କଥାରେ କୁହନ୍ତି, ଓଡ଼ିଶାରେ ବାରମାସରେ ତେର ପର୍ବ । ସତରେ ଆମ ପର୍ବପର୍ବାଣୀ ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା ପର୍ବପର୍ବାଣୀର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର ସହ ଆମେ ପାଳନ କରିଥାଉ । ଏହିସବୁ ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରୁ ନୂଆଖାଇ (Nuakhai) ଖୁବ୍ ପ୍ରସିଦ୍ଧ ।
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ତା’ ପୂର୍ବଦିନ ବିଘ୍ନ ବିନାଶଙ୍କ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ପାଳନ କରାଯାଏ ।
ନୂଆଖାଇରେ ମା’ ବସୁମତୀଙ୍କୁ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ନୂଆ ଚୁଡ଼ାକୁ ଏକ ନୂଆ ହାଣ୍ଡିରେ ଭୋଗ କରାଯାଇ ଘରର ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
ନୂଆଖାଇ ଉପଲକ୍ଷେ ଧନୀ, ଗରିବ ସମସ୍ତେ ଘରକୁ ବହୁତ ଜାକଜମକରେ ସଜାଇଥା’ନ୍ତି । ଘରର ମାଆ, ଝିଅ ଓ ବୋହୂମାନେ ଠାକୁର ଘରଠୁ ଆରମ୍ଭ କରି ସମସ୍ତ ଘରଦ୍ୱାର ଲିପାପୋଛା କରନ୍ତି । ପୂଜା ପାଇଁ ଧୂପ, ଦୀପ, କର୍ପୂର, ବସ୍ତ୍ର ପରିଧାନ ପାଇଁ ନୂଆ ଲୁଗା କିଣାକିଣି କରି ଗହଳି ଚହଳି ହୁଏ । ନୂଆଖାଇ ପୂର୍ବରୁ ଲୋକମାନଙ୍କ ଭିତରେ ବହୁତ ଆନ୍ଦ ଖେଳି ଉଠେ ।
ଏତେ ସବୁ ପ୍ରସ୍ତୁତି ଭିତରେ ସେହି ଆନନ୍ଦର ଦିନ ‘ନୂଆଖାଇ’ ଆସି ପହଞ୍ଚିଯାଏ । ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ନାରୀମାନେ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରନ୍ତି । ନୂଆବସ୍ତ୍ର ପିନ୍ଧି ପୂଜା ସାମଗ୍ରୀ ସଜାଡ଼ନ୍ତି । ଘରର ମୁରବୀ ନୂଆବସ୍ତ୍ର ପିନ୍ଧି ପୂଜାରେ ବସନ୍ତି । ପୁତୃପୁରୁଷଙ୍କୁ ପିଣ୍ଡଦାନ ପରେ ନୂଆ ଧାନ କେଣ୍ଡା ଓ ଚୁଡ଼ା, ପିଠା, ପଣା ଆଦି ଦେବୀଙ୍କୁ ସମର୍ପଣ କରନ୍ତି । ପୂଜା ଶେଷରେ ଘରର ସମସ୍ତେ ଗୋଟିଏ ସ୍ଥାନରେ ବସନ୍ତି । ଦେବୀ ଦେବତାଙ୍କୁ ପାଖରେ ଲଗାଯାଇଥିବା ଭୋଗରେ ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦ ପ୍ରସ୍ତୁତ କରାଯାଏ । ସମସ୍ତେ ପୂର୍ବଦିଗକୁ ମୁହଁ କରି ବସି ଶାଳପତ୍ରର ଚଉତିରେ ବଢ଼ା ହୋଇଥିବା ଏହି ପ୍ରସାଦକୁ ସେବନ କରନ୍ତି । ତା’ ପରେ ସାନମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରନ୍ତି । ଏହାକୁ “ନୂଆଖାଇ ଜୁହାର” କୁହାଯାଏ । ଘରେ ତିଆରି ହୋଇଥିବା ପିଠାପଣା, ଖିରି, ପୁରି, ମିଠା, ଡାଲି, ତରକାରୀ ସମସ୍ତେ ଖାଇଥାନ୍ତି । ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଏ ।
ନୂଆ ଖାଇ ସାରି ଘରର ଝିଅମାନେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ବାହାରି ପଡ଼ନ୍ତି “ନୂଆଖାଇ ଭେଟ୍ଘାଟ୍” ପାଇଁ । ଘର ଘର ସାହି ସାହି ବୁଲି ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୋଇଥାନ୍ତି । ସମସ୍ତେ ଗାଁର ମନ୍ଦିରକୁ ଯାଇ ଦର୍ଶନ କରିଥାନ୍ତି । “ଖରିଫ୍ ଓ ରବି ଫସଲ ଉତ୍ପାଦନ ହେଉ ଏବଂ ସଂସାରରୁ ଅନ୍ନ କଷ୍ଟ ଦୂର ହେଉ” ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତି । ଘୁମୁରା ନାଚ, ଭଜନ, କୀର୍ତ୍ତନ, ନାଟ-ତାମସାରେ ଲୋକେ ନିଜକୁ ହଜାଇ ଦିଅନ୍ତି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନାଚ-ଗୀତ-ବାଦ୍ୟର ତାଳେ ତାଳେ ବେଶ୍ ଆନନ୍ଦରେ ମଜ୍ଜି ଯାଇଥାନ୍ତି ।
ନୂଆଖାଇ ଏକ କୃଷି ସାମାଜିକ ଓ କୃଷିଭିତ୍ତିକ ପର୍ବ । ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ପାଇଁ କୃଷକ ମାନେ ମନରେ ଆନନ୍ଦ ଓ ଉତ୍ସାହ ଖେଳିଯାଏ । ଏହି ପର୍ବର ବିଶେଷତ୍ୱ ହେଲା ଏହା ଜନସାଧାରଣକୁ ସାମାଜିକ ବନ୍ଧନରୁ ଗୁରୁତ୍ୱ ଶିଖାଇ ଦିଏ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ମାନବିକତା ଓ ଭାତୃତ୍ୱର ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି-ଅଜାତି, ଉଚ୍ଚ-ନୀଚ ଭେଦଭାବ ନଥାଏ । ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ସଦଭାବନାରେ ପୂରି ଉଠେ । ଆମର ଧର୍ମ, ସଂସ୍କୃତି ଓ ପରମ୍ପରା ଠିକ୍ ବାଟରେ ପରିଚାଳିତ କରିବାରେ ଏହା ବିଶେଷ ସହାୟକ ହୁଏ ।
ଭୁଲିଭାଲି ରୁସା ଫୁଲା ଆମେ ସଭେ ଭାଇ ଭାଇ
ଦଦା ଭାଇ ଛୁଆ ନୁ ବଡ଼ ଠାନକେ
ମାନିସୁ ନୂଆଁଖାଇ ॥
– ସ୍ନିଗ୍ଧାଲକ୍ଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର
Comments
ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।