ଗରିବ ସବୁବେଳେ ଗରିବ । ପ୍ରଶାସନ ହେଉ କି ସମାଜର ତଥାକଥିତ ବଡ଼ଲୋକ ହୁଅନ୍ତୁ, ସବୁବେଳେ ସବୁ ସମୟରେ ଦାଉ ସାଧିଥାଆନ୍ତି ଏମାନଙ୍କ ଉପରେ । କଥାରେ ଅଛି ପରା, ଜୋର ଯାହାର ମୂଳକ ତାହାର…
ଦୟାନିଧି ଦୁଃଖୀ ମଣିଷଟିଏ । ଘରଡିହ ଖଣ୍ଡେ ନାହିଁ । ମୂଲ ମଜୁରି କରି ପେଟ ପୋଷେ । ପରିବାର କହିଲେ, ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ । ସେଇ ମୂଲିଆ ମଜୁରୀରୁ ଅନେକ ସୁଖ ସାଉଁଟିଛି ଦୟା । ଗାଁ ମୁଣ୍ଡରେ ଅନାବାଦୀ ଜମିରେ ଘରଖଣ୍ଡେ କରିଛି । ଚାଳ ଛପର ଘର । ସୁନ୍ଦର ଭାବେ ତାକୁ ଝୋଟି ଚିତା ପକେଇ ଦୟାର ସ୍ତ୍ରୀ ତାକୁ ସଜେଇଛି । ଘର ନୁହେଁତ ମନ୍ଦିରଟିଏ ତିଆରି କରିଛନ୍ତି ଉଭୟେ ! ସେଇ ଗାଁ’ର ମଣିଷ ନରେଶ ବିଶ୍ୱାଳ ଜଣେ ଧନୀ ଶ୍ରେଣୀର ବ୍ୟକ୍ତି । ଟଙ୍କା ପଇସା ସହିତ ଅଜସ୍ର ଧନସମ୍ପତ୍ତି । ଆଖି ଯୁଆଡ଼େ ବୁଲେଇବ, ତାଙ୍କର ଜମିବାଡ଼ି, କୋଠାବାଡ଼ି । ଏତେ ଧନସମ୍ପତ୍ତି ମଧ୍ୟରେ ମଧ୍ୟ ଭଗବାନ ତାଙ୍କୁ ପିଲାଛୁଆ ଦେଇ ନାହାନ୍ତି; ତଥାପି ପର ସମ୍ପତ୍ତି ଉପରେ ଭାରି ଲୋଭ । ସେ କେବେ କାହାର ସୁଖ ଦେଖି ପାରନ୍ତି ନାହିଁ ।
ନରେଶ ବିଶ୍ୱାଳର ଆଜି ଆଖି ପଡ଼ିଛି ଦୟାନିଧିର ସୁଖର ସଂସାର ଉପରେ । ଭାଙ୍ଗିବାକୁ ଚାହିଁଛି ଝାଟି ମାଟିର ଘରକୁ ! ମୋ ଜମି ଏଇଟା କହି କେତେଥର ଧମକ ଦେଲାଣି ତ ପ୍ରଶାସନର ଧମକ ଦେଖେଇ ଡରେଇଲାଣି । ବିଚରା ଦୟା କ’ଣ କରିବ କିଛି ବୁଝି ପାରୁନଥାଏ । କେମିତି ଏ ନରରକ୍ଷାସ କବଳରୁ ନିଜର ଘରଖଣ୍ଡିକ ବଞ୍ଚାଇବ ସେଥିପାଇଁ ସବୁଦିନେ ଯାଇ ଗାଁ ଠାକୁରାଣୀଙ୍କ ପାଖରେ ମୁଣ୍ଡିଆ ମାରି ଗୁହାରି କରେ । ଗାଁ ମୁଖିଆଙ୍କୁ ମଧ୍ୟ କେତେଥର କହିଲାଣି, ହେଲେ ଭଗବାନ ଆଉ ଗାଁ ମୁଖିଆ ଯେମିତି ନରେଶ ପାଖରେ ବନ୍ଧା ପଡ଼ିଛନ୍ତି !
– ହେଇଟି ଦେଖିଲ
– ହଁ ! କ’ଣ ହେଲା?
– ଦେଖିଲ ଦେଖିଲ ସେଇ ହାତୀ ଶୁଣ୍ଢପରି ଯନ୍ତ୍ରଟା କଣ ଆମ ଆଡ଼େ ଆସୁଛି !
– ସେ ଆମ ଆଡ଼େ କ’ଣ ପାଇଁ ଆସିବ, ସେ କୁଆଡ଼େ ଯାଉଥିବ, ଦେଲ ଦେଲ ପଖାଳ ଗଣ୍ଡାଙ୍କ ଖାଇ କାମକୁ ଯିବି ପରା !
– ହଉ ବସ, କେତେବେଳୁ ବାଢ଼ିକି ରଖିଛି
ଦୟା ପଖାଳ କଂସାରେ ବସିଛି, ଘଂ ଘଂ କରି ମେସିନଟା ତା’ ଘର ମୁଁହରେ ଆସି ଛିଡ଼ା ହେଇଗଲା । ଆଉ ପାଖରେ ନରେଶ ବିଶ୍ୱାଳ ସହିତ କାଗଜ ଧରିଥିବା ଗୋଟେ ଲୋକ ଛିଡ଼ାହେଇ ଥାଏ । “ଦୟା ଦୟା ତୁରନ୍ତ ଏ ଜାଗା ଖାଲି କର ମୋ ପାଖରେ ଏ ଜାଗାର ସବୁ କାଗଜ ପତ୍ର ଅଛି, ଏଇଟା ମୋ ଜମି…” ପାଟିକରି କହୁଥାଏ ନରେଶ ବିଶ୍ୱାଳ । “ଅଧଘଣ୍ଟା ଭିତରେ ଖାଲିକର, ନହେଲେ ଘରଭାଙ୍ଗି ଚୁରମାର କରିଦେବୁ…”
ଦୟା ଆଉ ତା’ ପରିବାର କେତେ ନେହୁରା ହେଲେ । ହେଲେ କ’ଣ ହେବ, ମୁହୂର୍ତ୍ତକ ମଧ୍ୟରେ ତିଆରି କରିଥିବା ଘରଟା ତାସଘର ପରି ଭାଙ୍ଗି ଚୁରମାର ହେଇଗଲା ।
କାଗଜ ଧରିଥିବା ବାବୁ ଜଣଙ୍କ ଦୟାକୁ କହିଲେ, “ତୁମର ଯାହା ଆପତ୍ତି ଅଛି, କାଲି ଆସି ଅଫିସରେ ଦେଖାକର !” ଦୟା ଦୁଇଟୋପା ଲୁହ ଝରେଇ କହିଲା, “କ’ଣ ଆଉ ଆପତ୍ତି କରିବି ବାବୁ? ମୋ ସୁନା ଘରଟିକୁ ତ ଚୁରମାର କରିଦେଲ । ଆମକୁ ଦାଣ୍ଡର ଭିକାରି ସଜେଇ ଦେଲ କେବଳ କେଇଟା ପଇସା ପାଇଁ ! ତୁମେ ତ କୋଠାଘରେ ରହୁଥିବା ବାବୁ । ଭାଙ୍ଗିଦେଇଥିବା ଘର କ’ଣ ମୋତେ ଫେରେଇ ଦେବ !??”
– ବିମ୍ବାଧର ମହାପାତ୍ର
Comments
ବିମ୍ବାଧର ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।