ଗୈାରୀଶଙ୍କର ଭଞ୍ଜ ଅବସରପ୍ରାପ୍ତ ସେନା ଅଧିକାରୀ । ଘର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର । ପରିବାର କହିଲେ ଦୁଇ ପୁଅ, ଦୁଇ ଜଣ ଯାକ ବିବାହ କରିସାରିଛନ୍ତି । ବଡ଼ ପୁଅ ତ୍ରିଲୋଚନ, ବୋହୂ ମାନସୀ ଆଉ ନାତି ଆନନ୍ଦ ଭୁବନେଶ୍ୱରରେ ରୁହନ୍ତି । ସାନ ପୁଅ ରଜତ, ବୋହୂ ଶୁଭଶ୍ରୀ ଆଉ ନାତୁଣୀ ପ୍ରୀତି କଲିକତାରେ ରୁହନ୍ତି । ପତ୍ନୀ ବସୁନ୍ଧରା ଆରପାରିକୁ ଯିବା ସାତ ବର୍ଷ ହେଲାଣି । ପତ୍ନୀଙ୍କ ଅନ୍ତେଷ୍ଟିକ୍ରିୟା ସରୁ ସରୁ ଦୁଇ ପୁଅଙ୍କ ମଧ୍ୟରେ ବାପା କେଉଁଠି ରହିବେ, ସମ୍ପତ୍ତି କେମିତି ଭାଗ ହେବ ଏ ନେଇ ବଚସା ଆରମ୍ଭ ହୋଇଯାଇଥିଲା । ମାତ୍ର ଗୈାରୀଶଙ୍କର ବାବୁ ଟାଣୁଆ ଲୋକ, ଦୁଇ ପୁଅଙ୍କୁ ତାଗିଦ୍ କରି କହିଦେଇଥିଲେ ମୋତେ ତୁମେ ଦୁଇ ଜଣ କେହି ପୋଷିବାର ଆବଶ୍ୟକତା ନାହିଁ । ଆଉ ମୁଁ ଥିବାଯାଏଁ ଏ ସମ୍ପତ୍ତି ମଧ୍ୟ ଭାଗ ବାଣ୍ଟ ହେବ ନାହିଁ । ଏହା ପରେ ଦୁଇ ପୁଅ ନିଜ ପତ୍ନୀଙ୍କୁ ଧରି କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ । ଦୁଇ ଭାଇଙ୍କ ମଧ୍ୟରେ ସେଦିନଠାରୁ କଥାବାର୍ତ୍ତା ବନ୍ଦ । ଘରକୁ ଆସିଲେ ମଧ୍ୟ ଆଗ ପଛ ହୋଇ ଆସନ୍ତି ଆଉ କେହି କାହାକୁ ନ ଚିହ୍ନିଲା ଭଳି ବ୍ୟବହାର କରନ୍ତି ।
କରୋନା ଆସିବା ପରେ ଏଥର କିନ୍ତୁ ଦୁଇ ଭାଇ ଏକା ତାରିଖରେ ଗାଁ’କୁ ଆସିଛନ୍ତି ହେଲେ ଏଭଳି ବିପତ୍ତି ସମୟରେ ମଧ୍ୟ ଦୁଇ ଭାଇ ପରସ୍ପର କଥା ହୋଇ ନାହାନ୍ତି । ଦୁଇ ଭାଇ ଅଲଗା ରୋଷେଇ କରି ଖାଆନ୍ତି ଆଉ ଗୈାରୀଶଙ୍କର ବାବୁ ମଧ୍ୟ ଏକୁଟିଆ ରୋଷେଇ କରି ଖାଆନ୍ତି । ଉଭୟଙ୍କ ମନରେ କିନ୍ତୁ ବାପାଙ୍କ ପ୍ରତି ଭଲପାଇବା ଥାଏ ଆଉ ଡର ବି ! ସମୟ ପାଇଲେ ଏକା ଏକା ବାପାଙ୍କ ପାଖରେ ବସି କଥା ହୁଅନ୍ତି । ନାତି ଆନନ୍ଦ ଆଉ ନାତୁଣୀ ପ୍ରୀତି କିନ୍ତୁ ସବୁବେଳେ ଜେଜେବାପାଙ୍କ ପାଖରେ । ଭାଇ ଭଉଣୀ ସାଙ୍ଗହୋଇ ଖେଳନ୍ତି ଆଉ ଏହାକୁ ତ୍ରିଲୋଚନ ଆଉ ରଜତ କେବେ ବାରଣ ମଧ୍ୟ କରି ନାହାନ୍ତି ।
ଆସନ୍ତା କାଲି ପଣା ସଂକ୍ରାନ୍ତି ବୋଲି ଗୈାରୀଶଙ୍କର ବାବୁ ସନ୍ଧ୍ୟାରେ ରଘୁନାଥପୁର ବଜାରରୁ ଫେରିବା ସମୟରେ ପଣା ପାଇଁ ଆବଶ୍ୟକୀୟ ସାମଗ୍ରୀର ତିନୋଟି ଥଳୀ ଧରି ଘରକୁ ଫେରିଲେ । ଆଉ ଦାଣ୍ଡ ଘରେ ଥିବା ଚଉକିରେ ବସି ଦୁଇ ବୋହୂ ମାନସୀ ଆଉ ଶୁଭଶ୍ରୀଙ୍କୁ ଡାକି ଗୋଟେ ଗୋଟେ ଥଳୀ ଧରେଇ କହିଲେ, “ଏ ଜିନିଷ ତକ ଧର କାଲି ଦୁହେଁ ପଣା କରିବ । ଦେଖିବା କାହା ପଣା ଭଲ ଲାଗୁଛି । ଆଉ ମୁଁ ବି ପଣା କରି ତୁମ ଦୁହିଁଙ୍କୁ ପିଇବାକୁ ଦେବି । ଏ ଦେଖ ମୋ ପଣା ତିଆରି ସାମଗ୍ରୀ ।”
ରାତି ପାହିଲା, ସକାଳୁ ସକାଳୁ ଚଉରା ପୂଜା ମଧ୍ୟ ସରିଲା । ଏଥର ପୁଣି ଥରେ ଗୈାରୀଶଙ୍କର ବାବୁ ଡାକ ମାରି ଦୁଇ ବୋହୂଙ୍କୁ କହିଲେ, “ଏଥର ପଣା କରିବା କାର୍ଯ୍ୟ ଆରମ୍ଭ ହେଉ, ଦେଖିବା କାହା ପଣା ଭଲ ହେଉଛି !” ଏତକ କହି ଗୈାରୀଶଙ୍କର ବାବୁ ନିଜେ ମଧ୍ୟ ପଣା ତିଆରିରେ ଲାଗି ପଡ଼ିଲେ । ପାଖରେ ନାତି ଆନନ୍ଦ ଆଉ ନାତୁଣୀ ପ୍ରୀତି ଥାଆନ୍ତି । ଆଗ ନଡ଼ିଆ କୋରା କାର୍ଯ୍ୟ ଆରମ୍ଭ ହେଲା । ଏମିତି ନାତି ନାତୁଣୀଙ୍କ ସହ ମଜା କରୁ କରୁ ହଠାତ୍ ଗୈାରୀଶଙ୍କର ବାବୁଙ୍କ ହାତ ନଡ଼ିଆ କୋରାରେ ବାଜି ଜୋରରେ କଟି ଗଲା ଆଉ ରକ୍ତ ମଧ୍ୟ ବାହାରିବାକୁ ଲାଗିଲା । ଜେଜେଙ୍କ ହାତରୁ ରକ୍ତ ଦେଖି ଆନନ୍ଦ ଆଉ ପ୍ରୀତି ଦୁଇ ଜଣଯାକ ଜୋରରେ ପାଟି କରି ଡାକ ପକାଇଲେ, “ବାବା ମାମା ଜେଜେଙ୍କ ହାତ କଟି ଗଲା ଜଲଦି ଆସ ।” ସଙ୍ଗେ ସଙ୍ଗେ ସମସ୍ତେ ସେଠାରେ ପହଞ୍ଚିଗଲେ । ଗୈାରୀଶଙ୍କର ବାବୁ କିନ୍ତୁ ସମସ୍ତଙ୍କୁ କହିଲେ, “ଆରେ କିଛି ହୋଇ ନାହିଁ ଟିକେ ବାଜି ଯାଇଛି, ବ୍ୟସ୍ତ ହୁଅନି ତୁମେମାନେ ।” ବଡ଼ ପୁଅ ତ୍ରିଲୋଚନ ବାପାଙ୍କ ହାତ ଧରି କହିଲେ, “କ’ଣ କିଛି ହୋଇନାହିଁ ! ଏତେ ପରା କଟି ଯାଇଛି ବାପା ।” ଆଉ ସାନ ପୁଅ ରଜତ କହିଲେ, ହଁ ବାପା ଚାଲ ଯିବା ଡାକ୍ତରଖାନାରେ ଦେଖେଇ ଆସିବା ।” ଗୈାରୀଶଙ୍କର ବାବୁ ପୁଣି କହିଲେ, “ଆରେ ନାଇଁ କିଛି ହୋଇନାହିଁ ତୁମେମାନେ ଯାଅ ଜମା ଚିନ୍ତା କର ନାହିଁ । ହେଲେ ମୁଁ ବୋହୂମାନଙ୍କୁ କହିଥିଲି ମୋ ହାତ ତିଆରି ପଣା ପିଇବାକୁ ଦେବି । ହାତ ତ କଟିଗଲା, ଏବେ ସେମିତି ଅଳ୍ପେବହୁତେ ପଣା ତିଆରି କରି ଦେବି ।” ବଡ଼ ପୁଅ ତ୍ରିଲୋଚନ କହିଲେ, “ଥାଉ ବାପା ମାନସୀ ପରା ପଣା କରିଛି ! ଆପଣ ପିଇବେ, ଆଉ ପଣା କରିବା ଦରକାର ନାହିଁ ।” ସାନପୁଅ ରଜତ ମଧ୍ୟ କହିଲେ, “ହଁ ବାପା, ଶୁଭଶ୍ରୀ ମଧ୍ୟ ପଣା କରି ସାରିଲାଣି ଆପଣ ପିଇବେ । ଏ ପଣା ଆଉ କରିବା ଦରକାର ନାହିଁ ।” ଦୁଇ ପୁଅଙ୍କ କଥା ଶୁଣି ଗୈାରୀଶଙ୍କର ବାବୁ କହିଲେ, “ଆରେ ମୋ ପଣା ଅଲଗା ସ୍ଵାଦର ହେବ, ସେମାନେ ଛୁଆଗୁଡ଼ା, କ’ଣ ଜାଣିଛନ୍ତି? ହଉ ତୁମେମାନେ ଯାଅ ।” ସାନ ପୁଅ ରଜତ କହିଲେ, “ନାଁ ବାପା ଆପଣ ଜିଦ୍ କରନ୍ତୁ ନାହିଁ । ଗୋଟିଏ କାମ କରିବା, ଆପଣ କୁହନ୍ତୁ କ’ଣ କେମିତି ପଣା ହେବ ମୁଁ କରି ଦେଉଛି ।” ବଡ଼ ପୁଅ ତ୍ରିଲୋଚନ ମଧ୍ୟ ସମାନ କଥା କହିଲେ, “ହଁ ବାପା ଯଦି ପଣା କରିବା ନିହାତି ଆବଶ୍ୟକ ତେବେ ଆପଣ ବସନ୍ତୁ ଆଉ କୁହନ୍ତୁ ମୁଁ କରି ଦେଉଛି ।”
ଗୈାରୀଶଙ୍କର ବାବୁ କହିଲେ, “ନା ! ତୁମେମାନେ ଏକୁଟିଆ ପାରିବ ନାହିଁରେ…” ସାନପୁଅ ରଜତ କହିଲେ, “ହଉ ଆପଣ କୁହନ୍ତୁ ଆମେ ସାଙ୍ଗ ହୋଇ କରୁଛୁ ତା’ହେଲେ !” ଏଥର ଗୈାରୀଶଙ୍କର ବାବୁ ଆଉ ବିଳମ୍ବ ନ କରି ସଙ୍ଗେ ସଙ୍ଗେ କହିଲେ, “ପାରିବ ତ?” ବଡ଼ପୁଅ ତ୍ରିଲୋଚନ କହିଲେ, “ହଁ ବାପା ଆପଣ ଖାଲି କହି ଚାଲନ୍ତୁ ।” ଗୈାରୀଶଙ୍କର ବାବୁ ସେଇ ଚଉକିରେ ବସି କହି ଚାଲିଲେ, “ରଜତ ତୁ ନଡ଼ିଆ କୋର, ତ୍ରିଲୋଚନ ତୁ ବେଲକୁ ଫଟେଇ ମଞ୍ଜି ଅଲଗା କର ।” ରଜତ ବଡ଼ ଭାଇ ତ୍ରିଲୋଚନଙ୍କୁ କହୁଥାନ୍ତି, “ଆରେ ସେମିତି ନୁହେଁ ଭାଇ ଭଲରେ ମଞ୍ଜି ବାଛ ନହେଲେ ରହି ଯିବ ।” ଆଉ ତ୍ରିଲୋଚନ ସାନ ଭାଇ ରଜତଙ୍କୁ କହୁଥାଆନ୍ତି, “ହଁ ହଁ… ତୁ ବି ଦେଖିକି ନଡ଼ିଆ କୋର, ନହେଲେ ବାପାଙ୍କ ଭଳି ତୋର ବି ହାତ କଟିଯିବ ।” ଏମିତି ଗୈାରୀଶଙ୍କର ବାବୁ ଗୋଟିଏ ପରେ ଗୋଟିଏ କାମ କହି ଚାଲିଲେ ଆଉ ଦୁଇ ଭାଇ ମିଶି ପଣା ତିଆରିରେ ଲାଗି ପଡ଼ିଲେ । ଆଉ ଶେଷରେ ପଣା ତିଆରି ହୋଇଗଲା । ଗୋଟିଏ କାଚ ଗ୍ଲାସରେ ପଣା ଭରିକରି ବଡ଼ ପୁଅ ତ୍ରିଲୋଚନ ବାପାଙ୍କ ହାତକୁ ବଢ଼େଇ ଦେଲେ । ଆଉ ଗୈାରୀଶଙ୍କର ବାବୁ ଗ୍ଲାସ୍କୁ ଧରି ବୋହୂ ମାନଙ୍କୁ ମଧ୍ୟ ନିଜ ପଣା ନେଇକରି ଆସିବା ପାଇଁ କହିଲେ ।
ଗୈାରୀଶଙ୍କର ବାବୁ ଚଉକିରେ ବସିଥାନ୍ତି, ଦୁଇ ପୁଅ ଆଉ ଦୁଇ ବୋହୂ ସାମ୍ନାରେ ଠିଆ ହୋଇଥାନ୍ତି ଆଉ ତିନୋଟି ଗ୍ଲାସ୍ ପଣା ସାମ୍ନା ଟେବୁଲ୍ ଉପରେ ଥୁଆ ହୋଇଥାଏ । ଗୈାରୀଶଙ୍କର ବାବୁ ପଚାରିଲେ, “କହିଲ ଦେଖି କେଉଁ ପଣାଟି ସବୁଠାରୁ ଅଧିକ ସ୍ଵାଦିଷ୍ଟ ହୋଇଥିବ?” କେହି କିଛି କହିବା ଆଗରୁ ପଛରୁଥାଇ ନାତୁଣୀ ପ୍ରୀତି ବଡ଼ ପାଟିରେ କହିଲା, “ଯେଉଁ ପଣାକୁ ବଡ଼ ବାବା ଆଉ ବାବା ସାଙ୍ଗ ହୋଇ କରିଛନ୍ତି ସେ ପଣା ହିଁ ସୁଆଦିଆ ହୋଇଥିବ ଜେଜେବାପା !” ଗୈାରୀଶଙ୍କର ବାବୁ କହିଲେ, “ଦେଖିଲ ଛୋଟ ଛୁଆଟି ବି ଜାଣିପାରିଲା କେଉଁଟି ଆଉ କାହିଁକି ସୁଆଦିଆ ହେଇଥିବ । ହେଲେ ତମେ ଦୁହେଁ ଜାଣିପାରିଲନି । ଆରେ ତୁମେ ଦୁଇ ଜଣ ପରା ସାତ ବର୍ଷ ହେଲା କଥା ହେଉ ନଥିଲ ! ଏ ପଣା ତ ବାହାନା ଥିଲା ତୁମକୁ ଦୁହିଁଙ୍କୁ ମିଶେଇବା ପାଇଁ । ଦେଖୁଛ ସେଠି ଭାଇ ଭଉଣୀ ଦୁଇ ଜଣ ଖେଳୁଛନ୍ତି? ତୁମେ ଦୁଇ ଭାଇ ମଧ୍ୟ ପିଲାଦିନେ ଏମିତି ଖେଳୁଥିଲ । ହେଲେ ଯେମିତି ବଡ଼ ହୋଇଗଲ ତୁମର ବେଶୀ ବୁଦ୍ଧି ଆସିଗଲା… ସେଥିପାଇଁ ଆଉ କଥା ବାର୍ତ୍ତା ବି ହେଲାନି । ମୋ ହାତ କଟିଗଲା ବୋଲି ଦୁହେଁ କାହିଁକି ଏକାସାଙ୍ଗରେ ଦୈାଡ଼ି ଆସିଲ? ଏକାସାଙ୍ଗରେ ଆସିଲ କାହିଁକି ନା ମୋ ରକ୍ତ ତୁମେ । ସେମିତି ତୁମେ ଦୁଇ ଜଣ ପରା ଏଇ ଗୋଟିଏ ରକ୍ତର, ଅଲଗା ରହୁଛ କେମିତିରେ?” ବାପାଙ୍କଠାରୁ ଏତକ ଶୁଣି ଦୁଇ ଭାଇଙ୍କ ଆଖି ଛଳ ଛଳ ହୋଇସାରିଥିଲା ।
ଗୈାରୀଶଙ୍କର ବାବୁ ପୁଣି କହିଲେ, “ଦେଖ ଏ କାଚ ଗ୍ଲାସରେ ଥିବା ପଣାକୁ ! କେତେ ପ୍ରକାର ଜିନିଷ ପଡ଼ିଲା ପରେ ହିଁ ଏ ପଣା ହୋଇଛି । ସବୁ ସାମଗ୍ରୀ ମିଶିଲେ ହିଁ ଏହା ସ୍ଵାଦିଷ୍ଟ ଲାଗେ । ଜୀବନଟା ବି ଠିକ୍ ଏଇ ପଣା ଭଳି । ସମସ୍ତଙ୍କର କିଛି ନାଁ କିଛି ଭଲ ଗୁଣ ଆଉ ଖରାପ ଗୁଣ ରହିଛି, କିନ୍ତୁ ସମସ୍ତେ ସାଙ୍ଗ ହୋଇ ରହିଲେ ହସ ଖୁସିରେ ଜୀବନ ବିତି ଯାଏ । ଆଉ ଜୀବନ ସୁଖଦ ମଧ୍ୟ ହୋଇଥାଏ । ମୋ କଥା ମୁଁ କହିଲି ଏଥର ତୁମେ ଦୁଇ ଭାଇ କୁହ ତୁମେମାନେ କ’ଣ ଚାହୁଁଛ?”
ବାପାଙ୍କ କଥା ଶୁଣି ସାରିବା ପରେ ଦୁଇ ଭାଇ ଛଳଛଳ ଆଖିରେ ପରସ୍ପର ମୁହଁକୁ କିଛି ସମୟ ଚାହିଁ ରହିଲେ । ଆଉ କିଛି ସମୟର ନୀରବତା ପରେ ବଡ଼ ଭାଇ ତ୍ରିଲୋଚନଙ୍କ ପାଖକୁ ଧାଇଁ ଯାଇଥିଲେ ରଜତ ଆଉ ଯୋରରେ ପରସ୍ପରକୁ ଜାବୁଡ଼ି ଧରି ଦୁଇ ଭାଇ ଭେଁ ଭେଁ ହୋଇ କାନ୍ଦୁଥିଲେ ।
– ସତ୍ୟବ୍ରତ ପରିଡ଼ା