ତୁମେ ଥିଲ ଅଜଣା, ମୁଁ ବି ଥିଲି ଅଜଣା କାହିଁକି ଏପରି ହେଲା, ଆମ ସମ୍ପର୍କ ସେତୁ ମୋ ହୃଦୟର ନକ୍ସା ବଦଳେଇ ଦେଲା, ତା’ପରେ ଗଢ଼ି ଉଠିଥିଲା ଆମ ଭିତରେ ସମ୍ପର୍କର ସୈଧ ବିଡ଼ମ୍ବନାର ବିଷୟ ସମୟର କୁଠାର ଘାତ ଆମ ଦୁହିଁଙ୍କୁ ଦେଖା କରିବାକୁ ପ୍ରତିବନ୍ଧକ ସାଜିଥିଲା । ତୁମେ ପାଠ ପଢ଼ାଜୀବନକୁ ନିଜ ଅଣ୍ଟିରେ ସାଇତି ରଖି କର୍ମମୟ ଜୀବନ ବ୍ୟାସ୍ତତା ଭିତରେ ନିଜକୁ ନିୟୋଜିତ କରି ଚାଲିଥିଲ । ଆଉ ମୁଁ ଏପଟେ ମୋ କର୍ମମୟ ଜୀବନର ବ୍ୟସ୍ତତା ଭିତରେ ମୁଁ ଛନ୍ଦି ହୋଇ ଯାଇଥିଲି, ଏ ସମୟଟା ବୋଧ ହୁଏ ତୁମ ସଉତୁଣୀ ପରି କେବେ ତୁମ ସପକ୍ଷରେ ଛିଡ଼ା ହୁଏ ନାହିଁ, ମୋ ଖୁସି ସେ ତା ଆଖିରେ ଦେଖିପାରେ ନାହିଁ, ବାରମାସୀ ଚଢ଼େଇ ପରି ଉଡ଼ିଯିବାକୁ ଇଛା ହୁଏ ତୁମ ହଷ୍ଟେଲର ତଟ ଦେଶକୁ ଆଉ ଟିକିଏ ମନ ଖୋଲି ତୁମ ସହ କଥା ହୋଇ ଆସନ୍ତି, ସମୟ ବିତିଚାଲେ ନିରନ୍ତର ମୁହୁର୍ତ୍ତ ମାସ, ବର୍ଷ ହୋଇ, ଏ ଦଗାଦିଆ ସମୟ ଏବଂ ପରିସ୍ଥିତି ଆମ ସମ୍ପର୍କକୁ ଫୋନରେ ସିମିତ ରଖିଦେଲା । ଦେଖା ତ ପରର କଥା ତୁମ ଛାଇ ଦୃଶ୍ୟ ମୋ ମାନସ ପଟ୍ଟରେ କେତେବେଳେ ଉଦବେଳିତ ହୋଇ ନାହିଁ ରାତି କିମ୍ବା ସନ୍ଧ୍ୟାରେ ପରାକାଷ୍ଠାରେ, କେତେ ଅପାଶୋରା ସ୍ମୃତି ଲୁଚକାଳି ଖେଳନ୍ତି ଆମ ସାଥିରେ । ପ୍ରକୃତି ଆଉ ସମୟ ଆଗରେ ଆମେ ସାମାନ୍ୟ ମଣିଷ ଦୁଇଟା କ’ଣ ଯେ କରି ପାରିଥାନ୍ତେ, ଆମ ଭିତରେ ସମ୍ପର୍କର ସେତୁର ନଇ ସମୟ ସ୍ରୋତରେ ବହି ଚାଲିଲା, ଆମେ ଦୁହେଁ ଫୋନରେ କେତେ ମିଠା ମିଠା ସ୍ମୃତି ଲୁଚେଇ ରଖିଥିଲେ ମନର ଗାଲିଚା ଭିତରେ । ତା’ପରେ ତୁମ ହଷ୍ଟେଲରେ ଗ୍ରୀଷ୍ମ ଅବକାଶ, ତୁମେ ଛୁଟିରେ ଘରକୁ ଆସିଥିଲ, ଆଉ ମୁଁ ବି ଛୁଟିରେ ଘରକୁ ଆସିଥିଲି ଏବଂ ମୋ ମାର ହାତରନ୍ଧା ଖାଇ ଫାଇଦା ଉଠାଉଥିଲି ଆଉ ବନ୍ଧୁମାନଙ୍କ ସହ ଟିକ୍-ଟକରେ ବ୍ୟସ୍ତ ରହି ଯାଇଥିଲି, ପିଲାବେଳୁ ଇଛା ଥିଲା ଅଭିନୟ କରିବାକୁ, ତା’ପରେ ଗ୍ରୀଷ୍ମ ଅବକାଶରେ ତୁମ ସହ ଦେଖାକରିବାକୁ ବହୁତ ଚେଷ୍ଟା କରିଛି, ବେଦରଦୀ ସମୟ ଆଉ ମୋ ପରିବାର ବୋଝ ମୋ ସପକ୍ଷରେ କେବେ ବି ଛିଡ଼ା ହୋଇ ନାହାନ୍ତି । ତୁମେ ଥରେ ଫୋନରେ କହିଥିଲ ଆମର ଯଦି କେବେ ଦେଖା ହେବ, ତେବେ ଜୀବନକୁ ଉପଭୋଗ କରିବା ସତ, ସମ୍ପର୍କର ଦ୍ୱାହି ଦେଇ କିନ୍ତୁ ମିଠା ମିଠା ଏତେ ସ୍ମୃତି ସାଉଁଟିବା ଯେ, ଭାବନା ରାଜ୍ୟରେ ଏତେ ନିମଗ୍ନ ହୋଇ ଯିବା ଯେ, ସେ ଦିନର ଭାବନା ସବୁ ସେତେ ଦିନ ପର୍ଯ୍ୟନ୍ତ ଉଜ୍ଜିବିତ ରହିବ ଯେବେ ଯାଏ ପୁଣି ଥରେ ନ ଦେଖା ହୋଇଛି । ମୁଁ ଭାବୁଥିଲି ମୋ ଭାବନା ସବୁ ସରିଲେ ତ । ଗ୍ରୀଷ୍ମ ଅବକାଶ ସରି ଆସିଥିଲା, ତୁମେ ଦିନେ ସଂଧ୍ୟାରେ ଫୋନରେ ଲୀଳାୟତ ସ୍ୱରରେ କହିଥିଲ ଜୁନ୍ ୨୧ରେ ଛୁଟି ଖୋଲିବ ତେଣୁ ମୁଁ ଘରୁ ୨୦ ତାରିଖ ସକାଳେ ଯିବି ମୋ ବାନ୍ଧବୀ ଘରକୁ, ତା’ପରେ ବାନ୍ଧବୀ ଘରକୁ ଯିବା ବାଟରେ ତୁମ ସହ ଦେଖା ହେବ । ବର୍ଷା ଆସିଲା ବୋଲି ତୁମେ ଫୋନ କାଟିଦେଲ ।
ଜୁନ୍ ୨୦ର ସକାଳ, ମୁ ସକାଳ ଉଠି ବିଛଣାରେ ବସିଥିଲି, ସେପଟୁ ତୁମ ଫୋନ, ଆସିଥିଲା ଶୁଭ ସକାଳର ଶୁଭେଚ୍ଛା ମୁଁ ଏବେ ବାହାରୁଛି । ତା’ପରେ ସକାଳର ସୁନେଲି କିରଣର ସୁର୍ଯ୍ୟରେ ମୁଁ ତୁମ ପ୍ରତିଛବି ଆଙ୍କୁଥିଲି ମୋ ମନରେ, କେତେ ଉନ୍ମାଦନା ଆଉ କେତେ ଶିହିରଣ ଖେଳି ଯାଇଥିଲା ମୋ ଦେହରେ ଉଷ୍ଣ ରକ୍ତ କଣିକାରେ ଏବଂ ମୋ ଶରୀରର ପ୍ରତିଟି ସ୍ନାୟୁ କୋଷ ତମକୁ ଦେଖିବା ପାଇଁ ବ୍ୟାଗ୍ର ହୋଇ ଉଠିଥିଲେ । ବିଛଣାରେ ବସି ଭାବନା ରାଜ୍ୟରେ ବୁଡ଼ି ଯାଇଥିଲି, ସେ ଦିନ କାହିଁକି ମୋ ଘରର କାନ୍ଥ ଘଣ୍ଟା ମାନେ ଗତିଶୀଳ ହେବାକୁ ଲାଗିଥିଲେ, ଆରେ ହେ ଇତି ମଧ୍ୟରେ ଦିନ ୧୦ଟା ବାଜି ଗଲାଣି, ତୁମେ ଫୋନ କରିଥିଲ ଆଉ ପଚାରିଥିଲ କେତେବେଳେ ଆସିବ ଯେ, ମୁଁ ତୁମକୁ ଅପେକ୍ଷା କରିଛି ଯେ, ମୁଁ ବାହାରିଥିଲି ହେଲେ ଆକାଶର କଳାମେଘ ଘୋଟି ଆସିଥିଲା । ମୋ ହୃଦୟର ଯନ୍ତ୍ରଣାରେ ଜର୍ଜରିତ ହେଉଥିଲା କାହାର ବା ହସ ଖୁସିରେ ଜୀବନ କଟାଇବାର ଇଛା ନଥାଏ, ପୁଣି ଏତେ ଦିନ ପରେ ତୁମ ସହ ଦେଖା । ତୁମକୁ ଦେଖିବା ପାଇଁ ଲଘିଂଥିଲି ସବୁ ସୀମାରେଖା କିନ୍ତୁ ବେଦରଦୀ ବର୍ଷା ଆକାଶକୁ ମେଘାଚ୍ଛନ୍ନ କରି ରଖିଥିଲେ, ବର୍ଷାକୁ ଖାତିରି ନ କରି ମୁଁ ମୋ ଗାଡ଼ି ଷ୍ଟାର୍ଟ କରିଥିଲି, ସେ ସମୟରେ ବର୍ଷା ତା’ କରାଳ ରୂପ ଦେଖାଇ ସାରିଥିଲା । ମୁଁ ଘର ଭିତରକୁ ପଳେଇ ଆସିଥିଲି, ମୋ ଘରର ଝରକା ପାଖରେ ବସି ଅମାନିଆ ବର୍ଷାକୁ ଖୁବ୍ ଗାଳି କଲି, ବର୍ଷାରେ ଦଳାୟିତ ବର୍ଷା ବିନ୍ଦୁ ଏବଂ ତା’ ସାଙ୍ଗକୁ ପବନଟା ଲୁଚକାଳି ଖେଳି ଚାଲିଲେ ମୋ ସହ, ନିଦାଘର କରାଳ ଝାଞ୍ଜିରେ କଷ୍ଟ ପାଉଥିବା ଧରଣୀରାଣୀ ସିନା ତୃପ୍ତ ହେଲା ମୁଁ ମୋର ଦେହ ଆଉ ମନ ତୃପ୍ତ ହେଲେ ନାହିଁ, ସ୍ମୃତିର ପୃଷ୍ଠାକୁ ଓଲଟାଉ ଥିଲି ସ୍ମୃତିର ସଫେଦ ବିମଣ୍ଡିତ ସୈନ୍ଦର୍ଯ୍ୟରେ ଦେଖୁଥିଲି, କିନ୍ତୁ ଆକାଶରେ କଳା ବାଦଲ ଆକାଶକୁ ଢାଙ୍କି ରଖିଥିଲା ଆଉ ବିଜୁଳି ଚମକର ଆତସ ବାଜି ମୋ ଝରକା ଫାଙ୍କରେ ଚିକ୍ ମିକ୍ କରୁଥିଲା, ସେପଟେ ପୁଣି ମନେ ପଡ଼ିଯାଏ ତୁମ କଥା, ତୁମେ ବର୍ଷାରେ ଓଦା ହୋଇ ନ ଥିବ, ଯଦି ବର୍ଷା ଛିଟା ଲାଗି ତୁମ କୋମଳ ଦେହଟା ଥଣ୍ଡା କିମ୍ବା ଜ୍ୱରରେ ଆକ୍ରାନ୍ତ କରେ ସେଥିପାଇଁ ବୋଧହୁଏ ଦାୟୀ ମୁଁ ହେବି, ନିଜକୁ ଅସହାୟ ମନେ କରୁଥିଲି । କିଏ ଜାଣିଥିଲା ଯେ ହଠାତ୍ ଏମିତି ହେବ ବୋଲି ପବନର ତୀବ୍ର ବେଗ ସହ କଳାହାଣ୍ଡିଆ ମେଘ ଆସିବ ବୋଲି ମୋର ଦୀର୍ଘ ଦିନର ଦେଖା କରିବାର ସ୍ୱପ୍ନଟା ଧୂଳିସାତ କରିବ ବୋଲି, ଇତି ମଧ୍ୟରେ ସନ୍ଧ୍ୟା ହୋଇ ସାରିଥିଲା । ବର୍ଷାର ଟୋପା ଟୋପା ବିନ୍ଦୁମାନେ ବି ତାଙ୍କ କର୍ତ୍ତବ୍ୟ ବୋଧକୁ ଭୁଲି ନଥିଲେ । ମୁଁ ସନ୍ଧ୍ୟା ସୁଦ୍ଧା ଘରୁ ବାହାରି ପାରି ନଥିଲି, କ୍ଷିପ୍ର ହେଉଥିଲା ମୋ କଲମ ଓ ପବନର ଗତି ମୋ ମନ ଏବଂ ହୃଦୟକୁ ଅଶାନ୍ତ କରି ଦେଉଥିଲା ପ୍ରତିଟି କ୍ଷଣରେ, ମୋ ସ୍ନାୟୁ ଏବଂ ୨୦୬ ଖଣ୍ଡ ହାଡ଼, ମୋ ମସ୍ତିଷ୍କ ଏବଂ ଯନ୍ତ୍ରଣା ଜର୍ଜରିତ ହୃଦୟ ତମକୁ ଦେଖିବା ଅପେକ୍ଷାରେ ଥିଲେ, ହେଲେ ଦେଖା କରିବା ଆଗରୁ ଅହଂକାରୀ ବର୍ଷା ତମକୁ ଭେଟିବାର ସୁଯୋଗ ଦେଇ ନ ଥିଲେ । ତୁମେ ଅପେକ୍ଷାର ସବୁ ସୀମା ଅତିକ୍ରମ କରି ସାରି ସନ୍ଧ୍ୟା ୬ଟାରେ ବସ୍ ଧରି ତୁମ ବାନ୍ଧବୀ ଘରକୁ ଚାଲିଯାଇଥିଲ କାରଣ ରାତି ୧୦ଟାରେ ବସ୍ ଥିଲା ତୁମେ ତୁମ ବାନ୍ଧବୀ ସହ ହଷ୍ଟେଲ ଫେରିଯିବା ପାଇଁ । ସେମିତି ଅବିଶ୍ରାନ୍ତ ବର୍ଷା ବର୍ଷି ଚାଲିଥିଲା । ତୁମ ସହ ଯୋଗାଯୋଗ କରିବା ପାଇଁ ବହୁତ ଚେଷ୍ଟା କରିଥିଲି । କିନ୍ତୁ ବିଫଳ ହୋଇଥିଲି, ବର୍ଷାଟା ତ ପ୍ରତିବନ୍ଧକ ସାଜିଲା, ଫୋନିରେ ଭାଙ୍ଗିଯାଇଥିବା ମୋବାଇଲ୍ ନେଟୱର୍କ ବି ସଳଖ ହୋଇ ଠିଆ ହୋଇ ନଥିଲେ, ଏପଟେ ତା ସାଙ୍ଗକୁ ଘଡ଼ଘଡ଼ି ବର୍ଷା, ମୋବାଇଲ୍ର ନେଟୱାର୍କ ବି ମୋ ସପକ୍ଷରେ ଗଲେ ନାହିଁ ଇତି ମଧ୍ୟରେ ରାତି ୧୦ ବାଜି ସାରିଥିଲା, ବର୍ଷା ବି ଟିକେ ଟିକେ ଥମି ଯାଇଥିଲା, ମୁଁ ତମକୁ ଫୋନ୍ ଲଗେଇଥିଲି ଅନେକ କଥା ରହି ରହିଗଲା, ଠିକ୍ ନିଷ୍ପତ୍ତି କେବଳ ସମୟ ନେଇଥାଏ ମୁଁ ତା ଅପେକ୍ଷାରେ ।
ତୁମ ଯାତ୍ରା ମଙ୍ଗଳମୟ ହେଉ ।
– ସତ୍ୟବ୍ରତ ସେଠୀ
Comments
ସତ୍ୟବ୍ରତ ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।