ପ୍ରଥମରୁ କହିରଖେ, କାହାର ଖାଦ୍ୟାଭ୍ୟାସ ବା ଧର୍ମ ଭାବନା ସହ ମୋର କୌଣସି ବିଦ୍ୱେଷ ନାହିଁ; ମୁଁ ଉଭୟକୁ ସମ୍ମାନ କରେ । କିନ୍ତୁ ଜଣେ ସନାତନୀ ହିନ୍ଦୁ ଭାବରେ ବେଳେବେଳେ ମନରେ କ୍ଷୋଭ ଆସେ । ମତେ ଲାଗେ ବଦଳୁଥିବା ପରିସ୍ଥିତିରେ ନିରନ୍ତର ଅବକ୍ଷୟ ହେଉଥିବା ଆମ ସାମାଜିକ ଚଳଣି ତଥା ଧାର୍ମିକ ଭାବନାକୁ ଅନୁଶୀଳନ କଲେ ମନରେ କ୍ଷୋଭ ଆସିବା ସ୍ୱାଭାବିକ । କିଛିଦିନ ତଳେ ଦେଶର ପ୍ରମୁଖ ଅଳଙ୍କାର ଉତ୍ପାଦକ ତଥା ବିକ୍ରେତାଙ୍କ ବିଜ୍ଞାପନ ଏବଂ ଚଳଚିତ୍ର ଶିଳ୍ପସହ ଜଡ଼ିତ ଏକ ଅନୁଷ୍ଠାନର ନିର୍ଦ୍ଦିଷ୍ଟ ବିଜ୍ଞାପନକୁ ନେଇ ଦେଶସାରା ସାମାଜିକ ଗଣମାଧ୍ୟମରେ ଖୁବ ହୋ ହଲ୍ଲା ହେଲା । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବାର ଆରୋପ ପ୍ରତ୍ୟାରୋପ ଲାଗିଲା । ଏ ପ୍ରକାର ସାମାଜିକ ମୂଲ୍ୟବୋଧ ଅବକ୍ଷୟର କାରଣ କ’ଣ? କେଉଁମାନେ ଏଥିପାଇଁ ଦାୟୀ??
କିଛିଦିନ ତଳେ ଅନ୍ୟ ସମ୍ପ୍ରଦାୟର ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହ ଏ ବିଷୟରେ ଆଲୋଚନା କରୁଥିଲି । ତା’ କହିବା ଅନୁସାରେ, ଆମେ ଆମ ଧର୍ମକୁ କେବେ ଭଲ ପାଉନା କି ସମ୍ମାନ କରୁନା । ସେଥିପାଇଁ ତ ଅନ୍ୟମାନେ ଆମ ଧର୍ମକୁ ନେଇ ଏମିତି ବିକୃତ କରିବାକୁ ସାହସ କରନ୍ତି । ତା’ର ଉତ୍ତର ହିଁ ମତେ ଚିନ୍ତା କରିବାକୁ ବାଧ୍ୟ କଲା । ସତକଥା ତ ! ଆମେ ଆମ ଧର୍ମକୁ ଭଲ ପାଉନା, ସମ୍ମାନ କରୁନା; କେବଳ ସମାଲୋଚନା କରିଜାଣୁ । କେତେବେଳେ ରାମଚନ୍ଦ୍ରଙ୍କୁ ସ୍ତ୍ରୀ ବିରୋଧୀ ବା ଆଣ୍ଟି ଫେମିନିଷ୍ଟ କହୁ ତ କୃଷ୍ଣଙ୍କୁ ଚାରିତ୍ରହୀନ ଲମ୍ପଟ କହୁ ପୁଣି କେତେବେଳେ ରଥଯାତ୍ରାକୁ ପୁରୁଷ ପ୍ରଧାନ ବା ପେଟ୍ରିଆକି କହି ସମାଲୋଚନା କରୁ ଓ ସମ୍ପୂର୍ଣ୍ଣ ବନ୍ଦ କରିଦେବାପାଇଁ ଯୁକ୍ତିବାଢ଼ୁ । କେତେବେଳେ ପ୍ରଗତିଶୀଳତାର ପ୍ରମାଣ ସ୍ୱରୂପ ସାବିତ୍ରୀ ବ୍ରତରେ କୁକୁଡ଼ା ମାଂସ ରାନ୍ଧି ଖାଉ ଓ ସଗୌରବେ କହିବୁଲୁ ତ କେବେ ଗୁରୁବାର ତଥା ସଂକ୍ରାନ୍ତି ପରି ପବିତ୍ର ଦିନମାନଙ୍କରେ ବି ଆମିଷ ଖାଦ୍ୟ ରାନ୍ଧି ଗୌରବର ସହ ସାମାଜିକ ଗଣମାଧ୍ୟମରେ ଚିତ୍ର ଛାପୁ ତ ପୁଣି କେବେ ଆଧୁନିକ ଚିତ୍ରକଳା ନାମରେ ଦେବାଦେବୀଙ୍କର ଅବାନ୍ତର ଚିତ୍ର ଆଙ୍କି ଦେଖେଇହେଉ । ଏପରି କରି ଆମେ ନିଜେ ଆମ ଧର୍ମ, ସଂସ୍କୃତି ତଥା ପରମ୍ପରାର ଉପହାସ କରୁନାହେଁ କି? ଯଦି ସେ ସବୁକୁ ଅନୁସରଣ କରି ଅନ୍ୟକେହି ସେପରି କଲା ତେବେ ତାହାକୁ ବିରୋଧ କରିବାରେ କ’ଣ ନୈତିକତା ଅଛି !?
ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ ।।
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।