ସଭ୍ୟ ସମାଜର ସଭ୍ୟ ମନୁଷ୍ୟ,
ଶ୍ରେଷ୍ଠ ପ୍ରାଣୀ, ଭେଜା ପରିପକ୍ୱ,
ଆମେ ଜୀବିତ,
ମୃତ୍ୟୁ ଯାବତ୍ ଜୀବିତ…
ଜୀବିତ ଥାଉ ଆମେ,
ଯେବେ ମଦ୍ୟପ ଗେରସ୍ତ
ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ…
ପିଡ଼ିତା ମହିଳାଟି ରାତି ସାରା,
ଭାଗ୍ୟ ଆଦରି କୋହ ଭରୁଥାଏ…
ଆମ ଦୁଆର ବନ୍ଦ!!!!
ବେମାଲୁମ ଆମେ ।
ଯାତ୍ରୀ ଭରା ଟ୍ରେନ ଓ ବସ୍…
ଝାମ୍ପି ଯାଇ, ସିଟ୍ କବଜା କରୁଁ !
ରୋଗୀଣା ବୁଢ଼ୀଟି ଧକଉଥାଏ,
ଆଗ, ପଛ, ତେରଛା ଧକ୍କା ।
ହଁ, ଆମେ ଜୀବିତ ଥାଉ…
ଯେବେ, ଛୋଟ ପିଲାଟି, ବସ୍ତା ପିଠେଇ ଅଳିଆଗଦାରେ ଖୋଜେ ଚିଜ କିଛି…
ଅପ୍ରତ୍ୟାଶିତ, ତା’ ପାଇଁ ଦୁର୍ମୂଲ୍ୟ।
କନ୍ୟାଟିଏ ଅବା ଜନନୀ!
ଦିବାଲୋକେ ଶୀକାର ହୁଏ,
କାମାନ୍ଧ, ଲୋଲୁପୀ ପଉରୁଷର!
ଉନ୍ନତ ମସ୍ତିଷ୍କର ସମୁନ୍ନତ ଚିନ୍ତା,
ହାତ ଗୁଞ୍ଜା ସଲାମି, ଅଫିସ ଦପ୍ତର,
ସ୍ୱୟଂର କାର୍ଯ୍ୟସିଦ୍ଧି, ଭ୍ରଷ୍ଟାଚାରର ଦ୍ୱାହି ଦେଇ ଦେଶ ତ୍ୟାଗ କରୁ…
ବଞ୍ଚିଥିବାର ସବୁ ଲକ୍ଷଣ ଥାଏ,
ଆମକୁ ଭୋକ ଲାଗେ,
ଆମେ ନିଃଶ୍ୱାସ ନେଉ, ରାଜନୀତି ଗପ ପେଡ଼ି ଖୋଲୁଁ,
ଆଫଗାନି ଭିତିରି କଥାରେ ମତ ବାଢ଼ୁ,
ଖବର ବେଖବର କଥା,
ମନକୁ ମନ ରାଗି ପାଚି ଲାଲ,
ଆମେ ସରକାରଙ୍କୁ ଗାଳି ଦେଉ…
ସଭ୍ୟ ସମାଜର ଶ୍ରେଷ୍ଠ ପ୍ରାଣୀ ଆମେ !
ରାତ୍ରୀରେ ଗଭୀର ନିଦ୍ରାରେ ଶୋଇ ଯାଉ…
ଆମେ ଜୀବିତ ଥାଉ…
– କୃଷ୍ଣା ମିଶ୍ର
Comments
କୃଷ୍ଣା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।