ଏକ ବର୍ଷଣ ମୁଖର ସନ୍ଧ୍ୟାରେ ଅଫିସ୍ରୁ ଫେରିବା ସମୟରେ ଅଟୋକୁ ଅପେକ୍ଷା କରିବା ଲାଗି ଆଶ୍ରୟ ନେଲି ନିକଟରେ ଥିବା ଏକ ଚାହା ଦୋକାନ ପାଖରେ । ଲଘୁଚାପ ବର୍ଷା, ବେଳକୁ ବେଳ ପ୍ରକୋପ ବଢ଼ିବାରେ ଲାଗିଛି । ଚାହା ଦୋକାନୀଟିର କିନ୍ତୁ ବେପାର ବଢ଼ିଆ ଜମିଥାଏ । ଦେଖିଲି କିଛି କଲେଜ ପଢ଼ୁଆ ପୁଅଝିଅ ସେଠି ମେଳି କରିଛନ୍ତି । କାହା ହାତରେ ଚାହା ତ କାହା ହାତରେ ସିଗାରେଟ୍ । କିଏ ପୁଣି ବର୍ଷା ମାଡ଼କୁ ଖାତିର ନକରି ବ୍ୟସ୍ତ ଥାଏ ସେଲ୍ଫି ଉଠାଇ ଫେସବୁକ୍ ଏବଂ ଇନ୍ସଟାଗ୍ରାମରେ ଷ୍ଟୋରି ପୋଷ୍ଟ୍ କରିବାରେ । ପୁଣି କିଛି ଭଦ୍ର ବ୍ୟକ୍ତି ଆସନ୍ତା କାଲି ପାଳନ ହେବାକୁ ଯାଉଥିବା ସ୍ୱାଧୀନତା ଦିବସ ଏବଂ ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତି ଉପରେ ସରଗରମ ଆଲୋଚନା କରୁଥିଲେ । ଏହି ସମୟରେ ଏକ ଦାମୀ ବାଇକ୍ରେ ବସିଥିବା ଅଳ୍ପ ବୟସର ଦୁଇଟି ପୁଅ ଆଉ ଆଉ ଜଣେ ଝିଅ ପହଞ୍ଚିଗଲେ ଉକ୍ତ ଚାହା ଦୋକାନରେ । ହାତ କଟା ଚମଡ଼ା ଜ୍ୟାକେଟ ପିନ୍ଧି ଡେଣାରୁ ଆରମ୍ଭ କରି ହାତ ପର୍ଯ୍ୟନ୍ତ ଡ୍ରାଗନ୍ ଟାଟୁ ଆଙ୍କିଥିବା ପିଲାଟି ଧମକ ଦେବା ଭଙ୍ଗୀରେ ଦୋକାନୀଟିକୁ ତିନୋଟି ଗରମ ଚାହା ଜଲ୍ଦି ବନାଇବାକୁ ଆଦେଶ ଦେଲା । “ଆବେ ହେଇ, ତିନିଟା ଗରମା ଗରମ ମସଲାବାଲା ଚାହା ବନା ଜଲ୍ଦି ଜଲ୍ଦି… ଶୁଭିଲା ନା ନାହିଁ?” ଆଉ ସିଗାରେଟ୍ଟିଏ ଫୁଙ୍କିବାକୁ ଲାଗିଲା । ତାଙ୍କ ସହ ଥିବା ଚିରା ଜିନ୍ସ ଓ ପାରଦର୍ଶୀ ଟପ୍ଟିଏ ପିନ୍ଧିଥିବା ଝିଅଟି ତୁରନ୍ତ ତା’ ହାତରୁ ସିଗାରେଟ୍ଟି ଛଡ଼ାଇ ସିନେମା ଷ୍ଟାଇଲ୍ରେ ଧୂଆଁ ଉଡ଼ାଇବାରେ ଲାଗିଲା । କିଛି ସମୟ ପରେ ଦୋକାନୀ ବଢ଼ାଇଦେଲା ତିନୋଟି ଚାହା ଗ୍ଲାସ । ବୋଧ ହୁଏ ଚାହାର ସ୍ୱାଦ ପସନ୍ଦ ହେଲାନି ସେମାନଙ୍କୁ । ଚାହା ଗିଲାସଟି ବିଚରା ଦୋକାନୀ ଉପରକୁ ଫୋପାଡ଼ି ସେ ପିଲା ଦୁଇଜଣ ଦୋକାନୀଟିକୁ ଅଶ୍ଳୀଳ ଭାଷା ପ୍ରୟୋଗ କରି ଆରମ୍ଭ କରିଦେଲେ ଗାଳି ଗୁଲଜ । ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୃଦ୍ଧ ଚାହା ଦୋକାନୀଟିକୁ ଏପରି ବ୍ୟବହାର ଆଉ ଭାଷା ପ୍ରୟୋଗ, ମୁଁ ଚକିତ ହୋଇ ଗଲି । ଯାହା ହେଉ ଉପସ୍ଥିତ କିଛି ବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା ଏବଂ କେହି ପିସିଆର୍ ଡାକିବାକୁ ଧମକ ଦେବା ହେତୁ ସେମାନେ ସେଠୁ ଦ୍ରୁତ ଗତିରେ ବାଇକ୍ ଚଲାଇ ଚାଲିଗଲେ । କେହି କେହି ସେମାନଙ୍କୁ ଗାଳି ଦେଉଥାନ୍ତି ତ କିଏ ତା’ର ବାପାମାଆଙ୍କୁ ଦାୟୀ କରୁଥାନ୍ତି । ସେ ଯାହା ହେଉ, ବର୍ଷା କମି କମି ଆସୁଥାଏ । ମତେ ମଧ୍ୟ ସୁଲଭ ଦରରେ ଟାକ୍ସିଟିଏ ମିଳିଗଲା ।
ମୁଁ ଭାବୁଥିଲି ଏହିମାନେ କ’ଣ ଦେଶର ଭବିଷ୍ୟତ? ସେ ପିଲାମାନଙ୍କ ଏପରି ବ୍ୟବହାର ପାଇଁ ପ୍ରକୃତରେ ଦାୟୀ କିଏ? ପାରିପାର୍ଶିକ ଅବସ୍ଥା ନା ପାରିବାରିକ ସଂସ୍କାର? ଜଣେ ବ୍ୟକ୍ତିର ଚାଲିଚଳନ, ପୋଷାକ ପରିଚ୍ଛଦ ଆଉ ବ୍ୟବହାର କେମିତି ହେବ ସେଥିପାଇଁ ନିଶ୍ଚିତରୂପେ ପାରିବାରିକ ସଂସ୍କାର ହିଁ ସମ୍ପୂର୍ଣ୍ଣରୂପେ ଦାୟୀ । କଞ୍ଚା ମାଟି ପରି ଛୁଆକୁ ଆମେ ଯେମିତି ଗଢ଼ିବା, ସେମାନେ ଅବିକଳ ସେପରି ହିଁ ହେବେ । ପ୍ରଥମରୁ ଯଦି ସେ ପିଲାମାନଙ୍କୁ ଉଚିତ ଶିକ୍ଷା ମିଳିଥାନ୍ତା, ସେମାନେ କଦାପି ଏପରି ଉଦ୍ଭ୍ରାନ୍ତ ହୋଇ ନଥାନ୍ତେ । ଗୁରୁଜନ ସଦୃଶ ଦୋକାନୀଟିକୁ ସେପରି ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସମୟରେ ସେମାନଙ୍କ ବିବେକ ନିଶ୍ଚିତ ରୂପେ ବାଧା ଦେଇଥାନ୍ତା, ଏଥିରେ ସନ୍ଦେହ ନାହିଁ । ସେଥିପାଇଁ ଖାଲି ମୁଠା ମୁଠା ପଇସା ଖର୍ଚ୍ଚ କରି ଦାମୀ ସ୍କୁଲ୍ରେ ପାଠ ପଢ଼ାଇଦେଲେ କାମ ସରିଯାଏ ନାହିଁ । ଅଭିଭାବକମାନେ ପିଲାମାନଙ୍କର ନୈତିକ ଶିକ୍ଷା ଉପରେ ବି ଗୁରୁତ୍ୱ ଦେବା ଆବଶ୍ୟକ । ଯାହା ଫଳରେ ସେମାନେ ମଣିଷକୁ ମଣିଷ ପରି ବ୍ୟବହାର କରିବେ ଆଉ ନିଜ ଭାଷା ପ୍ରୟୋଗରେ ବି ସଂଯତ ହେବେ । ନହେଲେ ଦିଅଁ ଗଢ଼ୁ ଗଢ଼ୁ କେତେବେଳେ ମାଙ୍କଡ଼ ଗଢ଼ି ହୋଇ ଯାଇଥିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଭାବନା ରାଇଜରୁ ବାହାରି ସାମ୍ନାକୁ ଦେଖିଲି ପ୍ରବଳ ରାସ୍ତା ଜାମ୍, ଟାକ୍ସି ଡ୍ରାଇଭର୍ କହିଲା ମାଡାମ୍ ବୋଧ ହୁଏ କିଛି ଆକ୍ସିଡେଣ୍ଟ୍ ହୋଇଛି । ଭିଡ଼ କାଟି କାଟି ଯିବା ସମୟରେ ଦେଖିଲି ଏକ ଡିଭାଇଡରରେ ପିଟି ହୋଇ ଚୁର୍ମାର୍ ହୋଇ ପଡ଼ିଛି ଏକ ବାଇକ୍ ଏବଂ ରକ୍ତ ଜୁଡ଼ୁବୁଡ଼ୁ ତିନୋଟି ଶରୀର ।
ଆଖି ବନ୍ଦ କରି ଭୟରେ ମୁହଁ ବୁଲାଉ ଦେଉ ଦେଉ ହଠାତ ମୋ ନଜର ପଡ଼ିଗଲା ସେହି ଲହ ଲହ ଜିଭ କାଢ଼ି ଖତେଇ ହେଉଥିବା ଡ୍ରାଗନ୍ ଟାଟୁ ଚିତ୍ରିତ ହାତଟି ଉପରେ । ଟାକ୍ସି ରେଡ଼ିଓରେ ବାଜୁଥିଲା, “ନହ୍ନେ ମୁନ୍ନେ ବଚେ ତେରେ ମୁଠୀ ମେଁ କ୍ୟା ହେ…”
– ଅମ୍ରିତା ପାଣି
Comments
ଡ. ଅମ୍ରିତା ପାଣି ଓଡ଼ିଆ ଭାଷାରେ କିଷମ କିଷମର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିଦେଶ ଯାତ୍ରାର କିଛି ଅନୁଭୂତିକୁ ସେ ଶବ୍ଦରେ ସଜେଇ ସୁନ୍ଦର ଭାବରେ ବଖାଣନ୍ତି ସେ ଦେଶକୁ, ରାଜ୍ୟକୁ, ସହର ଅବା ସ୍ଥାନକୁ । ସେମିତି କିଛି ଭ୍ରମଣକାହାଣୀ ମଧ୍ୟ ପ୍ରକାଶ ପାଇଛି ଶୁଭପଲ୍ଲବରେ ।