ମୋ ବାପା

Odia Story Mo Bapa (ମୋ ବାପା) by Rajesh Kumar Barik

ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍‌ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା… କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ଼ ମାରିବେ । ଖାସ୍ ସେଇଥିପାଇଁ ତ ସେ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବିବେକ ବୋଲି କିଛି ନାହିଁ, ଯେତେବେଳେ ଦେଖିବେ ଯାହା ସହ ଦେଖିବେ ସବୁବେଳେ ଗାଳି କରିବେ । ତାଙ୍କଠାରୁ ଗାଳି/ମାଡ଼ ଖାଇବା ଅପେକ୍ଷା ନଈରୁ ତଳକୁ ଡେଇଁ ପଡ଼ିବା ବହୁତ ଭଲ । କେମିତିକା ବାପା କେଜାଣି ସବୁବେଳେ ମଣିଷଟା ଉପରେ ରାଉ ରାଉ ହେଉଥିବେ, ଟିକେ ଶାନ୍ତିରେ ଟିଭି ଦେଖେଇ ଦେବେନି କି ଫୋନ୍‌‌ରେ ଗେମ୍ ଖେଳିବାକୁ ଦେବେ ନାହିଁ ସବୁବେଳେ କ’ଣ ନା ପାଠ, ପାଠ, ପାଠ । ଆଜି ଯେମିତି ହେଲେ ଗୋଟେ ଫଇସଲା ହୋଇଯିବ । ପରୀକ୍ଷାରେ ପାସ୍ କଲେ ଘରକୁ ଯିବି ନହେଲେ ପୋଲ ତଳକୁ !

ଫୋନ୍‌ର ରିଂ ଶବ୍ଦରେ ଚମକି ପଡ଼ିଲା ରାଜୁ, ସାଙ୍ଗ ଆକାଶ ଫୋନ୍ କରିଥାଏ, ତରବର ହୋଇ ଫୋନ୍‌ଟାକୁ ରିସିଭ୍ କରିନେଲା ।
ରାଜୁ: ହେଲୋ ଆକାଶ… ରେଜାଲ୍ଟ କ’ଣ ହେଲା? ତୁ ଦେଖିଲୁଣିନା ନାହିଁ । ଦେଖିକି ଜଲ୍ଦି କହ ନା, ଭୋକ ଲାଗଲାଣିରେ ସକାଳ ପହରୁ କିଛି ଖାଇନି…
ଆକାଶ: ପିଣ୍ଟୁ, ଅମର, ପାଣି, ବାପି ସବୁ ଫାଷ୍ଟକ୍ଲାସ୍
ରାଜୁ: (ହସ ହସ ମୁହଁରେ) ଆଉ ତୋ’ର?
ଆକାଶ: ଜଷ୍ଟ ପାସ୍
ରାଜୁ: (କନ୍‌ଫ୍ୟୁଜ୍ ହୋଇ ଧୀର ସ୍ୱରରେ) ଆଉ ମୋର?
ଆକାଶ: ତୁ ଫେଲ୍ ହୋଇ ଯାଇଛୁ !
ରାଜୁ: (ବିଶାଦରେ) ହଉ ଠିକ୍ ଅଛି, ରଖୁଛି ।

ମୋବାଇଲ୍‌ଟାକୁ ପାଖରେ ରଖିଦେଇ ଉଦାସରେ ବସି ରହିଥାଏ । ଆଖିରେ ବହି ଚାଲିଥାଏ ଅନବରତ ଅଶ୍ରୁ । ଖାଲି ମନରେ ଭାବୁଥାଏ ଘରକୁ ଗଲେ ବାପା ବହୁତ ମାରିବେ, ଗାଳି କରିବେ । ଛାର ଏ ଜୀବନ ରଖିକି କି ଲାଭ? ତା’ ଠୁ ମରିଜିବା ଶତ ଗୁଣେ ଭଲ । ଗାଁ, ପଡ଼ିଶା, ବନ୍ଧୁ -ବାନ୍ଧବ, ସମସ୍ତେ ପଚାରି ପଚାରି ବିରକ୍ତ କରିଦେବେ ଆଉ ସମସ୍ତଙ୍କୁ ମୁଁ ଫେଲ୍ ହୋଇଛି କହି କହି ଅପମାନର ମୁହଁ ରଖିବା ଅପେକ୍ଷା ମରିଯିବାଟା ବହୁତ ଭଲ । ଫୋନ୍‌ଟା ବାରମ୍ୱାର ରିଂ ହେବାରେ ଲାଗିଥାଏ ତଥାପି ନଜର ନଥାଏ ।

ମନରେ ସାହାସ ବାନ୍ଧି ବସିଥିବା ସ୍ଥାନରୁ ଛିଡ଼ା ହେଲା ରାଜୁ । ଦେଖୁଥାଏ… ପୋଲ ତଳେ ଅକାତ ପାଣି, ମନରେ ପୁଣି ଡର, ଏପାଖେ ମାଆଙ୍କ କଥା ବହୁତ ମନେ ପଡ଼ୁଥାଏ । ଖାଲି କହୁଥାଏ ଭଗବାନ ତୁମେ ଏମିତି କାହିଁକି କଲ? ମୁଁ ଯାଉଛି ତୁମ ପାଖକୁ, ମୋ ଭଳି ପିଲା ତୁମ ପାଇଁ ବୋଝ ମାଅ, ମୋତେ କ୍ଷମା କରିଦେବୁ । ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ କିଛିସମୟ ଛିଡ଼ା ହେଲା, ଆଉ କିଛି ଭାବିବା ପୂର୍ବରୁ ଆଖି ବୁଜି ତଳକୁ ଡେଇଁବାକୁ ଉଦ୍ୟମ କଲା । ଠିକ୍ ଏହି ସମୟରେ ହଠାତ୍ କେହିଜଣେ ତା’ ହାତଟାକୁ ଧରିନେଲେ । ଆଉ କିଛି ଭାବିବା ପୂର୍ବରୁ ଆଖି ଖୋଲି ପଛକୁ ଚାହିଁ ଦେଖେତ ସାମ୍ନାରେ ଗୋଟାପଣି ଛିଡ଼ା ହୋଇ ଥାଆନ୍ତି ତା’ର ବାପା । ମନରେ ଭୟର ଶିହରଣ, ଡରରେ ହାତ ଗୋଡ଼ ଗୋଟାପଣି ଥରୁଥାଏ, ମୁହଁରେ ଗମ୍ ଗମ୍ ଝାଳର ଝଲକ, କାନ୍ଦୁ ନଥାଏ କି ହସୁ ନଥାଏ । ଖାଲି ମୁହଁକୁ ପୋତି ଛିଡ଼ା ହୋଇଥାଏ ରାଜୁ ।

ରାଜୁକୁ ପ୍ରେମ ଭରା ସ୍ପର୍ଶ ଦେଇ ଛାତିକୁ ଆଉଜେଇ ନେଲେ ବାପା, ରାଜୁ ଭୟରେ ମନରେ ଥିବା କୋହକୁ ଆଉ ସମ୍ଭାଳି ପାରିଲା ନାହିଁ । କାନ୍ଦି କାନ୍ଦି ଖାଲି କହୁଥାଏ, “ବାପା ଆଉ କେବେ ବି ଭୁଲ କରିବି ନାହିଁ । କ୍ଷମା କରିଦିଅ ବାପା ।”

“ଏପର୍ଯ୍ୟନ୍ତ ତୁ କଛି ବି ଭୁଲ୍ କରିନୁ, କିନ୍ତୁ ଏବେ ଭୁଲ୍ କରି ଦେଇଥାନ୍ତୁ ଆଉ ସେହି ଭୁଲର ଭରଣା କେହି ବି କରିପାରି ନଥାନ୍ତେ । ଜୀବନ ତ ଗୋଟିଏ ବଡ଼ ପରୀକ୍ଷା, ଇଏ ତ ତା’ର ଏକ ସାମାନ୍ୟ ଅଂଶ । ଯଦି ଜୀବନରେ ଆମେ ହାରିବା ନାହିଁ ତେବେ ଜିତିବା କେମିତି? ଯଦି ଆମେ ପରିଶ୍ରମ କରିବା ନାହିଁ ତେବେ କାନ୍ଦିବା କାହିଁକି?” ରାଜୁ ଖାଲି ବାପାଙ୍କୁ ଜାବୁଡ଼ି ଧରି ନୀରବରେ ଆଖିରୁ ଲୁହ ଝରାଉ ଥିଲା ।

ଆଜି ରାଜୁ ଜୀବନର ବହୁ ପରୀକ୍ଷା ଅତିକ୍ରମ କରି ଆଗକୁ ବଢ଼ିଛି । ସେଦିନର ବାପାଙ୍କର ସେହି କେଇପଦ କଥା ଆଉ ତାଙ୍କ ବିଶାଳ ହୃଦୟର ଭଲପାଇବା ଆଜି ମଧ୍ୟ ତା’ ପାଖରେ ସେମିତି ରହିଛି । ଉପରେ ଟାଣ ଟାଣ କଥା କହୁଥିବା ହୃଦୟ ଭିତରେ ଅଶରନ୍ତି ଭଲପାଇବା ରଖିଥିବା ବ୍ୟକ୍ତି ହିଁ କେବଳ ବାପା ହିଁ ହୋଇପାରନ୍ତି ବୋଲି ସେଦିନ ହୃଦୟଙ୍ଗମ କରି ପାରିଥିଲା । ଆଜି ରାଜୁ ପାଖରେ ତା’ ବାପା ନାହାନ୍ତି ସତ, କିନ୍ତୁ ତାଙ୍କର ପ୍ରତ୍ୟେକଟି କଥା ତା’ର କାମରେ ଆସୁଛି । ସେଥିପାଇଁ ତ ରାଜୁ କାହିଁକି ମୁଁ ମଧ୍ୟ କୁହେ ମୋ ବାପା ହିଁ ମୋ ଆଦର୍ଶ ।

– ରାଜେଶ କୁମାର ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...