କ୍ରିଂ କ୍ରିଂ! ହଠାତ୍ ବାଜି ଉଠିଲା ଫୋନ୍ଟି, ରାତି ୧.୪୫ମି ହବ । ଉଠି ଦେଖେ ତ ଦେହସାରା ଝାଳ… ଭାବି ପାରିଲିନି ଫୋନ୍ଟିକୁ ଉଠେଇବି କି ସେ ହୃଦୟର ସ୍ପନ୍ଦନକୁ ଶାନ୍ତ କରିବି ।ଫୋନ୍ଟିକୁ ଉଠେଇଲା ବେଳକୁ, ସିଟ୍ ଯା !!
କେତେ ଚିନ୍ତା ମୁଣ୍ଡରେ ଭର୍ତ୍ତି ହୋଇଗଲା I କାହାର ସେ ଫୋନ୍ଟି ହୋଇଥିବ, ଏତେ ରାତିରେ କିଏ ସେ ହେଇପାରେ, କିଛି ଅଘଟଣ ଘଟିନି ତ? ସତେ ଯେପରି କେତେ ଅବାନ୍ତରିଆ ରାସ୍ତାର ବାଟ ନ ପାଇ ଅଣନିଶ୍ୱାସୀ ହେଇଯାଉଛି ମୋ ମନ ଭିତରେ ।
ଟିଗଂ ଟିଗଂ ! ଘଣ୍ଟାରେ ୨ଟା ବାଜିଗଲାଣି । ବେଡ୍ରୁ ଉଠି ଗ୍ଲାସେ ପାଣି ପିଇ ଟିକିଏ ଶାନ୍ତି ହେଲା ବେଳକୁ ପୁଣି ସେଇ ପ୍ରଶ୍ନ ମନ ଭିତରେ ଆଉଟୁ ପାଉଟୁ ହେଲା । ଏଇ ଅସଜଡ଼ା ଜୀବନର କେଉଁ ମୁହୂର୍ତ୍ତକୁ ମୁଁ ସାଥି କରିବି, କେଉଁ ମୁହୂର୍ତ୍ତକୁ ସଜାଡ଼ିବି । ହଠାତ୍ ଆଖି ପଡ଼ିଗଲା ସଞ୍ଜନା ଆଉ ମୋର ଫଟୋ ଫ୍ରେମ୍ ଉପରେ ।
ପ୍ରଥମ କରି କଲେଜ ଯିବାର ଯେତେ ଖୁସି ତା’ ସାଙ୍ଗକୁ ଯୌବନର କଢ଼ ନଫୁଟିଲେ ବି ତା’ର ମହକ କିଏ ବା ନ ଜାଣେ । ନୂଆ ନୂଆ ସାଙ୍ଗ, ଖାତାଟେ ହେଇଗଲେ ପୂରା ବର୍ଷଟେ ପଳେଇବ । କିଛି ହେଉ କି ନହେଉ ଲମ୍ୱା ଲମ୍ୱା କୁଞ୍ଚୁକୁଞ୍ଚିଆ ବାଳକୁ ସେ ଭେଲ୍ ପ୍ୟାଣ୍ଟର ସ୍ଟାଈଲ୍ ! ଏତିକିବେଳେ ମୋ ସାଙ୍ଗ ଗୁଲୁ ପଚାରିଲା, “ଆରେ ଅନିଳ (ମୁଁ), ତୁ କ’ଣ ଆଜି ରୋମାଣ୍ଟିକ ଲାଗୁଛୁ, କେଉଁଠି ନମ୍ୱର ଲାଗିଯାଇଛି କିରେ?”
ମୁଁ- ନାଇମ ଗୁଲୁ, ଆଜି ମୋର ଜନ୍ମଦିନ; ତା’ ସାଙ୍ଗକୁ ବାପା ମୋ ପାଇଁ ସାଇକେଲଟେ କିଣି ଦେଇଛନ୍ତି । ଏଇ ଦେଖୁନୁ ।
ଗୁଲୁ- ତା’ ହେଲେ ଜମିଲା ଆଉ । ହଉ ଚାଲ କ୍ଲାସ ଆରମ୍ଭ ହେଲାଣି ।
କଲେଜରୁ ଗାଁ ଯାଏଁ ୯ କି.ମି ବାଟ । କଲେଜଠାରୁ ୩ କି.ମି ପରେ ହାତିଆ ଜଙ୍ଗଲ ପଡ଼େ । ଯେତେ ଖରା ହେଲେ ବି ଗଛ ଛାଇ ସହ ପକ୍ଷୀମାନଙ୍କ ରାବ ମନ ମୋହିନିଏ । କିନ୍ତୁ ନିଛାଟିଆ ଜଙ୍ଗଲ ଭିତରେ ଏକା ଚାଲିବା କଷ୍ଟକର । ୫-୬ଟା ବାତେରା ଗୋଷ୍ଠୀ ସାଙ୍ଗ ହେଇକି ଯାଉ ତ ହସ ମଜାରେ ପଳାଏ ରାସ୍ତା । ଗୁଲୁ, ବବୁଲ, ହରି, ନଟୁଆ ଆଉ ମୋର ଭାରି ଜମେ । ଆଜି କ୍ଲାସରେ ବହୁତ ପିଲା ଅନୁପସ୍ଥିତ ! ମନେପଡ଼ିଗଲା କାଲି ହୋଲି ଥିଲା । ହଉ ଏକା ଆସିଛି ଗଲାବେଳେ ସେଇ ଜଙ୍ଗଲ ଦେଇକି ଯିବାକୁ ପଡ଼ିବ । ୩ଟା ହେଲା ମାତ୍ରେ ମୁଁ ସାଇକେଲ ଧରି ବାହାରି ପଡ଼ିଲି ଘରକୁ । ମନେ ମନେ ଭଗବାନଙ୍କୁ ଡାକୁଥାଏ, କେମିତି ଜଙ୍ଗଲ ଶେଷ ହେବ ।
ଡରରେ ମୁଁ ଶୀଘ୍ର ଶୀଘ୍ର ପେଡାଲ୍ ମାରୁଥାଏ ଆଉ ହଠାତ୍ ଆଗରେ ଯାଉଥିବା ଗୋଟେ ଝିଅ ଉପରେ ମୋର ନଜର ପଡ଼ିଲା । ଏଇ ନିଛାଟିଆ ଜଙ୍ଗଲ ଭିତରେ ଇଏ କିଏ? “ହେଲୋ, କିଏ ଯାଉଛ?” ମୁଁ ପଛରୁ ଡାକିଲି, “ଆରେ କିଏ ତୁମେ?” ୨-୩ ଥର ଡାକିଲା ପରେ ସେ ବୁଲିକି ଅନେଇଲା, ମୁଁ ସାଇକେଲକୁ ଧୀର କଲି ଆଉ ତା’ ସହ ସମାନ୍ତରଳରେ ସାଇକେଲ ଚଲେଇବାକୁ ଲାଗିଲି । “ତୁମେ କିଏ? କୁଆଡ଼େ ଯାଉଛ ଏଇ ଜଙ୍ଗଲରେ, ଡର ନାହିଁ କୁ ତୁମର?”
ସେ କିଛି ସମୟ ଭାବିବା ପରେ ଉତ୍ତର ଦେଲା, “ମୋ ନାଁ ସଞ୍ଜୁ, ମୁଁ ଏଇ କଲେଜର ପଢ଼ୁଛି, ୧ମ ବର୍ଷ ମୋର ।” ମନେ ମନେ ଭାବୁଥାଏ, ୧ମ ବର୍ଷର ଇଏ ମୁଁ ତ କେବେ ଦେଖିନି?
– ଆଛା ତୁମେ ଏକୁଟିଆ ଯାଉଛ ଡର ଲାଗୁନି?
– ହୁଁ ଡର ! ଏଇ ଜୀବନର ସବୁ ରସ ପାଣି ଫୋଟୋକା ଭଳି କେବେ ଫାଟି ଯିବ ମୁଁ ବି ଜାଣିନି ।
– ମାନେ?? କ’ଣ କହୁଛ ମୁଁ ବୁଝି ପାରିଲିନି?
– କିଛି ନୁହେଁ! ଚାଲ ଯିବା ଡେରି ହେଲାଣି ।
ଘର, ପିଲାଦିନର ସ୍କୁଲ, ସାଙ୍ଗ ଏମିତି କେତେ ଅସରନ୍ତି କଥାର ରାସ୍ତା ସରି ସରି ଆସିଲା ବେଳକୁ ସଞ୍ଜୁ କହିଲା, “ଏପଟେ ଟିକେ ଦୂର ଗଲେ ମୋ ଘର । ମୁଁ ଏବେ ଯାଉଛି । ଟା ଟା !” ମୁଁ କିଛି ସମୟ ଅନେଇକି ରହିଲି, ନା ଆଖି ପଲକ ପଡ଼ୁଥିଲା, ନା ସେ ମନ ଭିତରର ଅନ୍ତରଙ୍ଗ ମୁହୂର୍ତ୍ତ । ଗାଈ ହମ୍ମା ରଡ଼ିରେ ଚମକି ପଡ଼ି ଏକଛତ୍ର ସାଇକେଲ ମାରି ପଳେଇଲି ।
ହୋଲି ପରଦିନ ସକାଳୁ ମୁଁ କଲେଜ ଯିବା ପାଇଁ ତରତର ହେଉଥାଏ I ଏତିକିବେଳେ ମୋ ଖାତାଟି ଖୋଜିବାର ମନେ ପଡ଼ିଲା ମୁଁ ସେଦିନ ଆସିଲାବେଳେ ମୋ ଖାତାଟି ସଞ୍ଜୁକୁ ଦେଇଥିଲି । ହଁ ତା’ ପାଖରେ ହିଁ ରହିଯାଇଥିଲା ମୋ ଖାତାଟି । ତା’ ଠାରୁ ଖାତା ଆଣିବା ବାହାନାରେ ତା’ ସହ ମୋର ଦେଖା ହେଇଯିବ ବୋଲି ଭାବି ତରତରରେ କଲେଜ ପାଇଁ ବାହାରି ପଡ଼ିଲି । ଯଦିଓ ମା’ ପଛରୁ ଡାକୁଥିଲା ଖାଇକି ଯିବାକୁ, ହେଲେ ତାକୁ ଦେଖିବାର ଉଚ୍ଛୁକତାରେ ମୋତେ ସତେ ଯେମିତି ଆଉ ଭୋକ ଲାଗୁନଥିଲା ।
ଏଇ ଆଖି କେତେ କ୍ଲାସ, କମନରୁମ୍, ସାଇକେଲ ଷ୍ଟାଣ୍ଡରୁ ହାତିଆ ଜଙ୍ଗଲ ପର୍ଯ୍ୟନ୍ତ ସବୁ ଆଡ଼େ ଖୋଜିଛି । ଦିନ ଯାଇ ମାସ, ମାସ ଯାଇ ବର୍ଷ ପଳେଇଲା ହେଲେ ସଞ୍ଜୁକୁ ପାଇଲି ନାହିଁ କି ସେ ଖାତାଟିକୁ ଆଉ ପାଇଲିନି ।
ଏଇ ହାତିଆ ଜଙ୍ଗଲ କେତେ ଯେ ପ୍ରେମିକ ପ୍ରେମିକାମାନଙ୍କର ସ୍ମୃତି ତା’ ଦେହରେ ସାଇତି ରଖିଛି ତା’ର ଇତିହାସ ଖୋଲିଲେ ସରିବନି । ଚାହୁଁ ଚାହୁଁ ଘଣ୍ଟାର ସେକେଣ୍ଡ କଣ୍ଟା ବୁଲିଲା ଭଳି କେମିତି ୩ ବର୍ଷ କଲେଜ ସରିଗଲା ଗତ କାଲିର ଶେଷ ସେମିଷ୍ଟାର ପରୀକ୍ଷା ପରେ ଅନୁଭବ କଲି । ଜୀବନର ଖୁସିର ମୁହୁର୍ତ୍ତକୁ କିଏ ବା ଛାଡ଼ିବାକୁ ଚାହେଁ; କିନ୍ତୁ ସତ୍ୟ ହେଲା, ଜୀବନ ମାନେ ପରିବର୍ତ୍ତନ ନିଶ୍ଚିତ । ଗୋଟିଏ ପର୍ଯ୍ୟାୟ ପରେ ଆରଟିର ଆରମ୍ଭ ହୁଏ, ତା’ ସହିତ ତାଳ ମିଳେଇ ବାଞ୍ଚିବାକୁ ହବ ।
ବି.ଏଡ୍ କରିବା ସମୟରେ ପୁଣି ସେଇ ଅଭୁଲା ଆଖି ସହ ଦେଖା ହୋଇଥିଲା । ଚିହ୍ନା ଚିହ୍ନା ପରି ଲାଗିଲେ ମଧ୍ୟ ମୁଁ କିଛି କହିପାରୁ ନଥିଲି । ସାହସ କରି ପଚାରିଲି, “ତୁମେ ସଞ୍ଜୁ ନା?” ତା’ର ଲାଜକୁଳି ଇଶାରାରେ ମନ କୁଣ୍ଢେମୋଟ ହୋଇଗଲା । ଦୁଇ ଜଣଙ୍କର ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା, କିନ୍ତୁ ସେ ଅନ୍ତରଙ୍ଗ ମୁହୁର୍ତ୍ତରୁ କେବେ ଜୀବନସାଥୀ ହେବୁ ବୋଲି ଜାଣି ନଥିଲୁ । ଭାଗ୍ୟକୁ ପଢ଼ା ସରୁସରୁ ଚାକିରି ବି ହେଇଗଲା । ଡେରି ନକରି ମାମୁଁଙ୍କୁ ଧରି ପ୍ରସ୍ତାବ ନେଇ ଯାଇଥିଲି । ସଞ୍ଜୁ ଘରେ ବି ମାଷ୍ଟର ଚାକିରିଆ ଦେଖି ଆଉ ମନା କରିପାରି ନଥିଲେ ।
ଜାକଜମକରେ ବାହାଘର ହେଲା ପରେ ଆମେ କଟକର ରିଙ୍ଗ୍ ରୋଡ଼୍କୁ ଶିଫ୍ଟ ହୋଇଯାଉଥାଉ । ନୂଆ ଲୋକ, ନୂଆ ସହର ସହିତ ଆରମ୍ଭ ହୋଇଥାଏ ଆମ ଦାମ୍ପତ୍ୟ ଜୀବନ । ମୋର ସ୍କୁଲ ଚାରିଟାରେ ସରିବା ପରେ ସଞ୍ଜୁ ସହ ବାକି ସମୟ ଅତିବାହିତ ହୋଇଯାଏ । ପ୍ରଥମ ମାସର ଦରମାରେ ସଞ୍ଜୁକୁ ପ୍ରେମସ୍ୱରୂପ ତାଜମହଲ ବୁଲେଇ ନେଇଥିଲି । ୨-୩ ମାସ ଅତିବାହିତ ହେଲାପରେ ସ୍କୁଲକୁ ଫୋନ୍ ଆସିଥିଲା ଏସ.ସି.ବି ହସ୍ପିଟାଲରୁ, ଆପଣଙ୍କ ପତ୍ନୀ ଅସୁସ୍ଥ ଅଛନ୍ତି ଶୀଘ୍ର ଆସନ୍ତୁ । ହସ୍ପିଟାଲରେ ପହଞ୍ଚି ଶୁଣିଲି ସଞ୍ଜୁ ମା’ ହେବାକୁ ଯାଉଛି । ଖୁସିରେ ଲୁହ ଛଳଛଳ ହୋଇ ସଞ୍ଜୁକୁ କୁଣ୍ଢେଇ ପକେଇଥିଲି । ଅପେକ୍ଷା ନକରି ବାପାଙ୍କୁ ଜଣାଇଲା ପରେ ବାପାଙ୍କର ଉତ୍ତର ଆଜି ବି ମନେପଡ଼େ, “ପିଲା ଓ ମାଆକୁ ସବୁବେଳେ ଖୁସିରେ ରଖିବୁ ।”
ଶାହଜାହାନଙ୍କ ତାଜମହଲ; ପ୍ରେମର ପ୍ରତୀକ ଥିଲେ ମଧ୍ୟ ଛାତି ତଳେ ଚାପି ହୋଇ ରହିଥିବା ଦୁଃଖର ପ୍ରତିବିମ୍ୱକୁ କିଏ ବା ଦେଖେ, ସମସ୍ତେ ତ ତାଜମହଲର ସୌନ୍ଦର୍ଯ୍ୟରେ ବିମୋହିତ । ଜୀବନରେ ଏଭଳି ଭୟାନକ ସମୟର ସାମ୍ନା କରିବାକୁ ହେବ ଜାଣି ନ ଥିଲି; ହଠାତ୍ ସେଦିନ ରାତ୍ରି ୧.୪୫ମି ହବ । ଓକାଳିବା ଶୁଣି ଉଠି ପଡ଼ି ଦେଖେତ ବେଡ୍ସିଟ୍ଟି ସଞ୍ଜୁର ରକ୍ତବାନ୍ତିରେ ଭିଜି ଯାଇଛି । ମୋ ହାତରୁ ଗୋଡ଼ ପର୍ଯ୍ୟନ୍ତ କିଛି ସମୟ ପାଇଁ ନିସ୍ତବ୍ଧ ପାଲଟିଗଲା, ଧୈର୍ଯ୍ୟହରା କଣ୍ଠରେ ଆମ୍ୱୁଲାନ୍ସକୁ ଫୋନ୍ କଲି । ହସ୍ପିଟାଲରେ ବହୁତ ପରୀକ୍ଷା ନିରୀକ୍ଷା କଲାପରେ ଜଣା ପଡ଼ିଲା କର୍କଟ ରୋଗରେ ଆକ୍ରାନ୍ତ ମୋ ସଞ୍ଜୁ ! ହେ ଭଗବାନ୍ ! ଇଏ କି ଅଭିଶାପ ଯାହାର ଚିକିତ୍ସା ନାହିଁ । ଡାକ୍ତରମାନେ ବି ହାରିଗଲେ, ହାରିଗଲି ମୁଁ ଓ ମୋ ସଞ୍ଜନା, ତା’ ସହ ନିରୀହ ଶିଶୁଟି । ମତେ ‘ମୋର’ ବୋଲି କହିବାକୁ କେହି ରହିଲେନି ।ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ତା’ ହାତକୁ ମୋ ହାତରେ ରଖି କହିଲା, “ମୁଁ ଏକା ତୁମର ।” ବାସ୍ ଏବେ ବି ମୁଁ ତା’ ଅପେକ୍ଷାରେ !
ବାବୁ ! ବାବୁ! ଦୁଆର ଖୋଲ, “ସକାଳ ୬ଟା ହେଲାଣି, ଆଜି ସ୍କୁଲ ଯିବେନି କି?” ଭାବନାରେ ମଗ୍ନ ହୋଇ କେତେବେଳେ ଯେ ନିଦ ଆସିଯାଇଛି ଜଣାନାହିଁ । ଏ ସଞ୍ଜୁ ବି ମୁଁ ତୁମର କହି ଚାଲିଗଲା, ହଜାରେ ସପ୍ନ ଦେଖାଇ । ଯେତେ ସଜାଡ଼ିଲେ ମଧ୍ୟ ଅସଜଡ଼ା ହୋଇ ରହିଗଲା ଏଇ ଜୀବନ !!!
– ଦେବାଶିଷ ମହାନ୍ତି
Comments
ଦେବାଶିଷ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।