ତୁ…
ସ୍ୱର୍ଗପୁରର ପରୀଟିଏ ଅବା ମର୍ତ୍ତ୍ୟଲୋକର ଦେବୀ,
ତୋ ଆକାଂକ୍ଷାବାଦର ମନ ଭିତରେ ସ୍ନେହଭରା ଏକ ଛବି ।
ଦେବତାମାନଙ୍କ ଆଶିଷ ଘେନି ପହଞ୍ଚିଛୁ ମୋ ପାଖେ,
ଦ୍ୱିତୀୟ ମା’ର ସ୍ୱରୂପ ତୁ, ଭଉଣୀ ବୋଲି ମୁଁ ଡାକେ ।
ଅନାବିଳ ତୋ’ର ପ୍ରେମ, ହୃଦ ଖୋଲା ପ୍ରତି ହସ,
ନିଷ୍କପଟ ତୋ’ ମନ ଭିତରେ ଭାବନାର ଉଚ୍ଛ୍ୱାସ ।
ମୋ’ ଜୀବନଚିତ୍ରକୁ ଭରିଛୁ ତୁ ନାନା ରଙ୍ଗେ,
ମୋ ପ୍ରତ୍ୟେକ ଭାବନା ଲହଡ଼ି ତୋ’ପାଖେ ଯାଇ ଭାଙ୍ଗେ ।
ସରଳ ଜୀବନ ମଧ୍ୟେ ଚିନ୍ତାକୁ ଆସିବାକୁ ନ ଦେଉ,
କିଏ କ’ଣ ଟିକିଏ କହିଲେ ମୋ ପାଖେ ଆସି କାନ୍ଦୁଥାଉ ।
ପରକ୍ଷଣେ ପୁଣି ମିଶିଯାଉ ତାଙ୍କ ସହ ସହସ ମୁଖେ,
ଏମିତି କେଉଁ ପ୍ରତିଭା ଅଛି ତୋହରି ପାଖେ ।
ଅଧମ ମୁଁ, ଭାବନା ତୋ’ର ବୁଝିନପାରେ,
ଦେଇନି କେବେ ସମ୍ମାନ, ନେଇନି କେବେ ଯତ୍ନରେ ।
ତୋ’ମନେ କେତେ କ୍ଷତ ଦେଇ ଭରିଛି ତହିଁରେ ଚୂନ,
ଆର୍ତ୍ତନାଦ କରିଛୁ, ମାତ୍ର କରିନୁ ଅଭିମାନ ।
ସର୍ବସଂହା ମାଟି ପରି ମୋ ଦୁଷ୍ଟାମି ସହି ତୁ ଯାଉ,
ଏତେ ବଡ଼ ବଡ଼ କଥାକୁ କେତେ ସହଜେ ଯିବାକୁ ଦେଉ ।
ମୋର ପସନ୍ଦ ବିଷୟରେ ଜାଣିଛୁ ମୋ’ଠୁ ଅଧିକ,
ଚିର ଶାଶ୍ୱତ ଓ ସବୁଜ ଆମ ଭାଇ-ଭଉଣୀ ସମ୍ପର୍କ ।
ଜାଣିଛୁ ! ତୋ ଯୋଗୁଁ ଜୀବନେ ଖୁସିର ଆବିଷ୍କାର,
ପତ୍ରହୀନ ଏକ ଗଛକୁ ସବୁଜପତ୍ର ଉପହାର ।
ପତ୍ରବିନା ଥୁଣ୍ଟା ଗଛକୁ କିଏ ପଚାରେ,
ଜଳିଯିବି ଏ ଦୁନିଆରେ ତୋହରି ଅଭାବରେ ।
ତୋ’ ବିନା ମୋ’ ମୂଲ୍ୟର ଅଙ୍କରେ ପରିସମାପ୍ତି,
ମୁଁ ଶାମୁକା ପରାଏ, ତୁ ମୋ ଜୀବନେ ମୋତି ।
ମୂଲ୍ୟହୀନ ତୋ’ ବିନା କହିବି ଏତିକି ଶେଷରେ,
ଧନ୍ୟ ମୋର ଜୀବନ ତୋତେ ପାଇ ‘ଦିଦି’ ରୂପରେ ।
– ଅଭୟ କୁମାର ପଣ୍ଡା
Comments
ଅଭୟ କୁମାର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।