ଫେସନ ସୋ

fashion-show

ସମୟ ପାଞ୍ଚ ସାଢ଼େ-ପାଞ୍ଚ ହେବ । ନିଜର ନିତିଦିନିଆ କାମ ସାରି ବସ୍ତିକୁ ଫେରୁଥାଏ ସଲମାନ୍ । ମନରେ ଅସରନ୍ତି ଆନନ୍ଦ, ଆଜି ମାଲିକ ଖୁସି ହୋଇ ପୁରା ପଇସା ଦେଇଛି, ପଚାଶ ଟଙ୍କା । ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍, ଜରି, ପାଣି ବୋତଲ, ଛିଣ୍ଡା ପୋଷାକ ଆଦି ଯୋଗାଡ଼ କରି ଦୁଇ ଅଖା ଫୁଲ୍ କରିଥିଲା ଆଜି ସେ । ସେଥିପାଇଁ ମାଲିକ ଖୁସି ହୋଇ ତାକୁ ମଧ୍ୟ ଖୁସି କରିଥିଲା । ମନେ ମନେ ଆନନ୍ଦିତ ହୋଇ ଫେରୁଥିଲା ସେ । ରାତିରେ ଖାଇବା ନିମିତ୍ତ ବସ୍ତି ମୁଣ୍ଡରେ ଥିବା ମାଧିଆ ଅଜା (ବସ୍ତିର ସେ ସମସ୍ତଙ୍କ ଅଜା) ଦୋକାନରୁ ସେ ରୁଟି ଆଉ ତରକାରି ମଧ୍ୟ କିଣି ନେଇଥିଲା, ନିଜ ପାଇଁ ଏବଂ ନିଜ ସାଙ୍ଗରେ ଥିବା ମାଧୁରୀ ପାଇଁ । ସହରର ଏକ ବସ୍ତିରେ ଏକ କୋଣରେ ତା’ର ଘର । ଘର ବୋଇଲେ, କେତେଟା ଛିଣ୍ଡା ନିର୍ବାଚନ ପୋଷ୍ଟର ଆଉ ଚାରି ପାଞ୍ଚଟା ବାଉଁଶରେ ତିଆରି ଏକ ନିବୃତ ଜାଗା, ମାଲିକ ତା’ ପାଇଁ ବନେଇ ଦେଇଥିଲା । ଦିନସାରା ମାଲିକର କାମ କରି, ରାତିରେ ସେଠାରେ ବିଶ୍ରାମ ନେଇଥାନ୍ତି, ସଲମାନ୍ ଆଉ ମାଧୁରୀ । ତାଙ୍କ ଭଳି ଏମିତି ଅନେକ ଛୁଆ କାମ କରୁଥାନ୍ତି, ସେ ମାଲିକ ପାଖରେ ।

ସଲମାନ୍‌ର ବୟସ ୭ ଆଉ ମାଧୁରୀକୁ ୫ ବର୍ଷ । କହିବା ବାହୁଲ୍ୟ ଯେ, ଦୁଇଜଣ ଯାକ ଅନାଥ । କେଜାଣି, କିପରି ଆଉ କେବେ ଏ ବସ୍ତିକୁ ଆସିଥିଲା, ସେ କଥା ଜାଣି ନଥିଲା ସଲମାନ୍ । ହେତୁ ପାଇବା ପରେ ଏଇ ଜରି, ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍ ଆଦି ଗୋଟାଇବା କାମରେ ଲାଗିଛି ସେ । ନିଜ ପେଟର ଭୋକ ମେଣ୍ଟାଇବା ପାଇଁ, ସେ ବାଛିନେଇଥିଲା ଏହି କାମକୁ । ଛୋଟ ହେଲେ ବି ସେ ଏହି କାମକୁ ପାରୁ ପର୍ଯ୍ୟନ୍ତ ତୁଲାଉ ଥିଲା । ଯେତିକି ପାରୁଥିଲା, ସେତିକି କରୁଥିଲା ଆଉ ଖୁସି ଥିଲା ମଧ୍ୟ । ଆଗରୁ ମାଲିକ ୩୦ ଟଙ୍କା ଦେଉଥିଲା, ଏବେ ଟିକେ କାମ ଅଧିକ କରିବାରୁ ମିଳୁଛି ୫୦ ଟଙ୍କା । କିଛି ଦିନ ପରେ ତା’ ମାଲିକ ଆଉ ଗୋଟିଏ ଛୁଆକୁ ତା’ ସହିତ କାମରେ ଲଗେଇ ଦେଲା, ସେ ହେଉଛି ମାଧୁରୀ । ବାପା ମା’ ଛେଉଣ୍ଡ ମାଧୁରୀର, ସଲମାନ୍ ପାଲଟି ଯାଇଥିଲା ସବୁକିଛି । ଦୁହେଁ ସାଙ୍ଗ ହୋଇ କାମ କରନ୍ତି, କେବେ କାମ ସମୟରେ ଅନ୍ୟ ପିଲାଙ୍କ ଭଳି ଖେଳିବାରେ ସମୟ ନଷ୍ଟ କରନ୍ତିନି । ଏମିତି ବିତୁଥାଏ ତାଙ୍କ ଜୀବନ ।

ଦଉଡ଼ି ଦଉଡ଼ି ଆସି ସଲମାନ୍ ଘରେ ପହଞ୍ଚିଲା ବେଳକୁ ଦେଖେ ତ, ମାଧୁରୀ ଆଇନା ଆଗରେ ସଜବାଜ ହେଉଛି ।

“ଆଜି କାହିଁ ଜଲଦି ପଳାଇ ଆସିଲୁ?”

“ଆଉ ଏ ସଜବାଜ କାହିଁକି? କୁଆଡ଼େ ଯିବୁ କି?” ଧଇଁ ସଇଁ ହୋଇ ସଲମାନ୍ ପଚାରିଲା ।

ପିଚ୍ କିନା ହସିଦେଇ ମାଧୁରୀ କହିଲା, “ତୁ ଜାଣିନୁ କି, ଆଜି ପରା ସେ ବଡ଼ ପଡିଆରେ କ’ଣ ଗୋଟେ ବଡ଼ ପ୍ରୋଗ୍ରାମ ହେଉଛି । ବହୁତ ଲୋକ ଆସିଛନ୍ତି । ଫିଲମ୍‌ର ହିରୋ ହିରୋଇନ ବି ଆସିବେ । ବଡ଼ ବଡ଼ ଗାଡ଼ି ବି ସେଠି ଥୁଆ ହୋଇଥିଲା । ମୁଁ ଯାଉଛି ଦେଖିବାକୁ ଆଉ ତୁ ଯିବୁ ଯଦି, ଆ’ ।” ଏକା ନିଶ୍ୱାସରେ ସେ ଏସବୁ କହିଗଲା । ଏତିକି କହି ମାଧୁରୀ ପଳେଇଲା । ମାଧୁରୀ କହିବା ଅନୁଯାୟୀ, ସେ ପଡ଼ିଆରେ ଗୋଟିଏ “ଫେସନ ସୋ”ର ପ୍ରୋଗ୍ରାମ ଚାଲିଥିଲା । ଓଡ଼ିଶାର ଅନେକ ସୁନ୍ଦର ଯୁବକ ଏବଂ ଯୁବତୀମାନେ ସେଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ (ହିରୋ-ହିରୋଇନ, ମାଧୁରୀ ଭାଷାରେ) ଦେଖିବା ପାଇଁ ମାଧୁରୀର ଭାରି ଇଚ୍ଛା ।

ମାଧୁରୀ ଯିବା ପରେ, ସଲମାନ୍ ମଧ୍ୟ ନିଜେ ତୟାର୍ ହୋଇ ବାହାରି ପଡ଼ିଲା । ହିରୋ-ହିରୋଇନମାନଙ୍କୁ ଦେଖିବାକୁ କିଏ ବା ନ ଚାହିଁବ ! ବହୁ ଦିନ ତଳେ, ଜରି ଗୋଟାଇବା ସମୟରେ ମିଳିଥିବା ଗୋଟିଏ ସାର୍ଟକୁ (ଅଳ୍ପ ଛିଣ୍ଡାଥିବା) ପିନ୍ଧି ସେ ଫେସନ ସୋ ଅଭିମୁଖେ ବାହାରି ପଡ଼ିଲା । ରୂପରେଖରେ ସିନା ସେ ପୁରା କଳା ମୁଗୁନି ପଥର ଓ ତତ୍ ସହିତ ଧୂଳି ଧୂସରିତ ହାତ ଗୋଡ଼, ହେଲେ ତା’ର ଚାଲିବା ଷ୍ଟାଇଲ୍ ପୁରା ସଲମାନ୍ ଖାନ୍ ଭଳି, ସେଥିପାଇଁ ବୋଧେ କେଉଁ ସହୃଦୟ ବ୍ୟକ୍ତି ତା’ ନାଁ ରଖିଥିଲେ, ‘ସଲମାନ୍’ । ଭାରି ଭାଲଲାଗେ ତାକୁ ଯିଏ ସଲମାନ୍ ସଲମାନ୍ ବୋଲି ଡାକେ । ଆଉ ମଜାର କଥା ହେଲା, ମାଧୁରୀ ନାଁଟା ସଲମାନ୍ ହିଁ ସେ ଝିଅର ରଖିଥିଲା ।

ପଡ଼ିଆ ପାଖରେ ପହ୍ଞ୍ଚି ସଲମାନ୍ ଦେଖେ ତ, ମାଧୁରୀ ବାହାରେ ଛିଡ଼ା ହୋଇ କଇଁ କଇଁ କାନ୍ଦୁଛି । କାରଣ ପଚାରି ବୁଝିଲା ଯେ, ଗେଟ୍ ପାଖରେ ଥିବା ଗାର୍ଡ଼ ଲୋକମାନେ ତାକୁ ଭିତରକୁ ଯିବାକୁ ଦେଲେ ନାହିଁ । ବହୁତ କାକୁତି ମିନତି ପରେ ବି ସେମାନେ ମାଧୁରୀକୁ ମନା କରି ଦେଇଥିଲେ । ମାଧୁରୀର କାନ୍ଦ ଦେଖି ରାଗରେ ପଞ୍ଚମ ହୋଇ ଯାଇଥିଲା ସଲମାନ୍ ଓ ପୁଣି ଥରେ ତାକୁ ସାଙ୍ଗରେ ନେଇ ଗେଟ୍ ଦେଇ ପଡ଼ିଆ ଭିତରକୁ ଯିବାକୁ ଉଦ୍ୟତ ହୁଏ ତ, ଗାର୍ଡ଼ ଲୋକଟିର ଶକ୍ତ ଧକାରେ ତଳେ ପଡ଼ିଯାଇଥିଲେ ଦୁଇ ଜଣ । ଏଥର କିନ୍ତୁ ଦୁଇ ଜଣଙ୍କୁ ଗାଳି ଶୁଣିବାକୁ ପଡ଼ିଥିଲା । ଅପରିଷ୍କାର, ମଳିଛିଆ, ଅସନା ବସ୍ତିପିଲା ଆଦି କହି ସେମାନଙ୍କୁ ଘଉଡ଼ାଉ ଥିଲା ଗାର୍ଡ଼ ଜଣକ । ସତରେ, ବହୁତ ଆଶାରେ ଆସିଥିବା ଛୋଟପିଲା ଦୁଇଜଣଙ୍କ କୁନି ମନରେ ଲାଗିଥିଲା ଏକ ବଡ଼ ଆଘାତ । ଭାଙ୍ଗି ପଡ଼ିଥିଲା ସେମାନଙ୍କ ହୃଦୟ । ଫିଲମ୍‌ର ହିରୋ-ହିରୋଇନମାନଙ୍କୁ ଦେଖିବାର ଆଶାରେ ଆସିଥିବା ମାଧୁରୀ କିନ୍ତୁ ଶେଷରେ ନିଜ ମନର ଆଶା ପୂରଣ ହୋଇ ପାରିନଥିବାରୁ, କାନ୍ଦି କାନ୍ଦି ସେଠାରୁ ପଳାଇ ଯାଇଥିଲା । କିନ୍ତୁ ମାଧୁରୀ ପରି ହିରୋ-ହିରୋଇନମାନଙ୍କୁ ଦେଖିନେବାର ଅଦମ୍ୟ ଇଚ୍ଛା, ସଲମାନ୍‌କୁ ଅପେକ୍ଷା କରିବାକୁ ବାଧ୍ୟ କରିଥିଲା । ପଡ଼ିଆ ଭିତରକୁ ଯେନ ତେନ ପ୍ରକାର ଯିବାପାଇଁ, ସେ ଖୋଜି ଚାଲିଥିଲା କିଛି ଉପାୟ । ଶେଷରେ ତା’ର ଅପେକ୍ଷାର ଯବନିକା ପଡ଼ିଲା । କିଛି ସମୟ ପରେ, ଗାର୍ଡ଼ ଲୋକମାନେ ଅନ୍ୟ ଲୋକ ଏବଂ ଭିଆଇପି ମାନଙ୍କ ସହ ବ୍ୟସ୍ତ ଥିବା ବେଳେ, ସଲମାନ୍ ସମୟ ଦେଖି ଚୁପ୍‌କିନା ପଡିଆ ଭିତରକୁ ପ୍ରବେଶ କରିନେଇଥିଲା ।

ଭିତରର ଦୃଶ୍ୟ ତା’କୁ କୌଣସି ସପନର ମାୟାନଗରୀ ସଦୃଶ ଲାଗିଲା । ମନେ ମନେ ମାଧୁରୀ ପାଇଁ ଦୁଖୀ ବି ହେଲା, ବିଚାରି ଟିକେ ଅପେକ୍ଷା କରିଥିଲେ, ଏସବୁ ଦେଖି କେତେ ଖୁସି ନ ହେଇଥା’ନ୍ତା ! ଏଠୁ ଗଲେ ତା’କୁ ଏଠିକାର ଟିକିନିକି ଦୃଶ୍ୟ ନିଶ୍ଚିତ କହିବି । ଲାଇଟ୍ ଓ ସାଉଣ୍ଡ୍ ମିଶ୍ରଣର ମନୋରମ ପରିବେଶ ତା’କୁ ବହୁତ ଆମୋଦିତ କରୁଥାଏ । ଚାରିଆଡ଼େ ବିଭିନ୍ନ ପ୍ରକାର ଲାଇଟ୍‌ର ସାଜସଜା, ଅନ୍ଧକାରର ଯେପରି କିଛି ଚିହ୍ନ ବର୍ଣ୍ଣ ହିଁ ନଥାଏ । ଦିନ ବେଳା କାମ ଯୋଗୁଁ ଭଲ ଭାବରେ ଖାଇପାରି ନ ଥିଲେ ମଧ୍ୟ, ପଡ଼ିଆ ଭିତରର ଏ ମନୋରମ ଦୃଶ୍ୟ ଦେଖି କେତେବେଳୁ ତା’ର ଭୋକ ଶୋଷ ଉଭେଇ ଯାଇଥିଲା । ଯନ୍ତ୍ରବତ୍ ପଡ଼ିଆର ମଧ୍ୟ ଭାଗ ଆଡ଼କୁ ମାଡି ଚାଲିଥିଲା ସେ, ଯେଉଁଠାରେ ବଡ଼ ଧୁମ୍‌ଧାମ୍‌ରେ ଚାଲିଥିଲା ‘ଫେସନ ସୋ’ । ଏକ ବଡ଼ ଷ୍ଟେଜ୍ ଉପରେ କିଛି ଯୁବକ-ଯୁବତୀ ମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି, କିଛି ମ୍ୟୁଜିକ୍‌ର ତାଳେ ତାଳେ ପଦଚାଳନା କରୁଥିଲେ ଏବଂ ତଳେ ବସିଥିବା ଦର୍ଶକମାନେ ସେମାନଙ୍କୁ ତାଳି ମାରି ଉତ୍ସାହିତ କରୁଥିଲେ । ଏଇମାନେ ତା’ହେଲେ ମାଧୁରୀ କହୁଥିବା ଫିଲମ୍‌ର ହିରୋ-ହିରୋଇନମାନେ । ହେଲେ ଖୁସି ହେବା ପରିବର୍ତ୍ତେ ତା’ ମନେ ସୃଷ୍ଟି ହୋଇଥିଲା ଏକ ଭାବାନ୍ତର । ତା’ ସହ କାମ କରୁଥିବା ଝିଅ ମାନେ କିମ୍ବା ବସ୍ତିରେ ବସବାସ କରୁଥିବା ଝିଅ ଆଉ ସ୍ତ୍ରୀ ଲୋକେ ଏବଂ ଏ ରଙ୍ଗ ବେରଙ୍ଗର ଅଳ୍ପ ପୋଷକ ପରିହିତା ଝିଅ ମାନେ, କାହିଁକି କେଜାଣି ଆକାଶ ପାତାଳର ଫରକ ଆଣୁଥିଲେ ତା’ ପାଇଁ ।

“କାହିଁ, ସେ ତ’ ତା ବସ୍ତିରେ କୌଣସି ଝିଅ ବା ସ୍ତ୍ରୀ ଲୋକ ମାନଙ୍କୁ କେବେ ଏପରି ଛୋଟ ଛୋଟ ପୋଷାକ ପିନ୍ଧିବାର ଦେଖି ନାହିଁ !” ବସ୍ତିର ଅପାଠୁଆ ଆଉ ଏ ଶିକ୍ଷିତ ସଭ୍ୟ ଝିଅ ମାନଙ୍କ ଭିତରେ ଥିବା ପାର୍ଥକ୍ୟର କାରଣ ସେ ଖୋଜି ପାଉନଥିଲା । ଏମିତି କିଛି ଭାବନାରେ ସଲମାନ୍ ବୁଡ଼ି ରହିଥିବାବେଳେ, ହଠାତ୍ କେହି ଜଣେ ତାକୁ ଜୋରରେ ପାଟି କରି ସେଠାରୁ ପଳାଇ ଯିବାକୁ କହିଲା । ସେ ଲୋକର ପାଟିରେ ଭୟ ପାଇ ଦେଖେ ତ, ସେ ନିଜ ଅଜାଣତାରେ କିଛି ବଡ଼ବଡିଆ ମାନେ ବସିଥିବା ଜାଗାରେ ଠିଆ ହୋଇ ଯାଇଥିଲା । ସେମାନେ ତା’କୁ ସେଠାରୁ ଦୂରକୁ ଯିବାକୁ ନିର୍ଦ୍ଦେଶ ଦେଉଥିଲେ । କେହି କେହି ମଧ୍ୟ ତା’କୁ ଅପରିଷ୍କାର, ମଳିଛିଆ, ଛୋଟଲୋକ, ଅସନା ବସ୍ତି ପିଲା ଆଦି ସମ୍ଭୋଧନ କରୁଥିଲେ । କ’ଣ କିଛି ଭାବିବା ପୁର୍ବରୁ, ସେଠାରେ ତା’କୁ ଘଉଡ଼ାଇବା ପାଇଁ ଗାର୍ଡ଼ ବି ଆସିଯାଇଥିଲେ । ସେହି ବଡ଼ବଡିଆ ମାନଙ୍କ ଭିତରେ ପୁଣି ଜଣେ କିଏ କହିଲା, “ଶଳା ! ଅପରିଷ୍କାର, ଛିଣ୍ଡା ସାର୍ଟ ପ୍ୟାଣ୍ଟ ପିନ୍ଧି ଫେସନ ସୋ ଦେଖିବାକୁ ପଳାଇ ଆସିଛି ।” ଆଉ କିଏ କହୁଥିଲା, “ନିଜ ନିଜର ୱାଲେଟ୍ ଆଉ ମୋବାଇଲ ଉପରେ ନଜର ରଖ, ଶଳା ଏମିତିଆ ଛୁଆଙ୍କ ଉପରେ ଜମାରୁ ଭରସା ନାହିଁ, ଜରି ଗୋଟେଇବା ବାହାନାରେ ଏସବୁ ଜିନିଷ ଉପରେ ସେମାନଙ୍କର ତିକ୍ଷ୍ଣ ନଜର ଥାଏ ।” ଏମିତି ଅନେକ କଟୁକଥା କହି, ତା’ର ଅସହାୟତା ଆଉ ଦାରିଦ୍ର୍ୟତା ଉପରେ ଅଟ୍ଟାହାସ୍ୟ କରୁଥିଲେ ସେ ବଡ଼ବଡ଼ିଆମାନେ । ୟା ଭିତରେ, ସେମାନଙ୍କ ମଧ୍ୟରୁ କେହି ଜଣେ ଅତି ଉତ୍ୟକ୍ତ ହୋଇ ତା’ ତଳ ପେଟକୁ ଗୋଇଠାଟେ ମାରିଦେଲା । ମୋ ବୋଉଲୋ ବୋଲି ଚିତ୍କାର କରି କିଛି ଦୂରରେ ହାମୁଡେଇ ପଡ଼ିଲା ସଲମାନ୍ । ଦିନବେଳାର ଭୋକରେ ପେଟ ଖାଁ ଖାଁ ହେଉଥିବାବେଳେ, ଲୋକଟିର ଗୋଇଠା ମାଡରେ ତା’ର ଯନ୍ତ୍ରଣା ଆହୁରି ବଢ଼ିଯାଇଥିଲା । ଭେଁ ଭେଁ କରି ରଡ଼ିଛାଡ଼ି ତଳେ ଛଟପଟ ହେଉଥାଏ ସେ । ତାକୁ ସମ୍ଭାଳିବା ପରିବର୍ତ୍ତେ, ଅଧିକରୁ ଅଧିକ କଟାକ୍ଷ କରୁଥିଲେ, ସେଠାରେ ଉପସ୍ଥିତ ଥିବା ସଭ୍ୟ ସମାଜର ବଡ଼ବଡିଆମାନେ ।

ଏ ଦୃଶ୍ୟର, କିଛି ଦୂରରେ ବସି ମୁଁ ଆଉ ମୋର କିଛି ବନ୍ଧୁମାନେ ସେଠାରେ ଚାଲିଥିବା ଫେସନ ସୋ’କୁ ବଡ଼ ଆମୋଦରେ ଉପଭୋଗ କରୁଥିଲୁ । କିନ୍ତୁ, ଛୋଟ ପିଲାଟିର ଏମିତି ବୁକୁଫଟା ଚିତ୍କାର ଶୁଣି ଲୋକ ମାନେ ରୁଣ୍ଡ ହୋଇଥିବା ଜାଗାକୁ ଧସେଇ ପଶିଥିଲୁ ଏବଂ ସେମାନଙ୍କ କବଳରୁ ପିଲାଟିକୁ ଉଦ୍ଧାର କରିଥିଲୁ । ତା’କୁ ଆମମାନଙ୍କ ପ୍ରତି ନିର୍ଭୟର ସାନ୍ତ୍ୱନା ଦେଇ ଆମେ ବସିଥିବା ଜାଗାକୁ ନେଇ ଯାଇଥିଲୁ । ଦେହସାରା ଧୂଳି, ଛିଣ୍ଡା ସାର୍ଟ ପ୍ୟାଣ୍ଟ, ଓ ଆଖିରେ ଆଖିଏ ଲୁହ । ସେତେବେଳ ପର୍ଯ୍ୟନ୍ତ କଇଁ କଇଁ କାନ୍ଦୁଥିବା ସଲମାନ୍ ଆମଠୁ ପାଣି ପିଇ କିଛିସମୟ ପରେ ଚୁପ୍ ହୋଇଥିଲା । ଆମ ପାଖେ ବସି ପୁଣି ଥରେ ପ୍ରୋଗ୍ରାମ୍ ଦେଖିବାକୁ କହିବାରୁ, ସେ ମନା କରିଦେଇଥିଲା । ଏପରିକି ଯେତେ ଅନୁରୋଧ କଲେ ବି, ସଲମାନ୍ ଆମଠୁ ବିସ୍କୁଟ୍ ନେଇନଥିଲା, ଏବଂ ତା’କୁ ଛାଡ଼ିଦେବାକୁ ଅନୁମତି ମାଗୁଥିଲା । ଯିବା ବେଳେ ସେ ଯାହା କହିଗଲା, ତାହା ମୋ ପାଇଁ ଏବଂ ମୋ ସାଙ୍ଗ ମାନଙ୍କ ପାଇଁ ବଡ଼ ପ୍ରଶ୍ନଟିଏ ପାଲଟି ଗଲା ।

ତା’ର ପ୍ରତିକ୍ରିୟା ଥିଲା ………

“ବାବୁ! ଏ ଛୋଟ ଲୋକ ମାନେ କ’ଣ? ବାପା ମା’ ଛେଉଣ୍ଡ ମୁଁ । ହେତୁପାଇବା ଦିନଠୁ ଜରି, ଭଙ୍ଗା ପ୍ଲାଷ୍ଟିକ୍ ଗୋଟାଉଥିବା ପିଲାଟି ପରିଷ୍କାର-ଅପରିଷ୍କାର କ’ଣ ବା ଜାଣିଛି? ଅପରିଷ୍କାର ତ’ ଆପଣ ମାନେ କରୁଛନ୍ତି ! ଆଡ଼େସାଡ଼େ ନିଜର ବ୍ୟବହୃତ ଜିନିଷ, ପୋଷାକ, ଭଙ୍ଗା ବୋତଲ, ଆଦି ଫୋପାଡୁଛନ୍ତି । ଆଉ, ସେସବୁକୁ ପରିଷ୍କାର କରୁଛନ୍ତି ଆମ ଭଳି ଅନେକ ବେସାହାରା-ଅନାଥ ପିଲା । ତେବେ ଆମ୍ଭେମାନେ ଅପରିଷ୍କାର ହେଲୁ କେମିତି? ଦାରିଦ୍ର୍ୟର କୁଠାରଘାତ ଯୋଗୁଁ, ଆପଣ ମାନେ ଫୋପାଡ଼ୁଥିବା ଛିଣ୍ଡା ପୋଷାକ ସିନା ଆମେ ପିନ୍ଧୁଛୁ; ହେଲେ, ସେ ଷ୍ଟେଜ୍ ଉପରେ ଚାଲୁଥିବା ବଡ଼ ବଡ଼ ଝିଅମାନେ ଏମିତି ଛୋଟ ଛୋଟ ପୋଷାକ ପିନ୍ଧିଛନ୍ତି କାହିଁକି? ଆମ ଭଳି ସେମାନଙ୍କ ପାଖରେ କ’ଣ ପଇସା ନାହିଁ? କାହିଁକି ଏମାନଙ୍କ ଆଉ ମୋ ବସ୍ତିରେ ଥିବା ଝିଅ ମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ?” ଏମିତି କେତେ କ’ଣ କହି ସେ ଚାଲିଗଲା ।

ଏତେ ଛୋଟ ବୟସରେ ଧନୀ-ଦରିଦ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ଭଲଭାବେ ସଲମାନ୍ ବୁଝୁନଥିଲେ ମଧ୍ୟ, ଆମ ଆଗେ ସେ ଏକ ଅଛିଣ୍ଡା ଆଉ ଅଭେଦ୍ୟ ପ୍ରଶ୍ନ ଠିଆ କରିଦେଇଗଲା । ସେଇ ଛୋଟ ପିଲାଟିର ପାଦ ଛୁଇଁ ପ୍ରଣାମ କରିବାକୁ ଇଚ୍ଛା ହେଉଥିଲା, ହେଲେ ତାହା ମୁଁ କରି ପାରିଲି ନାହିଁ । କାହିଁକି କେଜାଣି?………

ସତରେ, ସେଦିନ ସେଇ ବସ୍ତି ପିଲା ସଲମାନ୍‌ର ଭାବନା ଆଗରେ ଆମେ ସଭ୍ୟ ଶିକ୍ଷିତ ବଡ଼ବଡ଼ିଆ ମାନେ ଅତି ଛୋଟ ହେଇଯାଇଥିଲୁ ।

ସ୍ମୃତି ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...