ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ ଆସିଥିଲା ଅଦିନରେ ଘୂର୍ଣ୍ଣଝଡ଼ । ତାଣ୍ଡବ ରଚିଗଲା କିଛି କ୍ଷଣରେ । ରୋଡ଼ ଆକ୍ସିଡ଼େଣ୍ଟରେ ବାପା-ମାଆ ଦିହେଁ ଚାଲିଗଲେ ଅଫେରନ୍ତା ରାଇଜକୁ । ଚାରିଆଡ଼େ ଅନ୍ଧାର ଦିଶୁଥାଏ ଆଦର୍ଶକୁ । ନା ନିଜେ ନିଜ ଗୋଡ଼ରେ ଛିଡ଼ା ହେଇପାରିଚି ଏଯାଏଁ । ଏବର୍ଷକୁ ଗ୍ରାଜୁଏସନଟା ସାରିଚି ସତ । ସାନ ଭାଇର ପୁଣି ଇଞ୍ଜିନିୟରଂ ଆଡ଼ମିସନ୍ । ମୁଣ୍ଡ କ’ଣ ହେଇ ଯାଉଥାଏ ଆଦର୍ଶର ।
ସବୁ ସମସ୍ୟାର ବୋଧେ ସମାଧାନ ଥାଏ । ଆଦର୍ଶ ପାଇଲା ବାପାଙ୍କ ଚାକିରୀ ଅନୁକମ୍ପାରେ । ସାନ ଭାଇକୁ ପଢ଼େଇଲା ପାଠ । ହେଲେ ନିୟତିର ଏ କି କରୁଣ ଦୃଶ୍ୟ? ସାନ ଭାଇର ମୁଣ୍ଡ ଖରାପ ହେବାରେ ଲାଗିଲା । ସମ୍ପୂର୍ଣ୍ଣ ମାନସିକ ରୋଗୀ ପାଲଟିଗଲା ବର୍ଷ ଗୋଟାକରେ । ପହଞ୍ଚିଲା ରାଞ୍ଚିରେ ସାନ ଭାଇକୁ ନେଇ । ଏଠି ବଡ଼ ବଡ଼ ମାନସିକ ରୋଗୀକୁ ଠିକ୍ କରାଯାଏ । ସାନଭାଇ ତା’ର ନିଶ୍ଚେ ଠିକ୍ ହେବ ଏ ବିଶ୍ୱାସ ଥାଏ ଆଦର୍ଶର ।
ଡାକ୍ତରଙ୍କ ଚାମ୍ବରକୁ ପଶିଲେ ଦି’ ଭାଇ । ଡାକ୍ତରଙ୍କୁ ଆଦର୍ଶ କିଛି କହିବା ଆଗରୁ ସାନ ଭାଇ କହିଲା, “ବଡ଼ଭାଇ ମୋର ପାଗଳ ହେଇ ଯାଇଚି, ସାର୍ ଟିକିଏ ଭଲ କି ଟ୍ରିଟ୍ମେଣ୍ଟ କରିବେ ।”
ଆଦର୍ଶ: ନାଇଁ ନାଇଁ ସାର୍ ! ମୁଁ ନୁହେଁ ମୋ ସାନ ଭାଇର ମୁଣ୍ଡ ଖରାପ । ସେ ପାଗଳ । ତାକୁ ଭଲ କି ଟ୍ରିଟ୍ମେଣ୍ଟ କରନ୍ତୁ ସାର୍ ।
ଇଏ କହୁଥାଏ ସିଏ ପାଗଳ, ସିଏ କହୁଥାଏ ଇଏ ପାଗଳ । ଡାକ୍ତରଙ୍କ ମଥା ଘୂରିଯାଉଥାଏ ।
ଡାକ୍ତର କହିଲେ, “ହଉ ହେଲା ! ତମେ ଦିହେଁ କେହି ପାଗଳ ନୁହେଁ । ଅସଲ ପାଗଳ ତ ମୁଁ । ଏବେ ତୁମେ ଯାଅ । ଆଉ କେବେ ଆସିଲେ ଏକା ନୁହଁ ସାଥିରେ କାହାକୁ ଆଣିବ । ଜଣା ପଡ଼ିବ କିଏ ରୋଗୀ !”
ଆଦର୍ଶ ଅନୁଭବିଲା, ସବୁ କାମ ଏକା ଏକା କରି ହୁଏନି, ସେଇଥି ପାଇଁ ତ ଗଢ଼ା ସମାଜ । ବେଳେବେଳେ ଆବଶ୍ୟକତା ଅଛି ସମାଜର । ତେଣୁ ତ ମଣିଷ ଏକ ସାମାଜିକ ପ୍ରାଣୀ ।
– ଘନଶ୍ୟାମ ପଲେଇ
Comments
ଘନଶ୍ୟାମ ପଲେଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।