ପାଠ ପଢ଼ି ଧନ ଯାଇଛି
ହେଲେ ହେଲାଣି ଡେରି,
ସାଙ୍ଗ ସାଥି ଯେତେ ଘରକୁ
ସବୁ ଆସିଲେ ଫେରି ।
ମା’ ମନ ଭାରି ଅବୁଝା
କିଏ ବୁଝାଇ ଦେବ,
ପୁଅର ଫେରିବା ବାଟକୁ
ଚାହିଁ ପଚାରୁଥିବ ।
ଦେଖିଛ କି କେହି ଧନକୁ
ଟାଣ ହେଲାଣି ଖରା,
ନିଏନାହିଁ ଛତା-ଚପଲ
ଯେତେ କହିଲେ ପରା ।
ତାତିଥିବ ପଥ-ପଥର
କିସ କରିବ ଆଜ,
କଅଁଳ ପଦୁଅଁ ମୁହଁରେ
ଆଉ ନଥିବ ତେଜ ।
ଛାଡ଼ିବିନି ଆଉ ଖରାରେ
ପାଠ ନ ହେଉ ପଛେ,
ଆସିଲେ ରାଗିବ କଚାଡ଼ି
ବହି-ବସ୍ତାନି ମିଛେ ।
ବଡ଼ିଚୁରା-ଶାଗ-ପଖାଳ
ଦେବି ଯତନେ ବାଢ଼ି,
ଧନ ଆସୁଥିବ ଫେରି ଯେ
କେତେ ପାଠ ସେ ପଢ଼ି ।
ପାଠ ପଢ଼ି କଲେ ଚାକିରୀ
ଦୁଃଖ ଦେବ ଦୂରେଇ,
ବୋହୂଟିଏ ଘରେ ଆସିବ
ଯିଏ ଥିବ ପାଠୋଇ ।
ଚାଳଘର-ବତା ନ ଥିବ
ହେବ ରାଜ ଭବନ,
ଦେହେ ଲାଗିବନି ଆଉ ଏ
ଖରା-ଝାଞ୍ଜି ପବନ ।
କେତେ କଥା ଭାବି ମନରେ
ଆଜି ରହିଛି ଚାହିଁ,
ପାଠପଢ଼ା ସାରି ପୁଅ ତା’
ହେଲେ ଫେରିଲା ନାହିଁ ।
ବାୟାଣୀ ବୁଢ଼ୀଟା ଆଜି ବି
ଥିବ ସେମିତି ବସି,
ପୁଅ କି ଫେରିବ ଗାଆଁକୁ
ଲୋକେ କହନ୍ତି ହସି ।
ଛାଡ଼ି କି ଆସିବ ସହର-
ଘର ପାଠୋଇ ବୋହୂ,
କିସ ଯେ କରିବ ଗାଆଁରେ
ମୋହ ସେତିକି ଥାଉ ।
ଭୁଲିଛି ସେ ଶାଗ-ପଖାଳ
ମାଆ ପଣତ କାନି,
ମାଆ ଝୁରେ ଲୁହ ଝରାଇ
ପୁଅ ଆଉ ଫେରେନି ।
ମାଆ-ମାଟି କଥା ଯେବେରେ
ତା’ର ପଡ଼ିବ ମନେ,
କଥା ଦେଲି ପୁଅ ବାହୁଡ଼ି
ନିଶ୍ଚେ ଆସିବ ଦିନେ ।
ପୋଛି ଦେବ ମୁହଁ ପଣତେ
ମାଆ-ମମତାମୟୀ
ଭଲପାଏ ବୋଲି ଅନ୍ତରେ
ଦେବ ପୁଅକୁ କହି ।
– ସ୍ୱରୂପ ଚନ୍ଦ୍ର ବାରିକ
Comments
ସ୍ୱରୂପ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।