ସେଦିନ ଶନିବାର । ସକାଳୁ ମନ୍ଦିରରୁ ଫେରିଲା ବେଳେ ସୌରଭଙ୍କୁ ସାଙ୍ଗରେ ଧରି ବଡ଼ ଭଉଣୀ ରୁବି ଘରକୁ ମାଡ଼ିଗଲା ମୀରା । ତାଙ୍କ ଘରେ ପହଞ୍ଚିଲା ବେଳକୁ ରୁବି ଅପା ପଶିଛି ରୋଷେଇ ଘରେ । ପିଲାମାନେ ଟ୍ୟୁସନ । ଆଉ ଭାଇନା ଟିଭିରେ ଦେଖୁଛନ୍ତି କ୍ରିକେଟ ମ୍ୟାଚ୍ । ସୌରଭ ବି ବସିଗଲେ ଭାଇନାଙ୍କ ସାଙ୍ଗରେ ।
ମୀରା ରୋଷେଇଘରକୁ ଯାଇ ରୁବି ପାଖରେ ଠିଆ ହେଲା । ତା’ପରେ ରୁବି କାଟୁଥିବା ଗାଜର ଖାଉଖାଉ କହିଲା, “ତୁ ଯାହା କହ ଅପା । ତୁ କିନ୍ତୁ ମଝିମଝିରେ ଭାଇନାଙ୍କୁ ରୋଷେଇ କରିବାକୁ କହିବା କଥା । ରବିବାରରେ ତ ସେ ଘରେ ରହୁଛନ୍ତି । ତାଙ୍କୁ କହ ସେଇ ଦିନ ସିଏ ଖାଇବା ବନେଇବେ । ଆଉ ତୁ ସେଇଦିନ ଆରାମ କରିବା କଥା ।”
ରୁବି କହିଲା, “ତୁ ତାହେଲେ ସୌରଭକୁ କହୁଛୁ ସବୁ ରବିବାର ଦିନ ଖାଇବା ବନେଇବା ପାଇଁ?”
– ହଁ । ସିଏ ତ ସବୁ ରବିବାର ତିଆରି କରନ୍ତି ଲଞ୍ଚ । ମୋର ଆରାମ । ମୀରା ଉତ୍ତର ଦେଲା ।
– ଓହୋ ତା’ହେଲେ ତୁ ରୋଷେଇ ଘର ତାଙ୍କୁ ଛାଡ଼ିଦେଇ ନିଜେ ଗୋଡ଼ହାତ ଟେକି ଟିଭି ଦେଖୁ । ନୁହେଁ? ହସିକି ପଚାରିଲା ରୁବି ।
– ପୁରା ସମୟ ଟିଭି ନ ଦେଖିଲେ ବି ରୋଷେଇରୁ ଛୁଟି । ଦୁଇହାତ ଟେକିଦେଇ କହିଲା ମୀରା ।
– ଆଚ୍ଛା । ତାହେଲେ ପରିବା କଟାକଟି ସବୁ ସେ କରନ୍ତି । ନୁହେଁ? ଭୃଲତା ଟେକି ପଚାରିଲା ରୁବି ।
– ଆଲୋ ନାଇଁ ଲୋ । ପରିବା ତ ମୁଁ କାଟିକି ଦିଏ । ମୀରା ଉତ୍ତର ଦେଲା ।
– ତା’ହେଲେ ମସଲାଟା ସିଏ ବାଟୁଥିବେ? ରୁବି ଫେର ପଚାରିଲା ।
– ନାଇଁ । ସେଇଟା ବି ମୁଁ ବାଟି କି ଦିଏ । ଥତମତ ହେଇ କହିଲା ମୀରା ।
– ତା’ହେଲେ ତେଲ, ଲୁଣ, ହଳଦୀ, ଗୋଟାଏ ମସଲା କଉଠି କ’ଣ ଅଛି ସେ ନିଜେ ବାହାର କରି ଆଣୁଥିବେ ନିଶ୍ଚୟ !!
– ନାଁ ନାଁ । ସେଇ ଜାଗାଗୁଡ଼ା ସେ ଜାଣିନାହାନ୍ତି । ମୁଁ ଗ୍ୟାସଚୁଲା ପାଖରେ ସବୁ ରଖିଦିଏ । ଛେପଢୋକି କହିଲା ମୀରା ।
– ଗ୍ୟାସ ଲଗେଇ ତୁ ହିଁ କୁକର କି କଡ଼େଇ ବସେଇ ଦଉଥିବୁ ବୋଧେ !! ହସିକି ପଚାରିଲା ରୁବି ।
– ହଁ ।
– ଆଉ ଚଟୁ ବି ଧରେଇ ଦଉଥିବୁ ହାତରେ??
– ହଁ । କିନ୍ତୁ ସେତିକି କଲାପରେ ମୋ କାମ ସରିଲା । ତା’ପରେ ଫୁଲ ଆରାମ । ହସିବାକୁ ଚେଷ୍ଟା କଲା ମୀରା ।
– ଓହୋ । ତା’ମାନେ ସେ ରନ୍ଧାବଢ଼ା କରି ରୋଷେଇଘର ସଫା କରି ବାହାରକୁ ଆସନ୍ତି ବୋଧେ । ଅମୋଘ ଅସ୍ତ୍ର ପ୍ରୟୋଗ କଲା ରୁବି ।
– ଆଲୋ ନାଇଁ ନାଇଁ । ରୋଷେଇ ଘର କଥା କହନା!! ମୁହଁକୁ ଖଟା ଖାଇଲା ଭଳି କରିକି କହିଲା ମୀରା ।
– କାଇଁ? କ’ଣ ହେଲା?
– ସେ ରୋଷେଇଘର କଥା କ’ଣ ଆଉ କହିବି? ଇଲୋ ମା ଲୋ ! ମୁଣ୍ଡରେ ହାତ ଦେଲା ମୀରା ।
– କ’ଣ? କହୁନୁ ।
– ସିଏ ରୋଷେଇଘରୁ ଆସିଲା ପରେ ଲାଗେ ଯେମିତି ରୋଷେଇ ଘରେ ମହାବାତ୍ୟା କି ମହାପ୍ରଳୟ ହେଇ ଯାଇଛି । ଏଇ ଜିନିଷ ସେଇ ଜାଗାରେ । ସେଇ ଜିନିଷ ଏଇ ଜାଗାରେ । ହଳଦୀ ଡବାର ମୁହଁ ଲୁଣ ଡବାରେ । ଲୁଣ ଡବା ମୁହଁ ଲଙ୍କା ଡବାରେ । ଚୁଲା ଉପରେ ଡାଲି, ଝୋଳ ସବୁ ପଡ଼ିକି ଶୁଖି ଯାଇଥିବ । ଆଇଁଷ ନିରାମିଷ ସବୁ ମିଶି ଯାଇଥିବ । ହାଣ୍ଡିଧରା କନା ଆଉ ଅଇଁଠା ପୋଛା କନା ସବୁ ଏକାକାର ।
– ଆଉ ସେଗୁଡା ସଫା କରିବାକୁ କେତେ ସମୟ ନିଏ ତତେ? ହସିଲା ରୁବି ।
– ଆଉରି ଅଧ ଘଣ୍ଟେ । ମୀରା ଉତ୍ତର ଦେଲା ।
– ତାହେଲେ ସୌରଭ ରାନ୍ଧିଲେ ସବୁ ମିଶେଇ ତୁ କେତେ ସମୟ ରହୁ ରୋଷେଇ ଘରେ?
– ଦୁଇ ଘଣ୍ଟା କି କେବେ କେବେ ଆଉରି ଅଧିକ ।
– ଆଉ ତୁ ନିଜେ ସବୁ ରାନ୍ଧିଲେ? ରୁବି ପଚାରିଲା ।
– ବେଶୀରେ ବେଶୀ ଗୋଟେ ଘଣ୍ଟା । ଦୁଇ ହାତରେ ନିଜ ମୁଁ ଲୁଚେଇ ଉତ୍ତର ଦେଲା ମୀରା । ତା’କଥା ଶୁଣି ହସିଲା ରୁବି । କହିଲା- ତା’ହେଲେ ଅଧିକ ଆରାମ ତୁ କେତେବେଳେ କଲୁ? ନିଜେ ରାନ୍ଧିଲେ ନା ସୌରଭ ରାନ୍ଧିଲେ?
ମୀରା ବି ହସିଲା ଏଣିକି ତା’କଥା ଶୁଣି ।
– ଓହୋ ହୋ!!! ବୁଝିଗଲି ଅପା । ଖାଲିଟାରେ କି ବଡ଼ ଭଉଣୀ ହେଇଚୁ କି ତୁ? ତତେ ଶହ ଶହ ଦଣ୍ଡବତ । ରୁବି ଆଗରେ ମୁଣ୍ଡ ନୁଆଁଇ ନମସ୍କାର କରି କହିଲା ମୀରା । ତାକୁ ହାତ ଉଠେଇ ଆଶୀର୍ବାଦ ଦେଲା ରୁବି ଆଉ ଦୁଇ ଭଉଣୀ ପୁଣିଥରେ ହସି ପକେଇଲେ ଖୁବ ଜୋରରେ ।
(ବିଶେଷ ଦ୍ରଷ୍ଟବ୍ୟ: ଦୟାକରି ଗପଟିକୁ ଏକ ଲଘୁକଥା ଭାବରେ ଗ୍ରହଣ ଗ୍ରହଣ କରନ୍ତୁ । ଏଇ ଗପର ମାନେ ନୁହେଁ ରୋଷେଇ କେବଳ ସ୍ତ୍ରୀମାନଙ୍କର କାମ ଆଉ ପୁରୁଷମାନେ ରୋଷେଇରେ ନିଜ ସ୍ତ୍ରୀଙ୍କୁ ସାହାଯ୍ୟ କରିବା କଥା ନୁହେଁ । ସେଭଳି ନାରୀବାଦୀ, ପୁରୁଷ ବିରୋଧୀ ଯୁକ୍ତି କରି ଗପର ଲାଘବତାକୁ ନଷ୍ଟ ନ କରିବାକୁ ଅନୁରୋଧ ।)
– ଡ. ସୁଲଗ୍ନା ମହାନ୍ତି
Comments
ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।