ସହରକୁ ଛୁଇଁବା ନିଶାରେ
ବଦଳି ସାରିଛି ଗାଆଁ
ନା ସହରକୁ ଛୁଇଁପାରିଛି
ନା ଗାଆଁ ହୋଇ ରହିପାରିଛି
ଗାଆଁ ହରାଇଛି ତା’ର ସତ୍ତା
ନାହିଁ ଆଉ ମାଟିଗୋଡ଼ି ରାସ୍ତା
ଦିଶୁନାହିଁ ତାଳଗଛେ ବାଇଆ ବସା
ଶୁଭୁନାହିଁ କୋଇଲିର କୁହୁ କୁହୁ
ନାହିଁ ପୁଣି ଘରଚଟିଆ, କୁମ୍ଭାଟୁଆ
ସବୁ ଲାଗେ ଖାଁ ଖାଁ
ବଦଳି ସାରିଛି ଗାଁ…
ଇଲେକ୍ଟ୍ରିକ୍ ଆଲୁଅରେ
ଫିକାଲାଗେ ଜହ୍ନର ଜ୍ୟୋସ୍ନା
ଜଣା ପଡ଼େନାହିଁ କେବେ ଆସେ
ପୂର୍ଣ୍ଣିମା କେବେ ଅମାବସ୍ୟା…
ହଜିଗଲାଣି ଗାଁ ଚାଷବାସ
ଦିଶୁନାହିଁ ଶାଗୁଆ ଧାନର କ୍ଷେତ
ଆପଣା ଜମି ପଡ଼ିଆ ପକାଇ
ଗାଁ ପୁଅ ଯାଏ ଆନ୍ଧ୍ର, ସୁରଟ…
ଲୁଚିଗଲାଣି ଆଷାଢ଼ ମାସରେ
ବେଙ୍ଗ ବେଙ୍ଗୁଲିର ଡାକ
ସାରୁଗଛ ଯେବେ ସପନ ହେଲାଣି
ବେଙ୍ଗ କି ଖୋଜିବ ମିତ…
ଭାଗବତ ଟୁଙ୍ଗି ମାଟିରେ ମିଶିଛି
ଗାଁ ଗାଁ’ରେ ଠିଆ କ୍ଲବ୍ ଘର
ରାତିଅଧଯାଏ ଭୋଜି ଭାତ ଚାଲେ
ତା’ ସାଥେ ହ୍ୱିସ୍କି, ବିଅର…
ଅଲୋଡ଼ା ବୁଢ଼ା ବାପାମାଆ
ଅଲୋଡ଼ା ସୁସ୍ନେହୀ ସଂଳାପ
ଚିହ୍ନା ମୁହଁସବୁ ଅଚିହ୍ନା ଲାଗନ୍ତି
ମିଛ ଲାଗିଲାଣି ଆପଣା ସମ୍ପର୍କ…
ଗାଁ ଠାକୁରାଣୀ ଭଜନ କୀର୍ତ୍ତନ
ଲାଗେ ସବୁ ପିତା ପିତା
ଫେସ୍ବୁକ୍ରେ ସମୟ ବିତୁଛି
ପିତା ଲାଗେ ଭାଗବତ, ଗୀତା…
ବଦଳୁଛି ବଞ୍ଚିବାର ନିଶା
ବଦଳି ଚାଲିଛି ଏ ଜୀବନ
ଗାଁ ମାଟିର ମହୁଆ ନିଶାରେ
ମଣିଷ ଖୋଜୁଛି ସପନ…
– ବନିତା ସ୍ୱାଇଁ ମାନଧାତା