ଭାଷା, ସାହିତ୍ୟ ଓ ସଂସ୍କୃତି

Bhasa, Sahitya O Sanskruti (ଭାଷା, ସାହିତ୍ୟ ଓ ସଂସ୍କୃତି) by Bijaylaxmi Dash

ଭାଷା, ସାହିତ୍ୟ ଓ ସଂସ୍କୃତି – ତିନିଗୋଟି ଭିନ୍ନଭିନ୍ନ ପରିଧିରେ ଅବସ୍ଥାନ କରୁଥିଲେ ମଧ୍ୟ ଏମାନଙ୍କ ଭିତରେ ଏକ ଅନ୍ତଃର୍ନିହିତ ଯୋଡ଼ଣ ରହିଛି । ପ୍ରଥମେ ଆମେ ଭାଷା କଥା କହିବା । ଆମ ଭାଷା ପ୍ରାଚୀନତମ ଭାଷା । ଅତୀତରେ ଆମ ଭାଷାକୁ ଉଡ଼୍ର ଭାଷା କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କାଳିଙ୍ଗୀପ୍ରାକୃତ କୁହାଗଲା । ଦଶମ / ଏକାଦଶ ଶତାବ୍ଦୀରୁ ଆମ ଭାଷା ଲୋକମୁଖରେ ପ୍ରଚଳିତ ହେଲା । ପଞ୍ଚଦଶ ଶତାବ୍ଦୀରେ ପୁରାଣକାର ମାଟିର ମହାକବି ସାରଳା ଦାସ ମହାଭାରତ, ଚଣ୍ଡୀପୁରାଣ ଲେଖିଥିଲେ । ଆମ ଭାଷା ସାରଳାଦାସଙ୍କ ଦ୍ୱାରା ସାହିତ୍ୟିକ ମର୍ଯ୍ୟାଦା ପାଇଲା । ପରବର୍ତ୍ତୀ ସମୟରେ ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ ଜଗନ୍ନାଥ ଦାସ ‘ଓଡ଼ିଆ ଭାଗବତ’ ଲେଖିଲେ । ଆମ ଭାଷା ଋଦ୍ଧିମନ୍ତ ହେଲା । ଆମ ଭାଷାର ସମୃଦ୍ଧ ରୂପକୁ ଦେଖି ସଂସ୍କୃତ ଭାଷାଭିମାନୀ ପଣ୍ଡିତମାନେ ସହିପାରିଲେ ନାହିଁ । ରାଜାଙ୍କ ପାଖରେ ଫେରାଦ ହେଲେ । ଜଗନ୍ନାଥଙ୍କ ଭାଗବତକୁ ତେଲି ଭାଗବତ ବୋଲି କହି ନାକଟେକିଲେ । ଲୋକେ କିନ୍ତୁ ମାଟିର ଭାଷାକୁ ଆଦରିନେଲେ । ଆମେ କଥାବାର୍ତ୍ତା କରୁଥିବା ଭାଷା ସ୍ୱୀକୃତି ପାଇଲା । ଏହାପରେ ବିରୋଧ ହଟିଗଲା । ଏତିକିରେ କଥା କିନ୍ତୁ ସରିଲା ନାହିଁ । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧବେଳକୁ ପୁଣି ଆମ ଭାଷାକୁ ନେଇ ଆଉ ଏକ ବିରୋଧ ମୁଣ୍ଡଟେକିଲା । ସେତେବେଳକୁ ଆମ ରାଜ୍ୟ ତା’ର ସ୍ୱାଧୀନତା ହରାଇ ବସିଥାଏ । ଆମ ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇସାରିଥାଏ । ମୁସଲମାନ, ମୋଗଲ, ମରହଟ୍ଟାମାନଙ୍କର ଅତ୍ୟାଚାର ସହିବା ପରେ ଶେଷରେ ଇଂରେଜ ଶାସନାଧୀନ ହେଲା । ଗୌରବମୟ ଆମ ଓଡ଼ିଆ ଜାତି ହୀନବଳ ପାଲଟିଗଲା । କଥାରେ ଅଛି, ନଇଁ ପଡ଼ିଥିବ ଯେତିକିବେଳେ ବିଧାଏ ମାରିବ ସେତିକିବେଳେ । ଆମ ଦୁର୍ବଳତାର ସୁଯୋଗ ନେଇ ଆମ ମାଟିରୁ ଆମ ଭାଷାକୁ ବିଲୋପ କରିବାର ଚକ୍ରାନ୍ତ ଆରମ୍ଭ ହେଲା । ମାତ୍ର ସେ ଚକ୍ରାନ୍ତ ମଧ୍ୟ ଫଳପ୍ରସୂ ହୋଇପାରିଲା ନାହିଁ । ଭାଷା ଏତେ ଦୁର୍ବଳ ନୁହେଁ ଯେ ସାମାନ୍ୟ ଆଘାତରେ ଦୋହଲିଯିବ; ‘ଭାଷା’ ଆମ ଭଣ୍ଡାର ଘରର ମୂଲ୍ୟବାନ ପଦାର୍ଥ । ଏହା ପ୍ରାଣହୀନ ହୋଇପାରେ, ଭାବ ଏହାର ଅଭିବ୍ୟକ୍ତି କଳା । ଭାବ ଏହାକୁ ଜୀବନ ଶକ୍ତି ପ୍ରଦାନ କରିଥାଏ । ଭାଷାର ବିଲୋପ ଛୋଟିଆ କଥା ନୁହେଁ । ସେଇ ସତୁରୀ ଦଶକ ବେଳକୁ ନୂଆକରି ପାଠପଢ଼ୁଆ ଗୋଷ୍ଠୀଙ୍କର ଆବିର୍ଭାବ ଘଟିଲା । ସମସ୍ତେ ଯୁବକ । ଯୁବସୁଲଭ ଉଦ୍ଦାମତା ସାଙ୍ଗକୁ ଜାତି ପ୍ରତି ସ୍ୱଆବେଗ ପ୍ରବଣ ମାନସିକତାକୁ ପାଥେୟ କରି ଏମାନେ ଅଣ୍ଟାଭିଡ଼ିଲେ । ଯୁବକବର୍ଗ ଭାଷାର ମହତ୍ତ୍ୱ ପ୍ରତିପାଦନ କଲେ ନିଜସ୍ୱ ସୃଷ୍ଟି ମଧ୍ୟରେ ।

ଫକୀରମୋହନ ଲେଖିଲେ –

“ମାତୃଭାଷା ପୋଥି ଛୁଇଁବାକୁ କରେ
କେଉଁ ଜାତି ଅବା ଲଜ୍ଜାବୋଧ କରେ ।”

ରାଧାନାଥ କହିଲେ –

“ପାହିଲାଣି ଘୋର ତାମସୀ ରଜନୀ
ଫୁଟିବ ଉତ୍କଳ ଭାଷା କମଳିନୀ ।”

ଭାଷା ଆମ ଜାତିର ପରିଚୟ । ଭାବ ହେଲା ଚିରପ୍ରବହମାନ ନଦୀ । ଭାଷା ସମାଜ ପାଇଁ ଭାବର ଆଦାନପ୍ରଦାନକାରୀ ଆନିକଟ । ସମାଜରେ ଭାବର ଆଦାନପ୍ରଦାନ ପାଇଁ ଭାଷା । ଭାବକୁ ନେଇ ଭାଷା । ଭାଷା ଅନୁସାରୀ ଭାଷା । ଭାବ ଯେତେ ସରଳ ଓ ପ୍ରତ୍ୟକ୍ଷ ହେବ ଭାଷା ଅନୁରୂପ ଭାବେ ସ୍ୱାଭାବିକ ଓ ଅଭିଧା ଗୁଣସମ୍ପନ୍ନ ହେବ । ତେଣୁ ଆମ ଭାଷା ଯେ ସାହିତ୍ୟର ରକ୍ତ ଓ ଭାବ ତାହାର ଅମ୍ଳଜାନ । ସାହିତ୍ୟ ଏହି ରକ୍ତ ଓ ଅମ୍ଳଜାନରେ ଜୀବନ୍ତ ତଥା ସୁସଂହତ ପାଲଟିଯାଏ । ସଂସ୍କୃତି ଏହାର ତେଜ ଓ ରୂପଲାବଣ୍ୟ । ତେଣୁ ଯେତେ ଘାତପ୍ରତିଘାତ ଆସିଲେ ମଧ୍ୟ, ଘରେ ବାହାରେ ଚାରିଆଡ଼େ ମାଡ଼ ଖାଇଲେ ମଧ୍ୟ ଆମ ଭାଷା ଘରକଣରେ ଜାକିଜୁକି ହୋଇ ବସିନାହିଁ । ଇଏତ ଗଲା ଭାଷାର କଥା, ବର୍ତ୍ତମାନ ସାହିତ୍ୟ ଆଡ଼କୁ ଦୃଷ୍ଟି ଦେବା ।

ପ୍ରଥମେ ‘ସାହିତ୍ୟ’ କ’ଣ ଜାଣିବା ପରେ ସାହିତ୍ୟ ଜଗତ ସମ୍ୱନ୍ଧରେ ଆଲୋଚନା କରିବା । ସାହିତ୍ୟ: ମଣିଷର କଳ୍ପନାର ସୁସଂଯତ ପରିପ୍ରକାଶ । ଆବେଗପ୍ରଧାନ ଭାବ ବହନ କଲାବେଳେ ସେ କାବ୍ୟ ପାଲଟିଯାଏ । ସମର୍ପଣ ଭାବରେ ଗୀତିକବିତା, ଜୀବନ୍ତ ଅଭିବ୍ୟକ୍ତିରେ ସାହିତ୍ୟ ସୁନ୍ଦରୀ ନୃତ୍ୟ-ସଂଗୀତ ଓ ନାଟକ, ଯୁକ୍ତିସିଦ୍ଧ ବୌଦ୍ଧିକ ଆଲୋଡ଼ନରେ ସେ ଗଦ୍ୟ, ‘ଲୋକ’ମାନଙ୍କର ସାର୍ବଜନନୀ ଭାବଉଦ୍‌ବେଳନର ବହନକାରୀବେଳେ ‘ଲୋକସାହିତ୍ୟ’ ରୂପରେ ଉଭା ହୁଏ । କେଉଁମାନେ ସାହିତ୍ୟର ପରିସରଭୁକ୍ତ ହୁଅନ୍ତି । ସାହିତ୍ୟ ଜଗତ କଥା ଚିନ୍ତା କଲାବେଳେ ପ୍ରଥମେ ସେହି ଲୋକମାନଙ୍କର କଥା ମନକୁ ଆସେ । ଯେଉଁମାନେ ଧରାବନ୍ଧା ଜୀବନ, ବିଚାର, ଇତିହାସ ଭିତରେ ବଞ୍ଚନ୍ତି ନାହିଁ । ଜୀବନକୁ ଏକ ନୂଆମୋଡ଼ରେ ନେଇ ସଦା ପରୀକ୍ଷା କରିବାକୁ ଚାହିଁଥାନ୍ତି । ସେମାନେ ପ୍ରେମ କରନ୍ତି, ସଂସାର କରନ୍ତି, ମାତ୍ର ସବୁକିଛି ମାପିଚୁପି, ତଉଲ କରି । ଭାରସାମ୍ୟ ରକ୍ଷାକରି ସମାଜ ଓ ନିଜ ଚିନ୍ତାଧାରା ମଧ୍ୟରେ । ଏମାନେ ସାହିତ୍ୟର ପରିଧିଭୁକ୍ତ ହୋଇଥାଆନ୍ତି ।

କେଉଁ ଏକ ଅବୋଧ, ଆକସ୍ମିକ ମୁହୂର୍ତ୍ତରେ ମୋର ସାକ୍ଷାତ ହୋଇଯାଏ ସାହିତ୍ୟ ସହ । ଭାବପ୍ରବଣତାର ବନ୍ଧନରେ ବାନ୍ଧି ହୋଇଯାଏ । ଲେଉଟି ଚାହିଁଲେ ପଛକୁ ଦେଖେ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିବା ଛୋଟ ପୁଅଟି, ଯିଏ ସମାଜରେ ଆଈର ମୃତ୍ୟୁକୁ ଦେଖିବା ପରେ ପ୍ରଥମକରି ବୁଝେ ‘ମୃତ୍ୟୁ’ ବୋଲି କିଛି ଗୋଟାଏ ଅଛି । ଏହାରି ମାଧ୍ୟମରେ ଧୀରେ ଧୀରେ ଜୀବନକୁ ଚିହ୍ନିବାକୁ ଚେଷ୍ଟା କରେ । ଜୀବନର ମୂଲ୍ୟ ମଧ୍ୟ ବୁଝେ । ପ୍ରାକୃତିକ ନିୟମ ଓ ମଣିଷ ଭିତରେ ଯାହା କିଛି ଆକର୍ଷଣୀୟ ମନୋରମ ଥିଲା ସେସବୁ ଆମକୁ ବାନ୍ଧି ପକାଉଥିଲା । ମୋହାବିଷ୍ଟ କରି ରଖୁଥିଲା । ପାରିପାର୍ଶ୍ୱିକ ପୃଥିବୀେରେ ଯାହା କୃତ୍ରିମ, ଅସୁନ୍ଦର, ଛଳନାମୟ ତାହା ପୀଡ଼ା ଦେଉଥାଏ । ଏବେ ବୁଝିପାରୁଛି ସାହିତ୍ୟର ଜନ୍ମ ଏଇଠୁ । ହୋଇପାରେ ସୁନ୍ଦର ଓ ଅସୁନ୍ଦରକୁ ସମଭାବରେ ଆଦରର ସହିତ ଗ୍ରହଣ କରିବାର କଳାଟି ସାହିତ୍ୟ ଆମକୁ ଶିଖାଏ ।

ଏହା ମଧ୍ୟ ସ୍ୱୀକାର କରୁଛି ଯେ, ସାହିତ୍ୟ କାହା ଉପରେ ଆଶ୍ରା କରେ ନାହିଁ । ଏହା ଏକ ନିର୍ମୂଳୀଲତା ନୁହେଁ ଯେ ଶକ୍ତ ବାଡ଼କୁ ମାଧ୍ୟମ କରି ଏହା ଉପରକୁ ଉଠିଥାଏ । ସୁଦୃଢ଼ ପୃଷ୍ଠଭୂମି ରୂପକ ସାହିତ୍ୟର ଚେର ମାଟି ଭେଦକରି କାହିଁ କେତେ ତଳକୁ ଲମ୍ବିଛି ତା’ର କଳନା କରିହେବ ନାହିଁ । ସାହିତ୍ୟର ସୁଦୃଢ଼ ପୃଷ୍ଠପଟ୍ଟ ଯେ ପାଣ୍ଡିତ୍ୟ ଓ ବିଚାରଧାରା ଏହା କହି ମୁଁ ନିଜକୁ ଖସେଇଦେବାକୁ ଚାହୁଁନି । ସାହିତ୍ୟ ଏକ ପବିତ୍ର କର୍ମ । ତା’ର ରହିଛି ଏକ ପରିପୂର୍ଣ୍ଣ ସଂସାର । ସେଇ ସଂସାର ମଧ୍ୟରେ ସଂଘର୍ଷର ଅଗଣିତ ରୂପକୁ ନିଜ ଭିତରେ ସମାହିତ କରି ସୁନ୍ଦରତାର ମଖମଲି ଚାଦର ଉପରେ ବିସ୍ତାରିତ କରି ଛନ୍ଦ, ଲୟ ଓ ଭାବର ପ୍ରସାର ଭିତରେ ଶବ୍ଦ ଓ ଅର୍ଥର ନୂଆ ସମ୍ବନ୍ଧକୁ ପ୍ରତ୍ୟୟ ଉଦ୍‌ଘାଟନ କରୁଥିବା ଏକ ସ୍ୱୟଂସଂପୂର୍ଣ୍ଣ ସଂସାର ହେଉଛି ‘ସାହିତ୍ୟ’ ।

ସବୁବେଳେ ସାହିତ୍ୟ ଏକ ନୂଆ ଆରମ୍ଭକୁ ଚାହିଁ ବସିଥାଏ । ପ୍ରତ୍ୟେକ କାଳଖଣ୍ଡ ସାହିତ୍ୟ ପାଇଁ ନିଜର ଖୁବ୍ ଆପଣାର । ସମାଜବାଦୀ ଓ ବୈଜ୍ଞାନିକମାନେ ଯାହା ଯୁକ୍ତି ଉପସ୍ଥାପନ କରନ୍ତୁ ନା କାହିଁକି ସାହିତ୍ୟିକ ବା ସ୍ରଷ୍ଟା ପାଖରେ ତା’ ନିଜର ଆର୍ଜିତ ସତ୍ୟ ହିଁ ରହିଥାଏ । ସହୃଦୟ ସାହିତ୍ୟ ପାଖରେ ହିଁ ଚିରକାଳ ବସମ୍ବଦ । ଅନ୍ୟର ଯନ୍ତ୍ରଣା ଓ ପ୍ରକୃତିକୁ ନିଜ ଭିତରେ ସମାହିତ କରିବା ପାଇଁ ନିଜେ ନିଜର ଚିନ୍ତାଧାରା ସହ ବିତର୍କ ପ୍ରତିବାଦ କରିବାର ସାହସ ଓ ସମୟ ଏକାଠି ଠୁଳ କରିବାପାଇଁ ଏକ ଗଭୀର ହୃଦୟବୋଧର ଆବଶ୍ୟକତା ଅଛି । ଏହା ଉଭୟ ସ୍ରଷ୍ଟା ଓ ସହୃଦୟ ପାଠକ ପାଇଁ ଏକାନ୍ତ ଜରୁରୀ । ସେଇଥିପାଇଁ କୁହାଯାଏ ସାହିତ୍ୟ ପାଇଁ ଆବଶ୍ୟକ ସହୃଦୟ ପାଠକ, ଏହା ନିରାଟ ସତ । ସହୃଦୟର ଅନୁପସ୍ଥିତି ବହୁ ସାହିତ୍ୟିକ କୃତିକୁ ଉପଯୁକ୍ତ ମର୍ଯ୍ୟାଦା ଦେଇପାରେ ନାହିଁ ।

ସାହିତ୍ୟ ସୃଷ୍ଟି କରିଦେବା ପରେ ସର୍ଜନକର୍ମ ସଂପୂର୍ଣ୍ଣ ହୋଇଯାଏ । ଏହା ପରେ ଅନେକ ସମୟରେ ପାଠକ ସ୍ରଷ୍ଟାଠାରୁ ଅଧିକ ସ୍ପଷ୍ଟ ଭାବରେ ସୃଷ୍ଟି ମଧ୍ୟରେ ନିହିତ ଭାବବୋଧକୁ ଦେଖିପାରେ । ପାଠକ ତା ସ୍ୱଦୃଷ୍ଟିରେ ସୃଷ୍ଟିର ପୁନଃ ସୃଜନ କରେ । ସ୍ରଷ୍ଟା ମଧ୍ୟ ତା’ରି ମାଧ୍ୟମରେ ସ୍ୱକୃତିକୁ ଆଉ ଏକ ଢଙ୍ଗରେ ଆଉ ଏକ ଭାବରେ ବୁଝିବାକୁ ସମର୍ଥ ହୁଏ । ସେଥିଲାଗି ସବୁ କାଳେ, ସବୁ ସମୟରେ ସାହିତ୍ୟିକ ମନେ ମନେ ଚିହ୍ନରା ଗ୍ରାହକଟିଏ ଖୋଜୁଥାଏ । ଯିଏ ସହୃଦୟ ସାଜି ତା’ର କୃତିକୁ କୃତାର୍ଥ କରିଦେଇପାରିବ ।

ସାହିତ୍ୟର ବଳୟ ଭିତରେ ବିଚରଣ କରୁ କରୁ ଆଉ ଗୋଟିଏ ଦୁଇଟି କଥା ମଧ୍ୟ ମନକୁ ଆସେ । ସ୍ରଷ୍ଟାପୁରୁଷ ବା ସାହିତ୍ୟିକ ପାଇଁ ଯନ୍ତ୍ରଣା ଓ ଉପେକ୍ଷା ନୂଆ କଥା ନୁହେଁ । ଛିଡ଼ିପଡ଼ୁଥିବା ଯନ୍ତ୍ରଣାକ୍ତ ଭାରାକ୍ରାନ୍ତ ଆକାଶଟିକୁ ମୁଣ୍ଡେଇ ନେବାର ସାହସ ଥାଏ କେବଳ ସାହିତ୍ୟିକ ପାଖରେ । ଆମର ଚଢ଼ା-ଉତ୍ତରା, ପଡ଼ିବା-ଉଠିବା, ହାର-ଜିତ୍‌, ସତ-ମିଛ, ପାପ-ପୁଣ୍ୟର ସାକ୍ଷୀ ହେଉଛି ସର୍ଜନଶୀଳ କୃତି । ଆମେ ତାକୁ ଆଡ଼ ଆଖିରେ ନ ଚାହିଁଲେ ବି ସେ କିନ୍ତୁ ଆମ ପାଖରେ ଛାଇ ଭଳି ରହିଥାଏ । କବି ପି.ବି. ଶେଲୀ ‘A Defence of Poetry’ରେ କହିଥିଲେ – “Poetry is connect with the origin of man” ମଣିଷ ଯେଉଁ ମୁହୂର୍ତ୍ତରେ ଜନ୍ମ ନେଉଛି ସେଇ ସମୟରୁ ତା’ ଭିତରେ ସର୍ଜନ ସ୍ରଷ୍ଟାଟିଏ ମଧ୍ୟ ଜନ୍ମଲାଭ କରୁଛି । ସେ ସର୍ଜନ ସତ୍ତାଟି ସବୁକିଛିକୁ ସର୍ଜନଶୀଳ ଦୃଷ୍ଟିଭଙ୍ଗୀ ମଧ୍ୟରେ ଦେଖିବା ଲାଗି ଆମକୁ ପ୍ରବର୍ତ୍ତାଉଛି । ଏକଥା ସତ ଯେ, ସର୍ଜନ ପୃଥିବୀର ପରିଧି ବାହାରେ ଏକାଧିକ ରଙ୍ଗବେରଙ୍ଗର ଜୀବନ ଆମକୁ ଅପେକ୍ଷା କରିଥାଏ । ଏକଥା ମଧ୍ୟ ସତ ଯେ, ସର୍ଜନାର ପୃଥିବୀ ଭିତରେ ଯାହା ଘଟୁଥାଏ, ତାହା ବି ଜୀବନ । ସର୍ଜନକର୍ମ କେବଳ ବାହାରେ ଘଟୁଥିବା ଘଟଣା ଉପରେ ଗୁରୁତ୍ୱ ଦିଏନି । ଅନ୍ତର୍ଜଗତକୁ ମଧ୍ୟ ଦେଖେ । ଆମ ଜୀବନ ଓ ଜୀବନ ବାହାରେ ଘଟୁଥିବା ସମସ୍ତ ଘଟଣା ଓ ଅଘଟଣକୁ ଏକ ଅଦ୍ୱିତୀୟ ଆଭାରେ ଦେଖୁଥାଏ ସାହିତ୍ୟ ସୃଷ୍ଟି । ଆତ୍ମିକ ଅନୁଭବ ଏଠି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାଏ । ଏଣୁ ଏହା ନିର୍ବିବାଦରେ କୁହାଯାଇପରେ ଯେ, ‘ସାହିତ୍ୟ ଏକ ଯଜ୍ଞ’ । ଆମର ଦୁଃଖ, ପୀଡ଼ା ସହ ସାଂସାରିକ ସୁଖମାନକୁ ମଧ୍ୟ ଏଠାରେ ଆହୂତି ଦିଆଯାଏ । ଶେଷରେ ଯେଉଁ ପାଉଁଶ ଟିକକ ରହିଯାଏ ତାହା ସାହିତ୍ୟ ଭାବାର୍ଥ । ଏକ ଶବ୍ଦହୀନ ବାକ୍ୟ । ସେଇ ଅକ୍ଷୟ ବାକ୍ୟ ହିଁ ସାହିତ୍ୟ । ଏ ସଂସାରକୁ ଦଳିଚକଟି ନିଜର ବିଜୟବାନା ପୋତିସାରିଥିଲେ ସର୍ଜନକର୍ମ ପାଖରେ ଶେଷରେ ସ୍ରଷ୍ଟା ମୁଣ୍ଡ ପୋତିଦିଏ । ସହୃଦୟ ପାଠକକୁ ଗପ, କବିତା ବା ନାଟକ ଭେଟି ଦେବାପରେ ହିଁ ସେ ତୃପ୍ତ ହୁଏ । ତେଣୁ ସ୍ରଷ୍ଟା-ସୃଷ୍ଟି ଓ ସହୃଦୟ ମଧ୍ୟରେ ସମ୍ପର୍କ ସଦାକାଳ ସ୍ୱଚ୍ଛ, ଶାଶ୍ୱତ । ଏହି ସମ୍ପର୍କକୁ ଶାଶ୍ୱତରେ ପରିଣତ କରିବାକୁ ହେଲେ ସାହିତ୍ୟ ଭାଷାର ସହଯୋଗ ଲୋଡ଼େ । ଶବ୍ଦମାନଙ୍କର ଏକ ସ୍ୱଅର୍ଥବତ୍ତା ପାଖରେ ଉନ୍ମୁକ୍ତ ଓ ସମ୍ବେଦନଶୀଳ ରହିବାକୁ ପଡ଼େ । ରହିପାରିଲେ ହିଁ ସାହିତ୍ୟ ସୃଷ୍ଟି ହୁଏ । ସାହିତ୍ୟରେ, ଭାଷା କେବଳ ଏକ ନିରୀହ ମାଧ୍ୟମ ବୋଲି ଆମେ ଗ୍ରହଣ କରିବା ଅନୁଚିତ୍ । ସତକଥା କହିବାକୁ ଗଲେ ଅନେକ ସମୟରେ ଆମ ଲେଖାରେ, ଆମ କଥାବାର୍ତ୍ତାରେ ଆମ ଭାଷାକୁ ଅନୁଭବ କରିନଥାଉ । ଭାଷାର ଏକ ଅଭ୍ୟସ୍ତ ପ୍ରୟୋଗ ହିଁ କରିଥାଉ ।

ସାହିତ୍ୟରେ ଆମେ ଆମ ଜଣାଶୁଣା ଶବ୍ଦମାନଙ୍କ ପାଖରେ ଏତେ ତାଜା ସ୍ପନ୍ଦନ ଓ ଭିନ୍ନ ସ୍ୱାଦ ପାଇଥାଉ । ସତେଯେମିତି ସେମାନେ ଏବେଏବେ ଗଢ଼ା ହୋଇଛନ୍ତି । ଶବ୍ଦମାନେ ମିଶି ଗୋଟାଏ ଭାଷା ଗଢ଼ିଛନ୍ତି ଏବଂ ସେହି ରହସ୍ୟମୟ ଭାଷାର ସୁଦୀର୍ଘ କଥା ଝଙ୍କୃତ ହେଉଥାଏ ଉଭୟ ସ୍ରଷ୍ଟା ଓ ପାଠକର ହୃଦୟରେ ।

ବର୍ତ୍ତମାନ ଆମେ ସଂସ୍କୃତି ଗଣ ଆଡ଼କୁ ଯିବା । ପ୍ରଥମେ ସଂସ୍କୃତି କାହାକୁ କୁହାଯାଏ ଅତି ସହଜ ଓ ସରଳ ଭାବରେ ବୁଝାଇ କହିଲେ, ସାମାଜିକ ବା ବ୍ୟକ୍ତିଲବ୍ଧ ବିଭବକୁ ସମାଜର ଭବିଷ୍ୟତ ବଂଶଧରମାନଙ୍କ ହାତରେ ସମର୍ପଣ କରିବା ପାଇଁ ଭାଷାର ସବିଶେଷ ଭୂମିକା ରହିଛି । ଭାଷାର ଲିଖିତରୂପ ମାଧ୍ୟମରେ ସାହିତ୍ୟ ସମେତ ସମସ୍ତ ବିଭବ ପିଢ଼ି ପରେ ପିଢ଼ି ହସ୍ତାନ୍ତରିତ ହୋଇଚାଲିଛି । ଏହାହିଁ ସଂସ୍କୃତିର ମୂଳରୂପ । ଲୋକଗପ, ଲୋକଗୀତ, ଲୋକନାଟ୍ୟ, ପର୍ବପର୍ବାଣୀ, ରୀତିନୀତି, ଚଳଣି, ବେଶପୋଷାକ, ଖାଦ୍ୟପେୟ ସମେତ ବିବିଧ ସାମାଜିକ ଓ ବୌଦ୍ଧିକ ସଂସ୍କାରର ଅନ୍ୟ ନାମ ସଂସ୍କୃତି । ସଂସ୍କୃତିର ଗୋଟେ କାଳେସୀ ଶକ୍ତି ଅଛି । ସେହି ଉତ୍‌ପ୍ରେରକ ଶକ୍ତି ମାଧ୍ୟମରେ ଆମେ ସାହିତ୍ୟ ସର୍ଜନା କରୁ । ଭାଷା ସର୍ଜନାର ବାହାକ ସାଜେ । ବର୍ଷବର୍ଷ ଧରି ସଂସ୍କୃତି ରୂପକ ସୁଦୃଢ଼ ଭିତ୍ତିଭୂମି ଆମକୁ ପ୍ରସ୍ତୁତ କରିବାକୁ ପଡ଼େ । କର୍ଷଣ ଦରକାର ହୁଏ । ଉର୍ବରା ଶକ୍ତି ବଢ଼େଇବାକୁ ହୁଏ । ସଂସ୍କୃତି ସ୍ୱଚ୍ଛଳ ଓ ସ୍ୱକୀୟ । ଏହା ପ୍ରଜ୍ଞାରେ ଆଲୋକ ନେଇ ସମ୍ବେଦନାମାନଙ୍କର ସଂପ୍ରସାରଣରେ ଆହୁରି ଉଜ୍ଜ୍ୱଳ ହୋଇଉଠେ । ସତ କହିବାକୁ ଗଲେ ସାହିତ୍ୟର ଅନ୍ତଃକରଣର ସଂଗଠନ ପାଇଁ ଏକାଦିକ୍ରମେ ଭାଷା ଓ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନ୍ତଃକରଣରେ ଏହିସବୁ ଭିନ୍ନଭିନ୍ନ ଉପାଦାନମାନଙ୍କର ସାମଞ୍ଜସ୍ୟପୂର୍ଣ୍ଣ ସହାବସ୍ଥାନକୁ ସାମାନ୍ୟ କୁହାଯାଇନପାରେ । ଏ ସ୍ଥିତି ଯେତେ ପରିପୂର୍ଣ୍ଣ ହୁଏ, ନିର୍ମାଣ (ରଚନା) ସେତେ ଗଭୀର ଭାବରେ ସ୍ପର୍ଶ କରେ ଜୀବନକୁ ଓ ଯୁଗ-ଯୁଗାନ୍ତଗାମୀ ମନେ ହୁଏ । ସଂସ୍କୃତିକୁ ଧାରଣ କରିିବା ପାଇଁ ସଂସ୍କୃତି ରୂପକ ଉତ୍‌ପ୍ରେରଣ ଶକ୍ତିକୁ ନିଜସ୍ୱ ଶକ୍ତିରେ ବଦଳେଇବା ପାଇଁ ଏବଂ ସମ୍ବେଦନାର ପାହାଚ ଚଢ଼ିବା ପାଇଁ ଅଙ୍ଗୀକାରବଦ୍ଧତାକୁ ଆପଣେଇ ଆପଣାକୁ ପ୍ରସ୍ତୁତ କରିବାକୁ ହେବ ।

ସଂସ୍କୃତି ଗୋଟିଏ ମୂର୍ଚ୍ଛନା । ଗୋଟିଏ ସ୍ପନ୍ଦନ । ଗୋଟିଏ ଅତିନ୍ଦ୍ରୀୟ ବିକାଶ । ସାହିତ୍ୟ ଯଦି ଏକ କଳା, ତେବେ ଜାତିର ସଂସ୍କୃତିକୁ ପ୍ରତିଫଳିତ କରିବା ଏହାର ପ୍ରମୁଖ କାମ । ଆମ ସଂସ୍କୃତି ଯଦି ପୁଚିଖେଳ, ମାଣବସା, ଶାଗପଖାଳ ଭିତରେ ଥାଏ, ତେବେ ତାହା ଆମ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ । ସାହିତ୍ୟ ପାଇଁ ସବୁ ସୁନ୍ଦର, ଗ୍ରହଣୀୟ, ଯାହା ଯେତେବେଳେ ମିଳିଲା ତାହା ସାହିତ୍ୟ ପାଇଁ ନୂଆ ଓ ବିଶିଷ୍ଟ । ପଦ୍ମପୋଖରୀ ଯେମିତି ସୁନ୍ଦର, ଚନ୍ଦ୍ରାଲୋକ ମଧ୍ୟ ସୁନ୍ଦର, ପହଳ ପହଳ ଅନ୍ଧାରକୁ ଘୋଡ଼େଇ ହୋଇବସିଥିବା ଅମାବାସ୍ୟା ମଧ୍ୟ ସୁନ୍ଦର । ପରିପାଶ୍ୱର୍ରୁ ଯାହା ଆହରଣ କରି ଜୀବନ ଜୀଉଁଥାଏ ଓ ମରୁଥାଏ ସେସବୁ ସାହିତ୍ୟ ଭିତରକୁ ଆସିବ ହିଁ ଆସିବ । କିନ୍ତୁ ଆମର ଚାଲିଚଳଣ, ରହଣି ଅଜି ତ ଦ୍ରୁତ ଗତିରେ ବଦଳିବାକୁ ଲାଗିଛି । ଏହି ପରିବର୍ତ୍ତିତ ସଂସ୍କୃତିର ନୂତନ ବିଜ୍ଞାପନ ପିନ୍ଧି ଛିଡ଼ାହୁଏ । ସଂସ୍କୃତିର ଅନ୍ତର୍ବିଷୟୀ ଅନୁଭବମାନଙ୍କୁ କେଉଁଠି କେମିତି ଅତି ଯତ୍ନସହକାରେ ଅତି ସୁନ୍ଦର ଭାବରେ ଆଶ୍ରୟ ଦେଇଥାଏ ।

ତେବେ ସଂସ୍କୃତି ରାଜନୈତିକ, ସାମାଜିକ, ଆଚାରଗତ, ଆଧ୍ୟାତ୍ମିକ, ନୈତିକତମାମ ବ୍ୟବସ୍ଥାମାନଙ୍କ ଦ୍ୱାରା ପ୍ରଭାବିତ ହୁଏ । ସମୟର ପରିବର୍ତ୍ତନ ସହିତ ନିୟମ କାନୁନ୍‌ରେ ପରିବର୍ତ୍ତନର ଆବଶ୍ୟକ ହୁଏ । ସଂସ୍କୃତି ବି ବଦଳୁଥିବା ପରମ୍ପରାକୁ ଗ୍ରହଣ କରେ । ସେଥିପାଇଁ କୁହାଯାଏ ସଂସ୍କୃତି ପରିବର୍ତ୍ତନଶୀଳ । ସଂସ୍କୃତି ଏକ ପ୍ରବାହ । ସାହିତ୍ୟ ଓ ସଂସ୍କୃତି କୋଉଁଠି କେତେବେଳେ ପରସ୍ପରକୁ ଛୁଇଁଯାଆନ୍ତି ତାହା ଜଣାପଡ଼େ ନାହିଁ । ସାହିତ୍ୟିକ ଭାବୁଥାଆନ୍ତି ଯେ ସେ ସମାଜର ବାସ୍ତବ ରୂପର ରୂପାୟନ କରୁଛନ୍ତି । କିନ୍ତୁ ତାହାର ଆଢ଼ୁଆଳରେ କେତେବେଳେ ସଂସ୍କୃତିର ଚୋରା ମୁହଁଟି ଉଙ୍କିମାରିଥାଏ, ତାହା ସେ ନିଜେ ବି ଜାଣିନଥାନ୍ତି । ଏ ପ୍ରସଙ୍ଗରେ ମହାଦେବୀ ବର୍ମା କୌଣସି ଏକ କବିତାର ପୃଷ୍ଠଭୂମିରେ କହିଥିବା କଥାଟିକୁ ଉଲ୍ଲେଖ କରୁଛି । ତାଙ୍କ କହିବାନୁଯାୟୀ ସହସ୍ରଦଳ କମଳ ଧୀରେ ଧୀରେ ଉନ୍ନୀଳିତ ହେବା ତାଙ୍କ ଦୃଷ୍ଟିରେ ସୁନ୍ଦର ଓ ତଜ୍ଜନିତ ଅନୁଭୂତି ଶିବ । ଭିତରେ କମଳକୋଷରେ ବସିଥିବା ମହୁମାଛିଟି ଜୀବନରୂପକ ମଧୁ ଚୋଷୁଥାଏ । ପାଖୁଡ଼ା ଉପରେ ଚକ୍‌କର କାଟି ଘୁରୁଥିବା ଭଅଁରଟି କେବଳ ବାସ୍ନାକୁ ଚିହ୍ନିଥାଏ । ଜୀବନ ରୂପକ ଆସ୍ୱାଦନ ହେଉଛି ସତ୍ୟ । ତେଣୁ ସଂସ୍କୃତି ସତ୍ୟ-ଶିବ-ସୁନ୍ଦରର ଆଧାର ଭୂମି । ଠିକ୍‌ଯେମିତି ଜୀବନର ସତ୍ୟ ସାମ୍‌ନାରେ ଭାଷା-ସାହିତ୍ୟ-ସଂସ୍କୃତି ଦଣ୍ଡାୟମାନ ହୋଇଥାଆନ୍ତି । ସର୍ଜନଶୀଳ ସ୍ରଷ୍ଟା ଜୀବନ ପାଖରୁ ପଳାୟନ ନ କରି ଗଭୀର ନିର୍ଲିପ୍ତତାର ସହିତ ଏକ ସଂକଳ୍ପବୋଧକୁ ନେଇ ଜୀବନର ସୌନ୍ଦର୍ଯ୍ୟକୁ ମାଧୁର୍ଯ୍ୟକୁ ଉପଭୋଗ କରୁଥାଏ ।

– ବିଜୟଲକ୍ଷ୍ମୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...