✍ ତ୍ରୟୋବିଂଶ ସମ୍ପାଦକୀୟ

Editorial Page of Shubhapallaba 23rd Edition

ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା ଆୟତ୍ତନ କରି ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ମନେ କରୁଥାନ୍ତି ସେ । କାହିଁକି ବା ନ କରନ୍ତେ ! ଆଖପାଖ ପନ୍ଦର ସରି ଗ୍ରାମରେ ଗୁରୁକୂଳ ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଥିବା ତାଙ୍କ ପରି ଉଚ୍ଚ ଶିକ୍ଷିତଟିଏ ଅନ୍ୟକେହି ନଥିଲେ ଯେ !! ଦିନେ ଏମିତି ଗ୍ରାମ୍ୟ ଭ୍ରମଣରେ ବହାରିଥାନ୍ତି ସେ । ମନରେ ଗର୍ବ ଥାଏ କି ତାଙ୍କପରି ଉଚ୍ଚଶିକ୍ଷିତ ବିଦ୍ୱାନଙ୍କୁ ଦେଖି ସମସ୍ତେ ନତ ମସ୍ତକ ହେବେ;ତାଙ୍କୁ ସମ୍ମାନ ଜଣେଇବେ । କିନ୍ତୁ ସେପରି କିଛି ହେଲାନାହିଁ । ବରଂ ଯେଝା କାମରେ ଯିଏ ବ୍ୟସ୍ତ ରହିଲେ । ନବଯୁବକଙ୍କୁ ଏକଥା ବ୍ୟଥିତ କରୁଥାଏ । କ୍ରମେ ତାଙ୍କର ଏ ବ୍ୟଥା କ୍ରୋଧରେ ପରିଣତ ହେବାକୁ ଲାଗିଲା । କ୍ରୋଧ ପରବଶ ସେ ସାମାନ୍ୟ ସାମାନ୍ୟ କଥାରେ ବିରକ୍ତ ହେବାକୁ ଲାଗିଲେ ଓ ଟିକେ ଚ୍ୟୁତି ବିଚ୍ୟୁତି ପାଇଁ ଚିଡ଼ି ଚିଡ଼ି ହେବାକୁ ଲାଗିଲେ । ଏହାର ପ୍ରଭାବ ତାଙ୍କ ପରିବାର ତଥା ସମାଜ ଉପରେ ମଧ୍ୟ ପଡ଼ିବାକୁ ଲାଗିଲା । ଫଳ ସ୍ୱରୂପ ତାଙ୍କୁ ଯିଏ ଦେଖୁଥାଏ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ଚାଲିଯାଉଥାଏ । ପରିସ୍ଥିତି ଏପରି ହେଲାଯେ, ରାତ୍ରିରେ ଉତ୍ତମ ନିଦ୍ରା ମଧ୍ୟ ହେଲନାହିଁ । କିଛିଦିନ ଉପରାନ୍ତେ ନିକଟ ଗ୍ରାମକୁ କୌଣସି କାର୍ଯ୍ୟ ସମ୍ପାଦନା କରିବା ନିମିତ୍ତ ଗୁରୁଦେବ ତାଙ୍କ ଶିଷ୍ୟମାନଙ୍କ ସହ ସେହି ଗ୍ରାମ ହୋଇ ଯାଉଥାନ୍ତି । ଖବର ପାଇ ନବ ଯୁବକ ଜଣକ ଅଣନିଶ୍ୱାସୀ ଧାଇଁଲେ ଗୁରୁଦେବଙ୍କ ନିକଟକୁ । ଉଦ୍ଦେଶ୍ୟ ତାଙ୍କୁ ଏ ବିଷମ ପରିସ୍ଥିତିରୁ ଉଦ୍ଧାର କରିବା ।

ଗୁରୁଙ୍କ ଚରଣ କମଳରେ ନିଜକୁ ସମର୍ପଣ କରି ଅତି ବିକଳ ଭାବରେ ରୋଦନ କରନ୍ତେ ଗୁରୁ ସେଥିର କାରଣ ଜିଜ୍ଞାସା କଲେ । ଗୁରୁଦେବ ସମସ୍ତ ବୃତ୍ତାନ୍ତ ଶ୍ରବଣ ଉପରାନ୍ତେ ଦୁଇବାହୁ ଧରି ଉଠାଇଲେ ଏବଂ ସସ୍ନେହ ନିଜ ପାଖରେ ବସାଇଲେ ଏବଂ ସ୍ମିତହାସ୍ୟର କ୍ଷୀଣ ରଶ୍ମିଟିଏ ଆଙ୍କି କହିଲେ – “ବତ୍ସ ! ତୁମ ମନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବାର କ୍ଷୁଦ୍ର ଅହଙ୍କାରଟିଏ ଉତ୍ତମ ବାତାୟନ ପାଇ ମହାଦ୍ରୁମରେ ପରିଣତ ହୋଇ ସାରିଛି । ତୁମ ଦୁଃଖର କାରଣ ସେହି । ସମ୍ମାନ କାହାଠାରୁ ଜୋରକରି ଆଦାୟ କରାଯାଏନା । ଏହାକୁ କୌଣସି ମୂଲ୍ୟଦେଇ ମଧ୍ୟ କ୍ରୟ କରାଯାଇ ପାରେନା । ଏହାକୁ ଅର୍ଜନ କରିବାକୁ ହୁଏ ନିଜର ଉତ୍ତମ ଆଚାର, ବିଚାର ଏବଂ ବ୍ୟବହାର ବିନିମୟରେ । ଅର୍ଜିତ ଜ୍ଞାନର ସତ ବିନିଯୋଗ କରି ଜଗତର କଲ୍ୟାଣ ନିମିତ୍ତ କରାଯାଉଥିବା କାର୍ଯ୍ୟଦ୍ୱାରା ମଧ୍ୟ ଏହାକୁ ଆୟତ୍ତ କରାଯାଇ ପାରେ । ଅତଃ ଗୁରୁକୂଳରୁ ଶିକ୍ଷାଲାଭ କରିଥିବା ଜ୍ଞାନକୁ ସତ ପଥରେ ଜଗତର ମଙ୍ଗଳ ପାଇଁ ବିନିଯୋଗ କରିଚାଲ । ତାହା ତୁମକୁ ଅସୀମ ଶାନ୍ତି ପ୍ରଦାନ କରିବ; ଯାହାର ମୂଲ୍ୟ ଏ ପାର୍ଥିବ ସମ୍ମାନଠାରୁ ଯଥେଷ୍ଟ ଅଧିକ ।” ଗୁରୁଙ୍କର ସ୍ନେହୋଚିତ ବାଣୀରେ ନବ ଯୁବକଙ୍କ ମନରୁ ସମସ୍ତ କାଳୀମା ଅପସରିଗଲା, ଯୁବାରୁଣଙ୍କ ଉଷ୍ମ କିରଣରେ ସକାଳର ଘନ କୁହୁଡ଼ି ଅପସରି ଗଲାପରି ।

ବସନ୍ତ ପଞ୍ଚମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...