ସରଳ ରେଖାଟେ ଅଟଇ ଯେ ନାରୀ
ଉଭୟ ଦିଗକୁ ସେ ଗତିଶୀଳ,
ଦେଖାଇ ପାରେ ସେ ସରଗପୁର
ଆଉ କେବେ ପୁଣି ନରକ ଦ୍ୱାର ।
କରତ ପରି ଉଭୟ କ୍ରିୟାରେ
ଦେଖାଇ ପାରେ ସେ କର୍ମକୁଶଳ
ନଦୀ ପରି ସେହି ଚଳ ଚଞ୍ଚଳ
ରହିଅଛି ତା’ର ଦୁଇଟି କୂଳ ।
ପ୍ରକୃତିକୁ ତା’ର କିଏ ବା ଜାଣିବ
ନାରାୟଣକୁ ଯେ ଅଗୋଚର,
ଜଳ ପରି ସେହି ସବୁ ଅବସ୍ଥାରେ
ବ୍ୟାପ୍ତ ହୋଇଛି ଏ ଚରାଚର ।
ସକଳ ଶକ୍ତିର ଆଧାର ସେହି
ଅଟଇ ସବୁରି ଆଧାରଭୂତା
ସୃଷ୍ଟି ସମୃଦ୍ଧି ପ୍ରଳୟ ମୂଳରେ
ଜଗତର ସେହି ଯେ ଆଦିମାତା ।
କଣ୍ଟେଇକୋଳି ପରି ଅଟେ ନାରୀ
ଖଟାମିଠାର ସେ ସମ୍ମିଶ୍ରଣ,
ଦେଖାଇ ପାରେ ସେ ନିର୍ବାଣ ପଥ
ପକାଇ ପାରେ ସେ ମାୟା ବନ୍ଧନ ।
ସ୍ନେହ ପ୍ରେମ ପୁଣ୍ୟ ପବିତ୍ରତା ପାଇଁ
ପୁଣ୍ୟ ଗଙ୍ଗା ସେ ଯେ ମହାସତୀ,
ଘୃଣା ଦ୍ଵେଷ କାମ କୁଟୀଳତା ପାଇଁ
ଝଣକାଏ ଚୁଡ଼ି ହୋଇ ଅସତୀ ।
ସବୁକ୍ଷେତ୍ରେ ନାରୀ ଦେଖାଉଛି ଆଜି
ପାରଦର୍ଶିତା ଲଭୁଛି ଖ୍ୟାତି,
କିଏ କହେ ତାକୁ ଅବଳା ଦୁର୍ବଳା
ଧରିପାରେ ଖଣ୍ଡା ଖର୍ପର କାତି ।
ତା’ପାଖେ ଅମୃତ ତା’ପାଖରେ ବିଷ
ତା’ପାଖେ ରହିଛି ବନ୍ଧନ ମୋକ୍ଷ,
ଦେଇପାରେ ସେହି ନରକ ଯନ୍ତ୍ରଣା
ଦେଇପାରେ ପୁଣି ପରମ ସୁଖ ।
କେବେ ସେ ନାଗୁଣୀ କେବେ ନାରାୟଣୀ
ସଂସାରରେ ତା’ର ବିଚିତ୍ର ଲୀଳା,
ଯେଉଁ ଘରେ ସେହି ପୂଜା ପାଇଥାଏ
ଦେବତା ସନ୍ତୁଷ୍ଟ ହୁଅନ୍ତି ଭଲା ।
– ବସନ୍ତ କୁମାର ପ୍ରଧାନ
Comments
ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।