ଆମ ଉତ୍କଳୀୟ ସଂସ୍କୃତିରେ ନାରୀବାଦ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ନାରୀବାଦ ଯୁଗେ ଯୁଗେ ରହି ଆସିଛି, ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ଭାରତୀୟ ସଂସ୍କୃତିରେ ନାରୀଙ୍କୁ ସର୍ବଦା ଉଚ୍ଚରେ ସ୍ଥାନିତ କରାଯାଇଛି ଆଉ ଆମ ଉତ୍କଳରେ ତ ନାରୀବାଦକୁ ନେଇକି ହିଁ ମାଣବସା ଗୁରୁବାର ଓଷା ପାଳନ କରାଯାଉଛି ।
ମାଣବସା ଗୁରୁବାରର ମହତ୍ତ୍ୱ ପୂର୍ବକାଳରୁ ଆସିଛି । ନାରୀମାନେ ଏ ଓଷାକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରଥାନ୍ତି । ଆଦିଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ଅନ୍ୟତମ, ବଳରାମ ଦାସଙ୍କ ଚରିତ “ଲକ୍ଷ୍ମୀପୁରାଣ” ନାରୀବାଦର ପ୍ରମୁଖ ଗ୍ରନ୍ଥଟିଏ କହିଲେ ଅତ୍ୟୁକ୍ତି ହେବନାହିଁ । ମା’ ମହାଲକ୍ଷ୍ମୀ ସମଗ୍ର ନାରୀ ଜାତିର ପ୍ରତିନିଧି ଅଟନ୍ତି । ମା’ ଲକ୍ଷ୍ମୀଙ୍କୁ ଘରୁ ତଡ଼ି ଦେବାରୁ, ସ୍ୱୟଂ ଭଗବାନ ବି ପାର ପାଇନଥିଲେ । ଜଗତର ନାଥଙ୍କୁ ବି କଷ୍ଟ ନିର୍ଯାତନା ସହିବାକୁ ପଡ଼ିଥିଲା । ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡ଼ିବାରୁ ଦୁଇ ଭାଇ ନିଜର ସବୁକିଛି ହରାଇ ଥିଲେ ଏବଂ ଖାଦ୍ୟ ଗଣ୍ଡେ ପାଇଁ ଦ୍ୱାର ଦ୍ୱାର ବୁଲି ଭିକ ମାଗିଥିଲେ । ଶେଷରେ ନିଜ ଭୁଲ ବୁଝିପାରି ଲକ୍ଷ୍ମୀଙ୍କୁ କ୍ଷମା ମାଗିଥିଲେ ଏବଂ ନାରୀକୁ ଅପମାନ କରିବାର ଫଳ କ’ଣ ହେବ ବୋଲି ଦୁନିଆକୁ ଦେଖାଇଥିଲେ ।
ମହାପ୍ରଭୁ ଓ ମା’ ସାନ୍ତାଣୀଙ୍କର ଏହି କଥା ଛଳରେ କବି ବଳରାମ ଦାସ ଯେଉଁ ଅମୂଲ୍ୟ ବାର୍ତ୍ତା ଦେଇଛନ୍ତି, ତାହା ସମଗ୍ର ବିଶ୍ୱକୁ ଅନୁକରଣୀୟ । ସେ ସମୟରେ ଗୀତ ରଚନା ମାଧ୍ୟମରେ ମହାପୁରୁଷମାନେ ବହୁ ସାମାଜିକ ବାର୍ତ୍ତା ଦେଉଥିଲେ । ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ତାଙ୍କର କାବ୍ୟ ଅମୋଘ ଶସ୍ତ୍ର ଭଳି କାମ କରୁଥିଲା । ଲକ୍ଷ୍ମୀପୂରାଣରେ ନାରୀବାଦ ଓ ନାରୀ ସଶକ୍ତିକରଣ, ଦାରିଦ୍ୟ ଦୂରୀକରଣ, ଅସ୍ପୃଶ୍ୟତା ନିବାରଣ, ସ୍ୱଚ୍ଛତା, ଓଡ଼ିଆ ସଂସ୍କୃତି, ପରମ୍ପରା, ସାମାଜିକ ଚଳନ ଓ ସ୍ୱାବଲମ୍ବୀ ହେବାର ଯେଉଁ ମହାନ ବାର୍ତ୍ତା ଦେଇଛନ୍ତି, ସତରେ ତାହା ସମସ୍ତଙ୍କୁ ସ୍ତମ୍ବୀଭୁତ କରେ ।
ଓଡ଼ିଆ ଘରର ନାରୀମାନେ ଓଷାବ୍ରତ ଯେତିକି ଭାବ ଓ ଭକ୍ତିର ସହ କରନ୍ତି, ପାରିବାରିକ ଜୀବନକୁ ମଧ୍ୟ ସେତିକି ପ୍ରାଥମିକତା ଦେଇଥାନ୍ତି । ନିଜ କଳାରେ ନିଜ ଆଚାର ବ୍ୟବହାରରେ, କାମରେ, ରୋଷେଇ କଳାରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥାନ୍ତି ।
– ସ୍ନିଗ୍ଧାଲକ୍ଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର
Comments
ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

