ବେଲେଣା ବାଡ଼ିରୁ…

Odia Poem Belana Badiru (ବେଲେଣା ବାଡ଼ିରୁ...) by Santanu Bisoi

ଓଢ଼ଣା ତଳରୁ ମୁହଁ କାଢ଼ି ଯେବେ
ବେଲେଣା ବାଡ଼ି ତୁ ଧରିବୁ
ନିଜ ସ୍ୱାଧୀନତା ନିଜ ହାତେ ନେବୁ
ଅଧିକାର ଫେରି ପାଇବୁ ॥

ଲାଜେଇ ରହିଲେ ସକେଇ କାନ୍ଦିଲେ
ଦୁନିଆ ଗଞ୍ଜଣା ଖାଇବୁ
ପୁରୁଷ ପ୍ରାଧାନ୍ୟ ସମାଜରେ ତୁ ଲୋ
ଅବହେଳିତ ଯେ ହୋଇବୁ ॥

ଘରୁ ବାହାରିଲେ ଦଶଟା ପୁରୁଷ
ଡାହାଣା ଆଖିରେ ଚାହିଁବେ
ବିଟପୁରୁଷର ଲଗା ପଘା ନାହିଁ
ଝୁଣି ଝୁଣି ତତେ ଖାଇବେ ॥

ପୋଲିସ ସହାୟ ମିଳିବନି କେବେ
ରାଜନୀତି ପଶା ପାଲିରେ
ବିଟପୁରୁଷ ଓ ଗୁଣ୍ଡା ଏ ଜିତିବେ
ଅନ୍ଧ କାନୁନୁର ନ୍ୟାୟରେ ॥

ଆରକ୍ଷଣ ଦେଇ କର୍ମ କ୍ଷେତ୍ରେ ନେଇ
ଧର୍ଷଣ କରିବେ ରଣ୍ଡୁଆ
ନାରୀ କମିଶନ ଚେତା ଶୂନ୍ୟ ଥିବ
ହୋଇ ନେତାଙ୍କର ଭାଣ୍ଡିଆ ॥

ଅବଳା ନୁହଁ କି ଦୁର୍ବଳା ନୁହେଁ ତୁ
ଦୁର୍ଗା, ଚଣ୍ଡୀ ପୁଣି ଚାମୁଣ୍ଡା
ନିଜ ପରାକ୍ରମ ଦେଖାଅ ସମୟେ
ବାଟ ଭାଙ୍ଗିଯିବେ ଦୁର୍ଦଣ୍ଡା ॥

ହାଣ୍ଡିଶାଳା ଠାରୁ ଝାଡ଼ୁ ବେଲେଣାରୁ
ଯେତେକ ବିପ୍ଳବ ହୋଇଛି
ପେଣ୍ଟଡ଼ ମେଡ଼ିସିନ ଭଳି କାମକରି
ଅପୂର୍ବ ସଫଳ ପାଇଛି ॥

– ଶାନ୍ତନୁ ବିଶୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply