ସନେଟ… ଆର୍ତ୍ତ ପାର୍ଥ

Odia Sonnet - Arta Partha (ସନେଟ… ଆର୍ତ୍ତ ପାର୍ଥ) by Madhumita Mishra

ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ
ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ
ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ
ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ

ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା
ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୂରାଉଛି ଆଜି ମଥା
ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି ରାହା
ବନ୍ଧୁ ପରିଜନ କେ’ ନିଜ କେ’ ପର କିଏ ଅବା ମୋର ସାହା

କୀଟ ପଶୁ ପକ୍ଷୀ ବୃକ୍ଷ କି ପାଷାଣ ସରିତା ବନିତା ଲତା
ପୁରୁଷ ପ୍ରକୃତି ଦେବ କି ଗନ୍ଧର୍ବ ଦାନବେ ଖୋଜୁଛି ସତ୍ତା
କିଏ ଦେବ ଜ୍ଞାନ ଗୁରୁ ହୋଇ ମୋତେ ନଥିବ ଯହିଁ ଛଳନା
ଦ୍ରୋଣ ନେଇଯାଏ ବୃଦ୍ଧାଙ୍ଗୁଳି ଏଠି କରିଦେଇ ବାଟବଣା

ହେ ଜଗତଗୁରୁ ସ୍ଥିର କରି ମହୀ ଶିଖାଅ ଜୀବନ ଶିକ୍ଷା
ଆର୍ତ୍ତ ପାର୍ଥ ସମ ଆଜି ଏ ଅଧମ ମାଗୁଛି ଏତିକି ଭିକ୍ଷା

ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...