ରାତି ପ୍ରାୟ ଗୋଟାଏ ବାଜିଲାଣି । ମାମା ସେଯାଏଁ ଶୋଇନଥିଲେ । ଫୋନର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମାଙ୍କ ହାତରୁ ପିଉଥିବା ପାଣି ଗିଲାସଟି ଖସି ପଡ଼ିଲା । ବାପା ଦୌଡ଼ି ଆସିଲେ । ମାମା କୌଣସି ଅମଙ୍ଗଳର ଆଶଙ୍କା କରୁଥିଲେ । ମନା କରିବା ସତ୍ତ୍ୱେ ବାପା ଫୋନ ଉଠେଇ ନେଲେ । ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ ବି ଠିକ୍ ସେଇୟା, ମୁଁ ଯାହା ଅନୁଭବ କରୁଥିଲି….
ବାପା ମୁହଁ ଶୁଖିଲା କରି ମାମାଙ୍କ ହାତଟି ଧରୁ ଥିଲେ କି ମାମା, ଚିତ୍କାର କରି ଉଠିଲେ, “ବାପା ମୋ ବାପା, ମୁଁ ଅନାଥ ହୋଇଗଲି ପ୍ରସାଦ, ମୁଁ ଅନାଥ ହୋଇଗଲି” କହି ମୁଣ୍ଡକୁ କାନ୍ଥରେ ପିଟିବାକୁ ଲାଗିଲା । ବାପା ମାମାଙ୍କୁ ଭିଡ଼ି ଧରି ସାନ୍ତ୍ୱନା ଦେଇ ଏପଟେ ମତେ ଜଲଦି ଟିକଟ କରିବାକୁ ଠାରରେ କହିଲେ ।
ଉଡାଜାହାଜର ସିଟରେ ବାହାର ମେଘ ମଣ୍ଡଳ ଭିତରେ ମାମା ଯେମିତି ଖୋଜୁଥିଲା ତାର ସତ୍ତାକୁ । ଏକଦମ ସ୍ଥାଣୁ ହୋଇ ବସିଥିଲା ସେ । ମୁଣ୍ଡ ଉପରୁ ବାପାମାଆର ହାତ ଉଠିଗଲେ କେତେ ଯେ ଦୁଃଖ ମାଆଙ୍କୁ ଦେଖି ମୁଁ ଅନୁଭବ କରୁଥିଲି ।
ପୂର୍ବ ଦିନ ସକାଳେ ଆଈର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଥିଲା । ମୁମ୍ୱାଇର ୨୦ମହଲା ଉପରେ ଆମ ଘରେ ପାହନ୍ତର ସୂର୍ଯ୍ୟୋଦୟର ପ୍ରଥମ କିରଣ ପଡ଼େ । ମାଆ ବଡି ଭୋରରୁ ଉଠି ଝରକା ପାଖରେ ସୂର୍ଯ୍ୟଙ୍କୁ ହାତ ଯୋଡ଼ି ଠିଆ ହୋଇଥିଲେ । ମାଆ ହାତରେ ଗୋଟେ ସୁନ୍ଦର ଫରୁଆ ଥିବାର ମୁଁ ଲକ୍ଷ୍ୟ କରିଥିଲି । ଯେହେତୁ ମାଆର ମନ ଭଲ ନଥିଲା ମୁଁ ତାକୁ କିଛି ପଚାରିନି । ଆସିଲା ବେଳ ସେ ଫରୁଆଟି ପର୍ସରେ ଲୁଚେଇଲା ଭଳି ନେଇ ଆସିଥିଲେ ।
ଆଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଦିନ ବାରଟା ପରେ ମାମୁଁ ପିଣ୍ଡ ଦାନ ପରେ ଫୋନ କଲେ ମାଆକୁ । ତା’ପରେ ବି ମାଆ କିଛି ଖାଇ ନଥିଲେ । ଆଇ ମରିବାର ଦୁଃଖରୁ ମାଆ ବାହାରି ବି ନଥିଲା କି କାଲିର ଠିକ୍ ସେହି ଦିନ ହିଁ ଅଜା ଚାଲିଗଲେ । ମୁଁ ମାଆକୁ କିଛି ଖାଇବାକୁ ବି ଯାଚିଥିଲି । କିନ୍ତୁ ସେ ଏକବାରେ ନିର୍ବିକାର ।
ଭୁବନେଶ୍ୱରକୁ ମାମୁଁ ଗାଡ଼ି ପଠେଇଥିଲେ । ଆମେ ସେଥିରେ ମାମୁଁ ଘର ଅଭିମୁଖେ ଗଲୁ । ଅଜାଙ୍କ ମର ଶରୀର ଆମେ ଆସିବାଯାଏଁ ରଖିଥିଲେ । ମୁଁ ଯେମିତି ଅଜାଙ୍କୁ ଦେଖିଛି ମୋ ଦେହ ଝିମ୍ ଝିମ୍ ହୋଇଗଲା । ଲାଗୁଥିଲା ଅଜା ଏବେ ଉଠିକି ବସିବେ ଆଉ କହିବେ “ଆସିଗଲା ମୋ କ୍ୱିନ ମୋ ରାଣୀ ।”
ଘରସାରା କନ୍ଦାକଟାରେ ଲାଗିଥିଲେ, କିନ୍ତୁ ମାମା କାନ୍ଦୁନଥିଲା । ଗୋଟେ ରାତିରେ ମା ଯେମିତି ପଥର ହେଇ ଯାଇଛି ! କିନ୍ତୁ ଯେମିତି ଅଜାଙ୍କ ଶରୀରକୁ କୋକେଇରେ କାନ୍ଧେଇ ହରିବୋଲ ଆରମ୍ଭ ହେଲା ମାଆର ଧୈର୍ଯ୍ୟର ସବୁ ସୀମା ଟପିଗଲା । ବାପା, ମୋତେ କ୍ଷମା କର ବାପା କହି ମଶାଣି ଯାକେ ଦୌଡ଼ିଲା ମାଆ ।
ସେ ଯାହା ହେଉ ମାମୁଁମାନେ ମିଶି ସବୁ କାର୍ଯ୍ୟ ବହୁତ ଭଲରେ ସମ୍ପାଦନ କଲେ । ସବୁ କାର୍ଯ୍ୟ ଠିକରେ ହୋଇଗଲା । ଚଉଦ ଦିନ ପରେ ରାତିରେ ଅଜାଙ୍କ ପେଡ଼ି ଖୋଲା ହେଲା, ସେଥିରେ ସମସ୍ତଙ୍କ ପାଇଁ କିଛି କିଛି ଉପହାର ଥିଲା । ଯିବା ପୂର୍ବରୁ ଟ୍ରେଜେରୀ ଚାବି ବଡ଼ ମାମୁଁଙ୍କୁ ଦେଇ ଯାହାକୁ ଯାହାର ଜିନିଷ ଦେଇ ଦେବାକୁ କହିରଖିଥିଲେ; ନହେଲେ ତାଙ୍କ ଆତ୍ମା ଶାନ୍ତି ପାଇବନି ।
କାହାକୁ ଆଇଙ୍କ ବାହୁଟି, କାହାକୁ ଶଙ୍ଖ ହାର, କାହାକୁ ବନାରସି ପାଟ କାହାକୁ ଅଜାକ ସୁନା ପରତ ସିନ୍ଦୁକ । ଆହୁରି କେଜାଣି କେତେ କଣ ବଣ୍ଟା ହେଲା ।
ମୋ ଭାଗକୁ ଥିଲା ଅଜାଙ୍କ ଗପ ପେଡ଼ି । ଆଉ ମାଆ ପାଇଁ ଗୋଟେ ଚିଠି । ତା’ଛଡ଼ା ବାପାଙ୍କ ପାଇଁ ଅଜାଙ୍କ ତୁଳସୀ କଁଠି ମାଳି । ମାମୁଁ ମାଆକୁ କହିଲେ ତୁ ଚିନ୍ତା କରନା ମୋ ଭାଗର ଅଧା ମୁଁ ତତେ ଦେଇଦେବି । ମାଆ ମନା କଲେ; କହିଲେ, “ମତେ ଲଜ୍ଜା ଦିଅନି ଭାଇ ।” ବ୍ଯାଗରୁ କିଛି କାଢ଼ିବାକୁ ହାତ ବଢ଼ାଇ ଥିଲେ, ବଡ଼ ମାମୁଁ ମାଆଙ୍କ ହାତକୁ ଧରିନେଲେ । କହିଲେ, “ତୁ କିଛି ଭୁଲ କରିନୁ ତୋ ପ୍ରାପ୍ୟ ନେଇ ତୁ ଖୁସିରେ ରହ । କେହି ବୁଝୁ କି ନବୁଝୁ ମୁଁ ବୁଝିଛି ।” ମାଆକୁ ଧରି ବଡ଼ ମାମୁଁ ସବୁ ମାମୁଁ ଓ ମାଉସୀଙ୍କ ପାଖକୁ ନେଇଗଲେ । ସବୁ ଭାଇ ଭଉଣୀ ପରସ୍ପରକୁ ଆଲିଙ୍ଗନ କରି ବହୁତ କାନ୍ଦିଲେ । ବଡ଼ ମାମୁଁ ସମସ୍ତଙ୍କୁ ସମ୍ୱୋଧନ କରି କହିଲେ, “ଯେଯାଏଁ ମୁଁ ବଞ୍ଚିଛି ତୁମେ କେହି ଅନାଥ ନୁହଁ, ବୁଝିଲ ।” ତା’ପରେ ସମସ୍ତେ ଯିଏ ଯାହା ଘର ଗଲେ ଓ ଅଜାଆଇଙ୍କ ଅସ୍ଥି ଧରି ମାମୁଁ ହରିଦ୍ଵାର ଗଲେ । ଗାଆଁ ଘର ତାଲା ପଡ଼ିବ ନାହିଁ, ତେଣୁ ମାଳିକୁ ଯତ୍ନ ପାଇଁ ଛାଡ଼ିଗଲେ ।
ମୁଁ ଟିକେ ଅଭିମାନ କରିଥିଲି ଯେ ସମସ୍ତଙ୍କୁ ସୁନା ରୂପା ପାଟ ପତନି ଆଉ ମୋ ବାପାକୁ କାଠି ମାଳିକୁ ମାଆକୁ ଚିଠି ଖଣ୍ଡେ । ଭଲ ପାଇ ବାହା ହୋଇଥିଲେ ବୋଲି କଣ ବାପା ସମ୍ପତ୍ତିରେ ତା’ର କଣ କିଛି ଅଧିକାର ନାହିଁ । କିନ୍ତୁ ମାଆ ଏକଦମ ଶାନ୍ତ ଥିଲେ । କିଛି ଅଭିଯୋଗ ନଥିଲା ତାଙ୍କର । ଏମିତିରେ ବି ଆମର କୌଣସି ପାଇବାର ଆଶା ନଥିଲା, ତେଣୁ ଆମ ପ୍ରାପ୍ଯ ସବୁ ବ୍ଯାଗରେ ରଖି ଆମେ ଘରକୁ ଫେରିଲୁ ।
ଘରକୁ ଆସିଲା ପରେ ବି ମାଆ ଆଖିରୁ ଲୁହ ଶୁଖିଲାନି । ମୁଁ ଦୁଃଖି ଥିଲି, କିନ୍ତୁ ତା ସହ ଗପ ପେଡ଼ି ଖୋଲିବା ପାଇଁ ଉତ୍ସୁକ ବି ଥିଲି । ମତେ ମୋ ଭଳି ଜିନିଷଟେ ମିଳିଥିଲା । ଅଜା ଜାଣିଥିଲେ ମୋର ଲେଖିବାରେ ସଉକ ବୋଲି ।
ମାଆଙ୍କ ମନରେ କିଛି ଅଛି ଯାହା ସେ କହୁନାହାନ୍ତି । ମୁଁ ଭାବିଲି ଅଜାଙ୍କ ଗପ ପେଡ଼ିରେ ନିଶ୍ଚୟ କିଛି ମିଳିବ । ଗପ ପେଡ଼ି ଖୋଲିଲି । ନାନା ଜାତିଜାତିକା ବହି ଖାତା ସବୁ ଥିଲା । ଭାରି ସୁନ୍ଦର । ତା’ସହ ଅଜାଙ୍କ ବହୁ ପୁରୁଣା ଲେଖାସବୁ । ବହୁତ ପୁରୁଣା ଓ ଦୁର୍ଲଭ ଡାଏରୀ ଓ କଲମ ସବୁ ଥିଲା । ସବା ଉପରେ ଗୋଟିଏ ସୁନ୍ଦର ଡାଏରୀ ଥିଲା । ତା’ଉପରେ ମୋର ଆଉ ଅଜାଙ୍କର ଅଙ୍କାଯାଇଥିବା ଫଟୋଟିଏ ଥିଲା । ତା ଉପରେ ଛୋଟିଆ କାଗଜରେ ଲେଖା ଥିଲା-
“ମୋ କ୍ୱିନ (ମୁଁ) ତୋ ମାଆ ପ୍ରତି ମୁଁ ଅନ୍ୟାୟ କରିଛି । ମୁଁ ଲେଖିଥିବା ଏ କାହାଣୀଟି ଶୁଣିବୁ । ତୋ ମାଆକୁ ବି ଶୁଣାଇବୁ । ମୋ କ୍ୱିନ, ତୁ ଦେଖିବାକୁ ଅବିକଳ ତୋ ଆଇ ପରି କିନ୍ତୁ ମୋ ଭିତରର ସୁପ୍ତ ଲେଖକଟି ତୋ ଭିତରେ ବି ଅଛି । ତୁ ମୋ କାହାଣୀର ଅଭିପ୍ରାୟ ନିଶ୍ଚୟ ବୁଝିଯିବୁ । ଆଶା ତୁମକୁ ତୁମର ସବୁ ପ୍ରଶ୍ନର ଉତ୍ତର ମିଳିଯିବ ।”
ଇତି
ତୋ ଅଜା
ମୁଁ ରଡ଼ି ଛାଡ଼ି ମାଆକୁ ଡାକିଲି ।
~ ୨ୟ ଭାଗ ~
ମାଆ ଆସି ମୋ ପାଖେ ବସିଗଲେ ଆଉ ମୁଁ ପଢ଼ିବା ଆରମ୍ଭ କଲି ।
ବହୁତ ଦିନ ତଳର କଥା । ଗୋଟେ ଗାଆଁରେ ଦୁଇ ସାଙ୍ଗ ରହୁଥିଲେ । ଦେବବ୍ରତ ମିଶ୍ର ଆଉ ଦୀନବନ୍ଧୁ ହୋତା । ଦେବ ଓ ଦୀନ ପିଲାବେଳର ଘନିଷ୍ଠ ବନ୍ଧୁ । ଦୀନ ଟିକେ ବଡ଼ ଘରର ପିଲା କିନ୍ତୁ ଦେବ ଘରର ଆର୍ଥିକ ଅବସ୍ଥା ଭାରି ସ୍ୱଚ୍ଛଳ । ଦୀନ ପାଠ ପଢ଼ାରେ ଭାରି ଦୁର୍ବଳ, ଦେବ କିନ୍ତୁ ପାଠ ପଢ଼ାରେ ଖୁବ ଚତୁର । ଏମିତିକି ଦୀନର ପାଠପଢ଼ା ବି ଦେବ କରିଦିଏ । ଦେବ ବାପା ତାକୁ ଆଉ ପାଠ ପଢ଼ାଇବାକୁ ମନା କରିଦଲେ, ତେଣୁ ମନ ଦୁଃଖରେ ନଇପଠାରେ ବସିଥିଲା । ଦୀନ ସବୁ ଶୁଣିଲା ପରେ ସେ ଦେବକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଲା । ଦୀନ କହିଲା ତାକୁ ପାଠପଢ଼ାରେ ଟିକେ ଇଛା ନାହିଁ, ମହାନ ସଙ୍ଗୀତଜ୍ଞ ଗୁରୁ ସୁରମଣି ପାଖ ଗାଆଁରେ ରହୁଛନ୍ତି ସେଠି ସଙ୍ଗୀତ ଶିଖିବାକୁ ଚାହୁଁଚି । ବାପାଙ୍କୁ ମନାଇବାକୁ ପଡ଼ିବ, ଆଉ ସେଇଟା କେବଳ ତା’ ନାନୀ କରିପାରିବେ । ଦେବ କହିଲା ଠିକ୍ ତ, ତା’ହାଲେ ତୁ ତୋ ନାନୀକୁ କହ ବାପାଙ୍କୁ କହିବାକୁ । ଦୀନ ଚୁପ୍ ହୋଇ ବସିଗଲା କହିଲା, ଶୁଣୁ ଦେବ ତତେ ପାଠ ପଢ଼ିବାର ଅଛି ତେଣୁ ତତେ ଟଙ୍କା ଦରକାର ଆଉ ମତେ ସଙ୍ଗୀତ ଶିଖିବାର ଅଛି ଆଉ ଆମ ଦୁଇ ଜଣଙ୍କର ଯଦି କେହି ସାହାଯ୍ଯ କରି ପାରିବ ସେ ହେଉଛି ଆମର ଇନ୍ଦୁ ନାନୀ । ଦେବ ସେଠୁ କହିଲା ତା’ହେଲେ ଚାଲ ନାନୀକୁ କହିବା । ଦୀନ ଦେବର ହାତଦୁଇଟା ଭିଡ଼ି ଧରି ଜଲଦି ଜଲଦି ଯନ୍ତ୍ରଚାଳିତ ଭାବେ କହିଦେଲା, “ଦେବ ଦେଖ ମତେ ମାରି ବୁନି, ତୁ ମୋ ନାନୀକୁ ବାହା ହେଇଯା ଆମ ସବୁ ସମସ୍ୟାର ସମାଧାନ ହୋଇଯିବ ।” ଦେବ ହକାବକା ହୋଇ ଚାହିଁ ରହିଲା । କହିଲା, “ଯା ମ, ସେ ଗେରସ୍ତ ଖାଇ ନାକ ଦଣ୍ଡିକୁ ମୁଁ କାହିଁକି ବିଭା ହେବି ।”
ଦୀନା ଟିକେ ରାଗିଯାଇ କହିଲା, “ଏ ଦେବ ସେମିତି କହନି ନାନିର ଗେରସ୍ତ ମଲା ଯେ ମୋ ନାନିର କି ଦୋଷ ! ତୁ ବିଭା ହେବୁ ଯଦି କହ, ମୋ ନାନିକୁ ବାପା ବହୁତ ଭଲ ପାଆନ୍ତି, ଖାଣ୍ଟି ଲକ୍ଷ୍ମୀମନ୍ତିଆଣିଟା, ବାପା ଧନରେ ତୋ ଘର ଭରିଦେବେ ଆଉ ତୋର ସବୁ ପାଠ ପଢ଼ାର ଖର୍ଚ୍ଚ ବି ବାପା କରିଦେବେ ।”
ତାପରେ ବହୁତ ସମୟଯାଏଁ ଦୁହେଁ ନଈ ପାଣିରେ ଗୋଡ଼ ବୁଡ଼େଇ ବସି ରହିଲେ । ଦୁହିଁଙ୍କର ବିଲକୁଲ ପାଟି ଖୋଲୁନଥିଲା । ସଞ୍ଜ ହେଲା, ଯିଏ ଯାହା ଘରକୁ ଗଲେ ହେଲେ ସାରା ରାତି ଦେବକୁ ତା’ର କହିଥିବା କଥା ପାଇଁ ଗ୍ଲାନି ହେଉଥିଲା । ରାତି ଅଧରେ ଦେବ ଥୁରୁଥୁରୁ ଶୀତରେ ଦୀନ ଘରକୁ ଗଲା । ଘର କବାଟ ଖଡ଼ଖଡ଼ କରିବାରୁ ଦୀନ ଦୌଡ଼ି ଆସି ଦେବକୁ ଲୁଚାଇ ବାରିପଟ ଢିଙ୍କିଶାଳକୁ ନେଇକି ଗଲା ।
ସେଠୁ ଦେବ କହିଲା, “ଦୀନ ତୋ ନାନୀ ପାଇଁ ମୋର ଏମିତି କହିବାର ନଥିଲା, ମତେ କ୍ଷମା କରିଦେ କିନ୍ତୁ ମୁଁ ତାକୁ ବାହା ହେବିନି ।” ଦୀନ କହିଲା, “କିନ୍ତୁ କାହିଁକି? ଦେଖ ତୁ ଖାଲି ବାହା ହେଇଯା ଆମ ବାପା ତୋର ସବୁ ପଢ଼ା ଖର୍ଚ୍ଚ ଉଠେଇବେ । ମ୍ୟାଟ୍ରିକ ସରିଲେ ତୁ ହେଡ ମାଷ୍ଟର ହେଇପାରିବୁ ଜାଣିଛୁ ।”
ଦେବ କହିଲା, “ହଁ ଯେ ଗଲା ମାସରେ ଚାନ୍ଦା ମାଗିବାକୁ ମୁଁ ତମ ପିଣ୍ଡାକୁ ଆସିଥିଲି ତୋ ନାନି ଖପରା ଖେଳୁଥିଲା ମୋ ଗୋଡ଼ ପଡିଗଲା ବୋଲି ଖପରା ମୋ ଉପରକୁ ଫିଙ୍ଗିଥିଲା । କେତେ ଗାଳି ଦେଲା । ଖାଲି ତୋ ଭଉଣୀ ବୋଲି ମୁଁ କିଛି କହି ନଥିଲି ।” ସେଠୁ ଦୀନ କହିଲା, “ହଉ ତା’ହେଲେ ବିଭାଘର ସରିଲେ ତୁ ଜୋରକିନି କାନମୁଣ୍ଡାରେ ଚିମୁଟି ଦବୁ ତାକୁ ।”
ପୁଣି ଦେବ କହିଲା, “ସବୁ ଠିକ ଯେ, ହେଲେ ମୋ ଠୁ ବର୍ଷେ ବଡ଼ ।” ତ ଦୀନ କହିଲା, “ବକୁଟେ ନାକ ହେଇଛି କିଏ ଜାଣି ପାରିବନି ।”
ଦେବ ପୁଣି କହିଲା, “ହଁ ଯେ ସେ ନାକରେ ଯୋଉ ଗୋଟେ ଦଣ୍ଡି ଲଗେଇଛି । ନାକଟା ସବୁବେଳେ ସୁଡ଼ୁସୁଡ଼ୁ କରୁଛି । ଗଧୁଣି କାନିରେ ନାକଟା ସୁଁ କରି ପୋଛି ଦେଉଛି ।”
ଦୀନ ଆଖି ଦୁଇଟିକୁ ଉଜ୍ଜ୍ୱଳ କରି କହିଲା, “ଆରେ ଅସଲ କଥା ତ ତତେ କହିନି” କହି କାନରେ ଖୁସୁଖୁସୁ କରି କିଛି କହିଲା । ଏଥର ଦୀନର ଶର ବାଜିଲା ଲକ୍ଷ୍ୟରେ, କଥାଟା ମନକୁ ପାଇଲା ଟିକେ ଦେବର । ତଥାପି ଗୁଁ ପୁଁ ହେଉଥାଏ ।
ଦୀନ ପଚାରିଲା, “କ’ଣ କହୁଛୁ ହେବୁ ତ?” ପାହନ୍ତ ହେବାକୁ ଆସିଲାଣି ଗାଆଁ ମାଇପିମାନେ ମାର୍ଗଶିରର ପ୍ରଥମ ଗୁରୁବାରରେ ହୁଳହୁଳି ଦେଲେଣି । ଦେବ ବିସ୍ତାପ ମନରେ ହଁ କହିଲା । ଦୀନା କହିଲା, “ସାଙ୍ଗ ତୋ ଘରକୁ ଲକ୍ଷ୍ମୀ ଆସିଲେ ଜାଣ ।”
ଦେବର ନନା ଓ ବୋଉ ବି ଏକଥା ଶୁଣି ସଫା ମନା କରିଦେଲେ । ତା’ପରେ ଦେବ ଘରେ ମିଛସତ କହି ସମସ୍ତଙ୍କୁ ରାଜି କରେଇଲା । ଘରେ ସମସ୍ତେ ବୁଝିଲେ ଯେ ଘରେ ବାଡ଼ୁଅ ଝିଅମାନେ ଅଛନ୍ତି । ସାନ ଭାଇ ମାନେ ଅଛନ୍ତି । ବଡ଼ ପୁଅର ଚାକିରି ହେଲେ ତ ଘରର ଉଦ୍ଧାର ହେବ । ଆଉ ହୋତା ଘର, ଏଡ଼େ ବଡ ଘର ଝିଅ, ପୁଣି ଗୋଟିଏ ବୋଲି ଝିଅ, ଗୋଟିଏ ଚାଉଳରେ ଗଢ଼ା । ତେଣୁ ବାହାଘର ଛିଡ଼ିଲା ।
ନାନୀକୁ ଏବେ ଆଉ କେହି ଅମଙ୍ଗୁଳା କହିବେନି । ନାନୀର ମୁହଁରେ ହସ ଦେଖି ବାପା ଖୁସ୍ ଆଉ ନାନୀ ଫୁସୁଲେଇ କି ବାପାକୁ କହିଲାରୁ ବାପା ବି ଦୀନାକୁ ସୁରମଣି ଗୁରୁଜୀ ପାଖେ ଛାଡ଼ିବାକୁ ରାଜି ହୋଇଗଲେ । ଆଉ ଦେବ ? ଦେବର ତ ଏବେ ପାଞ୍ଚ ଆଙ୍ଗୁଠି ଘିଅ, ମହୁ ଆଉ କେତେ କ’ଣରେ ।
ସବୁ ତ ଠିକ୍ ଥିଲା କିନ୍ତୁ ଏ ଭିତରେ ଦୁଃଖି ଥିଲା ତ ଖାଲି ଦେବ । କେତେ ସ୍ୱପ୍ନ ଥିଲା ତା’ର ବାହାଘର ପାଇଁ । ସୁନ୍ଦରିଆ ମାଇପଟେ ଆଣିବ । ଯିଏ ଟିକିଏ ପାଠଶାଠ ପଢ଼ିଥିବ । ଗେରସ୍ତ ବୋଲି ଆସିଲା ମାତ୍ରେ ସେବା ଯତ୍ନ କରିବ । କିନ୍ତୁ କ’ଣ ଯେ ହେଲା । ପିଲାଦିନୁ ଦେଖିଛି ଏ ଇନ୍ଦୁକୁ ଖାଲି କଳିହୁଡ଼ି, ମତେ ଖପରା ଛାଟିକି ବାଡ଼େଇଥିଲା । ଏମିତି ସବୁ ଭାବୁଥିଲା ।
ଚାରି ବଖରା ଘର । ଶେଷ ଘରେ ଦେବ ପାଇଁ ଇନ୍ଦୁରାଣୀ ଅପେକ୍ଷା କରି ବସିଥିଲା । ରାଗ ତମତମ ହୋଇ ଦେବ ଘର ଭିତରେ ପଶିଗଲା । ଆଉ ଶେଜ ଉପରେ ବସିଥିବା ନୂଆ ବୋହୂକୁ ଥୋକେ ବି ନ ଚାହିଁ ମୁହଁ ବୁଲାଇ ଶୋଇ ପଡ଼ିଲା । କିଛି ସମୟ ପରେ କଡ଼ ଲେଉଟାଇ ଦେଖିଲା ତ ରାଣୀ ଏବେବି ମୁହଁରେ ଓଢ଼ଣୀ ରଖି ବସିଛି । ବତୀ ଆଲୁଅରେ ଯେମିତି ଇନ୍ଦୁରାଣୀର ମୁହଁଟି ଜହ୍ନ ଭଳି ଝଟକୁ ଥିଲା । ତା ନାକରେ ପିନ୍ଧିଥିବା ନୋଥର ଆଲୁଅରେ ତା’ ମୁହଁଟା ବି କୋଉ ହିରାଠୁ କମ୍ ଦିଶୁ ନଥିଲା । ଆଖିରୁ ଥପ୍ ଥପ୍ କରି ଝରି ଯାଉଥିଲା ହିରା ସବୁ, ସତେ କି ଚାନ୍ଦରୁ ଚାନ୍ଦନୀ ଝରି ଯାଉଛି । କେଜାଣି କେମିତି ଆପଣା ଛାଏଁ ଦେବର ହାତ ରାଣୀର ଗାଲ ଯାକେ ଚାଲିଗଲା ଆଉ ଗେଲରେ ଚିମୁଟିଲା ପରି ଧରିନେଲା ଗାଲଟିକୁ । ଭୋ ଭୋ ହୋଇ କାନ୍ଦି ଉଠିଲା ରାଣୀ, କହିଲା, “ହେଲା ତ ଏଥର, ମୁଁ ତତେ ବାଡ଼େଇଥିଲି ଆଉ ତୁ ମତେ ଚିମୁଟିଲୁ, ଏଥର ଶୁଝିଗଲା ।” ଦେବ ଦେଖିଲା ରାଣୀର ଗୋରା ତକତକ ଗାଲ ଏକଦମ ଲାଲ୍ ପଡ଼ିଯାଇଛି । ଇନ୍ଦୁ କାଲି ସମସ୍ତଙ୍କ ଆଗେ କହିବ ମୁଁ ତାକୁ ମାରିଛି, ହେଲେ ମୁଁ ତ ଗେଲରେ ହାତ ବଢ଼େଇଥିଲି । ବୋଉ ଜାଣିଲେ ମତେ ଆଉ ରଖିବନି । ସାଙ୍ଗେସାଙ୍ଗେ ହାତଟା ନେଇ ଆସିଲା । ରାଣୀ ଲାଲ୍ ରଙ୍ଗର ଜରି ବୋର୍ଡର ଲଗା ବଡ଼ ସୁନ୍ଦର ଶାଢ଼ୀ ପିନ୍ଧିଥିଲା । କାନି ମଙ୍ଗରୁ ପତର ପୁଡ଼ିଆ ଖଣ୍ଡେ ବାହାର କଲା । କହିଲା, “ଖୁଡ଼ି ମହାପ୍ରସାଦ ଦେଇଛି, କହିଛି ଆଗ ସ୍ୱାମୀକୁ ଦେବୁ ତା’ପରେ ଅଁଇଠା ତୁ ଖାଇବୁ ।” ଦେବ ହାତରେ କିଛି ମହାପ୍ରସାଦ ଉଠେଇ ନେଇ ଇନ୍ଦୁ ହାତରେ ରଖି କହିଲା ମୋ ଅଇଁଠା କାହିକିଁ ତୁ ଖାଇବୁ, ତୁ ମୋଠୁ ବଡ ଉଁ ଉଁ ହଉ ଠିକ୍ ଅଛି ଚାଲ ମିଶିକି ଖାଇବା ।” ରାଣୀ ଆଖି ଦୁଇଟି ଉଜ୍ଜଳ ହୋଇ ପୁଣି ଲାଜେଇ ଗଲା ।
ସମୟ ଗଡ଼ି ଗଡ଼ି ଯାଉଥିଲା । ଜାଣିନି କେମିତି ଆପଣାଛାଏଁ ଦେବ ଧୀରେ ଧୀରେ ରାଣୀ ଆଡ଼କୁ ଟାଣି ହୋଇ ଯାଉଥିଲା । କିନ୍ତୁ ପ୍ରକାଶ କରିପାରୁନଥିଲା । ମାତ୍ର ଦୀନ ପାଖରେ ବସି ବି ଦୁହେଁ କିଛି କଥା ହେଉ ନଥିଲେ । ଦୀନ କେତେ ପଚାରିଲା ପରେ ବି ଦେବ କିଛି ଉତ୍ତର ଦେଇ ପାରେନି । ବାହା ହୋଇ ସାତ ଦିନ ଖଣ୍ଡେ ହେଲାଣି । ସଳା ବାବୁ ଶାଗମାଛ ଧରି ଘରେ ହାଜର । ସାଙ୍ଗରେ ଖବର ଧରି ଯେ ଲେଉଟାଣି ସରିଲା ପରେ ଦେବ ସ୍କୁଲ ଯିବ । ଜଗବନ୍ଧୁ ହାଇସ୍କୁଲରେ ମ୍ଯାଟ୍ରିକ ପଢ଼ିବ ପୁଣି ପାସ୍ ହେଲାପରେ ସେଇଠି ମାଷ୍ଟର ବି ହୋଇପାରିବ । ଜଗବନ୍ଧୁ ହାଇସ୍କୁଲ ! ଏଠୁ ୩ ମାଇଲ ବାଟ । ଛାତ୍ରାବାସରେ ରହିବାକୁ ପଡ଼ିବ । ଦେବ ଏ କଥାରେ ବହୁତ ଖୁସି ହୋଇଗଲା କିନ୍ତୁ ହଠାତ କାହିଁକି ସେ ଟିକେ ଉଦାସ ଲାଗିଲା । ସଞ୍ଜ ହୋଇ ଆସୁଥିଲା । ବୋଉ ସଞ୍ଜ ଦେବାକୁ ଗଲା । ବାଡ଼ି ପଟେ ଚୂଲିରେ ରାଣୀ ମାଛ ଭାଜୁଛି । ମାଛ ଖାଇବା ବାହାନାରେ ସେଇଠି ଯାଇ ବସିଗଲା ଦେବ । ଚୂଲି ନିଆଁରେ ରାଣୀର ମୁହଁ ଦାଉ ଦାଉ ଦେଖା ଯାଉଥିଲା । ସତରେ ଏ ନାକର ନୋଥଟା ତାକୁ ଭାରି ମାନୁଥିଲା । ଆଗରୁ ମୁଁ ଦେଖି ନଥିଲି କେମିତି । କେଜାଣି କ’ଣ ଭାବିଲା ଦେବ । ପ୍ରଥମଥର ରାଣି ଗାଲରେ ଚୁମ୍ୱନଟିଏ ଆଙ୍କିଦେଲା ସେ । “ବୋଉଲୋ” ବୋଲି ଚିଲେଇ ଦେଲା ଯେ, ରାଣୀ ଘରୁ ସବୁ ଦୌଡ଼ି ଆସିଲେ । ସବୁ ପଚାରୁଛନ୍ତି, “କ’ଣ ହେଲା ।” ସେଠୁ ରାଣୀ କହିଲା, “କିଛି ନାହିଁ ବିରାଡ଼ିଟାଏ ଆସିଥିଲା କାଳେ ମାଛ ଖାଇ ଦେବ ସେଥିପାଇଁ…”
ଦେବ ରାତିରେ ରାଗି କି ଗମ୍ଭୀରି ଭିତରେ ମୁହଁ ମାଡ଼ିଥିଲା, ଇନ୍ଦୁ ଆସିବା ଦେଖି ଶୋଇବା ଭଳି ଅଭିନୟ କଲା; ହେଲେ ଇନ୍ଦୁ ବୁଝିଲା ଯେ, ଦେବର ଗୋଡ଼ ଚିପିବାକୁ ଲାଗିଲା । ଦେବ ଝଅଟ କରି ତା’ ହାତ ଧରି ନେଲା । ଦେଖିଲା ଇନ୍ଦୁ ଆଖିରେ ଲୁହ । ଦେବ କହିଲା, “ଆରେ ମୁଁ ତ ରାଗିନି ।” “କିନ୍ତୁ ତୁ ଯେ ମତେ ଛାଡ଼ି ଚାଲିଯିବୁ ।” ଦେବ କହିଲା, “ତା’ହେଲେ ତୁ ଚାହୁଁ ମୁଁ ତୋ ପାଖେ ରହେ ବୋଲି ।” ନା ମାନେ ହଁ କହିଲା ଇନ୍ଦୁ । ଦେବକୁ ବୁଝିବାକୁ ବାକି ରହିଲାନି ଯେ ଇନ୍ଦୁ ହିଁ ତା’ର ପ୍ରକୃତ ଜୀବନସାଥି । ଇନ୍ଦୁକୁ ଆଲିଙ୍ଗନ କରୁକରୁ ଦେବ ପ୍ରତିଶ୍ରୁତି ଦେଲା ଯେ ସେ ଜଲଦି ଆସିବ । ଆଉ ସାରାଜୀବନ ସେମାନେ ସାଥି ହୋଇ ରହିବେ । ହଠାତ ଦୀନ ତା’ କାନରେ କହିଥିବା କିଛି କଥା ଦେବର ମନେ ପଡ଼ିଲା, ଦେବ ସାଙ୍ଗେସାଙ୍ଗେ ଇନ୍ଦୁକୁ ପଚାରିଲା, “ଆଛା କହିଲୁ ତୁ ମତେ କେତେ ଭଲପାଉ?” ଇନ୍ଦୁ କହିଲା, “ତୁ ଯଦି କହିବୁ ଜୀବନ ଦେଇଦେବି ।” ଦେବ କହିଲା, “ମୁଁ ମାଗିଲେ ଏ ନୋଥଟା ଦେଇଦେବୁ?” ଆଖିରୁ ଧାର ଧାର ଲେମ୍ୱୁ ଧାର ଗଡ଼ିଗଲେ, ତଥାପି ତାକୁ ପୋଛୁପୋଛୁ ରାଣୀ କହିଲା ମୋର ମାଆ ନାହିଁ, ଏ ନୋଥ ମୋ ମାଆର ଶେଷ ସନ୍ତକ, ତୁ ଯଦି ମାଗୁଛୁ ନେଇଯା । ତତ୍କ୍ଷଣାତ୍ ହାତକୁ ଧରି ପକେଇଲା ଦେବ କହିଲା, “ମୁଁ ବଞ୍ଚିଥିଲା ଯାକେ ଆକୁ କାଢ଼ିବୁନି । ଆଜି ଏଇଠି ଶପଥ କର ।” “ତତେ ଘିଣା ମାନୁଛି । ଖାଲି ମତେ ତୁ ତା କରେନା ।” ଦୁହେଁ ଖି ଖି ହୋଇ ହସିବାକୁ ଲାଗିଲେ । ଦେବ କହିଲା, “ଆଜିଠୁ ତୁ ମୋ ରାଣୀ ମୋ ଇନ୍ଦୁରାଣୀ ।”
ଏକ ସମ୍ପର୍କ ଯାହା ମାତ୍ର ଏକ ସଂଯୋଗ ବା ସନ୍ଧି ଥିଲା ତାକୁ ତା’ର ଲକ୍ଷ୍ୟ ମିଳିଗଲା । ଧୀରେ ଧୀରେ ସମୟ ଗଡ଼ିଲା । କିଛି ଦିନର ବିରହ ପରେ ଦେବ ଗାଁ ସ୍କୁଲକୁ ମାଷ୍ଟର ହୋଇ ଆସିଲା । ସେତେବେଳକୁ ବଡ଼ ପୁଅ ଜନ୍ମ ହୋଇସାରିଥିଲା ଆଉ ଜଣେ ଆସିବାର ଥିଲା । ଦେବ ଲକ୍ଷ୍ୟ କଲା ରାଣୀ ପୁରାଣ ପୋଥିଗୁଡ଼ିକ ବି ପଢ଼ି ପାରୁନି । ଦେବ ଏଥର ଲାଗିଲା ସ୍ତ୍ରୀକୁ ଶିକ୍ଷିତ କରେଇବାରେ । ବଡ ପୁଅକୁ ପାଠ ପଢ଼େଇଲା ବେଳେ ଏଥର ରାଣୀ ବି ପଢ଼ି ବସେ । ଗାଆଁ ମାଇପି ସେ ପାପପୁଣ୍ୟର ଦ୍ୱାହି ଦେଲେ । ତାକୁ ଦେବ ବୁଝେଇ ଦେଇଛି, ଗର୍ଭାବସ୍ଥାରେ ଯାହା କର୍ମ କରିବ ଛୁଆ ଉପରେ ତାର ଛାପ ରହିବ । ମହାଭାରତର ଅଭିମନ୍ୟୁର କାହାଣୀକୁ ବି ସେ ତାକୁ କହିଛି । କିଛି ସୁଖ ଆସିଛି ତ କିଛି ଦୁଃଖ ବି ଆସିଛି । ଭାଇ ଭଉଣୀମାନଙ୍କର ପାଠପଢ଼ା, ତା’ପରେ ବାହାଘର । ପଇସାର ବହୁତ ଅଭାବରେ ବି ଦୁହେଁ ଘରକୁ ସୂଚାରୁରୂପେ ଚଳେଇ ନେଇଛନ୍ତି । ପାଞ୍ଚଟି ପୁଅ ଆଉ ଚାରୋଟି ଝିଅର ସୁଖି ସଂସାର । ଦେବ ପୁଅ ଓ ଝିଅ ଉଭୟଙ୍କୁ ଶିକ୍ଷା ଦେବାରେ ବିଶ୍ୱାସ ରଖିଥିଲା । ତେଣୁ ଯେତେ କଷ୍ଟ ହେଲେବି ସେ ସମସ୍ତଙ୍କୁ ପାଠ ପଢ଼େଇବାରେ ଲାଗିଥିଲା । ପୁଅମାନେ ଭଲ ଭଲ ଚାକିରି କଲେ । ଝିଅମାନେ ବି ବହୁତ ଭଲ ଜାଗାରେ ବାହାସାହା ହେଲେ । ଖାଲି ବାକି ରହିଲା ସାନ ପୁଅ ଓ ଝିଅ କଥା । କୋଡ଼ ପୋଛା ବୋଲି ଭାରି ଅଲିଅଳି ଝିଅ । ପାଠରେ ସବୁଠୁ ଆଗୁଆ । ବାପା ଦେବବ୍ରତ ସବୁବେଳେ ଶଳା ଦୀନବନ୍ଧୁଙ୍କୁ କହନ୍ତି ମୋ ଝିଅପାଇଁ ସବୁଠୁ ଭଲ ପ୍ରସ୍ତାବଟେ ଆସିବ । ଦେଖିବୁ ଆଖପାଖର କାହାର ଏମିତି ଭୋଜି ହେଇ ନଥିବ । ଯୋଗକୁ ସାନ ପୁଅ ଜୀବନର ବାହାଘର ବହୁତ ବଡ଼ ଘରେ ଠିକ ହେଲା, ଝିଅ ଘରୁ ଖବର ଦେଲେ ଯେ ତାଙ୍କୁ କାଳେ ଦେବର ସାନ ଝିଅ ଭାରି ପସନ୍ଦ ଆସିଛି ତାଙ୍କ ପୁଅ ପାଇଁ ଯିଏ କି ଆମେରିକାରେ ଡାକ୍ତର ଅଛି ।
~ ୩ୟ ଭାଗ ~
ଘରେ ସମସ୍ତେ ଭାରି ଖୁସି ଥିଲେ କିନ୍ତୁ ଝିଅ ମନ ଶୁଖିଗଲା, ଇସାରାରେ କିଛି କହିବ କହିବ ହେଉଥିଲା କିନ୍ତୁ କହିପାରିଲାନି ଯେ ସେ ପ୍ରସାଦ ରାୟକୁ ଭଲପାଏ । ମାମୁଁଙ୍କ ସଙ୍ଗୀତ ବିଦ୍ୟାଳୟରେ ତା’ର ଦେଖା ହୋଇଥିଲା ପ୍ରସାଦ ସହ । ସଙ୍ଗୀତରେ ବିଶାରଦ କରୁଛନ୍ତି ସେ । ଏଠି ରିସର୍ଚ୍ଚ ପାଇଁ ଆସିଥିଲେ । ଭାରି ଭଲ ଲୋକ ସେ, ମାମୁଁଙ୍କୁ ଭାରି ମାନନ୍ତି । କିନ୍ତୁ ଏ କଥା ଘରେ କହିଲେ ପ୍ରଳୟ ଆସିଯିବ । ଆଉ ଭାଇ ବାହାଘର ଭାଙ୍ଗିଯିବ । କ’ଣ କରିବ କିଛି ଚିନ୍ତା ନକରି ପାରି ଶେଷକୁ ଝିଅ ମାଆକୁ ସବୁ କଥା କହିଦେଲା । ଦେବ ସେହି ଲୋକ ଯିଏକି ସାରା ସମାଜରୁ ଅଲଗା ଯାଇ ବିଧବା ସହ ବାହା ହୋଇ ପାରିଥିଲେ କିନ୍ତୁ ଯେତେବେଳେ ଝିଅ ନିଜ ଇଚ୍ଛାରେ ବାହା ହେବା କଥା ଆସିଲା ସେ ଏକଦମ୍ ଅଲଗା ବିଚାର କଲେ । ସ୍ଵାମୀ ଓ ଝିଅର ଖୁସି ଭିତରୁ ରାଣୀ ଝିଅକୁ ସମର୍ଥନ କଲେ । ଦେବବାବୁ ମିଛ ଅଂହ ଭାବକୁ ନେଇ ବାହା ବେଦୀ ଉପରେ ଝିଅ ନାଆଁର ସ୍ଵାହା କରିଦେଇ ଆସିଲେ ।
ଧୀରେ ଧୀରେ ଦେବକୁ ହୃଦୟଙ୍ଗମ ହେଉଥିଲା ଯେ ସେ ଝିଅ ସହ ଅନ୍ୟାୟ କରିଛି । ଝିଅକୁ ବହୁତ ବଡ଼ ଘରେ ବାହା ଦେବାର ଇଛାରେ ଝିଅର ଖୁସିକୁ ଦେଖି ପାରିଲେନି ଦେବ ବାବୁ । ସାନ ଝିଅ ହିଁ ଥିଲା ଯିଏ ବାପା ଆଉ ମାଆ ଦୁହିଁଙ୍କୁ ଠିକ୍ ବୁଝିପାରୁଥିଲା । ବାପା ମନ ଅଥୟ ହେଲେ ବି ସ୍ୱାଭିମାନ ତାକୁ ନଇଁବାକୁ ଦେଲାନି । ଭାଗ୍ୟକୁ ଘରେ କାହାର ଝିଅ ନଥିଲା, ସାନ ଝିଅର ଝିଅଟେ ହୋଇଛି, ଘରର ପ୍ରଥମ ଝିଅ କିନ୍ତୁ ବାପା ଡରରେ କେହି ତାକୁ ଦେଖିବାକୁ ଯାଇ ନାହାନ୍ତି । ରାଣୀ କିଛି ନକହିଲେ ବି ଦେବ ତା’ର ମୁହଁରୁ ବୁଝିଯାଇଛି ଯେ ସେ ଭିତରୁ ଝିଅ ଓ ନାତୁଣୀକୁ ଭାରି ଖୋଜୁଛି । ନାତୁଣୀକୁ ଦେଖିବାକୁ ଛଟପଟ ହେଉଛି, କିନ୍ତୁ ଦେବ ଯେ ନିରୁପାୟ । ସେ କେମିତି ନଇଁଯିବ, ଏ ଯେ ତା’ର ସ୍ୱାଭିମାନ ।
ସାନ ଝିଅ କିନ୍ତୁ ମାମୁଁ ପାଖକୁ ପ୍ରତି ବର୍ଷ ନୂଆବର୍ଷରେ ତା’ଝିଅର ଫୋଟ ସହ ଗ୍ରିଟିଂସ୍ କାର୍ଡ଼ଟିଏ ପଠାଏ । ଆଉ ଦେବ ସେଇଟିକୁ ଦୀନାଠୁ ଥିରି କି ମାଗିକି ଆଣେ କାହାକୁ ନ ଜଣେଇ ନେଇ କେବଳ ରାଣୀକୁ ନେଇ ଦେଖାଏ । ଏଇମିତି ବିତି ଗଲା ଦିନ, ମାସ ଆଉ ବର୍ଷ । ସମୟ କାହାକୁ ଅପେକ୍ଷା କରେନି ।
ଥରେ ବୁଢ଼ାବୁଢ଼ୀ ଘରେ ଥିଲେ, ବୁଢ଼ୀ ପଖାଳ ଖାଇ ବସିଥିଲା ହଠାତ ଅଧାରୁ ଉଠି ଛାଡ଼ି ଚାଲିଗଲା । ବାସ୍ ତା’ପରେ ଖିଆପିଆ ଛାଡ଼ିଦେଇ ବିଛଣା ଧରିଲା । କାହାକୁ ମୁହଁ ସୁଦ୍ଧା ଦେଖାଇଲାନି । ବୁଢ଼ା ଦେବ, ସ୍ତ୍ରୀ ହାତ ଧରି ଖାସେ ତା’ରି ପାଖେ ବସି ରହିଲା । ସବୁ ପୁଅ ବୋହୂ ଏ କଥା ଶୁଣି ଗାଆଁକୁ ଆସିଲେ । କ’ଣ ହେଇଛି କିଛି କହିଲାନି ଖାଲି ବୁଢ଼ାକୁ କହିଲା, “ମୋ ସାନ ଝିଅକୁ ଡାକ, ତାକୁ ଦେଖିଲେ ଯାଇ ମୋ ନାଟିକା ଛାଡ଼ିବ ।” ଶେଷକୁ ଦେବ ନିଜର ଅହଂକୁ ଭାଙ୍ଗି ବଡ଼ ଭାଇ, ଭଉଣୀକୁ ଘେନି ଗଲେ । ସାଥିରେ ଜ୍ୱାଇଁ ଆଉ ନାତୁଣୀକୁ ଦେଖି ବୁଢ଼ୀ ହରସି ଉଠି ବସିଲା । ସମସ୍ତେ ଦେଖି ହତବାକ୍ ଯେ ବୁଢ଼ୀର ମୁହଁ ପୁରା ଅଲଗା ଦିଶୁଛି । ନାକର ନୋଥଟା କାହିଁ? ଦେବ ବାବୁ ନିଜେ ଦେଖିକି କାବା । କିନ୍ତୁ ସବୁ ଝିଅ, ବୋହୂଙ୍କର ନଜର ସେହି ନୋଥରେ ଥିଲା । ଏଡ଼େ ବଡ଼ ନୋଥ କାହାର ବା ନ ହେବ । ଏଇ କାର୍ତ୍ତିକର ମାସ ଆରମ୍ଭ ହେଉଥିଲା । ରାତିରେ ବୁଢ଼ାବୁଢ଼ୀ ଦୁଇଜଣ ନାତୁଣୀକୁ ସେରେନ୍ତା କରୁଥିଲେ । ବୁଢ଼ା ଦେବ କହିଲା ଅବିକଳ ତୋ ପରି ଦିଶୁଛିଲୋ ରାଣୀ ତୋ ନାତୁଣୀ । ତ ଝିଅ, “କହିଲା ବାପା ତା ନାଁ ବି ରାଣୀ ମାନେ କ୍ୱିନ । ପୁରା ୨୫ ବର୍ଷର ସ୍ନେହ ଗୋଟିଏ ଦିନରେ ଅଜାଡି ଦେବେ କି ସତେ ।” ସେହି ଦିନ ରାତିରେ ବୁଢ଼ୀ ଦେହ ଭୀଷଣ ଖରାପ ହେଲା; ପ୍ରାୟ ୩ ଦିନ ହେଲା ଖାଲି ପାଣି ପିଇ ପଡ଼ିଛି । ଦେବ ଭାରି ଆଦରରେ ବୁଢ଼ୀର ମୁଣ୍ଡ ଅଣ୍ଡାଳି ପଚାରିଲା ରାଣିଲୋ ନୋଥଟା କ’ଣ କଲୁ? କହିଲା, “ନାତୁଣୀ ହାତରେ ଗଙ୍ଗା ପାଣି ଟିକେ ଦିଅ କହିବି ।” ଯେମିତି ନାତୁଣୀ ଗଙ୍ଗା ପାଣି ଦେଇଛି, ବୁଢ଼ୀ ଏତେ ଦିନଯାଏଁ ମଳ ତ୍ୟାଗ କରି ନଥିଲା ତ ସାଙ୍ଗେସାଙ୍ଗେ ମଳ ତ୍ୟାଗ କରିଛି ଆଉ ସେତିକିରେ ତା’ର ପ୍ରାଣବାୟୁ ଉଡ଼ିଗଲା । ମଲା ବେଳକୁ ବି ଦେବର ହାତକୁ ଜାବୁଡ଼ି ଧରିଥିଲା ରାଣୀ । ସମସ୍ତେ ଅନ୍ଯ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ ସାନ ଝିଅ ମାଆକୁ ପରିଷ୍କାକାର କରିବାକୁ ଲାଗିଲା । ମଳ ପରିଷ୍କାର କଲାବେଳେ ତାକୁ ସେଥିରୁ ମିଳିଲା ମାଆର ନାକର ନୋଥଟା । ବୁଢ଼ା ବସି ବସି ଏକାଲୟରେ ଦେଖୁଥିଲା ଘରର ଅନ୍ୟ ମାନଙ୍କୁ, କାହାର ଆଉ ମାଆ ବୋଲି ଚିନ୍ତା ନାହିଁ । କାନ୍ଦି କାନ୍ଦି ସାନ ଝିଅ ନୋଥଟା ମିଳିଗଲା ବୋଲି ସମସ୍ତଙ୍କୁ କହିବାକୁ ଯାଉଥିଲା କି ଦେବ ତା’ର ହାତ ଧରିନେଲା । କହିଲା, “ତାକୁ ସମ୍ଭାଳି କି ରଖିଦେ ମାଗିଲେ ଦବୁ ।”
ସବୁ କାର୍ଯ୍ୟ ସମ୍ପର୍ଣ୍ଣ ହେଲା । ସମସ୍ତେ ଯିଏ ଯାହାର ଗଲେଣି । ସାନ ଝିଅ ଯିବା ପୂର୍ବରୁ ବାପା ତାକୁ ପାଖକୁ ଡାକିଲେ । ବାପା ଝିଅ ପରସ୍ପରକୁ ଭୁଲ ମଗାମଗି ହେଲେ । ବାପା ଦେବ କହିଲେ, “ତୋ ମାଆ ସିନା ମତେ ଠକିଲା ହେଲେ ମୁଁ ବୁଝିଗଲି ସେ ଜାଣି ଶୁଣି ମତେ ଛାଡ଼ିକି ଯାଇଛି । ସେଦିନ ପଖାଳ ଖାଉଥିଲା; ଜାଣିଲା ନୋଥଟାକୁ ଗିଳିଦେଇଛି । ଆସିକି ମୁହଁ ମାଡ଼ି ଶୋଇଲା, ମତେ ବି ତା ମୁହଁ ଦେଖାଇଲାନି । ଲାଜରେ କାହାକୁ କହିଲାନି । ମତେ ସେ କଥାଦେଇ ଥିଲା ଯେ ମୁଁ ଥିଲା ଯାକେ ସେ ନୋଥ କାଢ଼ିବନି, ଜାଣିଛୁ ତୋ ମାଆ ର ଭାରି ସରାଗ ସେଥିରେ; ତା’ ମାଆର ଶେଷ ସନ୍ତକ, ହେଲେ ଅସଲ ରହସ୍ୟ କଥାଟା ହେଉଛି ସେଇଟି କୌଣସି ସାଧାରଣ ନୋଥ ନୁହେଁ, ବୁଝିଲୁ ତୋ ମାଆ ନିଜେ ବି ଜାଣିନି ଯେ ସେଇଟା ହେଉଛି ନୀଳମଣି, ଗୋଟେ ଅମୂଲ୍ୟ ରତ୍ନ, ଏବେ କା ଦିନରେ ତା’ର ମୂଲ୍ୟ କେଜାଣି କେତେ ଲକ୍ଷ । ମୋତେ ମୋ ଶଳା କହିଥିଲା, ଏସବୁ । ଏତେ ସମୟ ହୀରା ତା’ ପେଟରେ ରହିଲା, ସେଥିପାଇଁ ବିଷାକ୍ତ ହୋଇଗଲା । ମତେ କହିଥିଲେ ମୁଁ ତାକୁ ଡାକ୍ତର ପାଖକୁ ନେଇ ଠିକ କରିଥାନ୍ତି କିନ୍ତୁ ସେ ଆଉ ଠିକ୍ ହେବାକୁ ଚାହୁଁ ନଥିଲା, ମୁଁ ବୁଝିଗଲି ସେ ଏସବୁ ଜାଣିକି କରିଛି ।” ସେଇଟିକୁ ତା ନାତୁଣୀକୁ ଦେବ ବୋଲି ମତେ ବାରବାର କହେ । ସେଥିପାଇଁ ଯାଉଯାଉ ତାରି ହାତରୁ ଖାଇକି ଗଲା ଆଉ ସେ କରିଥିବା ଶପଥ ଭାଙ୍ଗିଗଲା ବୋଲି ଗ୍ଲାନିରେ ମତେ ଛାଡ଼ି ଚାଲିଗଲା ।”
ଝିଅ ସବୁ କଥା ଶୁଣିଲା । କହିଲା, “ବାପା ମୋର କୋଉଥିରେ ଲୋଭ ନାହିଁ, ତମ ଆଶୀର୍ବାଦ ମିଲିଗଲା, ମୋତେ ସ୍ୱର୍ଗ ମିଲିଗଲା । ଯଦି ତମେ ମତେ କ୍ଷମା କଲ ତେବେ, ମାଆ ନାହିଁ ତମକୁ ଏଠି ଏକୁଟିଆ ଭଲ ଲାଗିବନି ମୋ ସହ ଚାଲ ।” ଦେବ ବାବୁ ଟିକେ ମୁରୁକି ହସି କହିଲେ, “ତୋ ମାଆ କହିଛି ଶୀଘ୍ର କାମ ସାରି ଆସିବ ବୋଲି ଆଉ ତାର ବର୍ଷିକିଆଟା ସାରିଦିଏ, ତା’ପରେ ବଞ୍ଚିଲେ ତୋରି ପାଖରେ ରହିବି । ମୋ ବେକର ଏଇ କଣ୍ଠି ମାଳ ତୋ ମାଆ ବନେଇଥିଲା ତାକୁ ପ୍ରସାଦକୁ ଦେଇଦେବୁ ମାଆର ଆଶୀର୍ବାଦ ଭାବି ମୋ ପରେ । ମୋ ସମ୍ପତ୍ତି, ମୋ ରାଣୀ, ମାଆକୁ ତତେ ଦେଇଛି ସମ୍ଭାଳିକି ରଖିବୁ । ଚିନ୍ତା କରନା ଭାଇମାନଙ୍କୁ ମୁଁ କହିଦେବି ତତେ କେହି ନିନ୍ଦା କରିବେନି ।” ଝିଅ ସେଠୁ କାନ୍ଦ କାନ୍ଦ ହୋଇ କିଛି ନକହି ମୁଣ୍ଡିଆ ହୋଇ ଚାଲିଗଲା ।
ଦେବ ଝିଅ ଯାଉଥିବାର ଦେଖୁଥିଲା । ଆଉ ଫେରିଗଲା ତା’ର ସ୍ମୃତିରେ ସଜେଇ ରଖିଥିବା ସେଇ ଷୋଡ଼ଶୀ ରାଣୀର ଅତୀତକୁ । ଜୀବନ ଶେଷ ବର୍ଷରେ ଦେବ ପୁଣି ଜିଇଁଥିଲା ସେହି ଅତୀତରେ ଇନ୍ଦୁରାଣୀ ସହ ବିତାଇ ଥିବା ମୁହୁର୍ତ୍ତ ସବୁ । ସମୟ ଅତିବାହିତ କରିବା ପାଇଁ ଦେବ ଏଥର ନିଜ ଜୀବନରେ ବିତାଇ ଥିବା ପ୍ରତିଟି ମୂହୁର୍ତ୍ତକୁ କାଗଜରେ ଉତାରିବାକୁ ଲାଗିଲା ।ଜୀବନର ଛୋଟ ବଡ଼ ସବୁ ସ୍ମୃତିକୁ ଲେଖିରଖିଲା ତା’ ନାତୁଣୀ କ୍ୱିନ ଉଦେଶ୍ୟରେ ।
ଡାଏରି ଶେଷରେ ଲେଖାଥିଲା; “ନୋଥ ପ୍ରେମର ଏକ ଶ୍ରୋତ”
ଆଶା ତୁମକୁ ତୁମ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିବ । ମୁଁ ଯାଉଛି ମୋ ରାଣୀ ମୋ ଅପେକ୍ଷାରେ;
ଇତି
ତୋର ଅଜା ଓ ଆଇ
ଦେବବ୍ରତ ଓ ଇନ୍ଦ୍ରାଣୀ ମିଶ୍ର
ବାପା ବେକରେ କଣ୍ଠି ମାଳଟା ବେଳେବେଳେ ପକାନ୍ତି, ମାଆ, ଅଜାଙ୍କ ହାତ ଲେଖା ଶେଷ ଚିଠିଟିକୁ ସାଇତି ରଖିଛନ୍ତି ଆଉ ବେଳେ ବେଳେ ଦେଖି କନ୍ଦାନ୍ତି । ମୋର ମନରୁ ଅଭିମାନ ଓ ମାଆଙ୍କ ମନରୁ ଗ୍ଲାନି ଧୀରେ ଧୀରେ କମ ହୋଇ ଯାଇଥିଲା ।
– ପରମିତା ମିଶ୍ର
Comments
ପରମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।