ସହରଠୁ ଦୂର ନଦୀକୂଳିଆ ବୃଦ୍ଧାଶ୍ରମ ହତା ଭିତରେ ବସି ଶାନ୍ତନୁ ବାବୁ ଏକଲୟରେ ଦେଖୁଥାନ୍ତି ଅନତିଦୂରରେ ଖେଳୁଥିବା ଶ୍ୱାନ ପରିବାରକୁ… ମାର୍ଚ୍ଚ ମାସର ଖରାଦିନିଆ ଅପରାହ୍ନ । ଛୋଟ ଛୁଆ କୁକୁର ତିନୋଟି ନିଜ ବାପା ସହ ଖେଳୁଥାନ୍ତି, ଆଉ ମା’ କୁକୁରଟି କିଛି ଦୂରରେ ହାଲୁକା ଖରା ଛାଇରେ ପେଟେଇ ପଡ଼ି ଦେଖୁଥାଏ ନିଜ ପରିବାରକୁ… ଏଇ ସମୟରେ କାହାର ହାଲୁକା ହାତର ସ୍ପର୍ଶରେ ତନ୍ଦ୍ରାଭଙ୍ଗ ହେଲା ଭଳି ଚମକି ପଡ଼ିଲେ… ବୁଲିପଡ଼ି ଦେଖନ୍ତି ତ ମିଶ୍ରବାବୁ…
ମିଶ୍ରବାବୁ ବୃଦ୍ଧଶ୍ରମର ପରିଚାଳକ ଆଉ ଏଇ କିଛି ପରିବାର ପାଇଁ ଅଲୋଡ଼ା ବୁଢ଼ାବୁଢ଼ୀମାନଙ୍କର ଭାଇ-ବନ୍ଧୁ-ପୁତ୍ର-ସହାୟକ । ମିଶ୍ରବାବୁ ହାତରେ ଚାହାକପ ଧରି ଆସିଥିଲେ ଶାନ୍ତନୁଙ୍କ ପାଇଁ… ଆଉ ଏମିତି ଗପସପ କରିବାକୁ ପାଖରେ ବସିଗଲେ… ପଚାରିଲେ, “କ’ଣ ହେଲା ଶାନ୍ତନୁ ମଉସା, ଛୁଆଗୁଡ଼ାଙ୍କ ଖେଳ ଦେଖୁଛନ୍ତି ବୋଧେ? ଯାହାହେଉ ଖାଇବାକୁ ଆଉ ରହିବାକୁ ସୁବିଧା ଅଛି ଦେଖି ମା’ କୁକୁର ଏଠି ଛୁଆଙ୍କୁ ରଖି ରହିଗଲା ।”
ଶାନ୍ତନୁ କିଛି କହିବାକୁ ଚାହୁଁଥିଲେ… କିନ୍ତୁ ଶବ୍ଦଗୁଡ଼ା ଯେମିତି ତଣ୍ଟି ପାଖେ ଅଟକି ଯାଉଥିଲା, ମିଶ୍ରବାବୁ ପୁଣି କହୁଥାନ୍ତି, “ନିରୀହ ଜୀବଗୁଡ଼ା, ଏମିତି ଭଲରେ ଥାଆନ୍ତୁ, କାହିଁଯେ କିଛି ଲୋକ ତାଙ୍କୁ ମାରିପକାନ୍ତି, ହଇରାଣ କରନ୍ତି କେଜାଣି ।” ଏଇ ସମୟରେ ଶାନ୍ତନୁ କହିବା ଆରମ୍ଭ କଲେ, “ମୋ ପୁଅ ଦୁଇଜଣ ଛୋଟ ଥିଲାବେଳେ, ମୁଁ ତାଙ୍କସହ ଖୁବ୍ ଖେଳୁଥିଲି, ସେମାନଙ୍କୁ ସ୍କୁଟରରେ ବସେଇ ସ୍କୁଲ ନେଉଥିଲି, ରବିବାରରେ ପାର୍କ, ହୋଟେଲ… କେବେ କେବେ ମେଳା ମଉଛବକୁ ବି ନିଏ… କେବେକେବେ ଦିହେଁ ଜିଦ୍ଦି କରୁଥିଲେ ଘରେ କୁକୁର ରଖିବାକୁ, ହେଲେ ଦିଅଁପୂଜା ହେଉଛି କହି ତାଙ୍କ ମା’ ଆଉ ମୁଁ ଦୁହେଁ ଅରାଜି ହେଉ; ପୁଣି ସେ ରାସ୍ତାଘାଟରେ କୁକୁର ଗାଇଙ୍କୁ ଖାଇବାକୁ ଦେଉଥିବା ସ୍ୱେଚ୍ଛାସେବୀଙ୍କୁ ଦେଖି ଜିଦ୍ଦି କରନ୍ତି ସେମାନଙ୍କ ବିସ୍କୁଟ କି ପାଉଁରୁଟି ଦେବାକୁ, ହେଲେ ଅଦରକାରୀ ଖର୍ଚ୍ଚ କହି ମୁଁ ସବୁବେଳେ ଏଡ଼ାଇଦିଏ । ଦିନେ ସାନପୁଅ ପଚାରିଲା ଅଦରକାରୀର ଅର୍ଥ… ତାକୁ ବୁଝେଇଲି; ଯାହାଠୁ କିଛି ଲାଭ ମିଳେନି, ଯେତେ ପଇସା ଲଗେଇଲେ ବି, ସେଗୁଡ଼ା ଅଦରକାରୀ ବୋଝ, ଯେମିତିକି ଏ ଘରପାଖେ ବୁଲୁଥିବା କୁକୁର, ଯେତେ ଖାଇବାକୁ ଦେଲେ କ’ଣ ମିଳିବ ଆମକୁ ତା’ ବଦଳରେ, ତେଣୁ ଜୀବନରେ ଏମିତିରେ ବୋଝକୁ ଦୂରେଇ ରଖିଲେ ହିଁ ସୁଖରେ ରହିପାରିବ… ଦୁଇପିଲା ଖୁବ ବୁଝିଗଲେ, ଘର ପାଖାପାଖି କୁକୁର ବିଲେଇ ଗାଈ ଦେଖିଲେ ଗୋଡ଼େଇ କି ପିଟିଲେ, ବୋଲୁଅ ମାରି କୁକୁରକୁ ଛୋଟା କରୁଥିଲେ, ବିଲେଇ ଛୁଆ ଦେଖିଲେ ନେଇ ପାଣିରେ ଫିଙ୍ଗିଦେଉଥିଲେ… ମୁଁ ଆଉ ମୋ ସ୍ତ୍ରୀ ଦୁହେଁ ଖୁସ୍… କ୍ରମେ ଦିହେଁ ବଡ଼ ସ୍କୁଲକୁ ଗଲେ, ସେଠୁ ବଡ଼ କଲେଜରେ ବଡ଼ ଡିଗ୍ରୀ କଲେ, ଭଲ ଜାଗାରେ ଚାକିରୀ କଲେ, ନିଜ ନିଜ ପରିବାର ଗଢ଼ିଲେ… ଆଉ ପିଲାଦିନର ସଂସ୍କାରକୁ ଉଚିତ କାମରେ ଲଗେଇଲେ… (ଆଖିରେ ଲୁହ ଜକେଇ ଆସୁଥିଲା ଶାନ୍ତନୁଙ୍କର)… ମୋ ଗ୍ରାଟୁଇଟି ଆଉ ପ୍ରୋଭିଡେଣ୍ଟ ଟଙ୍କା ଆଉ ଜୀବନ ଅର୍ଜିତ ସମ୍ପତ୍ତି ଭାଗ କରି ନେଇସାରିବା ପରେ ‘ଅଦରକାରୀ କଂସେପ୍ଟ’କୁ ବୁଝିଲେ, ବୟସାଧିକ୍ୟ ହେତୁ ରୋଗ ହେଉଥିଲା ଆଉ ଔଷଧ ଦେବା ମତେ ଅଦରକାରୀ ଲାଗିଲା ସେମାନଙ୍କୁ… ସେମାନଙ୍କ ମା’ ଥାଉ ଥାଉ ଘରକାମ ପାଇଁ ଚାକରାଣୀ ରଖିବା ଅଦରକାରୀ ଲାଗିଲା ତାଙ୍କୁ… ନିଜେ ପଦପ୍ରତିଷ୍ଠା ପାଇସାରିବା ପରେ ଏ ବୁଢ଼ା ବାପାମୁହଁରେ ସେମାନଙ୍କ ନାଁ, ଅଦରକାରୀ ଲାଗିଲା ତାଙ୍କୁ… ମୋର ଚାହା ପିଇବା, ଦିନରେ ଦୁଇଥରରୁ ଅଧିକ ଖାଦ୍ୟ ଖାଇବା, ଏମିତିକି ମୋର ଉପସ୍ଥିତି ଅଦରକାରୀ ଲାଗିଲା ସେମାନଙ୍କୁ… ତେଣୁ ମତେ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଲେ “।
ମିଶ୍ରବାବୁ ପଚାରିଲେ, “ଆଉ ମାଉସୀ?” ଦିର୍ଘଶ୍ଵାସଟିଏ ଛାଡ଼ି ଶାନ୍ତନୁ କହିଲେ, “ମୁଁ ପିଲାଙ୍କୁ ଯୋଉ ଦରକାରୀ-ଅଦରକାରୀର ଶିକ୍ଷା ଦେଇଥିଲି, ସେଇ ଅଭିମାନରେ ପାଗେଳି ହେଇଗଲା ଆଉ ଟ୍ରେନ ଆଗକୁ ଡେଇଁପଡ଼ି… ।” ଅନେକ ଦିନରୁ ସାଇତା ଦୁଃଖଗୁଡ଼ା ଗରମ ଲୁହ ହୋଇ ବହିଚାଲିଥିଲା… ଶାନ୍ତନୁ ଛୋଟ ପିଲାଟିଏ ଭଳି ମୁହଁ ଲୁଚେଇ ବସିଥାନ୍ତି… ମିଶ୍ରବାବୁ ଶାନ୍ତନୁଙ୍କୁ ନିଜ କୋଳକୁ ଆଉଜେଇ ନିଅନ୍ତି, ପ୍ରାୟଶ୍ଚିତର ଅଗ୍ନିକୁ ଲୁହସବୁ ଧୋଇଦେବାଯାଏଁ ।
– ସୋନାଲି ସୁଚରିତା
Comments
ସୋନାଲି ସୁଚରିତା ଓ.ୟୁ.ଏ.ଟି ରୁ ପଢ଼ା ଶେଷ କରି ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ମତ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆରେ ମଧ୍ୟ ଲେଖାଲେଖି କରନ୍ତି ଯିଏକି ସାମାଜିକ ଏବଂ ପାରିବାରିକ ଘଟଣାକୁ ଗଳ୍ପର ରୂପ ଦେଇଥାନ୍ତି ।