ବାରମାସେ ତେର ଯାତରା ପାଳିବା
ହିନ୍ଦୁ ଧର୍ମ ପରମ୍ପରା,
ସେଥି ଲାଗି ପ୍ରତି ମାସରେ ହୁଅଇ
ସୁସଜ୍ଜିତ ଏହି ଧରା ॥
ଆଦ୍ୟ ମାସର ଏ ପବିତ୍ର ବେଳାରେ
ଜନେ ହୋଇ ଏକତ୍ରିତ,
ପାଳନ୍ତି ପରବ ମହା ଆନନ୍ଦରେ
ସର୍ବେ ହୋଇ ଶୁଦ୍ଧପୂତ ॥
ବୈଶାଖ ମାସର ତୃତୀୟା ତିଥିଟି
ପ୍ରିୟ ତ ଓଡ଼ିଆଙ୍କର,
ଅକ୍ଷୟ ତୃତୀୟା ନାମରେ ପାଳନ୍ତି
ପ୍ରତି ଚାଷୀ ପରିବାର ॥
ଅମୃତ ଲଗ୍ନରେ ହଳ ଲଙ୍ଗଳକୁ
କୃଷକ ରଖଇ ଧୋଇ,
ତା’ ଘର ଘରଣୀ କରେ ପୂଜାବିଧି
ଶଙ୍ଖ, ହୁଳହୁଳି ଦେଇ ॥
ହଳଦୀ, ଚନ୍ଦନ ବିହନେ ଲଗେଇ
ଗଉଣିରେ କରି ପୂର୍ଣ୍ଣ,
ନୂଆ ଟୋକେଇରେ ସାଇତି ରଖଇ
ପିଠା କରି ନାନା ବର୍ଣ୍ଣ ॥
ଈଶାଣ କୋଣରେ ନୈବେଦ୍ୟକୁ ପୋତି
ବୁଲାଇଥାଏ ସେ ହଳ,
ମୁଠା ମୁଠା ବିହନ କିଆରିରେ
ବୁଣି କରେ ଅନୁକୂଳ ॥
ପବିତ୍ର ସମୟ ଅଟଇ ଏହା ତ
କୃଷକ ଭାଇଙ୍କ ପାଇଁ,
ଅକ୍ଷିମୁଠି ଅନୁକୂଳ କରିଦେଇ
ପ୍ରସ୍ତୁତ ହୁଏ ଚାଷ ପାଇଁ ॥
ଇଚ୍ଛାମତେ ମାଆ ଲକ୍ଷ୍ମୀ ଠାକୁରାଣୀ
ଭରିଦିଅ ସବୁ ଘର,
ଜଗତକୁ ଯିଏ ଯୋଗାଉଛି ଅନ୍ନ
ତା’ର ଦୁଃଖ ଦୂର କର ॥
ଚାଷୀ ପାଇଁ ଖାଲି ନୁହଁଇ କେବଳ
ପ୍ରଭୁଙ୍କ ବି ଅଟେ ପ୍ରିୟ,
ରଥ ଅନୁକୂଳ ଚନ୍ଦନ ଚାପର
ଏହି ତ ଶୁଭ ସମୟ ॥
ଆଜ୍ଞାମାଳ ନେଇ ସ୍ତ୍ରୋତ୍ରୀୟ ବ୍ରାହ୍ମଣ
କରିଥାନ୍ତି ମନ୍ତ୍ରପାଠ,
ବନଯୋଗ ହୋମ ସମ୍ପାଦନ କରି
ପୂଜିଥାନ୍ତି ରଥକାଠ ॥
ମହାକାଳି ମନ୍ତ୍ରରେ ତନ୍ତ୍ର ବିଧିରେ
କୁରାଢ଼ି କରି ପୂଜିତ,
ବିଶ୍ୱକର୍ମା ମୁଣ୍ତେ ଶାଢ଼ୀ ବନ୍ଧି ଦେଇ
କରନ୍ତି ରଥ ନିର୍ମିତ ॥
ରଥ ଖଳା ମଧ୍ୟେ ଛାମୁଣ୍ତିଆ ତଳେ
ରୂପକାର, ଚିତ୍ରକର,
ଶିଳ୍ପଶାସ୍ତ୍ର ଅନୁକରଣେ କରନ୍ତି
ନିର୍ମାଣ ତିନି ରଥର ॥
ରଥ ଗଢ଼ିବାକୁ ସଜେଇ ହେଲେଣି
ବଢ଼େଇ ଓ କାରିଗର,
ଚନ୍ଦନ ଚାପରେ ଜଳକ୍ରୀଡ଼ା ପାଇଁ
ପ୍ରଭୁଙ୍କ ମନ ଅଧିର ॥
ନନ୍ଦା ଭଦ୍ରାଙ୍କର ଅପେକ୍ଷାର ଅନ୍ତ
ଘଟିବ ବରଷେ ପରେ,
ଆନନ୍ଦ ବୁଲିବେ ମଦନମୋହନ
ନରେନ୍ଦ୍ରର ସରୋବରେ ॥
ଶୀତଳତା ଲଭିବେ ଗ୍ରୀଷ୍ମ ପ୍ରକୋପୁ
କରିଣ ଚନ୍ଦନ ଯାତ,
ରଥ ଅନୁକୂଳ ସରିଗଲା ପରେ
ହୋଇବ ଗୁଣ୍ତିଚା ଯାତ ॥
ରୋହିଣୀ ନନ୍ଦନ ବଳରାମଙ୍କର
ବିବାହ ଶୁଭ ଲଗନ,
ରେବତୀଙ୍କୁ ବରି ପ୍ରଭୁ ହଳାୟୁଧ
ଆସିବେ ନିଜ ଭବନ ॥
ପର୍ଶୁରାମ, ଜୟଦେବଙ୍କ ଜୟନ୍ତୀ
ପାଳିତ ହୋଇବ ପୁଣି,
ଜଣେ ଅବତାରୀ ଆଉ ଜଣେ ପରା
ଜଗନ୍ନାଥ ମଥାମଣି ॥
ନିଃକ୍ଷେତ୍ରିୟ କରି ପର୍ଶୁରାମ ବୀର
ଧରାରେ ହେଲେ ବିଖ୍ୟାତ,
ଗୀତଗୋବିନ୍ଦର ପଦକୁ ରଚିଣ
ଜୟଦେବ ହେଲେ ଖ୍ୟାତ ॥
ଗୃହ ନିର୍ମାଣର ଶୁଭାରମ୍ଭ ଅବା
ବିବାହ, ଉପନୟନ,
ର୍ନିବିଘ୍ନରେ ମିଳିଯାଏ ସର୍ବ ସିଦ୍ଧି
ଆରମ୍ଭିଲେ ଏହିଦିନ ॥
କେତେ ପବିତ୍ର ଏ ଦିବସଟି ସତେ
ରହିଛି କେଉଁ କାଳରୁ,
ପାଳଛନ୍ତି ଯାହା ମହାସମାରୋହେ
ଲୋକ ସତ୍ୟ, ତ୍ରେତୟାରୁ ॥
– ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ଗୋପିନାଥପୁର, ପୁରୀ
Comments
ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।