ବନ୍ଧୁ ଜଣେ ପ୍ରଶ୍ନ କରିଲେ, “ତୁମେ ଗାଆଁକୁ କାହିଁକି ଏତେ ଭଲ ପାଅ? କ’ଣ ଅଛି ସେ ଧୂଳି ଧୂସରତର ଗାଆଁରେ? ଦେଖ ଟିକେ ଏହି ସହରକୁ କେତେ ଆଡ଼ମ୍ୱରର ଜୀବନ । କ’ଣ ଅଛି ସେ ଗାଆଁରେ?” ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ ।
କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି । କେମିତି ଆଙ୍କିବି କୁହ ସେ ଗାଆଁର ଚିତ୍ରକୁ ତୁମ ମନ ଭିତରେ । ରଙ୍ଗତୂଳୀ ତ ଅଛି ହେଲେ କାନଭାସଟିଏ ଆବଶ୍ୟକ ଥିଲା । ତୁମ ପ୍ରଶ୍ନ ହିଁ ଯଥେଷ୍ଟ । ଗାଁ ହେଉଛି ମୋର ମାଆ । ମୋ ମାଆ ତ ମୋତେ ଦଶ ମାସ ଗର୍ଭରେ ଧରି ଜନ୍ମ କରିଛି । କିନ୍ତୁ ଗାଆଁର କୋଳରେ ମୁଁ ମଣିଷ ହୋଇଛି । ଗାଆଁର ସେହି କାଦୁଅ ରାସ୍ତାରେ ପଡ଼ି ଉଠି ଚାଲିବା ଶିଖିଛି । ବାଇ ଚଢ଼େଇର ଉଚ୍ଚ ତାଳ ଗଛର ବସାକୁ ଦେଖି ଛୋଟ ହୋଇ ଉଚ୍ଚ ଅଭିଳାଷ ରଖିବାକୁ ସାହସ ପାଇଛି ।
ଆଜି ଗାଆଁ ଛାଡ଼ି ସହରକୁ ଆସିଛି ପରିବାର ପାଇଁ କିଛି ଅର୍ଥ ଯୋଗାଡ଼ କରିବାକୁ । ଘରୁ ପ୍ରଥମଥର ପାଇଁ ପାଦ କାଢ଼ି ଆସିବାବେଳେ ମୋ ଗାଆଁ ମୋତେ ହାତଠାରି କହୁଥିଲା, “ଯା ଚାଲିଯା । ଭଲ ମଣିଷଟେ ହେବୁ ଏହି ଗାଆଁର ନାମକୁ ଉଚ୍ଚା ରଖିବୁ । ତୋ ପାଇଁ ଏହି ଗାଆଁର ମାଟି, ପବନ, ଗଛଲତା ସବୁ ଗର୍ବ କରିବେ, କିନ୍ତୁ ମୋତେ କେବେ ଭୁଲିଯିବୁନି । ଫେରିଆସିବୁ ମୋ କୋଳକୁ ମୁଁ ତୋତେ ଅପେକ୍ଷା କରି ରହିଥିବି ।”
ହଁ ସେହି ଅପହଞ୍ଚ ଗାଆଁ, ଯାହାର ନାମ ମାନଚିତ୍ରରେ ମିଳିବା କଷ୍ଟକର । ତାରି ଚିତ୍ର, ଶୀତ ସଖାଳର କୁହୁଡ଼ିଭରା ସମୟରୁ ଆରମ୍ଭ, ପୁଣି ଶେଷ ହୁଏ ଝିପ ଝିପ ବର୍ଷାର କୋହଲା ସନ୍ଧ୍ୟାରେ । ଆରମ୍ଭ ହୁଏ କୋଇଲିର ମଧୁର ସ୍ୱରରେ ଶେଷ ହୁଏ ମନ୍ଦିରର ଶଙ୍ଖ ନାଦରେ ଆଉ ସନ୍ଧ୍ୟା ଆଳତିରେ ।
ତା’ର ବର୍ଷାଭିଜା ମାଟିର ମହକ, ତା’ ବୁଢ଼ା ବରଗଛ ତଳେ ମୃଦୁ ପବନର ସ୍ପର୍ଶ, ନଦୀ ତୁଠର ଗଭୀର ଜଳରେ ସନ୍ତରଣ, ତା’ ଜଙ୍ଗଲର ଆମ୍ୱ, ପଣସ, ତା’ ପାହାଡ଼ ପାଦଦେଶର ଛୋଟିଆ ମଠ, ସବୁଜ ଧାନର କ୍ଷେତ… ହଁ ବନ୍ଧୁ ତୁମେ ଠିକ କହିଛ ସେହି ଗାଆଁ ସତରେ ଅପହଞ୍ଚ, ତା’ପାଖକୁ ଯିବାକୁ ହେଲା ମୋତେ ଯିବାକୁ ପଡ଼େ କଟକ କିମ୍ୱା ଭୁବନେଶ୍ୱର । ତା’ପରେ ନିଜ ଜିଲ୍ଳାର ବସ୍ ଧରିବାକୁ ପଡ଼େ ପୁଣି ନିଜ ଜିଲ୍ଳାର ମୁଖ୍ୟ ସହରରେ ପହଞ୍ଚିବା ପରେ ଆଉ ଏକ ବସ୍ ଯୋଗେ ନିଜ ବ୍ଲକକୁ ପୁଣି ସେଠୁ ପାଞ୍ଚ କିଲୋମିଟର ଚାଲି ଯାଏ ବ୍ରାହ୍ମଣୀ ନଦୀ ପାଖକୁ ପୁଣି ଆପେକ୍ଷା କରିବାକୁ ପଡ଼େ ସେପାରିର ନାଉରି ଭାଇକୁ । ଲୋକେ ହେଲେ ଆସିବ ଏ କୂଳକୁ ପାଖାପାଖି ଏକ ଘଣ୍ଟାରୁ ଅଧିକା ସମୟ ପରେ ନଦୀ ପାର ହୁଏ । ତା’ପରେ ଆସେ ମୋ ଗାଆଁ ଚାରିଆଡ଼େ ଖାଲି ସବୁଜ ଗଛ ଆଉ କଞ୍ଚା ରାସ୍ତା ।
ଧୀରେ ଧୀରେ ପାଦ ଆଗକୁ ଆଗକୁ ପକାଇବା ସହିତ ମୋ ମନରେ ଅଜଣା ଖୁସି ଆସେ । ଗାଆଁମାଟିର ବାସ୍ନାରେ ଶିହରଣ ଖେଳିଯାଏ ଦେହ ସାରା । ଏହିଠାରୁ ଆରମ୍ଭ ହୁଏ ଗାଆଁର ମନଲୋଭା ଚିତ୍ର । କୁନି କୁନି ଅର୍ଦ୍ଧ ନଗ୍ନ ପିଲାଙ୍କର ରାସ୍ତା ପାର୍ଶ୍ଵରେ ଧୂଳି ଖେଳ, ଚାଳ ଛପର ଘର ଉପରେ ମାଡ଼ି ଯାଇଥିବା କଖାରୁ, ଲାଉର ଲତା । ଅମଳ ହୋଇଥିବା ଧାନକୁ ବସ୍ତାରେ ରଖୁଥିବା ଗାଆଁର ଚାଷୀ ଭାଇ । ବହିବସ୍ତାନି ଧରି ବିଦ୍ୟାଳୟକୁ ଯାଉଥିବା କିଛି ଛୋଟ ଛୋଟ ପିଲା । ନିଜ କୋଳରେ ନବଜାତ ଶିଶୁକୁ ତେଲ ମାଲିସ କରୁଥିବାର ମାଆ । ଗାଆଁର ବିସ୍ତୀର୍ଣ୍ଣ ପଡ଼ିଆରେ ବୁଲୁଥିବା କିଛି ଗୃହପାଳିତ ପଶୁ । ବୟସର ଅପରାହ୍ନରେ ପହଞ୍ଚିସାରିଥିବା କିଛି ବୟସ୍କ ମଣିଷମାନଙ୍କର ମନ୍ଦିର ବେଢ଼ାରେ ସମାଗମ ।
ପୁରୁଣା ସାଇକେଲକୁ ମରାମତି କରୁଥିବା ଗାଆଁର ପଣ୍ଡା ନନା । ଚଉଁରା ମୂଳରେ ଧାନ, ମୁଗ, ବିରିକୁ ଶୁଖାଇ ଜଗିଥିବା ବୁଢ଼ୀ ମାଆ । ଚାଳଘରର ମାଟି ଅଗଣାକୁ ଲିପୁଥିବା ଘରର ନୂଆ ବୋହୂ । ନାତିନାତୁଣୀଙ୍କ ସହିତ ଖେଳୁଥିବା ବୁଢ଼ା ଜେଜେବାପା…. ଏହି ତ ସେହି ଗାଆଁର ଶାନ୍ତ ଆଉ ସୁନ୍ଦର ଚିତ୍ର, ଯାହା କବି ଆଉ ଲେଖକର ସ୍ୱପ୍ନର ଦୁନିଆଟେ ।
ମୋ ଉତ୍ତର ରେ ମୋ ବନ୍ଧୁ ଜଣଙ୍କ ହସି ଦେଇ କହିଲେ ସତରେ ଗ୍ରାମୀଣ ଜୀବନ ସବୁଠାରୁ ନିଆରା…
– ପ୍ରକାଶ ସାହୁ
Comments
ପ୍ରକାଶ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।