ଅଫେରା ପଥର ପଥୀକ

aphera-pathara-pathika

ବାଣୀବିହାର ବାଣୀବିହାର…. ବସ୍ ଯାଇ ପହଞ୍ଚିଲା ବାଣୀବିହାର ବସ୍‌ଷ୍ଟାଣ୍ଡରେ । ମୋତେ ବି ଟିକେ ନିଦ ଲାଗିଯାଇଥିଲା । କଣ୍ଡକ୍ଟର ପାଟି ଶବ୍ଦରେ କାନ ଫାଟିପଡ଼ୁଥାଏ । ମୁଁ ବ୍ୟସ୍ତ ହୋଇ ଉଠିପଡ଼ିଲି । ଲଗେଜ୍ ବାହାର କରିବି କ’ଣ, ହଠାତ୍ ମୋ ଦୃଷ୍ଟି ଯାଇ ପଡ଼ିଲା ଆଗ ସିଟରୁ ଓହ୍ଲାଉଥିବା ଜଣେ ଯୁବତୀଙ୍କ ଉପରେ । ସତେ ଯେପରି ତାଙ୍କୁ ଆଗରୁ ବହୁବାର ଦେଖିଛି କେଉଁଠି ! ଅନେକ ଦିନର ଯେପରି ସମ୍ପର୍କ ଅଛି ତାଙ୍କ ସହ । ସେହି ଗୋରା ମୁଁହ, ତା’ରି ପରି ସୁନ୍ଦର ଆଖି । ପଛପଟୁ କେଶ ବି ତା’ କେଶ ପରି ବହୁ ସୁନ୍ଦର ଦିଶୁଥାଏ । ସତରେ କ’ଣ ସେ ମୀରା? ମୁଁ ତ ସମ୍ପୁର୍ଣ୍ଣ ଦେଖିପିରିଲିନି । ଯାହାକୁ ଏତେଦିନ ଧରି ଖୋଜୁଥିଲି ସେ ମୋ ମନର ମାନସୀ ମୀରା ନୁହଁ ତ !! ଲଗେଜ୍ ଛାଡ଼ିଦେଇ ମୁଁ ଦୈଡ଼ିଲି ତଳକୁ । ବହୁ ଜୋର୍‌ରେ ଡାକୁଥାଏ “ମୀରା ମୀରା… ଟିକେ ରୁହ ।” ହୁଏ ତ ତାଙ୍କୁ ଡାକିବାରେ ମୋର ବିଳମ୍ବ ହୋଇଯାଇଥିଲା । ମୋ କଥା ଶୁଣିବା ଆଗରୁ ଏକ ଧଳା ଅଡି କାର୍‌ରେ ଯୁବତୀ ଜଣକ ସେ ସ୍ଥାନ ଛାଡ଼ିଦେଇଥିଲେ ।

ହଉ ଦେଖିବା, ମୁଁ ତ ତାକୁ ଏ ସହରରେ ଦେଖିଛି । ଯଦି ସେ ମୀରା ହୋଇଥିବ ମୋ ମନ କହୁଛି ନିଶ୍ଚୟ ପୁଣି ଥରେ ଦେଖାହେବ ତା’ସହ । ଏପଟେ ବସ୍ କଣ୍ଡକ୍ଟର ଡାକୁଥାଏ ସାର୍ ସାର୍ ଆପଣଙ୍କ ବ୍ୟାଗ୍ ନିଅନ୍ତୁ ବସ୍ ଛାଡ଼ିବ । ବସ୍‌ରୁ ବ୍ୟାଗ୍ ନେଇ ଚାଲିଲି ହଷ୍ଟେଲ୍ ଆଡ଼େ । ଏମ୍ଫିଲ୍ ଥେସିସ୍ ସବମିଟ୍ କରିବାର ଥାଏ । ଟିକେ ବ୍ୟସ୍ତ ଲାଗୁଥାଏ । ହଷ୍ଟେଲରେ ପହଞ୍ଚି ଫ୍ରେସ୍ ହେବାପରେ ଆଉ ଡିପାର୍ଟମେଣ୍ଟ ଯିବାକୁ ଇଚ୍ଛା ହେଲାନି । ମନରେ କେବଳ ସେଇ ଗୋଟିଏ ମୁଁହ, ସେଇ ଗୋଟିଏ ଚେହେରା । କାନ ପାଖେ ପୁରୁଣା ଦିନର ମୀରା କହିଥିବା ପ୍ରତ୍ୟେକଟି କଥା ପ୍ରତିଧ୍ୱନିତ ହେଉଥାଏ । ସାର୍‌ଙ୍କୁ ଫୋନ୍ କରି ଦେହ ଖରାପର ବାହାନା କରି ଥେସିସ୍ ପରେ ସବ‌୍‌ମିଟ୍ କରିବାକୁ ଅନୁରୋଧ କଲି ଆଉ ସେ ବି ରାଜି ହୋଇଗଲେ । ଅନେକ ପୁରୁଣା କଥା ମନେପଡ଼ୁଥାଏ । ମୁଁ ସେମିତି ହଷ୍ଟେଲ୍ ବେଡ୍‌ରେ ପଡ଼ିରହିଥାଏ । ସେଦିନର ମେଧାବୀ ଛାତ୍ରୀ ମୀରା ବୋଧେ ଆଜି ଗୋଟେ ବଡ଼ ଅଫିସର ହୋଇଯାଇଛି.. । ମନରେ ଆସୁଥାଏ ଅନେକ ପ୍ରଶ୍ନ ।

ମୀରା ଥିଲା କଲେଜ୍ କୁଇନ୍, ବହୁତ୍ ଭଲ ପାଠ ପଢ଼ୁଥିଲା ସେ । ଫାଷ୍ଟ କ୍ଲାସ କ୍ୟାରିଅର ଥିଲା ତା’ର । +୨ରେ ୯୦% ମାର୍କ ରଖିଥିଲା । ମୋ’ଠୁ ମୀରା ଥିଲା ଦୁଇ ବର୍ଷ ଜୁନିଅର । ପାଠରେ ଯେମିତି, ସେମିତି ସ୍ମାଟ୍ ବି ଥିଲା । ଦେଖିବାକୁ ଥିଲା ଅପୂର୍ବ ସୁନ୍ଦରୀ । ମୋତେ ଟିକେ ନ ଦେଖିଲେ ମୀରା ପାଗଳି ହୋଇଯାଉଥିଲା । ଆମ ପ୍ରେମ ସମ୍ପର୍କ ଥିଲା ଶାଶ୍ୱତ । ଆମେ ଦୁହେଁ ଥିଲୁ ପ୍ରେମ ପକ୍ଷୀ, ଦୁଇଟି ଶରୀର କିନ୍ତୁ ଗୋଟେ ହୃଦୟ । ପ୍ରତ୍ୟକ ଦିନ ଆମେ ଦୁହେଁ ଦୁହିଁଙ୍କୁ ଦେଖାକରୁ । ଦିନେ ଦେଖା ନକଲେ ସେ ରୁଷିଯାଏ, ଅଭିମାନ କରେ, ମୋତେ ଗାଳିକରେ, ରାଗେ… କ୍ଲାସ୍ ସରିବା ପରେ ବି ସେ ମୋତେ ଅପେକ୍ଷା କରିଥାଏ ଟିକେ ଦେଖିବାକୁ । ଛୁଟି ଦିନରେ ବି ଘରକୁ ଫୋନ୍ କରି, ଅତିରିକ୍ତ କ୍ଲାସ୍ ଅଛି ବୋଲି ମିଛ କହି ହଷ୍ଟେଲରେ ରହିଯାଏ କେବଳ ମୋତେ ଟିକେ ଦେଖିବାକୁ । ସାଙ୍ଗହୋଇ ପାର୍କରେ ଦୁହେଁ ଦେଖାକରୁ, କଫି ସପ୍ ଯାଉ । ସେ ମୋ ହାତକୁ ସବୁବେଳେ ଜାବୁଡ଼ି ଧରୁଥାଏ, ହାତକୁ ଚିମୁଟୁଥାଏ । ବେଳେ ବେଳେ ମୋର ପହଞ୍ଚିବାରେ ଲେଟ୍ ହେଲେ ଅଭିମାନ କରି ମୋ ସହ କଥା ହୁଏନି । ତାକୁ ବହୁତ ବୁଝେଇବାକୁ ପଡ଼େ । ବୁଝିଗଲା ପରେ ଗୋଟେ କଥା କହେ “ମୋତେ କେବେ ଛାଡ଼ି ଚାଲିଯିବନି ତ ଦିନେଶ?” ତାକୁ ବୁଝେଇବାକୁ ଯାଇ କହେ, “ନାଇଁରେ ପାଗଳି ଏମିତି କେବେ ହେବନି । ଜନ୍ମ ଜନ୍ମ ପାଇଁ ତୁ ମୋର ଆଉ ମୁଁ ତୋର ।” ଏଇ ପଦଟିଏ କଥା ଶୁଣି ଖୁସିରେ ମୁରୁକି ହସା ଦେଇ ମୋତେ କୁଣ୍ଢେଇ ପକାଏ ।

ମୀରାର ମୋର ଏ ମିଠା ପ୍ରେମ ସମ୍ପର୍କ କଲେଜରୁ ଆରମ୍ଭ ହୋଇ ନଥିଲା । ଆମେ ଉଭୟ ଉଭୟଙ୍କୁ ଆଗରୁ ସାମ୍ନା ସାମ୍ନି ଦେଖିନଥିଲୁ ସତ, କିନ୍ତୁ ଉଭୟ ଉଭୟଙ୍କୁ ଜାଣିଥିଲୁ, ଆମେ ମିଶିଯାଇଥିଲୁ । ଗୋଟେ ରଙ୍ଗ୍ ଫୋନ୍ କଲ୍ ମୀରାକୁ ମୋ ସହ ଯୋଡ଼ିଦେଇଥିଲା । ମୀରାର ସେ କୋକିଳ କଣ୍ଠ ମୋତେ ଆକର୍ଷିତ କରୁଥିଲା । ଆମେ ଦୁହେଁ ଅତି ଘନିଷ୍ଠ ହୋଇଯାଇଥିଲୁ । ମୀରାର କଣ୍ଠରେ ଥିଲା ଅପୂର୍ବ ଆକର୍ଷଣ । ମୁଁ ଦୁନିଆର ସବୁ ସ୍ୱରକୁ ଭୁଲି ତା ସ୍ୱର ଶୁଣିବାକୁ ପାଗଳ ପରି ତା’ ଫୋନକୁ ଚାହିଁ ବସୁଥିଲି । କୁନ୍ତୁ ବାପାମାଆଙ୍କ ଅନୁଶାସନ ଓ ସଂସ୍କାରରେ ଥିଲା ସେ ପରିଚାଳିତ । ସମାଜକୁ ନେଇ ତା’ ମନରେ ଥିଲା ପାରିବାରିକ ସମ୍ମାନ ଓ ଦାଇତ୍ୱ । ଟିକେ ଡରୁଥିଲା ସେ । ସେ ମୋ ସହ ଫୋନ୍‌ରେ କଥା ହେଉଥିଲା ସତ ହେଲେ ଲୁଚି ଲୁଚି । ତା’ର ପରିବାରର ସବୁ ଦୁଃଖସୁଖ ସେ ମୋ ସହ ବାଣ୍ଟୁଥିଲା । କିଛିମାସ ପରେ ଆମ କଲେଜକୁ ଆସିଥିଲା ସେ । ଆର୍ଥକ ସ୍ଥିତି ତା’ର ସ୍ୱଚ୍ଛଳ ନଥିଲା ସତ କିନ୍ତୁ ତା’ ପାଖେ ଥିବା ଟାଲେଣ୍ଟ ତାକୁ ସବୁବେଳେ ଆଗକୁ ବଢ଼ାଇ ଆଣିଥିଲା । ବହୁତ ସ୍ମାର୍ଟ୍ ଓ ଟାଲେଣ୍ଟେଡ୍ ଥିଲା ସେ । ତା’ର ଟାଲେଣ୍ଟ ପାଇିଁ ତାକୁ ସାର୍‌ମାନେ ବହୁତ ଭଲ ପାଉଥିଲେ । ସବୁବେଳେ ହସ ହସ ମୁଁହରେ ଥାଏ ସେ । ଗରିବ ହୋଇପାରେ ସେ, କିନ୍ତୁ ଥିଲା ଖୁବ୍ ସ୍ୱାଭିମାନୀ । ମୀରାର ହଷ୍ଟେଲ ଓ ମୋ ହଷ୍ଟେଲ ଥିଲା ପାଖାପାଖି ।

ଥରେ ଘରକୁ ଆସିଥାଏ ମୁଁ । ଦୁଇ ଦିନ ପରେ ଫେରି କଲେଜରେ ଅପେକ୍ଷା କରିଥାଏ ତାକୁ ଟିକେ ଦେଖିବାକୁ । କିନ୍ତୁ ସେ କଲେଜକୁ ଆସିନଥିଲା । ତା ଫୋନକୁ ବାରମ୍ବାର ଫୋନ କରୁଥିଲି ହେଲେ ତା’ ଫୋନ ବି ବନ୍ଦ ଥିଲା । ଚାଲିଲି ତା’ ହଷ୍ଟେଲ ଆଡ଼େ । ତା’ ହଷ୍ଟେଲ ପରିଚାରିକାଙ୍କୁ ପଚାରିବାରୁ ସେ କହିଲେ ମୀରା ଘରକୁ ଯାଇଛି । ସମୟ ଗଡ଼ିଚାଲିଥାଏ, ମୁଁ ବି ତାକୁ ବାରମ୍ବାର ଫୋନ୍ କରିଚାଲିଥାଏ । ହେଲେ ଫୋନ୍ ଲାଗୁନଥାଏ ଆଉ ଏପଟେ ମୋ ମନରେ କଷ୍ଟ ବଢ଼ିଚାଲିଥାଏ । ତଥାପି ତା’ ଫୋନର ଅପେକ୍ଷାରେ ଥାଏ । ଦିନ ଯାଇ ସନ୍ଧ୍ୟା ହେଲା, ହେଲେ ତା’ର କୈଣସି ଯୋଗାଯୋଗ ନଥିଲା କି ତା ଫୋନ ବି ଲାଗୁନଥିଲା । ସେଇ ଗୋଟେ ରାତି ଲାଗୁଥିଲା ଗୋଟେ ମାସ ଭଳି । ସକାଳୁ ଉଠି ଚାଲିଲି ମୀରାର ଗାଁ’ଆଡ଼େ । ପଚାରି ପଚାରି ଯାଇ ପହଞ୍ଚିଲି ମାନୀନୀ ପଟ୍ଟନାୟକ ବା ମୋ ମନର ମାନସୀ ମୀରାର ଘରେ । ଘରେ ଯାଇ ଦେଖେ ତ ରୋଗାଗ୍ରସ୍ତ ଅବସ୍ତାରେ ମୀରାର ବାପା ଖଟ ଉପରେ ଶୋଇଛନ୍ତି । ବାପାଙ୍କୁ ଔଷଧ ଦେଇସାରି ମୀରାର ମା’ ଘର କାମରେ ବ୍ୟସ୍ତ ଥା’ନ୍ତି । ପ୍ରଣାମ କରିବାରୁ ପଚାରିଲେ ବାବା ତମେ କିଏ । କହିଲି ମାଆ ମୁଁ ଦିନେଶ, ମୀରାର ସାଙ୍ଗ । ସଙ୍ଗେ ସଙ୍ଗେ ପାଖକୁ ଡାକି ବସାଇଲେ । କିନ୍ତୁ ସବୁରି ଭିତରେ ମନ ଖୋଜୁଥାଏ ମୀରାକୁ । ପଚାରିଲି ମାଆ ମୀରା ନାହିଁକି । ମାଆ ଲୁହଭରା ଆଖି ଆଉ ଅତି ଧୀରେ କହିଲେ, “ହଁ ସେ ଥିଲା । ତା ବାପାଙ୍କ ଦେହ ବେଶି ଖରାପ ହେବାରୁ ଡାକ୍ତର କହିଛନ୍ତି ତାଙ୍କୁ ୫ ଦିନ ଭିତରେ ଅପରେସନ କରିବାକୁ ପଡ଼ିବ ନହେଲେ କିଛି ବି ଅଘଟଣ ଘଟିପାରେ । ଆମେ ବହୁତ ବ୍ୟସ୍ତ ହୋଇପଡ଼ିଲୁ ବାବା । ଡାକ୍ତର ବି ୨ଦିନ ଭିତରେ ୫ଲକ୍ଷ ଟଙ୍କା ଡିପୋଜିଟ କରିବାକୁ କହିଛନ୍ତି, ନହେଲେ ଅପରେସନ ହୋଇପାରିବନି । କିଛି ବି ଘଟିପାରେ । ମୋତେ ବୁଝାଇଦେଇ କାନ୍ଦି କାନ୍ଦି ସାଙ୍ଗମାନଙ୍କ ପାଖକୁ ଟଙ୍କା ଯୋଗାଡ଼ କରିବାକୁ ଗଲା । କଉଠି ବି ଏତେ ଟଙ୍କା ବିନା କିଛି ବନ୍ଧକ କି ସ୍ୱାର୍ଥରେ ଯୋଗାଡ଼ ହୋଇପାରିଲାନି । ଫେରିଆସି କହିଲା, ମାଆ ମୁଁ ଯାଉଛି ଚାକିରି କରିବାକୁ । ଚାକିରିରେ ଯୋଗଦେଇ ଆଡ୍‌ଭାନ୍ସ ଆକାରରେ କିଛି ଟଙ୍କା ଆଣିବି । ତୁ ବ୍ୟସ୍ତ ହବୁନି, ବାପାଙ୍କ ଅପରେସନ ହୋଇଯିବ । ଏମିତି କାନ୍ଦି କାନ୍ଦି କୁଆଡ଼େ ଯାଇଛି କାଲିଠୁ । ଫୋନ କଲେବି ତା’ ଫୋନ ଲାଗୁନି ।” ପଚାରିଲି, “ମାଆ ମୀରା କୁଆଡ଼େ ଯାଇଛି ଆପଣ କହିପାରିବେ?” ଛଳ ଛଳ ଆଖିରେ କହିଲେ, “ନା’ରେ ବାବା ଝିଅଟା କୁଆଡ଼େ ଗଲା କଉଠି ରହିଲା ମୋତେ ଫୋନ ବି ଟିକେ କରୁନି ।” ଅନେକ କଷ୍ଟ ଲାଗିଲା ଏସବୁ ଶୁଣି । ମାଆଙ୍କୁ କହିଲି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଦେଖୁଛି କ’ଣ କରିହେବ । ସେପଟେ ମୀରାକୁ ଦେଖା ନ ପାଇବାର କଷ୍ଟ ଆଉ ଏପଟେ ମୀରାର ପାରିବାରିକ ଅସୁବିଧା ମୋ କଷ୍ଟକୁ ଦ୍ୱିଗୁଣିତ କରୁଥିଲା । ଚାଲିଲି ମୀରାକୁ ଖୋଜିବାକୁ । ତା’ର ସବୁ ସାଙ୍ଗଙ୍କ ସହ ଯୋଗାଯୋଗ କଲି ହେଲେ କଉଠି ବି ତା’ ବିଷୟରେ କିଛି ଖବର ପାଇଲିନି । ଆଖି ଲୁହ ଆଖିରେ ମାରି ଦୁଃଖରର ସହ ଫେରିଆସିଲି । ହେଲେ ମନ କିନ୍ତୁ ବୁଝୁନଥାଏ । ସେଦିନୁ ମନ ଖୋଜୁଥାଏ ମନର ମାନସୀ ମୀରାକୁ…।

ଗାଡ଼ି ଥକାରେ ହଷ୍ଟେଲ୍ ବେଡ୍‌ରେ ଟିକେ ନିଦ ଲାଗିଯାଇଥାଏ । ମନେ ମନେ ଭାବୁଥାଏ ଆଜି ବସ୍‌ରେ ଦେଖିଥିବା ସେ ଝିଅ କ’ଣ ସତରେ ମୀରା । ୟା ଭିତରେ ୪ ବର୍ଷ ବିତିଗଲାଣି ହଠାତ ଆଜି କ’ଣ ପାଇଁ ଦେଖା ହୋଇଗଲା ସେ । ମୁଁ ମାନସିକ ଭାବରେ ଦୁର୍ବଳ ହୋଇପଡ଼ୁଥାଏ । ହଠାତ ଜଣେ ଜୁନିଅର ଆସି ଡାକିଲା “ଭାଇ ଆସନ୍ତୁ ଖାଇବା ।” ଖାଇବାକୁ ଇଚ୍ଛା ହେଉନଥିଲେ ବି ତା’ସହ ଖାଇବାକୁ ବସିଲି ସତ ହେଲେ ମନ ଯାଇ ଥାଏ ମନର ମାନସୀ ମୀରା ପାଖରେ । ମନକୁ ଆସୁଥିଲା ଅନେକ ପ୍ରଶ୍ନ, କଉଠି ପାଇବି ତାକୁ? କଉଠି ଖୋଜିବି ତାକୁ ମୁଁ? ସେ ଭୁବନେଶ୍ୱରରେ ରହେ ନା ବୁଲିବାକୁ ଆସିଥିଲା । ମନରେ ଅନେକ ପ୍ରଶ୍ନ ସହ ଚୁପ୍‌ଚାପ୍ ହୋଇଯାଇଥା ମୁଁ । ରାଜଧାନୀର ଏ ଛକରୁ ସେ ଛକ, ଖଣ୍ଡଗିରିରୁ ରସୁଲଗଡ଼ ଏପଟେ କଳ୍ପନାରୁ ପଟିଆ ସବୁଆଡ଼େ ଖୋଜିଚାଲିଲି ମୁଁ । ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ସିନେମା ହଲ୍, ସପିଙ୍ଗ୍‌ମଲ ସବୁଆଡ଼େ ସାଇକେଲ୍‌ଟିଏ ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜିଚାଲିଥାଏ ମୁଁ ତାକୁ । ମନର କଷ୍ଟ ଅଧିକରୁ ଅଧିକ ବଢ଼ିଚାଲିଲା । ଭଗବାନଙ୍କୁ ଡାକୁଥାଏ । ମାନସିକ କରୁଥାଏ । ହେ ଭଗବାନ ମୋ ମୀରା ସହ ମୋତେ ଟିକେ ଦେଖାକରାଇଦିଅ…

ଦିନେ ବିଳମ୍ବିତ ରାତିରେ ମୁଁ ଫେରୁଥାଏ ହଷ୍ଟେଲ୍‌କୁ । ଅନ୍ଧାର ରାତି, ବର୍ଷା ପ୍ରବଳ ବର୍ଷୁଥାଏ । ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ବିଜୁଳି ଆଲୁଅରେ ଚକ୍‌ମକ୍ ହୋଇଉଠୁଥାଏ ରାସ୍ତା । ହଠାତ ମୋର ଦୃଷ୍ଟି ପଡ଼ିଲା ଜଣେ ମଧ୍ୟ ବୟସ୍କ ଯୁବକଙ୍କ ସହ ଯା‌ଉଥିବା ଜଣେ ଯୁବତୀଙ୍କ ଉପରେ । ଉଭୟ ଗୋଟିଏ ହୋଟେଲ୍ ଆଡ଼କୁ ଯାଉଥାଲେ । ଯୁବତୀଙ୍କ ପଛରୁ ଦେଖିଲେ ଲାଗୁଥିଲା ସତେ ଯେପରି ମୋ ମୀରାର କେଶ, ତାହାରି ଉଚ୍ଚତା । ମନରେ ଅନେକ ସମ୍ଭାବନା ସୃଷ୍ଟିହେଲା । ଏ ମୀରା ନୁହଁ ତ….

ମୁଁ ଯାଉ ଯାଉ ସେମାନେ ହୋଟେଲ ଗେଟ୍ ଭିତରକୁ ପଶିଗଲେ । ସେଠାରେ ଜଗିଥିବା ଦରୁଆନ (ସିକ୍ୟୁରିଟି) ମୋତେ ଭିତରକୁ ଯିବାକୁ ଦେଲାନି । ମୁଁ ତାକୁ ହାତ ଯୋଡ଼ି ଅନେକ ଅନୁରୋଧ କଲି । “ପ୍ଲିଜ୍ ମୋତେ ଛାଡ଼ ସେ ମୋ ମୀରା । ମୁଁ ତାକୁ ଦେଖାକରିବାକୁ ଚାହେଁ ।” ସିକ୍ୟୁରିଟି ଜଣକ ହସି ହସି ମୋତେ ମନାକଲେ, ଯିବାକୁ ଦେଲେନି । ଓଦା ଶଡ଼ଶଡ଼ ହୋଇ ଫେରିଲି ହଷ୍ଟେଲ୍‌କୁ । ରାତି ସାରା ଆଖିରେ ନିଦ ନଥାଏ । ମନରେ ପ୍ରଶ୍ନ ପରେ ପ୍ରଶ୍ନ ।

ସକାଳ ହଉ ହଉ ମୁଁ ପୁଣି ଚାଲିଲି ସେ ହୋଟେଲ ଆଡ଼େ । ବହୁ ଅପେକ୍ଷା କଲି, କିନ୍ତୁ ମୀରା ଆସିଲାନି । କଷ୍ଟ ହେଉଥାଏ, କିନ୍ତୁ ଧର୍ଯ୍ୟହରା ନହୋଇ ମନରେ ମୀରାକୁ ଦେଖିବାର ଅନେକ ଆଶାନେଇ ବସି ରହିଥାଏ । ପୂର୍ବଦିନ ରାତିରେ ସେଠାରେ କାର୍ଯ୍ୟରତ ଥିବା ସେ ସିକ୍ୟୁରିଟି ଭାଇଜଣକ ହଠାତ୍ ଆସି ପହଞ୍ଚିଲେ । ତାଙ୍କୁ ଦେଖି ମନରେ ଆଶା ସଞ୍ଚାର ହେଲା । ଗତକାଲିର ରାତି କଥା ସବୁ ତାଙ୍କୁ କହିଲି । ସେ ପ୍ରତିଉତ୍ତରରେ କହିଲେ, “ଆରେ ବାବୁ ତମେ ପାଗଳ କି? ସେ ଦିନ ସମୟରେ କାହିଁ ଆସିବେ? ସେ କେବଳ ରାତିରେ ଆସନ୍ତି । ତୁମେ ତ ଜଣେ ଷ୍ଟୁଡେଣ୍ଟ, ଏ ସବୁରେ କାହିଁ ମନବଳାଉଛ?”

ତା’କଥା ମୁଁ କିଛି ବୁଝିପାରିଲିନି । କେବଳ ଅନୁରୋଧ କରିଚାଲିଥାଏ ତାଙ୍କୁ, “ପ୍ଲିଜ୍ ଭାଇ ମୋ ମୀରା ସହ ଟିକେ ଦେଖା କରାଇଦିଅନ୍ତୁ । ମୋ ଦୁଃଖ ଟିକେ ବୁଝ ଭାଇ ।” ମୋର ମୀରା ପ୍ରତି ଥିବା ଭଲପାଇବା ଓ ଆକର୍ଷଣ ଦେଖି ମୋତେ ସେ ଆଉକିଛି କହିବା ଆଗରୁ ତାଙ୍କ ଆଖିରୁ ଝରିପଡ଼ିଲା ଦି’ଟୋପା ଲୁହ । କହିଲେ, “ହଉ ବାବୁ ଆଜି ରାତିରେ ଆସ, ବାହାରେ ଅପେକ୍ଷା କରିବ । ସେ ରାତିରେ ଆସି କାରରୁ ଯେତେବେଳେ ଓହ୍ଲାଇବେ, ତାଙ୍କୁ ଦେଖାକରିଦେବ । ଯଦି ସତରେ ସେ ତୁମକୁ ଜାଣିଥିବେ ତା’ହେଲେ କଥାହୋଇଯିବ ।”

ହଷ୍ଟେଲ୍ ଫେରିଆସିଲି, ମନରେ ସୃଷ୍ଟିହେଲା ଅନେକ ସମ୍ଭାବନା ଯାହାହେଉ ଆଜି ଭଗବାନ ମୋ ଡାକ ଶୁଣିଛନ୍ତି । ଆଜି ମୋ ମୀରା ସହ ମୋର ଦେଖାହୋଇଯିବ । ସନ୍ଧ୍ୟାରେ ବାହାରିଗଲି ସେ ହୋଟେଲ ପାଖକୁ । ସେ ସିକୁରିଟି ଭାଇ ବି ଡ୍ୟୁଟିରେ ଥାଆନ୍ତି । ମୁଁ ମଝିରେ ମଝିରେ ସେ ସିକ୍ୟୁରିଟି ଭାଇଙ୍କୁ ପଚାରୁଥାଏ । ସେ ଧର୍ଯ୍ୟଧରି ଅପେକ୍ଷା କରିବାକୁ କହୁଥାନ୍ତି । ରାତି ପ୍ରାୟ ୧୧.୩୦, ମୁଁ ବି ରାତ୍ରିଭୋଜନ କରିବାକୁ ଯାଇନଥାଏ, ତଥାପି ଭୋକ ନଥାଏ ପେଟରେ । ହଠାତ ଗୋଟେ ହୋଣ୍ଡା-ସିଟି କାର ଆସି ରହିଲା । ସେଥିରୁ ଓହ୍ଲାଇଲେ ଜଣେ ସୁନ୍ଦର ସୁସଜ୍ଜିତ ତରୁଣୀ । ମିନି ସ୍ଳଟ୍ ପିନ୍ଧିଥାନ୍ତି, ସତେ ଯେପରି ସ୍ୱର୍ଗର ଅପ୍ସରୀ । ଗୋଲାପି ଓଠ, ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଦିଶୁଥାନ୍ତି ସେ ।

ଦୂରରୁ ଟିକେ ଝାପ୍ସା ଦିଶୁଥିଲେ ସେ । ମୁଁ ପାଦ ଆଗକୁ ବଢ଼ାଇଲି । ହଠାତ ମନରେ ମୋର ଖୁସି ଭରିଗଲା, ଆଖିରୁ ଦି’ଟୋପା ଖୁସିର ଲୁହ ଗଡ଼ିଆସିଲା । ଡାକିଲି, “ମୀରା ମୀରା…” ମୀରା ହଠାତ ବୁଲିପଡ଼ି ଦେଖେ ତ ତା’ ଆଖି ସାମ୍ନାରେ ତା’ର ପ୍ରିୟ ଦିନେଶ । ବଡ଼ ଜୋରରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ସେ । “ଦିନେଶ ତୁମେ ଏଠି?” ତା’ କଥା କିଛି ଶୁଣିବା ଆଗରୁ ପଚାରି ଚାଲିଲି ଅନେକ ପ୍ରଶ୍ ନ। “କ’ଣ ପାଇଁ ଏମିତି କଲ ମୀରା? କ’ଣ ଭୁଲ ଥିଲା ମୋର? କ’ଣ ପାଇଁ ମୋତେ ନ କହି ନ ଜଣେଇ ଚାଲିଆସିଲ? କେତେ ଖୋଜିଛି ମୁଁ ତୁମକୁ । ଉତ୍ତର ଦିଅ ମୀରା… ଉତ୍ତର ଦିଅ… ଆସ ମୋ ସହ ଆମେ ଫେରିଯିବା ।”

ହଠାତ ସେ ଲୁହଭରା ଛଳ ଛଳ ଆଖିରେ କହିଲା, “ସରି ଦିନେଶ ମୁଁ ଆଉ ତୁମର ସେ ମୀରା ହୋଇ ନାହିଁ । ସମୟ ଓ ପରିସ୍ତିତି ସବୁ ପରିବର୍ତ୍ତନ କରିଦେଇଛି । ମୁଁ ତୁମପାଇଁ ଅଯୋଗ୍ୟା ପାଲଟି ଯାଇଛି । ତୁମ ସର୍ତ୍ତହୀନ ପ୍ରଚଣ୍ଡ ଭଲପାଇବା ପାଖରେ ମୁଁ ଆଜି ଦୋଷି ହୋଇଯାଇଛି ।” କାନ୍ଦି କାନ୍ଦି ମୋ ହାତକୁ ଜାବୁଡ଼ି ଧରି ମୀରା କହିଚାଲିଥାଏ ।

“ନାହିଁ ମୀରା ଏମିତି କୁହନି । କ’ଣ ହୋଇଛି ତୁମର ଏମିତି କ’ଣ କହିଯାଉଛ? ତୁମେ ଆଜି ବି ଏ ଦିନେଶର ।” “ନାହିଁ ଦିନେଶ ମୁଁ ଆଜି ଅଯୋଗ୍ୟା, ଆଜି ମୋ ପାଖରେ ସେ ପବିତ୍ରତା ନାହିଁ…. ।” ମୀରାର ଏକଥା ଶୁଣି ପାଦ ତଳୁ ମୋର ମାଟି ଖସିଯାଇଥିଲା । ଆଖିରୁ ଦି ଟୋପା ଲୁହ ଝରି ଆସିଥିଲା । “ଏ ମୀରା ଏମିତି କ’ଣ କହୁଚ ଯେ? କ’ଣ ହୋଇଛି ତୁମର?”

“ହଁ ଦିନେଶ, ବାପାଙ୍କ ଅପରେସନ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଆସି ମୁଁ ଆଜି ପାଲଟି ଯାଇଛି ନର ରାକ୍ଷାସମାନଙ୍କ ଭୋଗ ବିଳାସର ପଦାର୍ଥଟିଏ । ଅପରେସନ ପାଇଁ ଟଙ୍କା ଆଣିଲି ସତ ହେଲେ ବାପାଙ୍କୁ ବଞ୍ଚାଇ ପାରିଲିନି । ବାପା ସବୁଦିନ ପାଇଁ ଆଖି ବୁଜିଦେଲେ ଦିନେଶ । ମୋ ପାଖରେ ଆଜି ବହୁତ ଟଙ୍କା । କିନ୍ତୁ ସେଦିନ ଅଳ୍ପ କିଛି ଟଙ୍କା ବା ମୋ ବାପାଙ୍କ ଜୀବନ ପ୍ରତିବଦଳରେ ଏ ସମାଜ ମୋତେ ଗୋଟେ ଉପଭୋଗର ସାମଗ୍ରୀ ସଜେଇଦେଲା । ମନରେ ଆସିଥିବା ସବୁ କଷ୍ଟ,ଯନ୍ତ୍ରଣା,ଦୁଃଖକୁ ମନରେ ମାରି ବାପାଙ୍କୁ ବଞ୍ଚାଇବା ପାଇଁ ଏ ଅନ୍ଧକାରମୟ ରାସ୍ତାକୁ ବାଛିନେଲି । ଦେହ ସହ ଖେଳୁଥିବା ନର ରାକ୍ଷାସମାନଙ୍କ ପାଇଁ ପାଲଟିଗଲି ଗୋଟେ ରକ୍ତ ମାଂସର କଣ୍ଢେଇ । କୁହ ଦିନେଶ କୁହ ମୁଁ ଆଜି କ’ଣ ଆଉ ତୁମର ସେ ମୀରା ହେଇ ଅଛି? ଆଜି ମୋର ପରିଚୟ କିଛି ସ୍ୱତନ୍ତ୍ର । ଭଗବାନଙ୍କୁ ପ୍ରାଥନା କରୁଛି ତୁମକୁ ସୁସ୍ଥ, ଦୀର୍ଘାୟୁ କରନ୍ତୁ । ତୁମେ ଭଲରେ ରୁହ । ଖୁସିରେ ରୁହ । ଦିନେଶ ମୋତେ ଯିବାକୁ ଦିଅ । ମୁଁ ଆଜିପାଇଁ ବୁକ୍ ହୋଇସାରିଛି ।”

“ନାଇଁ ମୀରା ନାହିଁ, ତୁମେ ଆଜି ବି ପୂର୍ବପରି ପବିତ୍ର, ଆଜି ବି ମୋ ମନର ମାନସୀ ତୁମେ । କିଛି ସାମାଜିକ ଅବ୍ୟବସ୍ଥା, ସମାଜରେ ଆର୍ଥିକ ତାରତମ୍ୟ ସିନା ତୁମକୁ ଏସବୁ କରିବାକୁ ବାଧ୍ୟକରିଛି, ତୁମକୁ କଷ୍ଟ ଦେଇଛି । ହେଲେ ଆଜି ବି ତୁମେ ଏ ଦିନେଶ ପାଇଁ ସେଦିନର ମୀରା । ପୁଣି ଆମେ ମିଶି ଖୁସି ବାଣ୍ଟିବା । ତୁମେ ଏ ସବୁ କଥା ଭୁଲିଯିବ । ପ୍ଲିଜ୍ ମୀରା ବୁଝିଯାଅ ।”

“ନାଇଁ ଦିନେଶ, ସେଇଟା ଆଉ ସମ୍ଭବ ନୁହଁ । ତୁମପରି ପବିତ୍ର ପରୁଷ ଆଉ ପବିତ୍ର ପ୍ରେମ ପାଇଁ ମୁଁ ଯୋଗ୍ୟା ନୁହଁ । ମୋତେ ଜୀବନରେ କେବେବି ଖୋଜିବାକୁ କି ଦେଖାକରିବାକୁ ଚେଷ୍ଟା କରିବନି, ଏତିକି ଅନୁରୋଧ । ଭଲରେ ରୁହ, ଖୁସିରେ ରୁହ, ଭଗବାନ ତୁମର ମଙ୍ଗଳ କରନ୍ତୁ” ଏତିକି କହି କାନ୍ଦି କାନ୍ଦି ହୋଟେଲ ଭିତରକୁ ଚାଲିଯାଇଥିଲା ସେ । ଏକା କରିଦେଇଥିଲା ମୋତେ ସେ । କାନ୍ଦି କାନ୍ଦି ହଷ୍ଟେଲ ଫେରିଲି । ମନକୁ ବୁଝାଇ ପାରୁନଥାଏମ । ମନରେ ଆସୁଥାଏ ଅନେକ ପ୍ରଶ୍ନ । “ଏ ସାମାଜିକ ଅବ୍ୟବସ୍ଥା କ’ଣ ପାଇଁ? ଏ ଆର୍ଥିକ ତାରତମ୍ୟ କ’ଣ ପାଇଁ?

ସାମାନ୍ୟ କିଛି ଅର୍ଥ ପାଇଁ ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ଜଣେ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟର ସବୁ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ସାମାଜିକ ଦାଇତ୍ୱର ନାରା ଦେଉଥିବା ସମାଜସେବୀ, ନେତା, ପଡ଼ୋଶୀ, ନିଜକୁ ସଚେତନ ନାଗରିକ ବୋଲାଉଥିବା ଲୋକେ ଯାଇଥିଲେ କୁଆଡ଼େ? ଆମେମାନେ ସତରେ କ’ଣ ଆଜି ଆତ୍ମକୈନ୍ଦ୍ରିକ ହୋଇଯାଇଛନ୍ତି? ସତରେ କ’ଣ ଆମେ ଅନ୍ୟ ଦୁଃଖରେ ଦୁଃଖି? ମନକୁ ମନ ଆସୁଥାଏ ଅନେକ ପ୍ରଶ୍ନ । ସେଦିନ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ମୀରାର ସ୍ୱପ୍ନ ଯଦି ସାକାର ହୋଇଥାନ୍ତା, ତା’ହେଲେ ଆଜି ଜଣେ ପ୍ରଶାସନିକ ଅଧିକାରୀ ହୋଇ ଏ ସାମାଜିକ ଅବ୍ୟବସ୍ଥାକୁ ରୋକିପାରିଥାନ୍ତା । ଆଜି ବି ଜୁଆଡ଼େ ଦେଖିଲେ ମୋତେ ମୀରା ଦିଶୁଛି । “ଏ ଦିନେଶ ସବୁଦିନ ପାଇଁ ତୁମ ଅପେକ୍ଷାରେ, ତୁମ ଫେରିବା ବାଟକୁ ଚାହିଁ ବସିଛି ।”

ଦେବାଶିଷ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...