ବନ୍ଧୁତା

Odia Story Bandhuta (ବନ୍ଧୁତା) by Sushree Sangita Sethy

ସ୍କୁଲ ଜୀବନ ପରେ ଆଉ ଏକ ସୁନ୍ଦର ଅଧ୍ୟାୟ ଆସେ । ଅବଶ୍ୟ ସ୍କୁଲ ଜୀବନ ସବୁଠୁ ସୁନ୍ଦର ଥାଏ କିନ୍ତୁ କଲେଜ ଜୀବନ ବି କିଛି ଖରାପ ନୁହେଁ ଯଦି ସେମିତି ଉତୁପାତିଆ ସାଙ୍ଗଟେ ମିଳିଯାଏ ତୁମକୁ ହସେଇବାକୁ ତ ତୁମକୁ ରଗେଇବାକୁ ପୁଣି କେତେବେଳେ ତମ ସହ ମିଶି ଦୁଷ୍ଟାମି କରିବାକୁ । ସେ ସମୟରେ ହୁଏତ ଲାଗେ ମତେ ଏମିତି ଗୋଟେ ସାଙ୍ଗ କାହିଁକି ମିଳିଲା ପ୍ରଭୁ ! କିନ୍ତୁ ପରେ କଲେଜ ସରି ଜୀବନ ଯେତେବେଳେ ଆରମ୍ଭ ହୁଏ ସେଇ ସାଙ୍ଗର ମୂଲ୍ୟ ପ୍ରକୃତରେ ଜଣାପଡ଼େ । କେତେବଡ଼ ସାହାରା ଥିଲା ତୁମର ସେ ସମୟରେ ଅନୁଭବ ହୁଏ । ଏମିତି ସାଙ୍ଗ ସମସ୍ତଙ୍କୁ ମିଳେନି । କିଛି ଭାଗ୍ୟବାନଙ୍କୁ ମିଳେ । ସେମିତି ଏକ ବନ୍ଧୁତାର କାହାଣୀ ପରେଶ ଆଉ ନୀତେଶଙ୍କର । ଇଞ୍ଜିନିୟରିଂ କରିବାକୁ କଲେଜ‌ରେ ପାଦ ଦେବା ଦିନରୁ ଯେତେବେଳେ ନୀତେଶ ହଷ୍ଟେଲକୁ ଆସିଥିଲା ପ୍ରଥମ ପରିଚୟ ହୋଇଥିଲା ତା’ର ରୁମ୍‌ମେଟ୍ ପରେଶ ସହ । ନୀତେଶ ପୂରା ଷ୍ଟାଇଲରେ କୁହେ ହାଏ ବ୍ରୋ ! ୱେଲ୍‌କମ୍ ! ନୀତେଶ ବେକରେ ଇୟର ଫୋନ୍ ସାଙ୍ଗାକୁ ପତଳା ଶରୀରରେ ଢିଲା ଟି- ସାର୍ଟ୍‌ଟିଏ; ସତେ ଯେମିତି ଜୀବନ ଯିବା ଆସିବା କରୁଥାଏ । ଫୁଙ୍କି ଦେଲେ ଉଡ଼ିଯିବ । ପରେଶକୁ ଭାରି ଅଲଗା ଲାଗେ ନୀତେଶର ବ୍ୟବହାର । ମନେମନେ କହୁଥାଏ କାହାକୁ ଦେଇଦେଲ ପ୍ରଭୁ ମତେ ରୁମ୍‌ମେଟ୍ ! ଆଉ କେହି ମିଳିଲେନି ! କିନ୍ତୁ କୁହନ୍ତିନା ହଷ୍ଟେଲରେ ଭେଟ ପ୍ରଥମ ସାଙ୍ଗ ଆଉ କଲେଜ‌ରେ ଭେଟ ପ୍ରଥମ ସାଙ୍ଗ ଜୀବନ ସାରା ସାଥିରେ ରୁହନ୍ତି । ପରେଶକୁ ଭାରି ଅଡ଼ୁଆ ଲାଗୁଥାଏ ନୀତେଶ ସହ । ପରେଶ ସକାଳ ୭ରେ ଉଠି ନିଜ କାମ ସାରି ପଢ଼ାପଢ଼ି କଲାବେଳକୁ ନୀତେଶ ମହାରାଜା କାନରେ ଇୟରଫୋନ୍ ଗେଞ୍ଜି ଶୋଇଥାନ୍ତି । ଉଠନ୍ତି ୧୧ଟାରେ । ସେତେବେଳକୁ ଜଳଖିଆ ବି ସରିଯାଇଥାଏ ହଷ୍ଟେଲ କ୍ୟାଣ୍ଟିନରେ । କିନ୍ତୁ ପରେଶ ଆସିବା ପରେ ରୁମ୍‌ମେଟ୍ ହିସାବରେ ତାକୁ ୯ଟା ବେଳୁ ଉଠାଇ କ୍ୟାଣ୍ଟିନକୁ ସାଙ୍ଗରେ ଧରି ଚାଲେ । ବୋଧେ ପ୍ରଥମଥର ନୀତେଶ ହଷ୍ଟେଲକୁ ଆସିବା ପରେ ଆଜି ଯାଉଛି କ୍ୟାଣ୍ଟିନ ଜଳଖିଆ ପାଇଁ । ନୀତେଶ ମନରେ ପରେଶ ପାଇଁ ଏକ ସୁନ୍ଦର ବନ୍ଧୁତା ଜାଗା ନେଇନିଏ । କିନ୍ତୁ ସେ କେବେ ଦେଖାଏନି । ସବୁବେଳେ ସେମିତି ବେପରୁଆ ଭଳି ହେଉଥାଏ । ପରେଶ ସହ ଧୀରେ ଧୀରେ ବହୁତ ଭଲ ବନ୍ଧୁତା ହେଇଗଲା ।

ପରେଶ‌ର ଗୋଟେ ପ୍ରେମିକା ଥାଏ ଯାହା ନୀତେଶକୁ ଜଣାଥାଏ । ନୀତେଶ ସବୁବେଳେ ଚିଡ଼ାଏ ପରେଶକୁ ତା’ ପ୍ରେମିକା ନାମ ନେଇ । ପରେଶ ଉପରେ ରାଗିଲେ ବି ଭିତରେ ମନ ପୂରା ଝଲସି ଉଠେ । ସାଙ୍ଗ ହେଇ ପରେଶ ଆଉ ନୀତେଶ କଲେଜ ଯାଆନ୍ତି । ଗୋଟେ ବେଞ୍ଚରେ ବସନ୍ତି । ପରେଶ ପାଠ ପଢ଼େ ଆଉ ନୀତେଶ ! ଆପଣ ତ ଜାଣିପାରୁଥିବେ କ’ଣ କରୁଥିବ ସେ । ସାରଙ୍କଠାରୁ ସବୁଦିନ ଗାଳି ଶୁଣେ ଆଉ କ୍ଲାସ ବାହାରେ ଛିଡ଼ା ହୁଏ । ତଥାପି ତା’ର ଦୁଃଖ ନାହିଁ । ବୁଲିବାକୁ ପଳାଏ । କି ପିଲା ! ପ୍ରଭୁ ! କ୍ଲାସର ସବୁଠୁ ଦୁଷ୍ଟ ପିଲା ଏପରିକି ସାର୍ ମାନେ ବି ଧ୍ୟାନ ଦେବା ତାକୁ ଛାଡ଼ିଦେଲେ । କିନ୍ତୁ ପରେଶ ସବୁବେଳେ ଭାବୁଥାଏ କାହିଁକି ସେ ଏମିତି ବ୍ୟବହାର କରୁଛି । କ’ଣ ଅସୁବିଧା ତା’ର ! ଥରେ ପରେଶ ତାକୁ ପାଖରେ ବସେଇ ପଚାରିଲା କାହିଁକି ଏମିତି ହେଉଛୁରେ ଭାଇ? କ’ଣ ଅସୁବିଧା ତୋର? ସମସ୍ତଙ୍କଠୁ ଗାଳି ଶୁଣିବାକୁ ତତେ କ’ଣ ଭଲ ଲାଗୁଛି? ସବୁ ଶୁଣି ନ ଶୁଣିବା ଭଳି ନୀତେଶ ସେମିତି ମସ୍ତିରେ କହୁଥାଏ, “ଶୁଣରେ ଭାଇ ! ମୁଁ ତ ଏମିତି ! କିଏ କ’ଣ କହୁ ମୋର କ’ଣ ଯାଏ ଆସେ ! ଇଏ ନୀତେଶ ନିୟମ !” ପରେଶ‌ ରାଗିଯାଇ ନୀତେଶକୁ ବହୁତ ଗାଳି କରେ ଆଉ କୁହେ, “କି ନିୟମ ! ନିଜ ଜୀବନ ନଷ୍ଟ କରିବାକୁ ତୁ ପଛାଉନୁ ! ତୋ’ ବାପାମାଆ ତତେ କେତେ ଆଶା ରଖି ପଠେଇଛନ୍ତି ! ତାଙ୍କ ନାଁ ତଳକୁ ପକେଇବାକୁ ଆସିଛୁ?” ଏମିତି ବହୁତ ଗାଳି କରିବାରୁ ନୀତେଶ ରାଗିଯାଇ କୁହେ, “କ’ଣ ଜାଣିଛୁ ତୁ ମୋ ବିଷୟରେ ! ନିଜ ଜୀବନରେ ରହ । ମୋ ଜୀବନରେ ପଶିବାକୁ ଚେଷ୍ଟା କରନା । ପଳା ଏଠୁ !” ପରେଶ‌ ରାଗିଯାଇ ରୁମ୍‌ରୁ ବାହାରି ଛାତକୁ ପଳେଇ ଆସେ । ନିଜ ଭଲପଣିଆକୁ ଧିକ୍କାର କରେ ଆଉ କାନ୍ଦେ ! ନିଜକୁ ବୋକା ମୂର୍ଖ କହି ଗାଲକୁ ଚାପୁଡ଼ା ମାରେ ! କ’ଣ ଦରକାର୍ ଥିଲା ତାକୁ ବୁଝେଇବା ! ସେ ତ ତୋ’ର କେହି ନୁହେଁ ! କାହିଁକି ତାକୁ ବୁଝେଇଲୁ ! ତା’ର ମୂଲ୍ୟ ବି ପାଇଗଲୁ । ତା’ ପରେ ସେ ଆଉ ନୀତେଶ ସହ କଥାହେଲାନି ୨ ଦିନ । ରୁମ୍‌ଟା ସତେ ନିଶବ୍ଦ ଆଉ କାଳ କୋଠରୀ ଲାଗୁଥାଏ । ସାଙ୍ଗହେଇ ରହୁଥାନ୍ତି କିନ୍ତୁ ଭିତରେ ସତେ ଯେମିତି କୋଶ କୋଶ ଦୂରତା ନିଶ୍ୱାସରୁଦ୍ଧ କରିଦେଉଥାଏ । ପରେଶ ନା ଶାନ୍ତିରେ ଶୋଇପାରୁଥାଏ ନା ଖାଇପାରୁଥାଏ ନା ପଢ଼ିପାରୁଥାଏ ! କି ଅସହ୍ୟ ଯନ୍ତ୍ରଣା ଇଏ ! ପରେଶ ଶୋଇଥାଏ ହଠାତ‌ ରୁମ୍ ବାହାରେ କେହି ଜଣେ ଚିତ୍କାର କରି କାନ୍ଦିବାର ଶୁଣିବାକୁ ପାଇ ବାହାରକୁ ଗଲା । କୋରିଡୋର୍‌ର ଗୋଟେ କୋଣରେ ଦେଖିଲା ନୀତେଶ ନିଜ ହାତକୁ ପିଟି କାନ୍ଦୁଛି । ପରେଶ ଦୌଡ଼ିଯାଇ କହିଲେ, “ନୀତେଶ କ’ଣ କରୁଛୁ ଇଏ?” ନୀତେଶ କାନ୍ଦି କାନ୍ଦି ପରେଶକୁ କୁଣ୍ଢେଇ ପକେଇ କହିଲା, “ମତେ କ୍ଷମା କରିଦେରେ ଭାଇ । ମୋ ଅତୀତ ମତେ ସବୁବେଳେ ଡରୋଉଛି ମୁଁ ମୋ ଅତୀତକୁ ଭୁଲିପାରୁନି ଯାହାପାଇଁ ତୋ’ ଭଳି ସାଙ୍ଗକୁ ମୁଁ ନିନ୍ଦା କରିବାକୁ ବି ପଛେଇଲିନି । ମୋ ଜୀବନରେ ତୋ ଭଳି ସାଙ୍ଗ କେବେ ଆସିନି । ପିଲାବେଳୁ ମା’କୁ ହରେଇଛି । ଘରେ ବାପା ପଇସା ଫୋପାଡ଼ି ମୋ ପାଇଁ ଆୟା ତ ରଖିଦେଲେ । କିନ୍ତୁ ପଇସା କ’ଣ ସବୁ ଦେଇପାରେ ! ମା’ର ସ୍ନେହ ପଇସା କ’ଣ ଦେଇପାରେ । ମୋ ମାଆକୁ ବହୁତ ବାଡ଼ାଉଥିଲା ମୋ ବାପା ! କେଜାଣି କ’ଣ ଶତ୍ରୁତା ବାପାଙ୍କର ମା’ ସହ ଥିଲା । ମାଆ ଏସବୁ ସହିନପାରି ବୋଧେ ବିଷ ପିଇ ଆତ୍ମହତ୍ୟା କରିଦେଲା । ଆଉ ତାକୁ ଦେଖିଲି ମୁଁ ! ୫ ବର୍ଷର ପିଲା ନିଜ ମାକୁ ଏମିତି ଅବସ୍ଥାରେ ଦେଖି ଅସହାୟ ନିରୁପାୟ ଅବସ୍ଥାରେ ଚିତ୍କାର କରିବା ହିଁ ସାର ହେଲା । ସବୁ ଚାଲିଗଲା ମୋ ଜୀବନରୁ । ଖୁସି, ସ୍ନେହ ସବୁ ! ତା’ ପରେ ମୁଁ ଏମିତି ହେଇଗଲି । ବାପାଙ୍କୁ ଘୃଣା କରେ ମୁଁ । କେବେ କ୍ଷମା ଦେବିନି ଜୀବନ ସରିବାଯାଏଁ । କେବେ ନୁହେଁ ! ମୋ ମାଆର ହତ୍ୟାକାରୀ ସେ ।” ଏସବୁ ଶୁଣି ପରେଶ କୁଣ୍ଢେଇ ପକେଇଲା ନୀତେଶକୁ । ଆଉ ନିଜକୁ ଲଜ୍ଜିତ ମନେ କରୁଥିଲା ସେ ତା’ର ଏପରି ବ୍ୟବହାର ପାଇଁ । କାହାର ଜୀବନକୁ ନଜାଣି ତାକୁ ଆକ୍ଷେପ କରିବା କିମ୍ବା ନିନ୍ଦା ଦେବା ଉଚିତ ନୁହେଁ । ସେଦିନ ଦୁହେଁ ଶପଥ କରିଥିଲେ କେବେ ଆଉ ଝଗଡ଼ା କରିବେନି । ଦୁଇଭାଇ ଭଳି ରହିବେ । ବହୁତ ଯତ୍ନ ନେଉଥିଲା ପରେଶ ନୀତେଶର । ତାକୁ ସେ ଯେମିତି ସେମିତି ଛାଡ଼ି ଦେଇଥିଲା । ତା’ ପାଇଁ ସବୁଠି ଝଗଡ଼ା କରୁଥିଲା । ବହୁତ କମ ଥିଲେ ଯିଏ ନୀତେଶ ଆଉ ପରେଶ ସହ ମିଶୁଥିଲେ । ବୋଧେ ୧-୨ ଜଣ ।

ଥରେ ପରେଶ ଯାଇଥାଏ ବଜାର ବହି ଆଣିବାକୁ । ହଠାତ ଗୋଟେ ଗାଡ଼ି ବାଡ଼େଇଦେଲା ସେ ବସିଥିବା ଅଟୋକୁ । ଲହୁ ଲୁହାଣ ହେଇ ହସ୍ପିଟାଲ୍‌ରେ ପଡ଼ିଲା । ନୀତେଶ ଶୁଣିବା ମାତ୍ରେ ଏକା ନିଃଶ୍ୱାସରେ ଦୌଡ଼ିଗଲା ଡାକ୍ତରଖାନା । ରକ୍ତ ଦରକାର୍ ଶୁଣି ପାଗଳ ପରି ସମସ୍ତଙ୍କ ଗୋଡ଼ ତଳେ ପଡ଼ି କହିଲା ମୋ ସାଙ୍ଗକୁ ବଞ୍ଚେଇଦିଅରେ । ଯେତେ ପଇସା ନେବେ ମୁଁ ଦେବି । ଜଣେ ସାଙ୍ଗ ରାଜି ହେଲା ଏବଂ ତାକୁ ୫୦୦୦ ଟଙ୍କା ଦେଇ କହିଲା ତୋ’ ଋଣ ମୁଁ ସୁଝିପାରିବିନି ମୋ ସାଙ୍ଗକୁ ଖାଲି ବଞ୍ଚେଇଦେ । ଆଉ ଯଦି ପଇସା କହିବୁ ଦେବି । ତା’ର ଏପରି ସାଙ୍ଗ ପ୍ରେମ ଦେଖି ପୂରା ହଷ୍ଟେଲ ଆଖିରେ ଲୁହ ଆସିଯାଇଥିଲା । ପରେଶ ଯେତେବେଳେ ଆଖି ଖୋଲିଲା । ନୀତେଶ ଯାଇ ତାକୁ ବହୁତ ଗାଳି କଲା । ପରେଶ ଶଯ୍ୟା ଉପରେ ସେମିତି ଶୋଇ ଶୁଣୁଥାଏ ତା’ ଗାଳି ଆଉ ସ୍ମିତ ହସଟିଏ ଦେଉଥାଏ ଆଖିରେ ଲୁହଭରି । ଡାକ୍ତରଙ୍କଠୁ ସବୁ ଶୁଣିଥାଏ ସେ । ଆଉ ତା’ ହାତ ଧରି କୁହେ, “ଭାଇରେ କେବେ ହାତ ଛାଡ଼ିବୁନି ।” ନୀତେଶ କାନ୍ଦିଉଠିଲା । ଆଉ ସେ ଦୁହିଁଙ୍କ ବନ୍ଧୁତା ପୁଣି ଥରେ ହସ୍ପିଟାଲ ଷ୍ଟାଫ୍‌ଙ୍କ ଆଖିରେ ଲୁହ ଭରିଦେଲା । ସମସ୍ତେ କହି ଉଠିଲେ ସାବାସ ତୁମ “ବନ୍ଧୁତା” ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...