ଅଜବ ମଣିଷ ଇଏ
ବାସ୍ ଜୀଇଁବାର ଇଚ୍ଛାରେ ବିଭୋର
କେତେବେଳଯାଏ ଦୌଡ଼ିପାରିବ ପତ୍ତା ନାହିଁ
ପୁଣି କିନ୍ତୁ ଦୌଡ଼ିବାରେ ବ୍ୟସ୍ତ ।
ସବୁଠୁ ଶ୍ରେଷ୍ଠ ଚରିତ୍ରଟି ଆଜି କିନ୍ତୁ
ପରାହତ ପ୍ରକୃତିର ହାତରେ
ତମାମ ଦିନର କାମପରେ ଯାହାମିଳେ
ସେଥିରେ ଚୁଲୀ ଜଳେ, ଘର ଚଳେ ଓ ପେଟ ପୂରେ
ଭୋକ ମାରି ଛୁଆର ବିସ୍କୁଟ ଆସେ
ବାପାର ଔଷଧ ସବୁ ।
କରୋନା ଲକ ଡାଉନ୍ ଚାରିଆଡ଼େ
ଏବେ କେଉଁଠୁ ଯୋଗାଡ଼ କରିବ ମାସକର ରାସନ୍
ଥିଲାବାଲା ତ ରଖିଦେବେ ଓ ବଞ୍ଚିଯିବେ
ଆଖି ଆଗରେ କିନ୍ତୁ ନିତି ସକାଳେ
ଝାଡ଼ୁକରି, ବାସନ ମାଜୁଥିବା ସେ ଲୋକଟି
ଉପବାସରେ ଛଟପଟ ହେବ
ଆମଘରେ କିନ୍ତୁ ସାଇତାଥିବ କେତେଦିନର ସଉଦା ।
ସମାଜର ସ୍ଵାର୍ଥନ୍ଵେଷୀ ଆଚରଣରେ ଅବଶୋଷ
ସତେଅବା କିଛି ବି ଶିଖୁନି ମଣିଷଟି ଏଠି
ତକ୍ଷକ କରୋନାର ତାଣ୍ଡବ ଲୀଳାରେ ।
ସେ ସେଇଠି ପଡ଼ି ରହିଛି ପଛରେ
ଅମଣିଷରୁ ମଣିଷ ହେବାକୁ
ବାଟ ବାକି ଅଛି ଚାଲିବାକୁ
ଜୀଇଁବାକୁ ଅନେକ କିଛି ବେଳ ।
– ଅନସୂୟା ପଣ୍ଡା
Comments
ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।