ମୋ ନୟନେ ଛଳଛଳ ହେଉଥିବା
ଅଶ୍ରୁଗୁଡ଼ାକ ବନ୍ୟା ହୋଇ
ହୃଦୟକୁ ପ୍ଲାବିତ କରିବା ପୂର୍ବରୁ
ଶବ୍ଦ ପାଲଟି କବିତା ଦେଇ ବହିଯାଉ
ଅଥଚ ୟାକୁ ତ ସାଉଁଟି ପାରିବି !
ସ୍ମୃତିର ଓଦା ପୃଷ୍ଠା ମଧ୍ୟରେ
ଆଉ ପଢ଼ିପାରୁଥିବି
ସେ ପ୍ଲାବିତ ଯନ୍ତ୍ରଣାକୁ ପ୍ରତିଥର
ନା ୟାକୁ କେହି ଦେଖିପାରିବ
ନା କେହି ପରିହାସ କରିପାରିବ ।
ମୋ ଦେହ ଯେବେ ଥକିପଡ଼ିବ
ଜୀବନ ସଂଘର୍ଷ ଭିତରେ
ଶୋଇ ରହିବ କୋକେଇ ଉପରେ
ଆଉ ଜଳିଯିବ
ଅଗ୍ନିର ତୀକ୍ଷ୍ଣ ଜ୍ୱାଳାରେ
ପୋଡ଼ିଯିବ ସବୁ ସାଉଁଟି ନେଇଥିବା
ସ୍ମୃତିର ଗ୍ରନ୍ଥାଗାର
ମୋ ଦେହ ସହ
କଡ଼୍କାଡ଼୍ର ଶବ୍ଦ ଗୁମ୍ଫନରେ ।
କିନ୍ତୁ ନଥିବେ ଅନ୍ୟକେହି
ଥିବ କେବଳ ମୋ ଅସ୍ଥି
କିଛି ପାଉଁଶ ଭିତରେ
ଶବ ରୂପକ ଶେଷ ନାମ ସହ
ହଜିସାରିଥିବ ସମସ୍ତ ପରିଚୟ !
ଆଉ ତା’ପରେ
କାନ୍ଥରେ ଟଙ୍ଗା ହୋଇଥିବା ଚିତ୍ର
କଣ୍ଟାରେ ଝୁଲୁଥିବ
କୃତ୍ରିମ ଫୁଲର ହାରସହ ।
– ସୌମ୍ୟରଞ୍ଜନ ହୋତା