ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାରେ, କିନ୍ତୁ ଗ୍ରାମ ଜନଶ୍ରୁତି ଏବଂ କାବ୍ୟକାରଙ୍କ ଭିନ୍ନ ଭିନ୍ନ ମତାନୁସାରେ ମହାନ୍ତି ପାଟଣା, ପାଟ ଗ୍ରାମ, କପିଳେଶ୍ୱର ଗ୍ରାମରେ ବୋଲି ଜଣାଯାଏ । ସେ ଥିଲେ ଜାତିରେ କରଣ । ପାଞ୍ଚ ଜଣ ପ୍ରାଣୀଙ୍କୁ ନେଇ ଥିଲା ତାଙ୍କ ସଂସାର; ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ସ୍ତ୍ରୀଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ମତବ୍ୟକ୍ତ ହୁଏ । କିଏ ମାଳତୀ କହେ ତ କିଏ କନକ । ଘୋର ଅଭାବ, କ୍ଷୁଧା ଓ ଆର୍ଥିକ ଅନାଟନରେ କାଳତିପାତ କରୁଥିଲେ ସେ । ସେତିକିରେ ମଧ୍ୟ ସ୍ୱୟଂ ଜଗନ୍ନାଥଙ୍କ ଦୟା ବୃଷ୍ଟି ହେଲା ନାହିଁ ଯେ ସେହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି କରିଦେଲେ । ଯାହାଦ୍ୱାରା ଖାଇବାକୁ ମଧ୍ୟ ମିଳିଲା ନାହିଁ । ଲୋକେ ଭୋକ ଉପାସରେ ଦିନ କାଟିଲେ । ଦିନେ ବନ୍ଧୁ ମହାନ୍ତି ପତ୍ନୀଙ୍କୁ କହିଲେ, “ତୁମର ଯଦି କେହି ଚିହ୍ନା ଅଛନ୍ତି ତେବେ ତାଙ୍କୁ କହି କିଛି ଖାଦ୍ୟ ଯୋଗାଡ଼ କର ।” କିନ୍ତୁ ପତ୍ନୀ ମନା କଲେ ତାଙ୍କର କେହିବି ସେମିତି ସାହାଯ୍ୟ କରିବା ପାଇଁ ନାହାଁନ୍ତି ।
ପତ୍ନୀ ସ୍ୱାମୀଙ୍କୁ କହିଲେ, “ତୁମର ଯଦି କେହି ଚିହ୍ନା ଅଛନ୍ତି ତା’ହେଲେ ତାଙ୍କଠାରୁ ଯାଇ କିଛି ଆଣ ।” ବନ୍ଧୁ ମହାନ୍ତି ଉତ୍ତର ରଖିଲେ, “ସୁଖ ସମୟରେ ସମସ୍ତେ ବନ୍ଧୁ । ଦୁଃଖ ଦୁର୍ଦ୍ଦଶା ସମୟରେ ସାହାଯ୍ୟ କରିବା ପାଇଁ ବନ୍ଧୁ କେହି ନଥାନ୍ତି ।” କିଛି କ୍ଷଣ ରହି ପତ୍ନୀଙ୍କୁ ଉତ୍ତର ଦିଅନ୍ତି, “ମୋର ଜଣେ ବନ୍ଧୁ ଅଛନ୍ତି । ତାଙ୍କ ନାଁ ହେଉଛି ଜଗବନ୍ଧୁ । ଏହାଠାରୁ ପ୍ରାୟ ୧୦ ଜୁଣ ଦୂରରେ ମୋର ବନ୍ଧୁଙ୍କ ଘର; ଘର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର । ତାଙ୍କରି ପାଖକୁ ଗଲେ ସେ ହିଁ ଆମ ଦୁଃଖ ଦୁର୍ଦ୍ଦଶାକୁ ବୁଝିବେ ।”
ପଞ୍ଚପ୍ରାଣୀ ବାହାରି ପଥେ ଚାରି ଦିନ ଝୁଣ୍ଟି ପଡ଼ି ଉଠି ଶ୍ରୀକ୍ଷେତ୍ରରେ ପହଁଞ୍ଚିଗଲେ । ଭକ୍ତଙ୍କ ଗହଳିରେ ଶ୍ରୀମନ୍ଦିର ପୂର୍ଣ୍ଣଥିବା ହେତୁ ବନ୍ଧୁ ମହାନ୍ତି ପ୍ରବେଶ କରିପାରିଲେ ନାହିଁ । ମନ ଦୁଃଖରେ ଦକ୍ଷିଣ ଦ୍ୱାରସ୍ଥ ପେଜନଳାରୁ କ୍ଷୁଧା ନିବାରଣ ପାଇଁ କୋଡ଼ୁଆରେ ପେଜ ମୁନ୍ଦିଏ ମୁନ୍ଦିଏ ଆଣି ସମସ୍ତେ ମହାନନ୍ଦରେ ପିଇ ଅରୁଣ ସ୍ତମ୍ଭ ନିକଟରେ ବଡ଼ ଦାଣ୍ଡରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ମାତ୍ର ଭକ୍ତି ଭାବରେ ବନ୍ଧା ସ୍ୱୟଂ ଭଗବାନ ବ୍ରାହ୍ମଣ ବେଶରେ ଆସି ଡାକିଲେ, “ହେ ମୋର ଯାଜପୁରିଆ ବନ୍ଧୁ ଉଠ… ଉଠ !” ବନ୍ଧୁ ମହାନ୍ତି ଉଠି ଦେଖିଲେ ବ୍ରାହ୍ମଣ ଜଣଙ୍କ ରତ୍ନ ସୁବର୍ଣ୍ଣ ଥାଳିରେ କିଛି ମହାପ୍ରସାଦ ଧରି ସପରିବାରଙ୍କୁ ଖାଇବା ପାଇଁ ଅର୍ପଣ କଲେ । ସପରିବାର ମହାପ୍ରସାଦକୁ ମହାନନ୍ଦରେ ଖାଇ ପରମ ତୃପ୍ତି ଲାଭ କଲେ । ଯେତେବେଳେ ଥାଳିଟିକୁ ଦେବା ପାଇଁ ବ୍ରାହ୍ମଣଙ୍କୁ ଖୋଜିଲେ ଆଉ ବ୍ରାହ୍ମଣଙ୍କୁ ପାଇଲେ ନାହିଁ । ମୁଣ୍ଡ ପାଖରେ ଥାଳିଟିକୁ ରଖି ଶୋଇ ପଡ଼ିଲେ ।
ସକାଳୁ ସେବାୟତମାନେ ଆସି ରତ୍ନ ସିଂହାସନରେ ଦେଖିଲେ ଗତ ରାତିରେ ଲାଗିହୋଇଥିବା ସୁବର୍ଣ୍ଣ ଥାଳିଟି ନାହିଁ । ସମସ୍ତେ ଖୋଜିବା ସମୟେ ରତ୍ନ ଥାଳିକୁ ଭିକାରୀ ମୁଣ୍ଡ ତଳେ ଥୋଇ ଶୋଇଥିବା ଖବର ପାଇ ଶ୍ରୀମନ୍ଦିର ସେବକ ପ୍ରହରୀମାନେ କୌଣସି କଥା ନ ଶୁଣି ବନ୍ଧୁମହାନ୍ତିଙ୍କୁ ବନ୍ଦୀ କରିବା ସହ ବହୁତ ନିର୍ଯ୍ୟାତନା ଦେଲେ । ବନ୍ଧୁ ମହାନ୍ତି ଲୁହ ଝରା ନୟନରେ ଆକୁଳ କଣ୍ଠରେ ମହାପ୍ରଭୁଙ୍କୁ କହିଲେ, “ପ୍ରଭୁ ମୁଁ କି ଦୋଷ କରିଥିଲି? ମିଥ୍ୟା ଚୋରୀ ଦୋଷରେ ମୋତେ ଫସାଇ ଦଣ୍ଡ ଦେଲେ !”
ଶ୍ରୀ ଜଗନ୍ନାଥ ଶରଣାର୍ଥୀ ଭକ୍ତର ଦୁଃଖ ଯନ୍ତ୍ରଣାକୁ ନସହି ପାରି ଖୋର୍ଦ୍ଧାର ରଥିପୁର ଗଡ଼ରେ ଥିବା ଗଜପତି ପ୍ରତାପ ରୁଦ୍ର ଦେବଙ୍କୁ ଯାଜପୁରିଆ ବନ୍ଧୁ, ବନ୍ଧୁ ମହାନ୍ତିଙ୍କୁ ସସମ୍ମାନେ ମୁକ୍ତ କରିବା ଲାଗି ସ୍ୱପ୍ନାଦେଶ ଦେଲେ । ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାରେ ଠାକୁର ରାଜା ଗଜପତି ସସମ୍ମାନେ ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ସହ ଦକ୍ଷିଣ ଦ୍ୱାରପଟେ ରହିବା ପାଇଁ ଘର ଏବଂ ଶ୍ରୀମନ୍ଦିରରେ ଖରସୋଧ ପଦବୀରେ ନିଯୁକ୍ତି ଦେଲେ । ଯୁଗେ ଯୁଗେ ପାଇଁ ଭକ୍ତର ଭକ୍ତି ଭାବରେ ବନ୍ଧା ଶ୍ରୀ ଜଗନ୍ନାଥ, ଅତି ଆପଣାର ସେହି କାଳିଆ ଠାକୁର ।
– ଆଶିଷ କୁମାର ସ୍ୱାଇଁ
Comments
ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।