କନ୍ୟା ଭୃଣଟେ ମୁଁ କି ଦୋଷ କରିଲି
ପେଟରେ ପକାଅ ମାରି,
ଦୁନିଆ ଦେଖିବା ଆଗରୁ କିମ୍ପାଇଁ
ଦେଉଅଛ ହତ୍ୟା କରି !?
ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି
ଦିଅ ଏତେ ବଡ଼ ସଜା,
କଲବଲ ହୋଇ ଜୀବନ ମୋ ଯାଏ
ତିଳେ ନାହିଁ ତୁମ ଦୟା ।
ଏଡ଼େ ନିରିଦୟ ହୁଅ କାହିଁ ପାଇଁ
ଝିଅଟିଏ ବୋଲି ସତେ,
ତୁମ ପରି ମୁହିଁ ଦୁନିଆ ଦେଖିବି
ବଞ୍ଚିବାକୁ ଦିଅ ମୋତେ ।
ବଡ଼ହୋଇ ହେବି ଭଲ ଭଉଣୀଟେ
ଦେଶର ରଖିବି ନାଁ,
ଶାଶୁଘର ଗଲେ ଭଲ ବୋହୂ ହେବି
ହେବି ଗୋଟେ ଭଲ ମାଆ ।
ଭାଇ ଖୋଜେ ଏଠି ଭଉଣୀ ଗୋଟିଏ
ରାକ୍ଷୀଟେ ବାନ୍ଧିବ ବୋଲି,
ଶାଶୁ ଖୋଜେ ପୁଣି ଭଲ ବୋହୂଟିଏ
ଯେପରି ନଲାଗୁ କଳି ।
ପୁଅକୁ ବି ଲୋଡ଼ା ଭଲ ପତ୍ନୀ ଗୋଟେ
ଘରକୁ ଲକ୍ଷ୍ମୀଟେ ପରି,
ତଥାପି କାହିଁକି କନ୍ୟା ଭୃଣ ହତ୍ୟା
କରନ୍ତି ରାକ୍ଷସ ପରି !?
ପୁଅ ହେଉ ଅବା ଝିଅ ସନ୍ତାନଟେ
ସମାନ ପରା ଜଗତେ,
ଛଡ଼େଇ ନିଅନା ଅଧିକାର ମୋ’ଠୁ
ବଞ୍ଚିବାକୁ ଦିଅ ମୋତେ ।
– ସତ୍ୟନାରାୟଣ ପଧାନ
Comments
ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।