ଭାବର ଠାକୁର ଶ୍ରୀ ଜଗନ୍ନାଥ – ଭକ୍ତ ସାଲବେଗ

Bhabara Thakura Sri Jagannath - Bhakta Salabega (ଭାବର ଠାକୁର ଶ୍ରୀ ଜଗନ୍ନାଥ - ଭକ୍ତ ସାଲବେଗ) by Sushama Parija

ବିଲ, ବଣ, ନଦୀ, ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ । ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ । କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ ଚାଲିଛନ୍ତି ଆଗକୁ, ଆଗକୁ । ଶରୀର ଥକି ପଡ଼ୁଛି କିନ୍ତୁ ମନ କହୁଛି ଚରୈବତି… ଚରୈବତି… ଆଗେଇ ଚାଲ, ଆଗେଇ ଚାଲ । ଆଖି ବୁଜିବା ଆଗରୁ ତମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ । ଥକିଗଲେ ଚଳିବନି, ତମକୁ ତମର ଇପ୍ସିତ ସହ ଭେଟ କରିବାକୁ ହିଁ ପଡ଼ିବ । ନହେଲେ ତମର ମାନବ ଜନ୍ମ ବୃଥା ହୋଇଯିବ । ପାଦର ଗତି ବଢ଼ି ଚାଲିଛି ତାଙ୍କର । ମନ ଭିତରେ ଅଫୁରନ୍ତ ଆବେଗ । କେମିତି ଯାଇ ପହଞ୍ଚିବେ ପୁରସ୍ତମରେ । କେମିତି ଦେଖିବେ ସେଇ କଳାକଳା ଚକାଡୋଳା ଦୁଇଟିକୁ । ଶରଣାଗତ ହୋଇ ଇହଜନ୍ମ ପରଜନ୍ମର ପାପରୁ ମୁକ୍ତି ପାଇବେ; ତାଙ୍କର ଶ୍ରୀ ଚରଣରେ ଲୀନ ହୋଇଯିବେ । ମାଆ କହିଛନ୍ତି, ସେ ସର୍ବଜ୍ଞ… ସର୍ବବ୍ୟାପୀ। ଅଗତିର ଗତି, ସର୍ବତ୍ର ବିଦ୍ୟମାନ । ସେ ମୁକ୍ତିଦାତା, ଅତଃ ସେ ହିଁ ମୁକ୍ତି ଦେବେ । ଏତେ ବଡ଼ ରୋଗରୁ ଉଦ୍ଧାର କରିଛନ୍ତି ଯେତେବେଳେ ଏ ଜୀବନ ତାଙ୍କର । ତାଙ୍କରି ଶ୍ରୀ ଚରଣରେ ମୁଣ୍ଡ ଲଗାଇ ସମର୍ପଣ କରିବାକୁ ହେବ । ସେଇ ସଂକଳ୍ପ ନେଇ ସେ ଛୁଟି ଆସିଥିଲେ ପୁରସ୍ତମ ।

କି ଦୁର୍ଭାଗ୍ୟ !! ସେ ଶ୍ରୀ ମନ୍ଦିର ତ ଦୂରର କଥା ବଡ଼ଦାଣ୍ଡରେ ଅରୁଣସ୍ତମ୍ଭ ପାଖରେ ଛିଡ଼ା ହୋଇ ସୁଦ୍ଧା ପତିତପାବନଙ୍କୁ ଦର୍ଶନ କରି ପାରିଲେନି କାରଣ ସେ ଥିଲେ ଜଣେ ଅଣହିନ୍ଦୁ; ଜଣେ ଯବନ । ତାଙ୍କର ପିତା ଥିଲେ ମୋଗଲ ସୁବେଦାର ଜାହାଙ୍ଗୀର ଖାଁ ଓରଫ ଲାଲବେଗ । ସେ ତାଙ୍କର ଯୁଦ୍ଧଯାତ୍ରା କାଳରେ ଜଣେ ସୁନ୍ଦରୀ ବିଧବା ବ୍ରାହ୍ମଣୀଙ୍କୁ ବଳପୂର୍ବକ ଅପହରଣ କରି ବିବାହ କରିଥିଲେ । ସେଇ ମୋଗଲ ପିତା ଏବଂ ହିନ୍ଦୁ ବ୍ରାହ୍ମଣୀ ମାତାଙ୍କର ଔରସରୁ ଜନ୍ମ ନେଇଥିଲେ ସେ । ପିତୃଦତ୍ତ ନାମ ଥିଲା ସାଲବେଗ । ସାଲବେଗ ନିଜର ହିନ୍ଦୁ ମାତାଙ୍କ ଦ୍ଵାରା ପାଳିତ ହୋଇଥିଲେ ସେଇ ମୁସଲମାନ ପରିବାରରେ । ବଡ଼ ହେବା ପରେ ମୋଗଲ ପ୍ରଥା ଅନୁସାରେ ମୋଗଲ ସୈନିକର ସନ୍ତାନ ମୋଗଲ ସେନାବାହିନୀରେ ଯୋଗ ଦେବାକୁ ବାଧ୍ୟ । ତେଣୁ ସେ ବାଧ୍ୟତାମୂଳକ ଭାବରେ ଯୋଗ ଦେଇଥିଲେ ସୈନ୍ୟ ଶିବିରରେ ଓ ଶିକ୍ଷା କରିଥିଲେ ବିଭିନ୍ନ ଋଣ କୌଶଳ । କିନ୍ତୁ ହିନ୍ଦୁମାଆଙ୍କ ଦ୍ୱାରା ପାଳିତ ପୋଷିତ ହୋଇ ପିଲାଟି ଦିନରୁ ସେ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ଥରେ ଏକ ଯୁଦ୍ଧ କରିବା ସମୟରେ ସେ ଗଭୀର ଭାବରେ ଆହତ ହେଇ ଜୀବନର ଆଶା ଛାଡ଼ି ଦେଇଥିବା ବେଳେ ତାଙ୍କ ମା’ ତାଙ୍କୁ ଶ୍ରୀ କୃଷ୍ଣଙ୍କ ନାମ ନେଇ ତାଙ୍କ ଆଶ୍ରିତ ହେବାକୁ କହିଥିଲଲେ । ଏହା କଲା ପରେ ଅତି ଅଲୌକିକ ଭାବରେ ବାରଦିନ ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭକଲେ । ଏହା ତାଙ୍କ ମନରେ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ଭକ୍ତି ଭାବ ଆଣିଦେଲା ଯେ, ସେ ସାଂସାରିକ ମୋହ ମାୟା ସବୁ ତ୍ୟାଗ କରି ଶ୍ରୀକୃଷ୍ଣ ତଥା ହିନ୍ଦୁ ଧର୍ମ ଉପରେ ଅଧିକ ଜ୍ଞାନ ଆହରଣ କରିବାକୁ ଲାଗିଲେ । ତାଙ୍କ ମା’ଙ୍କ କହିବା ଅନୁସାରେ ପୁରୀ ଧାମର ଅଧିଷ୍ଠାତା ହିଁ ସ୍ୱୟଂ ଶ୍ରୀକୃଷ୍ଣଙ୍କ ଅବତାରୀ । ତେଣୁ ସେ ଆସିଲେ ନୀଳାଚଳ ଧାମ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି । କିନ୍ତୁ ଜାତିରେ ମୁସଲମାନ ହେଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ ହେଲା ।

ଏଥିରେ ନିରାଶ ନ ହେଇ, ଭଗ୍ନ ହୃଦୟ ନେଇ ସେ ବୃନ୍ଦାବନକୁ ଯାଇ ସେଠାରେ ସାଧୁ ସଙ୍ଗତରେ ରହି ସଦାସର୍ବଦା ଶ୍ରୀକୃଷ୍ଣଙ୍କ ଭଜନ ଶୁଣିଲେ ଓ ନିଜେ ମଧ୍ୟ ବହୁ ଶାସ୍ତ୍ର ଅଧ୍ୟୟନ କରିବା ସହ ଭଜନ କୀର୍ତ୍ତନ କରି ଦିନ କାଟିଲେ । ବୃନ୍ଦାବନ ବିହାରୀଙ୍କ ନିକଟରେ ରହୁଥାନ୍ତି କିନ୍ତୁ ଜଗନ୍ନାଥଙ୍କ ମୋହ ତାଙ୍କୁ ସଦା ସର୍ବଦା ଟାଣୁଥାଏ ତାଙ୍କ ପାଖକୁ । ପ୍ରାୟ ଗୋଟିଏ ବର୍ଷ ବୃନ୍ଦାବନରେ ରହିବା ପରେ ଶ୍ରୀକ୍ଷେତ୍ରର ରଥଯାତ୍ରାର ସମୟ ଆସିଲା । ସାଲବେଗ ଶୁଣିଥିଲେ ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ ରଥରେ ବସି ନବଦିନାତ୍ମକ ଯାତ୍ରା କରିବା ଲାଗି ତାଙ୍କ ଜନ୍ମସ୍ଥାନ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ । ସେହି ଦିନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରି ପାରନ୍ତି ତାଙ୍କୁ ରଥ ଉପରେ । ବର୍ଷକ ଭିତରେ ସେଇ ଦିନଟି ପ୍ରଭୁ ଆଉ ସମସ୍ତ ଭକ୍ତଙ୍କର ମିଳନ ହୋଇଥାଏ ବଡ଼ଦାଣ୍ଡରେ । ରଥରେ ବସି ଚତୁର୍ଦ୍ଧା ମୁରତି ଆସନ୍ତି । ସବୁ ଜାତି, ସବୁ ଧର୍ମ ତଥା ସବୁ ବର୍ଣ୍ଣର ଲୋକ ତାଙ୍କୁ ଦେଖନ୍ତି ବଡ଼ ଦାଣ୍ଡରେ । ରଥର ଦଉଡ଼ି ଧରି ଟାଣିବାର ସୁଯୋଗ ମଧ୍ୟ ପାଆନ୍ତି । କାଳିଆ ସେ ସମୟରେ ହେଇଯାନ୍ତି “ପତିତପବନ” । ତାଙ୍କର ବିଶାଳ ଭୁଜରେ କୋଳେଇ ନେଇ ଭକ୍ତମାନଙ୍କ ଜନ୍ମ ଜନ୍ମାନ୍ତରର ପାପ ନାଶନ କରି ସେମାନଙ୍କୁ ମୋକ୍ଷ ଦିଅନ୍ତି । ରଥାରୂଢ଼ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ସାଲବେଗ ଯେ କୌଣସି ମତେ ରଥଯାତ୍ରା ସମୟରେ ପୁରୀରେ ପହଞ୍ଚିବାର ଦୃଢ଼ ସଂକଳ୍ପ ନେଇ ବାହାରିଲେ ବୃନ୍ଦାବନରୁ । ସେ ସମୟରେ ଯାତାୟାତର ଏତେ ସୁବିଧା ନଥିଲା । ଦୀର୍ଘ ପଥ ପଦବ୍ରଜରେ ଆସିବା ଛଡ଼ା ଅନ୍ୟ ପନ୍ଥା ନାହିଁ । ଅନେକ କଷ୍ଟ ସହି ଖରା ବର୍ଷା ଭୋକ ଉପାସରେ ଚାଲି ଚାଲି ଆସିବା ଭିତରେ ଅଧା ବାଟରେ ଅସୁସ୍ଥ ହୋଇ ପଡ଼ିଲେ ସେ । ଦେହରେ ଭର୍ତ୍ତି ହୋଇଗଲା ପ୍ରବଳ ଜ୍ଵର । ଖଣ୍ଡିଆ ଖାବରା ହୋଇ ପାଦ ଦି’ଟା ଆଉ ଆଗେଇ ପାରୁ ନ ଥିଲା । ଅବଶ ହୋଇ ପଡ଼ି ରହିଲା ବେଳେ ରଥରେ କାଳିଆ ଥିବା ସମୟରେ ଦେଖି ପାରିବାର ସୁଯୋଗ ହରାଇବାର ଆଶଙ୍କାରେ ଜର୍ଜରିତ ହୋଇ ସେ ଅତି ଆକୁଳ ସ୍ୱରରେ ନିବେଦନ କଲେ କାଳିଆ ଠାକୁରଙ୍କୁ…

“ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀ ଚରଣ ବିନୁ ଅନ୍ୟ ଗତି ନାହିଁ ।
ସାତଶ ପଚାଶ କୋଶ ଚାଲି ନ ପାରଇ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି…”

କାନ୍ଦି କାନ୍ଦି ବିକଳ ହୋଇ ବାରମ୍ବାର ପ୍ରାର୍ଥନା କରୁଥାଆନ୍ତି ସେ କାଳିଆ ଠାକୁରଙ୍କୁ । ଗୁଣ୍ଡିଚା ଯାତ୍ରାରେ ଯଦି ବା ସେ ପୁରସ୍ତମରେ ପହଞ୍ଚି ନ ପାରିବେ ତେବେ ବାହୁଡ଼ା ଯାତ୍ରାରେ ହେଲେ ମଧ୍ୟ କାଳିଆ ଟିକେ ଅପେକ୍ଷା କରିବେ ତାଙ୍କ ଆସିବା ଯାଏଁ । ତାଙ୍କୁ ନ ଦେଖିଲେ ଜୀବନ ହାରି ଦେବେ ସିଏ । କାରଣ ରଥରେ କାଳିଆଙ୍କୁ ଦେଖି ନ ପାରିଲେ ଆଉ ଏ ସୁଯୋଗ ତାଙ୍କୁ ମିଳିବ ନାହିଁ । ରଥଯାତ୍ରା ହେବ ଆହୁରି ବର୍ଷକ ପରେ । କିଏ ଜାଣେ ସେଇ ପର୍ଯ୍ୟନ୍ତ ସେ ବଞ୍ଚି ଥିବେ କି ନାହିଁ !! ବାରମ୍ବାର ଡାକି ଚାଲିଥାନ୍ତି, “ହେ ଭକ୍ତ ବତ୍ସଳ ପ୍ରଭୁ ! ହେ ଆରତତ୍ରାଣ !! ମୋର ଗୁହାରି ଶୁଣ ମଣିମା। ଏଇ ଜୀବନକାଳରେ ମୋତେ ଟିକିଏ ରଥରେ ତୁମକୁ ଦର୍ଶନ କରିବାର ସୌଭାଗ୍ୟ ଦିଅ ହେ ପତିତପାବନ । ମୋର ଏହି ଜନ୍ମକୁ ସାର୍ଥକ କର ।” ଧାର ଧାର ହୋଇ ଲୁହ ଧାର ଗଡ଼ି ଯାଉଥାଏ ଆଖିରୁ ।

ଭାବ ବିନୋଦିଆ ଠାକୁର ଭକ୍ତର ଗୁହାରି ଶୁଣିଲେ । ସତକୁ ସତ ସାଲବେଗଙ୍କ ଡାକ ଶୁଣି ବାହୁଡ଼ା ଦିନ କାଳିଆଙ୍କ ରଥ ନନ୍ଦିଘୋଷ ଅଧା ବାଟରେ ଅଟକିଲା । ବଡ଼ଦାଣ୍ଡରେ ସେବକ ଓ ଅନ୍ୟ ଭକ୍ତମାନଙ୍କ ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ରଥ କୌଣସି ପ୍ରକାରେ ଆଗକୁ ଗଲାନାହିଁ । ପଣ୍ଡା, ସେବକ, ଦଇତାପତିଙ୍କ ଭାଳେଣି ପଡ଼ିଲା; ହଟିଆ ଠାକୁର ହଟ କରିଛନ୍ତି । କିନ୍ତୁ କାହିଁକି? କ’ଣ ଅସୁବିଧା ହୋଇଛି?

ମାହାରାଜାଙ୍କ କାନଯାଏଁ କଥା ଗଲା । ଗଜପତି ନିଜେ ଆସିଲେ । ନିଉଛାଳି ହେଲେ ଠାକୁରଙ୍କୁ, “ପ୍ରଭୁ ! ନେହୁରା ହେଉଛି, ଦୋଷ କ୍ଷମା କରି ହଟ ଛାଡ଼ନ୍ତୁ । ରଥ ଗଡ଼ୁ; ଜଗତ ଭକତଙ୍କର ମଙ୍ଗଳ ହେଉ ।” ତଥାପି ହଲିଲାନି ନନ୍ଦିଘୋଷ ରଥ । କେହି ଜଣେ କହିଲେ, “ଜଣେ ଯବନ ଭକ୍ତଙ୍କୁ କାନ୍ଦି କାନ୍ଦି ବାଟରେ ପ୍ରଭୁଙ୍କୁ ଆକୁଳରେ ଡାକୁଥିବାର, ଗୁହାରି କରୁଥିବାର ଦେଖି ଆସିଲି । ସିଏ ଏଇ ହଟର କାରଣ ନୁହଁନ୍ତି ତ?” ସମସ୍ତେ ଆବା କାବା ହୋଇ ଚାହିଁ ରହିଲେ । କିଏ ସେ ଭକ୍ତ, ଯାହା ଲାଗି ପ୍ରଭୁ ନିଜେ ଅପେକ୍ଷା କରିଛନ୍ତି?

ଅନେକ ସମୟ ଅନ୍ତେ ସାଲବେଗ ପୁରସ୍ତମ ଆସି ଯେତେବେଳେ ନନ୍ଦିଘୋଷ ରଥ ସମ୍ମୁଖରେ ପହଞ୍ଚି ଅତ୍ୟନ୍ତ ବିଭୋର ହେଇ ଜଗନ୍ନାଥଙ୍କୁ ବଡ଼ଦାଣ୍ଡ ଧୁଳିରେ ସାଷ୍ଟାଙ୍ଗ ପ୍ରଣିପାତ ହେଇ ଜଣାଣ ଗାଇଲେ, ରଥ ଅଲୌକିକ ଭାବରେ ଗତିଶୀଳ ହେବାକୁ ଆରମ୍ଭ କଲା । ଯେଉଁ ସ୍ଥାନରେ ସାଲବେଗ ପ୍ରଥମେ ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କଲେ ସେହି ସ୍ଥାନ ଶ୍ରୀକ୍ଷେତ୍ରର ବଳଗଣ୍ଡିଠାରେ ଅବସ୍ଥିତ । ପରବର୍ତ୍ତୀ କାଳରେ ସାଲବେଗ ତାଙ୍କର ଅନେକ ଭଜନ ଜଣାଣ ସେଠାରେ ରଚନା କରିଥିଲେ । ସେହି ସ୍ଥଳ ପରିଗଣିତ ହେଲା ଏକ ଅତି ପବିତ୍ର ସ୍ଥାନ ଭାବରେ । ଭକ୍ତ ସାଲବେଗ ଏହା ପରେ ପୁରୀରେ ସ୍ଥାୟୀ ଭାବରେ ରହିଗଲେ ଓ ତାଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ତାଙ୍କୁ କବର ଦିଆ ଯାଇ ଏକ ସ୍ମୃତି ସୌଧ ନିର୍ମିତ ହେଲା । ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ସେହି ବାଟ ଦେଇ ଗଲାବେଳେ ରଥକୁ କିଛି ସମୟ ପାଇଁ ଅଟକେଇ ଦିଆଯାଏ ସେହି ସ୍ଥାନରେ, ସେଇ ମହାନ ଭକ୍ତଙ୍କ ସମ୍ମାନରେ ।

ଯବନ ଅର୍ଥାତ୍ ମୁସଲମାନ ହେଇଥିବାରୁ ସାଲବେଗ ତାଙ୍କ ଜୀବଦ୍ଦଶାରେ କେବେ ଜଗନ୍ନାଥ ମନ୍ଦିର ଭିତରକୁ ଯାଇ ନ ଥିଲେ । ମନ୍ଦିର ଭିତରକୁ କେବେ ନ ଯାଇ ମଧ୍ୟ ସେ ତାଙ୍କର ରଚନାରେ ମନ୍ଦିର ଭିତରେ ଥିବା ସବୁ କିଛିର ଏପରି ନିଖୁଣ ବର୍ଣ୍ଣନା କରିଥାନ୍ତି ଯେମିତି କାଳିଆ ଠାକୁର ତାଙ୍କୁ ମନ୍ଦିର ଭିତର, ରତ୍ନ ସିଂହାସନ ସବୁ ଦେଖେଇଛନ୍ତି ଦିବ୍ୟ ଦୃଷ୍ଟି ପ୍ରଦାନ କରି । ତାଙ୍କରି ଲେଖା ଭଜନ ଓ ଜଣାଣ ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଂଶ ହୋଇ ରହିଥିବ କାଳ କାଳକୁ । ସାଲବେଗଙ୍କର ଏଇ କାହାଣୀ କହେ ଯେ ଭକ୍ତର ଭାବରେ ବନ୍ଧା ଭଗବାନ ଓହ୍ଲାଇ ଆସି ଥିଲେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ଲାଗି । ଏମିତିକା ସେ ଭାବର ଠାକୁର । ଭକ୍ତ ବତ୍ସଳ ।

ଧନ୍ୟ ତାଙ୍କର ପତିତପାବନ ବାନା ।
ଧନ୍ୟ ତାଙ୍କର ପ୍ରଭୁପଣ ।
ଧନ୍ୟ ତାଙ୍କର ଘୋଷଯାତ୍ରା ।
ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...