ଗୁରୁ ହିଁ ମଙ୍ଗଳ ମୟ

Odi Poem Guru Hin Mangalamaya (ଗୁରୁ ହିଁ ମଙ୍ଗଳ ମୟ) by Gupteswar Chand

ଗୁରୁ ହିଁ ମଙ୍ଗଳମୟ ଧରା ବୁକେ
ଭବ ସିନ୍ଧୁ କର୍ଣ୍ଣ ଧାର ।
ଗୁରୁ ଶ୍ରୀ ଅଧରୁ ସଦା ଝରୁଥାଏ
ଶିଷ୍ୟ ପାଇଁ ସୁଧା ଝର ॥

ଗୁରୁଙ୍କ ଦୃଷ୍ଟିରେ ଦେଖିଲେ ସର୍ବଦା
ଚଲାପଥ କୁସୁମିତ ।
ଆପଣା ଆଖିରେ ବାଟ ଚାଲେ ଯେବେ
ଶିଷ୍ୟ ହୁଏ କଳଙ୍କିତ ॥

ଗୁରୁ ଜ୍ଞାନଦାତା ମୁକତି ପ୍ରଦାତା
ଗୁରୁ ସର୍ବଜ୍ଞ ପୁରୁଷ ।
ଗୁରୁ ସିନା ଦେଖି ପାରନ୍ତି ନୟନେ
ଶିଷ୍ୟର ଭୂତ ଭବିଷ୍ୟ ॥

ସମଗ୍ର ସୃଷ୍ଟିରେ ଗୁରୁଙ୍କ ଦୃଷ୍ଟିରେ
ସୃଷ୍ଟି ପରା ମଧୁମୟ ।
ଘଟେ ଘଟେ ବିରାଜିତ ନାରାୟଣ
ଏ ଜଗତ ବ୍ରହ୍ମ ମୟ ॥

ଗୁରୁଙ୍କୁ ଗୋଚର ଶିଷ୍ୟର ଅନ୍ତର
ନିହିତ ଭାବ ସମୂହ ।
ଚିନ୍ତଇ ଯାହା ସେ ପ୍ରତି କ୍ଷଣେ ମନେ
କିସ ନ ଜାଣନ୍ତି କୁହ ॥

ରାମକୃଷ୍ଣ ପରମହଂସଙ୍କ ପରି
ଗୁରୁ ବିଶ୍ୱରେ ବିରଳ ।
ଧନ୍ୟ ସେ ଜନନୀ ଧନ୍ୟ ସେ ଜନକ
ଏ ଭଳି ଶାନ୍ତ ସରଳ ॥

ଗୁଣବନ୍ତ ବିଦ୍ୟାବନ୍ତ ବୁଦ୍ଧିବନ୍ତ
କ୍ଷମାବନ୍ତ ଶୀଳ ଯୁକ୍ତ ।
ଏମନ୍ତ ସ୍ଵଭାବ ସନ୍ତାନ ପ୍ରଦତ୍ତ
କଲ ଆହେ ତାତ ମାତ ॥

ମାତୃକୃପା ଲଭି ସାଧନାରେ ସିଦ୍ଧି
ବଳେ ଜଗତ ପ୍ରସିଦ୍ଧ ।
ଶିଷ୍ୟ ଶିରୋମଣି ବିଶ୍ୱରେ ଅଗ୍ରଣୀ
ହେଲେ ପାଇ ଆଶୀର୍ବାଦ ॥

ଚିକାଗୋ ସହରେ ଧର୍ମ ସଭା ମଧ୍ୟେ
ବଜ୍ର ନିର୍ଘୋଷ କଣ୍ଠରେ ।
ସନାତନ ଧର୍ମ ମହିମା ବର୍ଣ୍ଣନ
କଲେ ଏ ଧରା ପୃଷ୍ଠରେ ॥

ବିଶ୍ଵରେ ବନ୍ଦିତ ବିବେକ ଆନନ୍ଦ
ଅନୁପମ ଅବଦାନ ।
ଯୁଗେ ଯୁଗେ ଏହି ଅମର କିରତୀ
ଧ୍ୱଜ କଲ ଉତ୍ତୋଳନ ॥

– କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...