ଦାଦନର ଦୁଃଖ

dadanara-dukha

ଦେଶଛଡ଼ା ଲୋକ ରୋଗକୁ ଆଣିଲେ ଉଡ଼ାଯାହାଜରେ ବସି
ସେ ଋଣ ଶୁଝନ୍ତି ଭୋକ ଉପାସରେ ଦେଶ ଗଢ଼ା ଲୋକ ମିଶି ।

Lockdownରେ କାହା ଘରେ ହୁଏ ଛ’ ତରକାରୀ ନ’ ଭଜା
କାହା ଘରେ ପୁଣି ଅନ୍ନ ମୁଠେ ନାହିଁ ଅକାରଣେ କାଟେ ସଜା ।

ପ୍ରଶାସନ ସିନା ମାଗଣା ବାଣ୍ଟିଲା ଚାଉଳ, ଗହମ, ଡାଲି
ସଂସାରଟି ଅବା ଚାଲି କି ପାରିବ ଖାଲି ଜଳୁଥିଲେ ଚୁଲି??

ସରକାର ଦିନେ ଗରବେ କହୁଥିଲେ, ଏତେ ପକ୍କା ରାସ୍ତା ବୋଲି
ଦେଶର ଦାଦନ ମାପିଦେଲେ ଆଜି, ଖାଲି ପାଦେ ଚାଲି ଚାଲି ।

ନିର୍ବାଚନ ରାଲି ହେଇଥିଲେ ସିନା ମିଳନ୍ତା ମାଗଣା ସବାରୀ
ଜ୍ୱାଇଁ ପୁଅ ପରି ସମ୍ମାନ ସାଥିରେ, ମଦ ମାଂସ ତରକାରୀ ।

ଭକ୍ତ ବି ଚାହେଁନି ଭଗବାନ ମୁଖ, ସ୍ୱାର୍ଥ ସବୁ ଗଲେ ସରି
ଏବେ କେ ବୁଝିବ ଏମାନଙ୍କ ଦୁଃଖ ପଡ଼ିଛି ପା ମହାମାରୀ ।

ଘର ବାହୁଡ଼ା ଖୁସି ଟିକେ ପାଇଁ ବର୍ଷଯାକ ଥାଏ ଚାହିଁ
ସେ ସ୍ୱପ୍ନଟା ସତେକି ଦୁର୍ଦ୍ଦଶା ସାଜିଛି ଦାଦନ ଶ୍ରମିକ ପାଇଁ ।

ବିପତ୍ତି ପଡ଼ିଲେ ଘରମୁହାଁ ହୁଏ, ଯିଏ ଥାଉ ଯେତେ ଦୂରେ
ଅୟୁତ ନିୟୁତ ଧନ ଧରିକି ବି, ପୁଅ ମା’ କୋଳକୁ ଝୁରେ ।

ପ୍ରବାସୀ ଶ୍ରମିକ ଗର୍ଭେ ଶିଶୁ ଧରି ସହସ୍ର ଯୋଜନ ଚାଲେ
କି ଅବା ଲାଭ ଏତେ ବଡ଼ ଦେଶେ ଶହେ କୋଟି ଲୋକ ଥିଲେ ।

ମଦ ଦୋକାନୀ ମାଲିକଟି ଆଜି ସତେ ରାଜଭୋଗ କରେ
ଧାନ ବିକିବାକୁ ଚାଷୀ ହନ୍ତସନ୍ତ ଅଦିନିଆ ବର୍ଷା ଡରେ ।

ଜୀବନ ଜୀବିକା ଦୁହିଁଙ୍କୁ ହରାଇ ଗରିବ ମଥାରେ ହାତ
ଦରଭଙ୍ଗା ସ୍ୱପ୍ନ ପୂରା କି କରିବ ସରକାରଙ୍କ ମାଗଣା ଭାତ?

ପ୍ରକୃତି ଜାଣେନି ଧନୀ କି ଗରିବ, ସଭିଙ୍କୁ ଦେଖେ ସମାନ
ହେଲେ ଏ ସମାଜ ପ୍ରମାଣ କରୁଛି, ଦରିଦ୍ରର ନାହିଁ ସ୍ଥାନ ।

ଯୋଜନା ପରେ ଯୋଜନା କରି ପ୍ରଶାସନ ଟେକେ ହାତ
ହେଲେ ସେ ଘୋଷଣା ଗଢ଼ି ପାରିବତ ଖଟିଖିଆଙ୍କ ଭବିଷ୍ୟତ?

ଆଜି ସମୟ ଆସିଛି ସଭିଙ୍କୁ ସାଥିରେ ହାତ ଧରି ଚାଲିବାକୁ
ନିଜ ସ୍ୱାର୍ଥ ଛାଡ଼ି ସର୍ବେ ମିଳିମିଶି ପ୍ରକୃତିକୁ ବୁଝିବାକୁ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...