ସେ ଅଛି ମୋ ଭିତରେ
ମୁଁ ବି ଅଛି ତା’ ଭିତରେ
ହେଲେ ବି କାହିଁ ବୁଝେନି ମନ
ସତେ କି ଯୋଜନ ଯୋଜନ ଦୂରେ ସେ…
ଲାଜ ଜୁଡ଼ୁବୁଡ଼ୁ ତା’ ମହୁଆ ହସରେ
ମାଦକତା ମନେ ଭରେ,
ପ୍ରଣୟ ନିଶାରେ ଶିହରି ଉଠଇ
ପାହାନ୍ତିଆ ସପନରେ…
ମୋ ଅଙ୍ଗେଅଙ୍ଗେ ଆଙ୍କିଦିଏ ପ୍ରେୟସୀ
ମଧୁର ମିଳନର ମିଠା ଦାଗ ହସିହସି,
ଲାଜରେ ବିରହ ଫଗୁଣ ଫେରିଯାଏ,
ମଧୁଝରା ଚାନ୍ଦିନୀ ଈର୍ଷାରେ ଜଳିଯାଏ…
ନିରିମାଖି ତା’ ହରିଣୀ ଚାହାଣି
ମୋ’ ଠାରୁ ମୋତେ ନିଏ କିଣି
ତା’ ଲମ୍ବାବେଣୀର କାଳିମାରେ
ଛନ୍ଦିହେଇଯାଏ ପୂର୍ଣ୍ଣ ଇନ୍ଦୁ
ହସିଦେଲେ ସେ ଗହନ ରାତିରେ
ତାରାମାନେ ବି ଆଖି ଫେରାଇ ପାରନ୍ତିନି…
ମୁଁ ଚାତକ ପରି
ତା’ ପ୍ରୀତିବରଷାରେ ଭିଜେ
ସପନ ରାଇଜେ ପ୍ରାସାଦ ତୋଳେ
ସରଗପୁରୀର ପାରିଜାତ ସମ
ମୋ ଅଗଣାରେ ଫୁଟି ମୋତେ ମହକାଏ ସେ…
ତରଳିଯାଏ ମୁଁ ମହମ ସମ
ତା’ ପୀରତି ବହ୍ନିରେ
ଦୁଇ ପ୍ରାଣ ଏକାକାର ହେଇଯାଏ
ହଜିଯାଏ ମୋ ଅସ୍ତିତ୍ୱ
ପ୍ରେମବେଦୀର ଯଜ୍ଞକୁଣ୍ଡରେ…
ସିନ୍ଦୂରା ଫାଟିଲେ
ସପନର ନୀଡ଼ ଭାଙ୍ଗିଯାଏ
ନିମିଷକେ ମୁଁ ହାରିଯାଏ
ମୁଁ ତୃଷାର୍ତ୍ତ ପଥିକ ସାଜେ
ମରୁମରୀଚିକା ପାଇଁ…
ତା’ ପ୍ରତୀକ୍ଷାରେ ସବୁଋତୁ
ପ୍ରେମର ଫଗୁ ନେଇ ଆସେ
ଭାବନାରେ ଭିଜିଯାଏ ତନୁମନ
ପୁଣି ଆଶା ସବୁ ଝରିପଡ଼େ
ପର୍ଣ୍ଣମୋଚୀ ଅରଣ୍ୟ ପରି…
ନିରୋଳାରେ ଗୁମୁରିକାନ୍ଦେ
ନିଜ ସହ ନିଜେ କଥାହୁଏ
ଅଭିମାନର ଆୟୁଷ ବଢ଼େ
ମୁଠାଏ ବିଶ୍ୱାସ ବଞ୍ଚିବାର ରାହା ଦେଖାଏ…
ତଥାପି ହାରିବା ମୋ ଜାତକରେ ନାହିଁ
ଯେଣୁ ମୁଁ ଜଣେ ପ୍ରେମିକ
ଫେରିବା ବାଟକୁ ଚାହିଁ ବଞ୍ଚିବି
ଯେଣୁ ମୋ ପ୍ରେମ
ଜନ୍ମଜନ୍ମାନ୍ତରର ବନ୍ଧନ…
– ଜନ୍ମଜୟ ନାୟକ
Comments
ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।