ଅନେକ ଦରିଦ୍ର
ବିପନ୍ନ ଉଜୁଡ଼ା
ଘର ସମୂହର
ସମାହାର
ମୋ ଭଗ୍ନହୃଦୟ
ଭିତରେ
ପ୍ରତିଟି ସ୍ୱପ୍ନରେ
ନିରୋଳା ମୁହୂର୍ତ୍ତେ ॥
ମୁଁ ପଥିକ ସାଜି
ଅନୁଭୂତି ଭିଜା ଅପରାହ୍ନେ
ମୁଁ ପଥିକ, ଯା’ ମଥାରେ
ଲେଖା ଭିନ୍ନ ସମ୍ପ୍ରଦାୟ
ମଥାରେ ପ୍ରଚଳିତ ବେଡ଼ି ॥
ଝୁମ୍ପୁଡ଼ିଘର ବାହାରେ
ଭୟକ୍ରାନ୍ତ ବାତାବରଣ
ଭିତରେ ପର୍ଚ୍ଛା ଜହ୍ନ
ଏବେ ତ ବଦଳିଛି
କିଛି ବଦଳିବ
କିଛି ଶୀତଳିତ
ସମ୍ପୂର୍ଣ୍ଣ ଦିଗବଳୟର ପ୍ରତିଛବି ॥
ଛିଣ୍ଡା କପଡ଼ା ଭିତରୁ
ନର୍ତ୍ତକୀର ଆର୍ତ୍ତଚିତ୍କାର
ନାରୀ ନାରାୟଣୀ
ନିଷ୍ପେସିତ
ଏ ଦୋଛକି ସମାଜ
ଆଉ ଗାନ୍ଧୀଙ୍କ ରାମ ରାଜ୍ୟ ॥
ଆଉ ଆଜି ହଜାର ବର୍ଷ ପରେ
ବଞ୍ଚିଛି ଦୁଃଶାସନ
କୌରବ ଶାସନ
ନାରୀ ସାଜେ କଣ୍ଢେଇ
ଉପଭୋଗ୍ୟ ବସ୍ତୁ
ବାସ୍ତବରୁ ବହୁ ଦୂରେ
ଉନ୍ନତିର ଶେଷ ପର୍ଯ୍ୟନ୍ତ
ସମାଜର ଅନ୍ଧତ୍ୱ
ବୋଧେ ତିଷ୍ଠି ପାରିବନି
ଏ ଜହ୍ନ
ଭିନ୍ନ ଭିନ୍ନ ପ୍ରତାରଣା
ଆଉ ଅବହେଳିତ
କୋମଳପୁଷ୍ପ ॥
– ତପନ କୁମାର ସାହୁ
Comments
ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।