✍ ପଞ୍ଚଦଶ ସମ୍ପାଦକୀୟ

Editorial Page of Shubhapallaba 15th Edition

ଅନୁଭୂତିରେ ଶ୍ରୀଜଗନ୍ନାଥ

ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର ଡୋରି ଲାଗିବାରୁ ଟ୍ରେନ୍ ଯୋଗେ ଯାଇଥିଲୁ । ସାଥିରେ ଆମର ବନ୍ଧୁ ଓ ତାଙ୍କ ପରିବାର ମଧ୍ୟ ଥାଆନ୍ତି । ପ୍ରଭୁଙ୍କ ଅପାର କରୁଣାରୁ ଯାତ୍ରା ସହଳ ଏବଂ ସଫଳ ହୋଇଥିଲା । ପୁରୀ ରେଳ ଷ୍ଟେସନରୁ ଓହ୍ଲେଇ ଅଟୋ ଯୋଗେ ବଳଗଣ୍ଡି ପର୍ଯ୍ୟନ୍ତ ଗଲୁ । ସେଠାରୁ ଚାଲି ଚାଲି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲୁ । ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ବେଳକୁ ପ୍ରଭୁ ସ୍ନାନ ବେଦିରେ ବିରାଜମାନ । ବଡ଼ଦାଣ୍ଡର ଧୂଳି, ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ନୀଳଚକ୍ର ନେତ ତଥା ପ୍ରଭୁଙ୍କ ଦର୍ଶନ କରି ମୁଣ୍ଡିଆ ମାରି ଭକ୍ତି ଗଦ ଗଦ ହୋଇଗଲି ।

ଘଣ୍ଟ ଘଣ୍ଟା କାହାଳୀରେ ବଡ଼ଦାଣ୍ଡ ଫାଟି ପଡ଼ୁଥାଏ ଯେପରି ! ଅଗଣିତ ଭକ୍ତମାନଙ୍କର କେବଳ ମୁଣ୍ଡ ମାଳ ମାଳ । ସମସ୍ତଙ୍କର ଅପଲକ ନୟନ କେବଳ ପ୍ରଭୁଙ୍କ ଦର୍ଶନ ଉଦ୍ଦେଶ୍ୟରେ । ସ୍ଵତନ୍ତ୍ର ନୀତି ହିସାବରେ ଷୋଡ଼ଶ ଉପଚାରରେ ପ୍ରଭୁଙ୍କର ପୂଜା ଅର୍ଚ୍ଚନା ଚାଲିଥାଏ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ୧୦୮ଗରା ଜଳ ପ୍ରସ୍ତୁତ ସୁସଜ୍ଜିତ ଭାବେ । ଏହି ଜଳ ମା’ ଶୀତଳାଙ୍କ ନିକଟସ୍ଥ ସୁନାକୂଅରୁ ଅଣାଯାଏ । ବର୍ଷକରେ ଥରେ ଏହି ସୁନାକୂଅ ହିଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ କାମରେ ଲାଗିଥାଏ । ପୁଣି ଅପେକ୍ଷା କରେ ପରବର୍ଷ ସେହି ପବିତ୍ର ଦିନକୁ । ଆମେ ସେହିଭଳି ବଡ଼ଦାଣ୍ଡରେ ଠିଆ ହୋଇ ପ୍ରଭୁଙ୍କ ନୀତି କାନ୍ତି ଦେଖିଥାଉ । ତା’ପରେ ପ୍ରଭୁଙ୍କର ସ୍ନାନ ପର୍ବ ଆରମ୍ଭ ହେଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଜଳ, ବଡ଼ଭାଇ ବଳଭଦ୍ରଙ୍କୁ ୩୩ ଗରା ଜଳ, ମା ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ଜଳ ଲାଗି ସ୍ନାନ କରାଗଲା । କି ଅପୂର୍ବ ଦୃଶ୍ୟ ! ଯାହା ଆଜି ବି ମାନସ ପଟରେ ଉଜ୍ଜୀବିତ । ସ୍ନାନ ଉପରାନ୍ତେ ପ୍ରଭୁଙ୍କର ହାତୀ ବେଶ ପାଇଁ ପ୍ରସ୍ତୁତି । ଏହି ସମୟରେ ସେ ଦୃଶ୍ୟର ଅବଲୋକନ ଆମ ଆଖିରୁ ଲୋତକର ଧାରା ବୁହାଇ ଦେଇଥାଏ । ପ୍ରଭୁଙ୍କ କରୁଣା ନ ହେଲେ ଏତକ ଦର୍ଶନ ମଧ୍ୟ ସମ୍ଭବ ନୁହେଁ । ଯାହା ହେଉ ପାଖାପାଖି ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ସେଇମିତି ଠିଆ ହୋଇ ଦର୍ଶନ କରିବା ପରେ ଆମେ ଭୋଜନ କରିବା ନିମିତ ଶ୍ଵେତଗଙ୍ଗା ନିକଟସ୍ଥ ହୋଟେଲରେ ପହଞ୍ଚିଲୁ ।

ସମୟ ପାଖାପାଖି ଦୁଇଟାରୁ ଊର୍ଦ୍ଧ୍ଵ । ହୋଟେଲରେ ଖାଇବା ପାଇଁ ବରାଦ କଲୁ । ମୁଁ ଏବଂ ମୋର ସହଧର୍ମିଣୀଙ୍କ ବ୍ୟତୀତ ସମସ୍ତେ ହୋଟେଲରେ ଭୋଜନ କଲେ । ପୁଅ, ଝିଅ ତଥା ବନ୍ଧୁ ଓ ତାଙ୍କ ପରିବାର ସମସ୍ତେ ଖାଇଲେ । ମୁଁ ଏବଂ ମୋର ଧର୍ମପତ୍ନୀ ଖାଇଲୁ ନାହିଁ କାରଣ ମୋର ପୂର୍ଣ୍ଣିମା ଉପବାସ ଥାଏ ଏବଂ ସ୍ତ୍ରୀ ମଧ୍ୟ କହିଲେ ପ୍ରଭୁଙ୍କ ଦର୍ଶନ କରିବାକୁ ଆସିଛି ତେଣୁ ଉପବାସ ରହିବି । ହୋଟେଲରେ ବସିବା ପାଇଁ ଯଦିଓ ସ୍ଥାନ ଥିଲା କିନ୍ତୁ ଅନ୍ୟ ଗ୍ରାହକଙ୍କ ଖାଇବାରେ କାହିଁକି ବାଧାଦେବୁ ଭାବି ଉଭୟେ ହୋଟେଲ ବାହାରେ ଠିଆ ହୋଇ ରହିଲୁ । ଠିଆ ହେବାର ମାତ୍ର ମିନିଟିଏ ବି ବିତିନାହିଁ ହଠାତ ମୋର ନଜର ପଡ଼ିଗଲା ଜଣେ କେହି ସେବାୟତ ବଡ଼ଦାଣ୍ଡ ଆଡ଼ୁ ଆସୁଛନ୍ତି । ଆସୁଛନ୍ତି ନୁହେଁ ଦୌଡ଼ିଲା ଭଳି ଲାଗୁଥାନ୍ତି । ପରିଧାନ ପାଟଲୁଗା । ଦୁଇ କାନ୍ଧରେ ଦୁଇଟି ଉତ୍ତରୀୟ । ସୁନ୍ଦର ଏବଂ ସୁଠାମ ଶରୀର । ହସ ହସ ମୁହଁ ତାଙ୍କର ଚେହେରାକୁ ଆହୁରି ଭାବମୟ କରିଦେଉଥିଲା ଯେପରି ! ହାତରେ ରୂପାର ଗଡ଼ୁ । ସେ ଶୀଘ୍ର ଶୀଘ୍ର ଆସୁଥିବା ବେଳେ ଯେତେବେଳେ ଆମ ନିକଟବର୍ତ୍ତୀ ହେଲେ କାହିଁକି କେଜାଣି ମୋ ହାତର ପାପୁଲି ତାଙ୍କ ଆଡ଼କୁ ଲମ୍ବିଗଲା । ସେ ବି ସେଇଆ ଚାହୁଁଥିଲେ କି କଣ ! ହସ ହସ ମୁହଁରେ ମୋତେ ଓ ଧର୍ମପତ୍ନୀଙ୍କ ହାତରେ ସେହି ରୂପା ଗଡ଼ୁରୁ କିଛି ଜଳ ଦେଲେ ଏବଂ କହିଲେ ଏହା ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସ୍ନାନ ଉଦକ । ବହୁ ଭାଗ୍ୟରେ ଥିଲେ ଏ ଜଳ ପ୍ରାପ୍ତ ହୁଏ । ତେଣୁ ଏ ଜଳ ତୁମକୁ ଦେଲି, ଏତକ କହି ସେ ଆଗକୁ ଚାଲିଗଲେ ଏବଂ ଏ ଅଧମ ଅକିଞ୍ଚନର ଭାବରେ ଏକ ସ୍ମୃତିର ଛାପ ରଖିଦେଇଗଲେ ସବୁଦିନ ପାଇଁ । ସେହି ସ୍ନାନ ଜଳକୁ ଆମେ ପାଇଲୁ । କି ବାସନା ସେ ଜଳର । ପ୍ରଭୁ ସ୍ନାନ କରିଛନ୍ତି ଯେ ! କସ୍ତୁରୀ, ଚନ୍ଦନ, ଅଗୁରୁ, ଚୁଆ, କେଶର ଆଦିର ମିଶ୍ରଣରେ ସୁବାସିତ ଜଳ ଏବଂ ଆହୁରି ସୁବାସିତ ପ୍ରଭୁଙ୍କୁ ଲାଗି ହୋଇଥିବାରୁ । ଆମ ସ୍ଵାମୀ ସ୍ତ୍ରୀଙ୍କ ଭାଗ୍ୟରେ ଏକଥା ଯେ ହେବ ତାହା କେବଳ ସେହି ବିଶ୍ଵ ଚିନ୍ତାମଣି କଳାଠାକୁରଙ୍କୁ ଜଣାଥିଲା । କିଛି ଜଳ ହାତରେ ରଖିଲି, ପୁଅ, ଝିଅ ତଥା ଅନ୍ୟମାନେ ହୋଟେଲରୁ ଫେରିବା ପର୍ଯ୍ୟନ୍ତ । ସେମାନେ ମଧ୍ୟ ସେ ଅଙ୍ଗ ଲାଗି ଜଳ ପାନ କଲେ । ମୋ ହାତ ସେଇମିତି ବାସୁଥାଏ । ଇଚ୍ଛା ହେଉଥାଏ ଏହି ହାତରେ ଦିନେ ଦୁଇଦିନ ନ ଖାଇଲେ ଏ ବାସନା ତ ଏମିତି ରହିବ । କିନ୍ତୁ କି ଆଶ୍ଚର୍ଯ୍ୟ କଥା, ଖାଇବା ପରେ ଏପରିକି ଦିନେ ଦୁଇଦିନ ପର୍ଯ୍ୟନ୍ତ ସେ ହାତ ସେଇମିତି ବାସୁଥାଏ ।

ଏଇଠି ଗୋଟିଏ କଥା ମୋ ମନରେ ଉଙ୍କି ମାରିଲା । ୧୯୮୨ ମସିହା ମ୍ୟାଟ୍ରିକ ପରୀକ୍ଷା ବର୍ଷ ମୋର ବାତ ଜ୍ଵର ବାହାରିଲା ଯାହା ଫାଇଲେରିଆ । ପୂର୍ଣ୍ଣିମା ଓ ଅମବାସ୍ୟାର ଦିନେ ଦୁଇଦିନ ଆଗରୁ ଜ୍ଵର ଆସେ । ଭୀଷଣ କମ୍ପ ହୁଏ । ଦୁଇ ଗୋଡ଼ ଫୁଲିଯାଏ । ପାଖାପାଖି ତିନିଦିନ ଜ୍ଵର ରହେ । ଏତେ ଜୋରରେ କମ୍ପ ଆସେ ଯେ ଦୁଇ ଚାରିଟି କନ୍ଥା କିମ୍ବା କମ୍ବଳ ଘୋଡ଼େଇ ହେଲେ ମଧ୍ୟ ଜ୍ଵରର ପ୍ରକୋପକୁ ରୋକି ହୁଏନି । ମୋ ମାଆ ଭାରି ବ୍ୟସ୍ତ ହୁଏ । ପ୍ରଭୁ କାଳିଆ ଠାକୁରଙ୍କୁ ଡାକି କୁହେ ପ୍ରଭୁ ମୋ ପୁଅକୁ ଏ ରୋଗରୁ ମୁକ୍ତ କରିଦେ । କ୍ରମାଗତ ଚାରି, ଛଅ ମାସରୁ ଊର୍ଦ୍ଧ୍ଵ ଏ ପ୍ରକାର ରୋଗ ନେଇ ମୋ ମାଆ ଦିନେ ମୋତେ କହିଲା, “ତୋତେ ଦୁଇଟି କଥା ମାନିବାକୁ ହେବ; ଯଥା ୧) ପୂର୍ଣ୍ଣିମା ଦିନ ଉପବାସ କରିବୁ, ୨) ପ୍ରାତଃ ସ୍ନାନ ଅର୍ଥାତ ଖୁବ୍ ଭୋରୁ ଗାଧୋଇବୁ ଏବଂ ଗାଧୋଇ ସାରି ପ୍ରଭୁ କାଳିଆଙ୍କ ପାଖରେ ଗୁହାରି କରିବୁ ଯେ ମୋର ଏ ରୋଗ ଭଲ କରିଦିଅ । ଦେଖିବୁ ପ୍ରଭୁଙ୍କ ଦୟାରୁ ଏ ରୋଗ ଧୀରେ ଧୀରେ ଭଲ ହୋଇଯିବ ।” ତାହାହିଁ ବାସ୍ତବରେ ହେଲା । ଧୀରେ ଧୀରେ ଏ ରୋଗ ଦୂରେଇ ଗଲା । କିନ୍ତୁ ଏବେବି ସେହି ପୂର୍ଣ୍ଣିମା ଉପବାସ ପାଳନ ହେଉଛି ଏବଂ ସକାଳୁ ଗାଧୁଆ ତ ମୋର ଅସ୍ଥି ମଜ୍ଜାଗତ ହୋଇଯାଇଛି ବିଶେଷକରି ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ।

ଇତି ମଧ୍ୟରେ ପୂର୍ଣ୍ଣିମା ଉପବାସ କରିବାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ଵ ବିତିଯାଇଛି । ସେହିଦିନ ଅର୍ଥାତ ଆଜି ସ୍ନାନ ପୂର୍ଣ୍ଣିମା । ଉପବାସ କାରଣରୁ ହୋଟେଲ ବାହାରେ ଠିଆ ହେବା ଏବଂ ଏହି ପ୍ରକାର ସୁଯୋଗ ମିଳିବା ପ୍ରଭୁଙ୍କ କରୁଣା ନୁହେଁ ତ ଆଉ କ’ଣ !!! ଏହି କଥା ଭାବି ଆଖିରୁ ଲୁହ ଗଡ଼ୁଥିବା ବେଳେ ମନେ ପଡ଼ୁଥିଲା ତ୍ରେତୟା ଯୁଗର ଶବରୀର କଥା । ଶବରୀ କୁମାରୀ ଅବସ୍ଥାରେ ଜାଣିଥିଲା ତା’ର ଭବିଷ୍ୟବାଣୀ କୌଣସି ଏକ ଋଷିଙ୍କ ପାଖରୁ ଯେ ଦିନେ ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣଙ୍କ ସହ ତା’ ଦୁଆରକୁ ଆସିବେ ଏବଂ ତା’ ହାତରୁ ଭୋଜନ କରିବେ । ଏହି କଥା ଟିକକ ଶୁଣି ଶବରୀ କେତେ ଖୁସି ହୋଇଯାଇଥିଲା । ବଣରେ କୁଟୀରଟିଏ କରି ଅପେକ୍ଷା କଲା ସେହି ସୁଦିନକୁ । କୁମାରୀ ଅବସ୍ଥାରୁ ଯୌବନ, ପ୍ରୌଢ଼, ବାର୍ଦ୍ଧକ୍ୟ ଆସିଲା ତା’ ଜୀବନରେ ହେଲେ ପ୍ରଭୁଙ୍କର ଦେଖା କାହିଁ? ପ୍ରତିଦିନ ତା’ର କୁଟୀରରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସରୁ ଚଲା ରାସ୍ତାକୁ ସଫା କରେ । କାଳେ ପ୍ରଭୁଙ୍କ ପାଦରେ କଣ୍ଟାର ଆଘାତ ଲାଗିବ କି? ସବୁ ଗଛର ଫଳ ମୂଳକୁ ଚାଖି ରଖେ କାରଣ ସେ ପ୍ରଭୁଙ୍କୁ ସୁଆଦିଆ ଫଳ ଖୁଆଇଦେବ । ଅପେକ୍ଷା କରି ରହିଥାଏ ଶବରୀ । ବାର୍ଦ୍ଧକ୍ୟ ତାକୁ ତା’ର ଶରୀରକୁ ନୁଆଇଁ ଦେଲାଣି । ଆଖିରେ ପରଳ ଘୋଟି ଆସୁଛି । ଆଗଭଳି ଫୁର୍ତ୍ତି ନାହିଁ ସେ ଆଉ । ତଥାପି ଅପେକ୍ଷା କରିଥାଏ ପ୍ରଭୁଙ୍କୁ । ଏଇମିତି ଦିନେ ହଠାତ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କ ସହ ତା’ କୁଟୀରରେ ଅତିଥି ହେଲେ ତା’ର ଅଇଁଠା ଫଳ ଅର୍ଥାତ ଚାଖି ରଖିଥିବା ଫଳକୁ ଆକଣ୍ଠ ଭୋଜନ କଲେ ଭାବଗ୍ରାହୀ । ଭାବର ଠାକୁର ତ ସିଏ ! କେବେ କ’ଣ କିଏ ଇଚ୍ଛା କରିଛି ତା’ର ଇପ୍‌ସିତ ଇଚ୍ଛାକୁ ପୂରଣ କରିବାକୁ ତାଙ୍କୁ କେତେ ବା ସମୟ ଲାଗିବ । ଭକ୍ତ ପାଇଁ ସେ ଗୀତ ଲେଖନ୍ତି, ରଥ ରଖନ୍ତି, ଅଇଁଠା ଖାଆନ୍ତି, ଗୋଇଠା ମାଡ଼ ବି ହସି ହସି ସହିଯାନ୍ତି । ଆଜି ସେ ଶବରୀ ଆଶ୍ରମର ଅତିଥି । ବାଞ୍ଛା କଳ୍ପତରୁ ଶବରୀର ବାଞ୍ଛା, ମନର ବାଞ୍ଛା ପୂରଣ କରି ଫେରି ଯାଇଥିଲେ ପୁଣି ତାଙ୍କର ଉଦ୍ଦିଷ୍ଟ ସ୍ଥାନକୁ । ଆଜିର ଏ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମନେ ପଡ଼ୁଥାଏ ମାଆର କଥା । ପୂର୍ଣ୍ଣିମା ଉପବାସ କଲେ ଏ ରୋଗରୁ ମୁକ୍ତି ପାଇବୁ ପ୍ରଭୁ କାଳିଆ ଠାକୁରଙ୍କ କରୁଣାରୁ । ଏତେ ଦିନ ବିତିଗଲା । କେବେବି ଭାବି ନଥିଲି ଏମିତି ଏକ ଶୁଭବେଳା ଆସିବ ଏବଂ ଏ ଅଲୌକିକ ଘଟଣା ଘଟିବ । ଯଦି ହୋଟେଲରେ ନ ଖାଇଲେ ମଧ୍ୟ ଆମେ ବସିଯାଇଥାନ୍ତୁ ତେବେ ଏ ସୁଯୋଗ କ’ଣ ମିଳିଥାନ୍ତା କି? କିଏ ଯେପରି ଆମରି କଣ୍ଠରେ ବସି ଆମକୁ ମନେ ପକାଇଦେଲେ ବାହାରକୁ ଆସି ଠିଆ ହୋଇଥା ମୁଁ ଯାଉଛି । ତେଣୁ ସେଇଆ ହିଁ ଶେଷରେ ହୋଇଥିଲା । କେବେଠୁ ଉପବାସ କରିଥିଲି ଆଜି ବି କରୁଛି ମାତ୍ର ତା’ ପଛରେ ଏ ପ୍ରକାର ଅଲୌକିକ ଘଟଣା ଘଟିବ ବୋଲି କେବଳ ସେହି ବିଶ୍ଵ ନିୟନ୍ତାଙ୍କୁ ଜଣା ଥିଲା । ଆଜିର ଏ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ନିଜର ଅଙ୍ଗଲାଗି ଜଳ ପାନ କରିବାର ସୁଯୋଗ ଦେଇ ସେ ପ୍ରମାଣ କରିଦେଲେ କେବେ ନା କେବେ ସେ ଭକ୍ତର ମନ ବାଞ୍ଛା ପୂରଣ କରିବେ । ଭକ୍ତର ଲକ୍ଷ୍ୟରେ ହେଉ ବା ଅଲକ୍ଷ୍ୟରେ ।

ଇତି ମଧ୍ୟରେ ଏ ଘଟଣାକୁ ୭ ବର୍ଷ ବିତିଗଲାଣି ମାତ୍ର ଆଜିବି ମନେପଡ଼ିଲେ ଏ ଘଟଣାକୁ ନେଇ ମୋ ଆଖିରେ ଲୁହ ଆସେ । ଶରୀର ରୋମାଞ୍ଚିତ ହୋଇଯାଏ । ତା’ପରେ ଆମେ ପୁଣିଥରେ ବଡ଼ଦାଣ୍ଡକୁ ଆସି ପ୍ରଭୁଙ୍କର ଗଜାନନ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲୁ । ପରେ ପରେ ଭୋଗ ସେବନ ପୂର୍ବକ ଭୋଗ କିଣି ମହୋଦଧି ତଥା ସ୍ଵର୍ଗଦ୍ଵାର ଦେଇ ରେଳ ଷ୍ଟେସନକୁ ଗଲୁ ଏବଂ ରାତିର ରେଳ ଗାଡ଼ିରେ ଘରକୁ ଫେରିଲୁ । ସେ ଦିନର ସେ ଅନୁଭୂତିକୁ ମନେ ପକାଇ ପ୍ରଭୁଙ୍କୁ ଭକ୍ତି ଗଦ ଗଦ କଣ୍ଠରେ କହେ,
ଧନ୍ୟ ପ୍ରଭୁ, ଧନ୍ୟ ତୋହର ଲୀଳା
“ତୋ ମାୟା ତୋତେ ଅଗୋଚର
ମୁଁ ଛାର ମନୁଷ୍ୟ ମାତର”

ଆଉ ଭାଗବତରୁ ପୁଣି ଧାଡ଼ିଏ ମନେ ପଡ଼େ
“ଏ ମନ ଖୋଜୁଥାଇ ଯାହା,
କାଳେ ପ୍ରାପତ ହୁଏ ତାହା ।”

ଆଜିବି ଭାବେ ସେ ଦିନର ସେ ସେବାୟତ ଜଣକ କିଏ? ସେ କ’ଣ ସେଇ ବିଶ୍ଵନିୟନ୍ତା କାଳିଆ ଠାକୁର?

– ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...