ବାୟାଣୀର ରଜ

bayanira-raja

ରଜ ଆସିଛି ରଜ ଆସିଛି ଖେଳିବା ଆସ ଦୋଳି
ପୋଖରୀ କୂଳେ ଆମ୍ବଡାଳେ ପଟା ଦୋଳିରେ ଝୁଲି
କୁଙ୍କୁମ ବିନ୍ଦୁ କପାଳେ ତା’ର
ନିନ୍ଦୁ ଥିଲା ଚନ୍ଦ୍ରହାର
କଜଳ ଗାରେ ନୟନ ଲାଗେ ଖଞ୍ଜନାକ୍ଷୀ ପରି ।

ଘରକୁ ଘର ପିଲାଙ୍କୁ ଡାକି ରଜପାନକୁ ଜାକି
ମୁଖର କଲା ଗାଁ ଦାଣ୍ଡକୁ କୁରୁଳି ଗଲେ ଟୋକି
ଗୋଜ ବାୟାଣୀ ନାଆଁଟି ତା’ର
ବୟସ ହେବ ବାର ତେର
ପରଜାପତି ଉଡ଼ିଲା ପରି ବୁଲେ ପରାଗ ମାଖି ।

ଗୋଧୂଳି ବେଳା ନିକଟ ହେଲା ଖେଳେ ଭରିଲା ମନ
ସହର୍ଷରେ ଘରଫେରନ୍ତା ହେଲେ କିଶୋରୀଗଣ
ବାୟାଣୀର ଭରିନି ମନ
ଦୋଳି ତା’ର ଛୁଏଁ ଗଗନ
ମୁକ୍ତାକାଶେ ବିହଙ୍ଗ ପରି ଛନ ଛନ ତା’ ମନ ।

କ୍ଷୀଣ ଏକ ବଙ୍କା ଜହ୍ନ ଉଦିଲାଣି ଭେଦି ଗଗନ
ବାୟାଣୀ ମାଆ ଛାତି ଛନକା ଫେରିନାହିଁ ତା’ ଧନ
ଗାଈ ଯେହ୍ନେ ଛୁଆକୁ ଛାଡ଼ି
ଥରକୁ ଥର ହମ୍ବା ରଡ଼ି
ମନକୁ ତା’ ଛୁଉଁଛି ପାପ କରି ପାରୁନି ରୋଦନ ।

ଖୋଜା ଚାଲିଲା ଗହୀର ବିଲ ପୋଖରୀ ହୁଡ଼ା ମୂଳ
ଅନତିଦୂରେ ଡାକିଲା କିଏ ଆସ ଆସ ଚଞ୍ଚଳ
ମୁହଁକୁ ମାଡ଼ି କିଏ ଏଠି
ବାୟାଣୀ ପରି ଦିଶୁଅଛି
ନୀରବ କଳି ହୋଇଛି ଦଳି ଧର୍ଷଣ ଶିକାର ।

ଉଲକା ଖସେ ବଜ୍ର ହସେ ହିମ ଅଶ୍ରୁ ଛାଡ଼େ
ପଶୁତ୍ୱର ଯୁପ କାଷ୍ଠେ ହିଂସ୍ର ଅଗ୍ନି ବ୍ୟୁହେ
ଭସ୍ମୀଭୂତ ହୁଏ ବାୟାଣୀ
ଭସ୍ମୀଭୂତ ତା’ ମନ ଗ୍ଳାନି
ଅୟି ଭୀରୁ ଗର୍ବ ପଙ୍ଗୁ ପୁରୁଷତ୍ୱ ମରେ ।

(ନବେ ଦଶକରେ ଆମ୍ଭ ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ସତ୍ୟ ଘଟଣା ଉପରେ ଲିଖିତ)

ଅଜାତମିତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...