ଅଝଟ ହେଉଥିବା, ଅରୁଚି ବୋଲି
ଅଳି କରୁଥିବା ଦରୋଟି ଛୁଆଙ୍କୁ,
ଅଖାବାୟାର ଭୟ ଓ ଭେଳିକି ଦେଖାଇ
କେଉଁ ଅନାଦି କାଳୁ ମାଆମାନେ ସବୁ,
ଆହାର ଦିଅନ୍ତି, ଆକଟ କରି
ବୋଲକରା କରି ସରାଗେ ପଣତକାନିରେ,
ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି
ଜୀବନ ପଲାରେ ସବୁଜିମାର ରଙ୍ଗ ତୋଳନ୍ତି ।
ସେମାନେ ନିଜ ହାତରେ ବୋଉମାନଙ୍କ
ନକଲ କରି ଅଖାବାୟାର ଖେଳ ରଚନ୍ତି,
ବଡ଼ମାନଙ୍କୁ ଡରାଣ ଦେଖାଇ ସଜିଲ କରନ୍ତି
ନିଜ ସରାଗ ଛୁଆଁରେ କଣ୍ଢେଇମାନଙ୍କୁ,
ଚଳଚଞ୍ଚଳ କରାଇ ଜିଦ୍ ଶୂନ୍ୟ କରାନ୍ତି
ଭଲ ପିଲା ଦୁଷ୍ଟ ହେବାର ନହିଁ ବୋଲି,
ଧୀର ଗଳାରେ ନାନାବାୟା ଗୀତ ବୋଲନ୍ତି
ଘର, ଅଗଣା ଉଠପଡ଼ ହୁଏ ଅତି ସନ୍ତର୍ପଣେ ।
ସମୟ ଠାର ଧରି ବଡ଼ ହେଲା ପରେ
ବଦଳେ ଆପଣା ଛାଏଁ ଯେତେସବୁ ଚିତ୍ର ଓ ଚରିତ୍ର,
ସମାଜ ପିଠିରେ ଚାବୁକ ହାତେଇ କର୍ତ୍ତା ସାଜିଥିବା
ଅଖାବାୟା ମାନଙ୍କୁ ମୁହଁ ଟେକି ପ୍ରଶ୍ନ କରି ହୁଏନା,
ଭକ୍ତି ଓ ଆଜ୍ଞାବହତା ସେତୁବନ୍ଧ ଲମ୍ବି ଉଠେ
ଅହେତୁକ ଭୟ ଆଉ ବିପଦର ମାୟାବୀ ରୂପ,
ପୁରୁଷତ୍ଵର ଶବଦାହ କରୁଥାଏ ପ୍ରତିକ୍ଷଣ
ଏମିତି ଲମ୍ବିଥାଏ ଅଖାବାୟା ଷଠିଘରୁ ଚିତାଘର ଯାଏଁ ।
– ଜି. କ୍ରିଷ୍ଣା ରେଡ୍ଡୀ
Comments
ଜି. କ୍ରିଷ୍ଣା ରେଡ୍ଡି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।