ନାଁ ତୋ’ର ଉଡ୍ର, କଳିଙ୍ଗ, ଓଡ଼ିଶା
ମମତାମୟୀ ତୁ ସେନେହ ଝରା,
ମାତାମହୀ ମୋ’ ଭାରତ ହେଲେ
ତୁ ମୋ ଜନନୀ ଶୋକ ପାଶୋରା ।
ମୋ ପୂର୍ବ ପୁରୁଷ ବିସ୍ତାରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ଚୋଡ଼ଗଙ୍ଗ, ନରସିଂହ, ଅଶୋକ
ଖାରବେଳ, ଯଯାତି କେଶରୀ ।
କଳା ସଂସ୍କୃତିର ଜନମ ଭୂଇଁ ତୁ
ଖଣ୍ଡଗିରି, କୋଣାର୍କ, ଲିଙ୍ଗରାଜ
ପୁରୀ, ରତ୍ନଗିରି, ଧଉଳି ପାହାଡ଼
କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶେଯ ।
କାଳର କରାଳ ଗତିରେ ଆମେ
ହେଲୁ ଯେବେ ଫିରିଙ୍ଗି ଅଧୀନ
ବିଖଣ୍ଡିତ ହେଲା ତୋ ପୂର୍ଣ୍ଣ ଶରୀର
ହଜିଗଲା ଶିରୀ ଆଉ ପୁରୁଣା ଦିନ ।
ମିଶାଇଦେଲେ ମାଡ୍ରାସ୍ ସହ
ପୁଣି ଅଧା ଅଂଶ ବଙ୍ଗଳାରେ,
କିଛି ଅଙ୍ଗ ମିଶିଗଲା ମଧ୍ୟ, ବିହାର ସହ
ଅସ୍ତିତ୍ୱ ଲିଭିଗଲା ମାନଚିତ୍ରରେ ।
ମଧୁବାବୁ, ଗୋପବନ୍ଧୁ, ଗଜପତି କୃଷ୍ଣଚନ୍ଦ୍ର
ତୋ’ର ସୁଯୋଗ୍ୟ ଅମୃତ ସନ୍ତାନ
ଲାଗିଗଲେ ପ୍ରାଣପଣେ ଗଢ଼ିବାକୁ ତୋତେ
ଆଚାର୍ଯ୍ୟ ହରିହର, ଫକୀର ମୋହନ ।
ତାଙ୍କରି ଆପ୍ରାଣ ଉଦ୍ୟମେ
ଉଣେଇଶିସହ ଛତିଶି ଏପ୍ରିଲ ପହିଲା
ସ୍ୱତନ୍ତ୍ର ପ୍ରଦେଶ ହେଲା ଆମର
ନୂତନ ସୁରୂଜ ଉଇଁଲା ।
– ସମିତା ସାହୁ
Comments
ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।