ଲାଗେ । ଯୋଗକୁ କୋଡ଼ପୋଛ ଛୁଆ ତେଣୁ ବେଶି ଗେହ୍ଲା । ବୋଉ ବି ତାକୁ ବଡ଼ ଭାଗଟା ଦେଇଦିଏ । ବାବା କେତେ ଆକଟ କରନ୍ତି ବେଶି ମୋଟା ହେଇଯିବ । ଖାଇବାରେ ଖାଲି ରୁଟି ଦିଅ ତାକୁ । ଏସବୁ କଥାରେ କିନ୍ତୁ ତା’ର କିଛି ଯାଏ ଆସେ ନାହିଁ । ଭୋକ ଲାଗିଲେ ସେ କାହାକୁ ଅପେକ୍ଷା ବି କରେନି ନିଜେ ବାଢ଼ିଆଣି ଖାଇନିଏ । ସମସ୍ତଙ୍କୁ ଦେଲା ବାଦେ କଡ଼େଇଟା ବୋଉ ତାକୁ ଧରେଇ ଦିଏ । ଆଉ ତା’ର ଯୋଉ ଖୁସି କ’ଣ କହିବି । ବେଳେ ବେଳେ କାହାକୁ ଟିକେ ଖାଇବାକୁ ବାଢ଼ି ଦେବାକୁ କହିଲେ ସେ ପ୍ରଥମେ କୌଣସି ତରକାରୀରୁ ଟିକେ ନିଜେ ଖାଇନିଏ । ଜେଜି କହିଦିଅନ୍ତି, “ହେଇଲୋ ବିଲେଇ ହାତରେ ମାଛ କେଳଉଛ ପରା ଯା ସଇଲା ସବୁ ।” ଏଇ ବିଲେଇ ନାଆଁଟା ଶୁଣିଲା ମାତ୍ରେ ଏତେ ରାଗିଯାଏ ସେ । ମୋଟା ବୋଲି ଘରଠୁ ଦୂର ସ୍କୁଲରେ ପଢ଼େଇଲୁ ହେଲେ ସେଇଠୁ ବି ଫେରିଲି ବେଳେ ଠେଲାରୁ ଖାଇପିଇ ଆସେ, କେତେ ଚେଷ୍ଟା ପରେ ବଡ଼ ହେବା ପରେ ବି ତା’ର ଅଭ୍ୟାସ ସବୁ ଗଲାନି ।
ଏବେ ଆମ ସୁମନର ବାହା ସରିଲାଣି । ସୁମନ ! ମୋ ସାନ ଭଉଣୀ । ବାହାଘର ପରେ କିଛି କାରଣ ଯୋଗୁଁ ସେ ଘରକୁ ଆସି ପାରିନଥିଲା । ବହୁତ ଦିନ ପରେ ସ୍ୱାମୀ ସହ ଘରକୁ ଆସିଥାଏ । କିଛି ସମୟର କଥାବାର୍ତ୍ତା ପରେ ବୋଉ ଖାଇବାକୁ ବାଢ଼ିବାକୁ ଗଲେ ଆଉ ପଛେ ପଛେ ଆମ ବିଲେଇ ବି ଦୌଡ଼ିଲା । ଦୁଇ ସଢ଼ୁଙ୍କୁ କଥା ହେବାକୁ ଛାଡ଼ି ମୁଁ ଆଉ ବାପା ବି ତା’ ପଛରେ ଗଲୁ । ବାପା କହୁଥିଲେ, “ଏ ବିଲେଇର ଅଭ୍ୟାସଟା ଏଯାଏଁ ଗଲାନି ।” କିନ୍ତୁ ଯେତେବେଳେ ସୁମନକୁ କହିବାର ଶୁଣିଲୁ, “ବୋଉ ମତେ ଆଉ ଜ୍ୱାଇଁକୁ ଆମିଷ ଦେବୁନି ।” ଆମେସବୁ ଶୁଣିକି କାବା ।
ଆମେ ଜାଣିଥିଲୁ ତା’ ଶାଶୁ ଘରେ ଆମିଷ ପଶେନି । କିନ୍ତୁ ଜାଣି ନଥିଲୁ ଜ୍ୱାଇଁ ବି ଜମା ଆମିଷ ଖାଆନ୍ତିନି ବୋଲି । ସବୁ ଥାଳିରୁ ହାତ ମାରି ଖାଇବା ପିଲା କହୁଛି ସେ ଖାଇ ନାହାନ୍ତି ମୁଁ କେମିତି ଖାଇବି । ବୋଉ ମୋର କାନ୍ଦ କାନ୍ଦ ହୋଇଗଲା । ବୋଉ କହିଲା ସେଇଥିପାଇଁ ମୋ ଝିଅ ଝଡ଼ି କି କଳାକାଠ ପଡ଼ିଯାଇଛି । କେତେ କରି କହିଲା ପରେ ବି ସୁମନ କିନ୍ତୁ ଜମାରୁ ଆମିଷ ଖାଇଲାନି । ଯାଉ ଯାଉ ବୋଉର କନ୍ଦାକଟା ଆହୁରି ଚାଲିଥାଏ । କହୁଥିଲା, “ତୋର ଯେତେବେଳେ ଖାଇବାକୁ ଇଚ୍ଛା ହେବ କହିବୁ ମୁଁ ଟିଫିନରେ ପଠେଇ ଦେବି ।” ସୁମନ କିନ୍ତୁ ଗଲାବେଳେ ସୁନ୍ଦରରେ ବୋଉକୁ ବୁଝେଇ ଦେଇ ଗଲା, “ତୋ ଜ୍ୱାଇଁ ତ ମତେ ମନା କରିନାହାନ୍ତି ବୋଉ, କିନ୍ତୁ ତାଙ୍କର ଆମିଷକୁ ନେଇ ଯୁକ୍ତିଟି ମୋ ମନକୁ ପାଇଲା, ମୁଁ ନିଜ ଇଛାରେ ଆମିଷ ଛାଡ଼ି ଦେଇଛି । ତୁମ ଜ୍ୱାଇଁ କ’ଣ କହିଲେ ଜାଣିଛ ବୋଉ?” କହିଲେ, “ମୁଁ ଚାହେଁନି ମୋ ସ୍ତ୍ରୀ କୋଉ ନିରପରାଧିର ମାଂସ ଖାଉ, ଯେହେତୁ ମୁଁ ତୁମର ସ୍ୱାମୀ ଓ ତୁମକୁ ବହୁତ ଭଲପାଏ, ତେଣୁ ଆମର ସବୁ ପାପପୁଣ୍ୟର ଭାଗିଦାର ଆମେ ଦୁହେଁ ହେବା । ଆମିଷ ଭକ୍ଷଣ ଦ୍ୱାରା ଯେଉଁ ସବୁ ପାପ ତୁମେ କରିଛ ଆଜିଠୁ ସେସବୁ ପାପ ମୋର ହେଲା ଆଉ ଆଗକୁ ବି ତୁମେ ଯେତେଥର ଖାଇବ ସେସବୁ ପାପ ବି ମୋର ହିଁ ହେବ । ମୁଁ ଜାଣିଶୁଣି ସବୁ ପାପ ତାଙ୍କ ମୁଣ୍ଡରେ କେମିତି ଲଦିଦେବି କହିଲୁ । ବୋଉ ଆଖିରୁ ଲୁହ ପୋଛିଲା ।
ସମୟ, ବାତାବରଣ, ଆପଣାପଣ ଆଉ ଜୀବନସାଥୀର ସ୍ନେହ ମଣିଷକୁ ସମ୍ପୂର୍ଣ୍ଣ ବଦଳେଇ ଦିଏ ।
କହିବାର ତାତ୍ପର୍ଯ୍ୟ ଯେ ମନୁଷ୍ୟ ଜୀବନରେ ପ୍ରତି ପର୍ଯ୍ୟାୟରେ ପରିବର୍ତ୍ତନ ତ ନିଶ୍ଚୟ ହୁଏ କିନ୍ତୁ ଏକ ସୁସ୍ଥ ପରିବର୍ତ୍ତନ ଆମକୁ ଉନ୍ନତି ଆଡ଼କୁ ବାଟ କଡ଼ାଏ ।
– ପରମିତା ମିଶ୍ର
Comments
ପରମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।